ପ୍ରଥମ ଶହୀଦ ଜୟୀ ରାଜଗୁରୁ

News Story - Posted on 2017-11-11

ଡକ୍ଟର ଧୀରେନ୍ଦ୍ର ନନ୍ଦ

ଆମ ଦେଶ ତଥା ମାଟି ମାଆର ସମ୍ମାନ ରକ୍ଷା କରିବା ପାଇଁ ବହୁ ବିପ୍ଲବୀ ବରପୁତ୍ର ନିଜ ଜୀବନ ଉତ୍ସର୍ଗ କରିଯାଇଥିଲେ ମଧ୍ୟ ଉତ୍କଳ ମାଟିର ଭୀଷ୍ମ ମହାନ ସଂଗ୍ରାମୀ ଯୋଦ୍ଧା ବିପ୍ଲବୀ ଜୟୀ ରାଜଗୁରୁ ଭଳି ବ୍ୟକ୍ତିତ୍ୱ ସାରା ପୃଥିବୀରେ ବିରଳ । ୧୭୩୯ ମସିହା ଅକ୍ଟୋବର ୨୯ ତାରିଖ ଅଁଳା ନବମୀ ତିଥିରେ ଏକ ମର୍ଯ୍ୟାଦାବନ୍ତ କୁଳୀନ ବ୍ରାହ୍ମଣ ବଂଶରେ ଅବିଭକ୍ତ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଶାସନରେ ତାଙ୍କର ଜନ୍ମ । ଧର୍ମଶାସ୍ତ୍ର, ନୀତିଶାସ୍ତ୍ର ଆଦି ଶିକ୍ଷା ସହିତ ଘୋଡ଼ାଚଢ଼ା, କୁସ୍ତି କସରତ ଓ ମଲ୍ଲ ଯୁଦ୍ଧରେ ସେ ଥିଲେ ପାରଙ୍ଗମ । କାଶୀ ଯାଇ ଜଣେ ଦେବୀ ସାଧକଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସେ ଦଶମହାବିଦ୍ୟା ସାଧନା ସହିତ ‘ଧୂମାବତୀ’ଙ୍କର ସାଧନାରେ ସିଦ୍ଧିଲାଭ କରିଥିଲେ ।

 

ପ୍ରଥମେ ଠାକୁର ରାଜା ଦିବ୍ୟସିଂହ ଦେବଙ୍କ ସମୟରେ ଖୋରଧା ରାଜ୍ୟ ପ୍ରଶାସନରେ ସେ ଯୋଗ ଦେଇଥିଲେ । ଗଜପତି ପ୍ରଥମ ଦିବ୍ୟସିଂହ ଦେବଙ୍କ ମୃତ୍ୟୁପରେ ରାଜଗାଦି ପାଇଁ ବିବାଦ ଦେଖାଦେଇଥିଲା । ଇଂରେଜମାନେ ଦିବ୍ୟସିଂହ ଦେବଙ୍କ ଭାଇ ଶ୍ୟାମସୁନ୍ଦର ଦେବଙ୍କୁ ସିଂହାସନରେ ବସାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଜୟୀ ରାଜଗୁରୁଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନଙ୍କ ଉଦ୍ୟମ ସଫଳ ହୋଇନଥିଲା ।

 

ଦିବ୍ୟସିଂହ ଦେବଙ୍କ ପୁତ୍ର ଦ୍ୱିତୀୟ ମୁକୁନ୍ଦ ଦେବ ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । କିନ୍ତୁ ସେ ନାବାଳକ ଥିବାରୁ ତାଙ୍କୁ ସହାୟତା ଦେବାପାଇଁ ଅଭିଜ୍ଞ ଜୟୀ ରାଜଗୁରୁଙ୍କୁ ବେବର୍ତ୍ତା ରୂପେ ନିଯୁକ୍ତ କରାଯାଇଥିଲା । ସେ ନାବାଳକ ରାଜାଙ୍କର ଅଜ୍ଞତା ଓ ଅସହାୟତା ଉପଲବ୍ଧି କରି ନିଜର ଶକ୍ତି, ସାମର୍ଥ୍ୟ ଓ ଦୂରଦୃଷ୍ଟି ଦ୍ୱାରା କାର୍ଯ୍ୟ ପରିସରକୁ କେବଳ ରାଜଗୁରୁର ନିର୍ଦ୍ଦିଷ୍ଟ ପରିସରରେ ସୀମିତ ନ ରଖି ଶାସନର ପ୍ରତ୍ୟେକ ଅଙ୍ଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଥିଲେ । ସେ ସେନାଧ୍ୟକ୍ଷ ପଦ ମଧ୍ୟ ଅଳଙ୍କୃତ କରି ପାଇକ ବାହିନୀକୁ ଏକ ଦୁର୍ଦ୍ଦର୍ଷ ବାହିନୀରେ ପରିଣତ କରିଥିଲେ ।

