ଅର୍ଥ ବ୍ୟବସ୍ଥା ପାଇଲା ନୂଆ ରୂପ

News Story - Posted on 2017-11-16

ସ୍ମୃତି ଇରାନୀ, ବୟନ ଶିଳ୍ପ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

 

ଏହି ଶତାବ୍ଦୀର ପ୍ରାରମ୍ଭରୁ ହିଁ ସାରା ବିଶ୍ୱରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ୨୦୧୪ ପୂର୍ବରୁ ଏହି ପରିଚୟ ଉପରେ ପ୍ରଶ୍ନ ଚିହ୍ନ ଲାଗି ଚାଲିଥିଲା, ଯେଉଁଥିପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏବଂ ବିକାଶ ଉପରେ ଖରାପ ପ୍ରଭାବ ପଡିଥିଲା। ଭାଜପା ନେତୃତ୍ୱାଧୀନ ବର୍ତ୍ତମାନର ଏନ‌୍‍ଡ଼ିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ନୀତିଗତ ପକ୍ଷାଘାତ ବା ‘ପଲିସି ପାରାଲିସିସ‌୍‍’ ଭଳି ସ୍ଥିତି ଥିଲା। ନିଷ୍ପତି ନେବାରେ ସରକାରଙ୍କର ଅସମର୍ଥତା କାରଣରୁ ଅର୍ଥ ବ୍ୟବସ୍ଥାର ସ୍ଥିତି ଦୟନୀୟ ହୋଇ ଯାଇଥିଲା। ଅନେକ ଭ୍ରଷ୍ଟାଚାର ଯୋଗୁଁ ସରକାର ଓ ଦେଶର ପରିଚୟ ଉପରେ ବାଜି ଲାଗିଥିଲା। ଏଭଳି ସ୍ଥିତିରେ ଯେତେବେଳେ, ଭାଜପା ସରକାର ଆସିଲା, ତ ଲୋକମାନଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ଜାଗ୍ରତ ହେଲା କି ଏବେ ଦେଶରେ ପରିବର୍ତ୍ତନର ଲହରୀ ଆସିବ। ସାମାଜିକ, ଆର୍ଥିକ, ଏବଂ ରାଜନୈତିକ, ସବୁ ସ୍ତରରେ ଭାରତର ଛବି ସୁଧୁରିଯିବ। ସେମାନଙ୍କର ଏହି ବିଶ୍ୱାସକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭରୁ ହିଁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଆପଣାଇଲେ। ଏକ ସ୍ୱଚ୍ଛ ସରକାର ପ୍ରତି। କରିବା ତାଙ୍କର ଚିନ୍ତାଧାରା ଥିଲା। ସେ ଭାରତକୁ  ବିଶ୍ୱର ଅଗ୍ରଣୀ ଧାଡିରେ ପହଂାଇବା ପାଇଁ ସଂକଳ୍ପବଦ୍ଧ ଥିଲେ। ସେ ସ୍ଥିର କରି ନେଇଥିଲେ କି ସଶକ୍ତ ଅର୍ଥ ବ୍ୟବସ୍ଥା ପାଇଁ ତାଙ୍କୁ ଯେତେ କଷ୍ଟ ପଦକ୍ଷେପ ନେବାକୁ ପଡୁ ପଛେ ସେ ପଛଘୁଂଚା ଦେବେ ନାହିଁ। ଏହି ପରିପ୍ରେକ୍ଷୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାର ପ୍ରକ୍ରିୟା ଆରମ୍ଭ ହେଲା।

 

କଳାଧନ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥିଲା। ପ୍ରଥମେ ଲୋକଙ୍କୁ ଭ୍ରମିତ କରିବା ପାଇଁ କେବଳ କଳାଧନ ଉପରେ ଚର୍ଚ୍ଚା କରା ଯାଉଥିଲା, କିନ୍ତୁ ତାକୁ ଔପଚାରିକ ଅର୍ଥ ବ୍ୟବସ୍ଥାରେ ଆଣିବା ପାଇଁ ବ୍ୟବହାରିକ ପ୍ରୟାସ କେବେ କରାଯାଇ ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ମାତ୍ରେ ହିଁ କଳାଧନ ଉପରେ କଡ଼ା ପ୍ରହାର କରିଥିଲେ। ତାକୁ ଅର୍ଥ ବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କଲେ, ଯେପରି କି ୨୦୧୪ ବଜେଟରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (ଏସ‌୍‍ଆଇଟି) ଗଠନ, କଳାଧନ ଏବଂ ଟିକସ ସଂଶୋଧନ ଅଧିନିୟମ, ବେଆଇନ କାରବାର ନିଷେଧ (ସଂଶୋଧନ) ନିୟମ, ସୁଇଜରଲାଣ୍ଡ ସହିତ ଆର୍ଥିକ ସୂଚନା ଆଦାନ ପ୍ରଦାନ ସଂପର୍କରେ ରାଜିନାମା, ମରିସସ‌୍‍,  ସାଇପ୍ରସ, ସିଙ୍ଗାପୁର ସହିତ ଟିକସ ଚୁକ୍ତିରେ ପରିବର୍ତ୍ତନ, ଦ୍ବୈତ ଟିକସ ପ୍ରତ୍ୟାହାର, ବେଆଇନ ଅର୍ଥ ଲଗାଣ ଅର୍ଥାତ(ମନି ଲଣ୍ଡେରିଂ)ଅଧିନିୟମ ଆଦି ଅନ୍ତଭୁର୍କ୍ତ।

