ଜଳ ନା ଜହର?

News Story - Posted on 2017-11-30

ଓଡ଼ିଶାର ପ୍ରାୟ ସବୁ ମୁଖ୍ୟ ନଦୀର ଜଳମାନ ଆଉ ମଣିଷ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଏଥିପାଇଁ ଓଡ଼ିଶା ସରକାର ଦାୟୀ କି ଓଡ଼ିଶାର ଭୋଟର ତାହା ଅନୁଶୀଳନ କରିବାର ବେଳ ଆସିଛି । କିମ୍ବା ଏଥିପାଇଁ କେନ୍ଦ୍ର ବା କୌଣସି ପଡ଼ୋଶୀ ରାଜ୍ୟକୁ ଦାୟୀ କରାଯିବ ତାହା ମଧ୍ୟ ସ୍ଥିର ହେବା ଦରକାର । ବାସ୍ତବତା ହେଉଛି, ଓଡ଼ିଶାର ନଈଗୁଡ଼ିକରେ ଏବେ ଜଳ ବଦଳରେ ଜହର ବହୁଛି, ଯାହା ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ ସ୍ୱୀକାର କରିଛନ୍ତି ।

 

ବିଧାନସଭାରେ ମନ୍ତ୍ରୀ ପ୍ରଦାନ କରିଥିôବା ଲିଖିତ ଉତ୍ତର ଅନୁସାରେ ରାଜ୍ୟର ୧୧ଟି ପ୍ରମୁଖ ନଦୀର ୧୨୯ଟି ସ୍ଥାନରେ ଜଳମାନ ଅନୁଧ୍ୟାନ କେନ୍ଦ୍ର ରହିଛି । ଏଥିରୁ ୯୩ଟି ସ୍ଥାନର ଜଳ ମଣିଷ ବ୍ୟବହାର ଉପଯୋଗୀ ରହିନାହିଁ । ଗତ ବର୍ଷ ଏସବୁ ଅନୁଧ୍ୟାନ କେନ୍ଦ୍ରରୁ୨୧ଟି ସ୍ଥାନର ଜଳ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାହା ମଣିଷ ବ୍ୟବହାର ଉପଯୋଗୀ । କିନ୍ତୁ ଚଳିତ ବର୍ଷ ଏପ୍ରିଲ-ଅକ୍ଟୋବର ମଧ୍ୟରେ ହୋଇଥିବା ମାନ ପରୀକ୍ଷାରୁ ଜଣାପଡ଼ିଛି ଯେ ଏସବୁ ଜାଗାର ଜଳ ମଧ୍ୟ ଆଉ ମଣିଷ ବ୍ୟବହାର ଉପଯୋଗୀ ରହିନାହିଁ ।

 

ମହାନଦୀ ବ୍ୟବସ୍ଥାରେ ଥିବା ସମସ୍ତ ନଦୀର ଜଳ ପ୍ରଦୂଷିତ ଓ ସିଧାସଳଖ ମଣିଷ ବ୍ୟବହାର ଉପଯୋଗୀ ହୋଇ ରହିନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ମହାନଦୀର ଇବ୍, ଭେଡେନ, ହୀରାକୁଦ ଜଳଭଣ୍ଡାର, ପାୱାର ଚାନେଲ ଆଦି ସ୍ଥାନରେ ଜଳର ମାନ ‘ଗ’ ସ୍ତରକୁ ଖସି ଯାଇଛି । ଅର୍ଥାତ ଏସବୁ ସ୍ଥାନର ଜଳ ମଣିଷର ସିଧାସଳଖ ବ୍ୟବହାର ଉପଯୋଗୀ ନୁହେଁ । ସେହିପରି ମହାନଦୀର ସମ୍ବଲପୁର, ଶଙ୍କରମଠ, ହୁମା, ସୁବର୍ଣ୍ଣପୁର, ଟିକରପଡ଼ା, ନରସିଂହପୁର, ମୁଣ୍ଡୁଳି, କଟକ, ପାରାଦୀପ ଆଦି ସ୍ଥାନରେ ମଧ୍ୟ ଜଳ ପ୍ରଦୂଷିତ ହୋଇସାରିଛି ।

 

ସେହିପରି ମହାନଦୀର ଶାଖା ନଦୀ କାଠଯୋଡ଼ିର ଜଳ ମଧ୍ୟ କଟକ ଓ ମତ୍ତଗଜପୁରରେ ନିମ୍ନ ମାନର । ସେରୁଆ, କୁଆଖାଇ, ଦୟା, ଗଙ୍ଗୁଆନାଳ, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା, ନୁଣା, ବଡ଼ଶଙ୍ଖ, ସାବୁଳିଆ, ରତ୍ନଚିରା ଆଦି ଶାଖା ନଦୀର ଜଳ ମଧ୍ୟ ଆଉ ମଣିଷର ସିଧାସଳଖ ବ୍ୟବହାର ଉପଯୋଗୀ ରହିନାହିଁ । ଏସବୁ ସ୍ଥାନର ଜଳକୁ ବିଶୁଦ୍ଧ କଲା ପରେ ବ୍ୟବହାର କରାଯାଇ ପାରେ ।

 