 

ଦ୍ୱିତୀୟ ମୁକୁନ୍ଦ ଦେବଙ୍କ ରାଜତ୍ୱର ପ୍ରାରମ୍ଭରେ ସେ ରାଜାଙ୍କ ଦ୍ୱାରା ମନୋନୀତ ହୋଇ ମହାଆଡ଼ମ୍ବରରେ ସୈନ୍ୟସାମନ୍ତ ନେଇ ଡ଼ମପଡ଼ା ଅଭିଯାନରେ ଯାଇଥିଲେ । ରାଜଗୁରୁ ଅପୂର୍ବ ବୀରତ୍ୱ ସହକାରେ ଯୁଦ୍ଧ କରି ଡ଼ମପଡ଼ାଗଡ଼ ଅଧିକୃତ କରିଥିଲେ । ରାଜ୍ୟର ମଙ୍ଗଳ ପାଇଁ ସେ ସର୍ବମୟ କର୍ତ୍ତା ଭାବେ ଉଭା ହୋଇ ଶାସନ କାର୍ଯ୍ୟ ଚଳାଇଲେ ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା ଭାର ମଧ୍ୟ ଗ୍ରହଣ କଲେ । ସେ ମଧ୍ୟ ସମୟେ ସମୟେ ରାଜାଙ୍କ ପ୍ରତିନିଧିତ୍ୱ କରୁଥିଲେ । ରାଜାଙ୍କ କାର୍ଯ୍ୟକୁ ମଧ୍ୟ ସମାଲୋଚନା କରି ନିଜର ନିର୍ଭୀକ ମତ ପ୍ରଦାନ କରୁଥିଲେ ।

 

ଜୟୀ ରାଜଗୁରୁ ଜଗନ୍ନାଥ ମନ୍ଦିରର ବହୁ ଅଭିବୃଦ୍ଧି କରିଥିଲେ । ସେତେବେଳେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ବିଭିନ୍ନ ସେବା ପୂଜାପାଇଁ ଲେମ୍ବାଇ, ରାହାଙ୍ଗ, ସିରାଇ ଓ ଚବିଶକୁଦ ପ୍ରଗଣାର ଆୟ ଉଦ୍ଦିଷ୍ଟ ଥିଲା । ସେଗୁଡ଼ିକ କିନ୍ତୁ ଭୋଇ ବଂଶର ଏକାଦଶ ଶାସକ ବୀରକିଶୋର ଦେବ ଖେମୁଣ୍ଡି ଜମିଦାର ନାରାୟଣ ଦେବଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ଲକ୍ଷ ଟଙ୍କା ବିନିମୟରେ ମରାଠା ସୁବାଦାର ଶିବ ଭଟ୍ଟ ସନ୍ତିଆଙ୍କ ନିକଟରେ ବନ୍ଧକ ସ୍ୱରୂପ ରଖିଥିଲେ । ଫଳରେ ଏହି ପ୍ରଗଣାଗୁଡ଼ିକର ଆୟ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ଲାଗିପାରୁ ନ ଥିଲା । ଜୟୀ ରାଜଗୁରୁ ନାଗପୁର ଯାଇ ଠାକୁରମାନଙ୍କ ଯାନିଯାତ୍ରାରେ ଅସୁବିଧା ହେଉଥିବା କଥା ଜଣାଇଥିଲେ । ପ୍ରଗଣାଗୁଡ଼ିକର ଆୟ ସେବାପୂଜାରେ ଖର୍ଚ୍ଚ ହେବା ଉଚିତ ବୋଲି ଦର୍ଶାଇଥିଲେ । ଏହାର ବ୍ୟତିକ୍ରମ ହେଲେ ଏପରିକି ଦୈବୀଦଣ୍ଡ ଭୋଗ କରିବାକୁ ପଡ଼ିପାରେ ବୋଲି ମରାଠାମାନଙ୍କୁ ଜଣାଇଥିଲେ । ଫଳରେ ଜଗନ୍ନାଥଙ୍କର ଯାନିଯାତ୍ରା ପାଇଁ ସମସ୍ତ ଅର୍ଥ ମରାଠାମାନଙ୍କର ରାଜକୋଷରୁ ଖର୍ଚ୍ଚ ହେବାର ସ୍ଥିର ହୋଇଥିଲା ।