 

ଅର୍ଥ ବ୍ୟବସ୍ଥାକୁ ସଜାଡିବା ଦିଗରେ ଆଗକୁ ଆସି ମାନନୀୟ ପ୍ରଧାନମନ୍ତ୍ରୀ ୮ ନଭେମ୍ୱର ୨୦୧୬ରେ ବିମୁଦ୍ରୀକରଣର ଅଭୂତପୂର୍ବ, ସାହସିକ ଏବଂ କଠୋର ନିଷ୍ପତି ନେଲେ, ଯାହାକୁ ପୂରା ବିଶ୍ୱରେ ପ୍ରଶଂସା କରାଗଲା। ବିମୁଦ୍ରୀକରଣ ମାଧ୍ୟମରେ ସରକାର ଏହା ସ୍ପଷ୍ଟ କରିଦେଲେ କି ଏହାଦ୍ୱାରା ଅର୍ଥବ୍ୟବସ୍ଥାକୁ କ୍ଷତି କରୁଥିବା ଅବୈଧ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ଆଉ ଟିକସ ଚୋରି କରିଲାବାଲାଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କ୍ରମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଜମା କରାଯାଇଥିବା କଳାଧନ ବିଷୟରେ ଜାଣିବା ପାଇଁ ଆୟକର ବିଭାଗ ୩୧ ଜାନୁଆରୀ ୨୦୧୭ରେ ‘ଅପରେସନ କ୍ଲିନ ମନି’ର ଶୁଭାରମ୍ଭ କଲେ। ଏହା ମାଧ୍ୟମରେ ୧୭.୭୩ ଲକ୍ଷ ସନ୍ଦିଗ୍ଧ ବ୍ୟାଙ୍କ ଜମା ଖାତାଧାରୀଙ୍କ ଜମାରାଶି ବିଷୟରେ ସ୍ପଷ୍ଟିକରଣ ମଗାଗଲା। ଆୟକର ବିଭାଗ ଅନୁସାରେ ଏହି ବର୍ଷ କରଦାତାଙ୍କ ସଂଖ୍ୟାରେ ପ୍ରାୟ ୨୬.୬ ପ୍ରତିଶତ ବୃଦ୍ଧି ହୋଇଛି। ଏହି ପରିବତ୍ତନ ସ୍ୱଚ୍ଛ ଅର୍ଥବ୍ୟବସ୍ଥା ଦିଗରେ ଏକ ମାଇଲ ଖୁଂଟ ସଦୃଶ।

 

ବିମୁଦ୍ରୀକରଣ ପରେ ୨.୨୪ ଲକ୍ଷରୁ ଅଧିକ ନକଲି/ଜାଲି କମ୍ପାନୀର ପଂଜିକରଣ ରଦ୍ଦ କରାଯାଇଛି ଆଉ ନକଲି କାରବାରରେ ସାମିଲ ୧୧୫୦ରୁ ଅଧିକ ପଂଜିକୃତ କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଗଲା। ସରକାର ବହୁତ ବଡ଼ ସଂଖ୍ୟାରେ ବେନାମୀ କାରବାରର ଅନୁସନ୍ଧାନ କରିଛନ୍ତି।

 