ସେହିପରି ରାଜ୍ୟର ଅନ୍ୟତମ ପ୍ରମୁଖ ନଦୀ ବ୍ରାହ୍ମଣୀର ଜଳ ମଧ୍ୟ ଜହର ହୋଇସାରିଛି । ବ୍ରାହ୍ମଣୀ ବ୍ୟବସ୍ଥାର ଶଙ୍ଖ, କୋଏଲ, ବ୍ରାହ୍ମଣୀ, ନନ୍ଦିରା, କିସିଣ୍ଡା, ଖରସ୍ରୋତା, ଗୁରାଡି ନଳା, ବଡ଼ଜୋର, ବାଙ୍ଗୁରୁନଳା, ବାଙ୍ଗୁରୁସିଙ୍ଗଡ଼ା ଆଦି ନଦୀ ଓ ନାଳର ଅବସ୍ଥା ମଣିଷ ବ୍ୟବହାର ଉପଯୋଗୀ ନୁହେଁ । ପୂଣ୍ୟତୋୟା ବୈତରଣୀ ଜଳ ବି ନଇଗଡ଼, ଯୋଡ଼ା, ଆନନ୍ଦପୁର, ଯାଜପୁର, ଚାନ୍ଦାବଲି, ଧାମରା, ଦେଓଗାଁ ଓ ଭଦ୍ରକ ଆଦି ସ୍ଥାନରେ ନିମ୍ନମାନକୁ ଖସିଯାଇଛି ।

 

ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା, ନାଗାବଳୀ, ବଂଶଧାରା ଓ କୋଲାବ ଏବଂ ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଦୂଷିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି । ମୋଟ ଉପରେ ୯୩ଟି ସ୍ଥାନର ଜଳମାନ ପରୀକ୍ଷାରୁ ଜଣାପଡ଼ିଛି ଯେ ଏସବୁ ନଦୀର ଜଳକୁ ମଣିଷ ସିଧାସଳଖ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ ।

 

ବିଶେଷଜ୍ଞମାନଙ୍କ ମତରେ ସହରାୟନ ଓ ଶିଳ୍ପାୟନ ଯୋଗୁଁ ଓଡ଼ିଶାର ଅଧିକାଂଶ ନଦୀଜଳ ଜହରରେ ପରିଣତ ହୋଇଚାଲିଛି । ସହର ଓ ଶିଳ୍ପର ମଳକୁ ସରକାରଙ୍କ ଅନୁମତିକ୍ରମେ ନଦୀନାଳରେ ଛାଡ଼ି ଦିଆଯାଉଛି । ଶିଳ୍ପ ଆବର୍ଜନା ଓ ମଣିଷ ମଳ ହିଁ ନଦୀଜଳକୁ ପ୍ରଦୂଷିତ କରୁଛି । ଏସବୁ ନଦୀର ଜଳରେ ଜୈବରାସାୟନିକ ଅମ୍ଳଯାନ ଚାହିଦା ବା ବିଓଡି, ଟୋଟାଲ କୋଲିଫର୍ମ, ମଳରୁ ମିଳୁଥିବା ବ୍ୟାକ୍ଟେରିଆ ଆଦିର ମାତ୍ରା ଅନୁମୋଦିତ ହାରଠାରୁ ଅଧିକ ହୋଇସାରିଛି । ସେହିପରି ବ୍ୟାପକ ଖଣି ଖନନର ପ୍ରଭାବ ମଧ୍ୟ କେତେକ ନଦୀର ଜଳରେ ଖଣିଜ ମାତ୍ରା ବୃଦ୍ଧି କରିଛି ।

 

ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର, ହୀରାକୁଦ, ବୁର୍ଲା, କଟକ, ରାଉରକେଲା, ଅନୁଗୁଳ, ଜଗତପୁର, ଭୁବନେଶ୍ୱର, କଳିଙ୍ଗନଗର, ଭଦ୍ରକ, ଯାଜପୁର, ବାଲେଶ୍ୱର, ବ୍ରହ୍ମପୁର ଆଦି ରାଜ୍ୟର ପ୍ରାୟ ସମସ୍ତ ପ୍ରମୁଖ ସହର ଓ ଶିଳ୍ପାଞ୍ଚଳ ନଦୀକୂଳରେ ପ୍ରତିଷ୍ଠିତ । ଏସବୁ ସହର ଓ ଶିଳ୍ପାଞ୍ଚଳ ଯୋଗୁଁ ହିଁ ରାଜ୍ୟର ବହୁ ନଦୀର ଜଳ ଜହରରେ ପରିଣତ ହୋଇଛି । ସହର ଓ ଶିଳ୍ପ ପ୍ରତିଷ୍ଠା କରିବା ସମୟରେ ରାଜ୍ୟ ସରକାରଙ୍କର ଦୂରଦୃଷ୍ଟିର ଅଭାବ, ଉଦାସୀନତା, ଦୁର୍ନୀତି ଆଦି ଏଥିପାଇଁ ଦାୟୀ । ବଡ଼ବଡ଼ ଶିଳ୍ପ ବିନା ବିଶୋଧନରେ ଆବର୍ଜନା ନଦୀଜଳରେ ଛାଡ଼ୁଥିଲେ ମଧ୍ୟ ବର୍ଷବର୍ଷ ଧରି ସରକାର ଆଖିବୁଜି ବସିଛନ୍ତି । ପରିସ୍ଥିତି ଉକ୍ରଟ ହେଲେ ସରକାର ଅନ୍ୟକୁ ଦୋଷ ଦେଇ ରାଜନୀତି ଆରମ୍ଭ କରିପାରନ୍ତି, କିନ୍ତୁ ନଦୀଜଳକୁ ଶୁଦ୍ଧ ଓ ପବିତ୍ର ରଖିବାକୁ କେବେ ଉଦ୍ୟମ ହେବ ତାହା କିଏ କହିବ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top