 

ଜୟୀ ରାଜଗୁରୁଙ୍କର ନିମନ୍ତ୍ରଣକ୍ରମେ ନାଗପୁରର ଭୋନ୍ସଲା ରଥଯାତ୍ରା ବେଳେ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଅଭିଭୂତ ହୋଇପଡ଼ିଲେ । ଏହା ଫଳରେ ଖୋରଧା ରାଜା ଓ ମରାଠାମାନଙ୍କର ସମ୍ପର୍କ ଘନିଷ୍ଠ ହେଲା । ତାଙ୍କ ଉଦ୍ୟମରେ ଜଗନ୍ନାଥ ଧର୍ମର ପ୍ରଚାର ଓ ପ୍ରସାର ଘଟିଥିଲା ।

 

ଖୋରଧା ରାଜାଙ୍କ ତରଫରୁ ସାମନ୍ତ ରାଜାମାନଙ୍କୁ ପରିଚ୍ଛା ଆଦି ଉପାଧି ଦିଆଯିବାର ବ୍ୟବସ୍ଥା ହୋଇଥିଲା । ସେମାନଙ୍କୁ ଲାଲ ପାଲିଙ୍କି, ହାତୀ, ଛତି ଓ କାହାଳୀ ସହ ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ପ୍ରବେଶ ଅଧିକାର ଓ କାଂସପାହାରୀ ପାଖରେ ଶ୍ରୀଜୀଉଙ୍କ ଦର୍ଶନ ସୁବିଧା ପ୍ରଭୃତି ପ୍ରଦାନ କରାଯାଇଥିଲା ।

 

ସେ ଜଣେ ସ୍ୱାଧୀନଚେତା ମଣିଷ ଥିବାରୁ ଇଂରେଜମାନଙ୍କୁ କୌଣସି ପ୍ରକାରେ ସାହାଯ୍ୟ ଦେବା ସପକ୍ଷରେ ନ ଥିଲେ । କୂଟନୀତି ନିପୁଣ ଇଂରେଜମାନେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବାର ଆଶଙ୍କା ସତ୍ୟରେ ପରିଣତ ହୋଇଥିଲା । ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ଅଧିକୃତ ଚାରିଗୋଟି ପ୍ରଗଣା ଫେରାଇବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । କଟକରେ ଅବସ୍ଥାପିତ କମ୍ପାନୀର ପ୍ରଶାସକମାନଙ୍କ ସହ କଥାବାର୍ତ୍ତାରୁ କୌଣସି ସୁଫଳ ନ ମିଳିବାରୁ ସେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବାପାଇଁ ସଂକଳ୍ପବଦ୍ଧ ହୋଇ ମରହଟ୍ଟା ଶକ୍ତିର ସାମରିକ ସାହାଯ୍ୟ ଲୋଡ଼ିଥିଲେ । କିନ୍ତୁ ତାଙ୍କର ଏହି ଉଦ୍ୟମ ସଫଳ ହୋଇ ନ ଥିଲା । ଭାରତ ଇତିହାସର ଚାଣକ୍ୟଙ୍କ ପରି କୂଟନୀତି ପ୍ରୟୋଗ କରି ହରିଶପୁର, କୁଜଙ୍ଗ ଓ କନିକାରେ ବିଦ୍ରୋହାଗ୍ନି ପ୍ରଜ୍ଜ୍ୱଳିତ କରି ଇଂରେଜ ଶାସକଙ୍କ ଶକ୍ତି ବିକେନ୍ଦ୍ରିତ କରି ସେମାନଙ୍କ ସାମରିକ କର୍ତ୍ତୃତ୍ୱକୁ ହ୍ରାସ କରିଥିଲେ । ଇଂରେଜମାନଙ୍କ ବିରୋଧରେ ଯୁଦ୍ଧରେ ସେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରି ପାଇକମାନଙ୍କ ସହଯୋଗରେ ସମଗ୍ର ବରୁଣାଇ ଅଂଚଳକୁ ଅବାରିତ ସଂଗ୍ରାମରେ ଚଳଚଂଚଳ କରିଥିଲେ ।