ବିମୁଦ୍ରୀକରଣର ନିଷ୍ପତି ବାସ୍ତବରେ ଗୋଟିଏ ତୀରରେ ଅନେକ ଲକ୍ଷ୍ୟ ସାଧନ କରିବାର ପ୍ରୟାସ ଥିଲା। ଏହାକୁ ଲାଗୁ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦେଶର ଅର୍ଥବ୍ୟବସ୍ଥାକୁ ସମାନ୍ତରାଳ କାରବାରରୁ ବାହାରକୁ ଆଣିବା ଏବଂ ଶକ୍ତିଶାଳୀ କଳାଧନ ବ୍ୟବସ୍ଥାକୁ ଧ୍ୱଂସ କରିବା। ଏହା ପ୍ରକୃତରେ ଭ୍ରଷ୍ଟାଚାର, କଳାଧନ, ନକଲି ନୋଟ‌୍‍, ଆଉ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣର ବାଟ ବନ୍ଦ କରିବା ପାଇଁ ସରକାରଙ୍କ ସଂକଳ୍ପର ଏକ ଅଂଶ ଥିଲା। କଳାଧନ ଉପରେ ପ୍ରହାର କାରଣରୁ ରିୟଲ ଇଷ୍ଟେଟର ଦର ଦ୍ରୁତ ଗତିରେ ହ୍ରାସ ପାଇବା ରେକର୍ଡ କରାଗଲା।

 

ବିମୁଦ୍ରୀକରଣ ଯୋଗୁଁ ‘ଡିଜିଟାଲକରଣ ଏବଂ କମ-ନଗଦଯୁକ୍ତ ଅର୍ଥବ୍ୟବସ୍ଥା’ର ମାର୍ଗ ମଧ୍ୟ ପ୍ରଶସ୍ତ ହୋଇଛି। ଅନ‌୍‍ଲାଇନ‌୍‍ ରେ ଅର୍ଥ ଆଦାନ ପ୍ରଦାନ ଯୋଗୁଁ ଟିକସ ଚୋରୀ ରୋକିବା ଦିଗରେ ସହାୟତା ମିଳିଛି। ଦେଶର ୭୩.୬୩ କୋଟି ବ୍ୟାଙ୍କ ଖାତା ଆଧାର ନମ୍ୱର ସହିତ ସଂଯୋଗ କରାଯାଇଛି ଆଉ ଏହି ଆଧାରରେ ପ୍ରତି ମାସରେ ପ୍ରାୟ ୭ କୋଟି ସଫଳତାର ସହ ଦେୟ ପ୍ରଦାନ କରାଯାଇଛି। ସରକାରୀ ଯୋଜନାର ଲାଭ ସିଧା ହିତାଧିକାରୀଙ୍କୁ ମିଳୁଛି, ଯାହା ଦ୍ୱାରା ମଧ୍ୟସ୍ଥ କାରବାରତନ୍ତ୍ର(ଦଲାଲୀ) ନଷ୍ଟ ହୋଇଯାଇଛି। ବିମୁଦ୍ରୀକରଣ ଦ୍ୱାରା ଏବେ ଔପଚାରିକ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଦିଗ ମିଳିଛି। ପୂର୍ବ ଅପେକ୍ଷା ଲୋକେ ଅଧିକ ମାତ୍ରାରେ ନିଜର ସଂଚୟ ଅସୁରକ୍ଷିତ ଭୌତିକ ସମ୍ପତି ବଦଳରେ ମ୍ୟୁଚୁଆଲ ଫଣ୍ଡ ଏବଂ ଜୀବନ ବୀମା ଭଳି ଯୋଜନାରେ ଲଗାଉଛନ୍ତି। ଅନୌପଚାରିକ ଅର୍ଥ ଔପଚାରିକ ପ୍ରଣାଳୀରେ ଆସିବାରୁ ଅର୍ଥବ୍ୟବସ୍ଥାର ନମନୀୟତାରେ ବୃଦ୍ଧି ହୋଇଛି।

 