 

ନାବାଳକ ରାଜାଙ୍କୁ ଏ ଦେଶର ‘ଚଳନ୍ତି ବିଷ୍ଣୁ’ ହିସାବରେ ପ୍ରତିପାଦିତ କରି, ଅଶେଷ ସାହସ ସଂଚୟ କରି ଦୁର୍ଦ୍ଧର୍ଷ ପାଇକ ବାହିନୀ ଦ୍ୱାରା ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଇଂରେଜ ଅଧିକୃତ ଅଂଚଳରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ । ଯୁଦ୍ଧରେ ଇଂରେଜମାନେ ଉନ୍ନତ ଗୁଳିଗୋଳା ଓ କମାଣ ସାହାଯ୍ୟରେ ବିଜୟୀ ହେଲେ । ରାଜଗୁରୁ କିନ୍ତୁ ରାଜାଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେଇଥିଲେ । ତାଙ୍କରି ପରାମର୍ଶରେ ରାଜା ଦୁର୍ଗରୁ ପଳାଇଯାଇ ଆତ୍ମରକ୍ଷା କଲେ । ମାତ୍ର ପରବର୍ତ୍ତୀ ସମୟରେ ବିଶ୍ୱାସଘାତକତାର ଶିକାର ହୋଇ କମ୍ପାନୀ କର୍ତ୍ତୃପକ୍ଷଙ୍କଦ୍ୱାରା ଉଭୟେ ରାଜା ଏବଂ ଜୟୀ ରାଜଗୁରୁ ବନ୍ଦୀ ହେଲେ । ଦେଶହିତୈଷୀ, ସଙ୍ଗଠକ ରାଜଗୁରୁ ଉଭୟ ରାଜା ଓ ରାଜଗୁରୁଙ୍କର ପ୍ରାଣଦଣ୍ଡ ନିଶ୍ଚିତ ବୋଲି ଅନୁମାନ କରିଥିଲେ । ମାତ୍ର ରାଜା ଜୀବିତ ଥିଲେ ପୁଣି ଇଂଜେମାନଙ୍କୁ ହଟାଇ ଦିଆଯିବ ବୋଲି ସେ ଭାବିଥିଲେ । ତେଣୁ ସମସ୍ତ କମ୍ପାନୀ ବିରୋଧୀ କାର୍ଯ୍ୟ ସେ କରିଥିବା ସ୍ୱୀକାର କରି ନିଜ ପ୍ରାଣଦଣ୍ଡକୁ କେବଳ ବରଣ କଲେ ତାହା ନୁହେଁ, ତ୍ୟାଗର ଏକ ଉଚ୍ଚ ଆଦର୍ଶ ଓ ପରମ୍ପରା ସୃଷ୍ଟି କରିଗଲେ ।

 

୧୮୦୬ ମସିହା ଡିସେମ୍ବର ୬ ତାରିଖ ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଖୋରଧାର ମଧ୍ୟସ୍ଥଳରେ ଥିବା ଫାଶୀ ବରଗଛର ଦୁଇଟି ଅଲଗା ଡାଳରେ ଦୁଇ ଗୋଡକୁ ବାନ୍ଧି ଦେଇ ଅତି ଅମାନୁଷିକ ଭାବେ ତାଙ୍କୁ ଦୁଇଫାଳ କରି ଫାଶୀ ଦିଆଗଲା । ଏହି ଘଟଣା ଏଭଳି କୋକୁଆ ଭୟ ସୃଷ୍ଟି କରିଥିଲା ଯେ ପରବର୍ତ୍ତୀ ୧୧ ବର୍ଷ ପର୍ଯ୍ୟନ୍ତ ଏହି ବୀର ମାଟିରେ କୌଣସି ସଂଗ୍ରାମ ମୁଣ୍ଡ ଟେକି ନଥିଲା ।

 

କେହି କେହି ଆଲୋଚକ ଜୟୀ ରାଜଗୁରୁଙ୍କୁ ଗର୍ବୀ ଓ ଉଦ୍ଧତ ପ୍ରକୃତିର ବୋଲି ଚିତ୍ରଣ କରିଛନ୍ତି । ରାଜଗୁରୁ ପଦବୀରେ ଥାଇ ଦେୱାନ ଓ ବକ୍ସିଙ୍କ କାର୍ଯ୍ୟ ତୁଲାଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏପରିକି ପ୍ରଜାମାନଙ୍କଠାରୁ ଅନ୍ୟାୟ ଭାବରେ କର ଆଦାୟ କରିଥିବା ଜଣାଯାଇଛି । କର୍ଣ୍ଣେଲ ହାରକୋର୍ଟ ମଧ୍ୟ ଦେଇଥିବା ଚାଳିଶ ହଜାର ଟଙ୍କା ସେ ରାଜାଙ୍କୁ ଦେଇ ନ ଥିବା ଦୋଷାରୋପ ହୋଇଛି, କିନ୍ତୁ ରାଜଗୁରୁ ତାହା ନିଜ ପାଇଁ ଖର୍ଚ୍ଚ କରିନାହାନ୍ତି । ରାଜ୍ୟର ମଙ୍ଗଳ ଦୃଷ୍ଟିରୁ ସେ ପାଇକ ବାହିନୀ ପୁନର୍ଗଠନ ପାଇଁ ଖର୍ଚ୍ଚ କରିଛନ୍ତି । ବିଦେଶୀ ଇଂରେଜମାନଙ୍କୁ ରାଜ୍ୟରୁ ହଟାଇବାପାଇଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ ସେ ସେହି ଲକ୍ଷ୍ୟ ସାଧନରେ ଲାଗିଥିଲେ । ରାଜଗୁରୁ ହିସାବରେ ରାଜା ସେହି ପଦର ଗୁରୁତ୍ୱ ଉପଲବ୍ଧି କରି ତାଙ୍କୁ ଅନେକ ନିଷ୍କର ଜମି ପ୍ରଦାନ କରିଥିଲେ । ଖୋରଧା ଦୁର୍ଗରେ ରାଜଗୁରୁ ସପରିବାର ରହିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ ମଧ୍ୟ ଜୟୀ ରାଜଗୁରୁ ଆଜୀବନ ଅବିବାହିତ ରହି ସରଳ ଜୀବନ ଯାପନ କରୁଥିଲେ । ସେ ରାଜପ୍ରଦତ୍ତ ସୁବିଧା ଉପଭୋଗ କରି ନ ଥିଲେ । ଇଂରେଜମାନଙ୍କ ସହିତ ସଂଘର୍ଷରେ ସତତ ଲିପ୍ତ ଥିବା ହେତୁ ସେ ଅଧିକାଂଶ ସମୟ ବଣ ଜଙ୍ଗଲରେ ରହୁଥିଲେ ।

 

ନିଜ ମାତୃଭୂମିକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିପ୍ଲବୀ ଜୟୀ ରାଜଗୁରୁ ଏକ ଅଜେୟ ଶକ୍ତି ବିରୋଧରେ ପାଇକମାନଙ୍କୁ ନେଇ ସଂଗ୍ରାମ ଚଳାଇ ଓଡ଼ିଶା ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ତାଙ୍କ ଦ୍ୱାରା ଅନୁସୃତ ପନ୍ଥା ପରବର୍ତ୍ତୀ ସମୟରେ ୧୯୧୭ ମସିହାର ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ଏଭଳି ଏକ ଯୁଗ ପୁରୁଷ ତଥା ମହାନ ସଂଗ୍ରାମୀଙ୍କୁ ଭାରତର ପ୍ରଥମ ଶହୀଦ ଭାବରେ ଘୋଷଣା କରାଯିବା ଉଚିତ । ତାଙ୍କ ସଂଗ୍ରାମ ଓ ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନ୍ନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉଲ୍ଲାସ ଓ ଉଦ୍ଦୀପନା ସୃଷ୍ଟି କରିଛି । ତାଙ୍କର ଜୀବନ ହେଉଛି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ତାଙ୍କର ନିଷ୍ଠା, ନିଃସ୍ୱାର୍ଥପରତା, ସାଧୁତା, ଦେଶପ୍ରେମ, ସାହସ ଓ ତ୍ୟାଗ ଓଡ଼ିଶା ତଥା ଭାରତ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ।

 

ଅଧ୍ୟକ୍ଷ, ଜୟୀ ରାଜଗୁରୁ ସ୍ମୃତି ସଂସଦ,
ରାଜ୍ୟ ସହସଂଯୋଜକ, ସ୍ୱଦେଶୀ ଜାଗରଣ ମଂଚ,
ଓଡିଶା, ଶୂନ୍ୟଭାଷ - ୯୪୩୭୦୦୬୭୨୫ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top