ସୁଧ ହାର ହ୍ରାସ ପାଇବା ଯୋଗୁଁ ନିବେଶ ପ୍ରକ୍ରିୟା ବୃଦ୍ଧି ପାଇଛି, ଯାହାଦ୍ୱାରା ଭବିଷ୍ୟତରେ ଅଧିକ ରୋଜଗାରର ସୁଯୋଗ ସୃଷ୍ଟି ହେବ ଆଉ ଲୋକଙ୍କ ଜୀବନ ଶୈଳୀରେ ସୁଧାର ଆସିବ। ଏହା ଫଳରେ ନକ୍ସଲପନ୍ଥୀ ଏବଂ ଆତଙ୍କବାଦୀଙ୍କ ଦ୍ୱାରା ଦେଶ ବିରୋଧି କାର୍ଯ୍ୟକଳାପକୁ ସଂଚାଳିତ କରିବା ପାଇଁ ବ୍ୟବହାର କରାଯାଉଥିବା ନକଲି ନୋଟ‌୍‍ ଉପରେ ମଧ୍ୟ ଅଙ୍କୁଶ ଲାଗିଛି। ପଥର ଫିଙ୍ଗିବା ଆଉ ଆତଙ୍କବାଦ ଭଳି ଘଟଣା ବହୁ ପରିମାଣରେ କମ‌୍‍ ହୋଇଛି। ଏହି କ୍ରମରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିିବା ବସ୍ତୁ ଏବଂ ସେବା କର (ଜିଏସଟି) ମଧ୍ୟ ଟିକସର ଜଟିଳତାକୁ ସମାପ୍ତ କରି ଉପଭୋକ୍ତାମାନଙ୍କୁ ଉନ୍ନତ ଅର୍ଥବ୍ୟବସ୍ଥାର ଅଂଶ କରିବା ଦିଗରେ ଉଠା ଯାଇଥିବା ଏକ ପ୍ରଭାବଶାଳୀ ପଦକ୍ଷେପ ଥିଲା। ଏହାକୁ ମଧ୍ୟ ଧିରେ ଧିରେ ସଂଶୋଧିତ କରାଯାଉଛି।

 

ଏଇ ନିକଟରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ସହଜ ବ୍ୟବସାୟ କରିବାର ଅନୁକୂଳ ପରିବେଶକୁ ଧ୍ୟାନରେ ରଖି ଜାରି କରାଯାଇଥିବା ତାଲିକାରେ ଭାରତର ସ୍ଥିତିରେ ଅଭୁତପୂର୍ବ ଉନ୍ନତି ହୋଇଛି ଆଉ ତାହା ପୂର୍ବ ବର୍ଷ ତୁଳନାରେ ପାଖାପାଖି ୩୦ଟି ସଂଖ୍ୟା ଉପରକୁ ଉଠି ଶହେତମ ସ୍ଥାନରେ ପହଂଚିଛି ଯାହା ଭାରତୀୟ ଉଦାର ଅର୍ଥବ୍ୟବସ୍ଥା ତଥା ଆହୁରି ଅଧିକ ସୁଦୃଢ଼ ହେବାର ସଙ୍କେତ ମଧ୍ୟରୁ ଗୋଟିଏ। ବିଗତ ସରକାରର ଦୀର୍ଘ ସମୟର ଶାସନ କାଳ ମଧ୍ୟରେ ବିଶ୍ୱସ୍ତରରେ ଆମର ମାନ୍ୟତା ୧୩୦-୧୪୦ ମଧ୍ୟରେ ଥିଲା। ସେତେବେଳେ କେବେ ମଧ୍ୟ ଏହି ଦିଗରେ ପ୍ରୟାସ କରାଯାଇ ନ ଥିଲା। ଏବେ ସମଗ୍ର ବିଶ୍ୱରେ ଏହି କଥାର ପ୍ରଶଂସା କରାଯାଉଛି କି ଭାରତ ବଦଳି ଯାଇଛି ଆଉ ଏକ ନୂତନ ଭାରତର ମୂଳଦୂଆ ପଡ଼ିଯାଇଛି। ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି କି ଆସନ୍ତା ବର୍ଷ ଏହାଠାରୁ ମଧ୍ୟ ଭଲ ର୍ୟାଙ୍କିଙ୍ଗ ହାସଲ କରିବାର ପ୍ରୟାସ କରାଯିବ।

 

ଯଦି ଏହା କୁହାଯାଏ କି ବିମୁଦ୍ରୀକରଣ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିକାଶଶୀଳ ଅର୍ଥବ୍ୟବସ୍ଥାରୁ ବିକଶିତ ଅର୍ଥବ୍ୟବସ୍ଥା ଆଡ଼କୁ ନେଇଯିବା ଦିଗରେ ଏକ ସାହସିକ ଆଉ ବୁଝି ବିଚାରି କରାଯାଇଥିିବା ନିଷ୍ପତି ଥିଲା, ତ ଏଥିରେ କୌଣସି ଅତିଶୟୋକ୍ତି ହେବ ନାହିଁ। ହୁଏତ ଦୂରଦର୍ଶୀ ପରିଣାମକୁ ଧ୍ୟାନରେ ରଖି ନିଆଯାଇଥିବା ନିଷ୍ପତିରେ ତତ୍କାଳ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ନୂତନ ଭାରତର  ନିର୍ମାଣ ପାଇଁ ଏହି ପ୍ରକାରର ନିଷ୍ପତି ନିଆଯିବା ଦରକାର।

 

(ଏହା ହେଉଛି ଲେଖିକାଙ୍କ ନିଜସ୍ୱ ମତାମତ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top