ସୁପରଫାଷ୍ଟ ଲେଭି- ତଣ୍ଡ ଗଣିବେ ଯାତ୍ରୀ!

News Story - Posted on 2017-11-06

ଆର୍ଥିକ ସଂକଟରେ ପଡ଼ିଥିବା ଭାରତୀୟ ରେଳବାଇ ଗ୍ରାହକଙ୍କୁ ଶୋଷଣ କରିବାକୁ ଜାରି କରିଛି ନୂଆ ନିର୍ଦ୍ଦେଶ । ଏଣିକି ୪୮ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ଯାତ୍ରୀ ଗଣିବେ ଅଧିକ ଭଡ଼ା । ଆଉ ସେଥିପାଇଁ ସେହିସବୁ ଟ୍ରେନକୁ ସୁପରଫାଷ୍ଟ ଘୋଷଣା କରିଛି ଭାରତୀୟ ରେଳବାଇ । ଅଥଚ ଗତି ବଢ଼ିବ ମାତ୍ର ୫ କିଲୋମିଟର, ସୁବିଧା କିଛି ଅଧିକ ନାହିଁ ।

 

ନଭେମ୍ବର ପହିଲାରୁ ଦେଶବ୍ୟାପୀ କେତେକ ଟ୍ରେନ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ସହିତ ମୋଟ ୪୮ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ଘୋଷଣା କରାଯାଇଛି । ଏସବୁ ଟ୍ରେନର ଗତି ଘଣ୍ଟା ପିଛା ୫୦ କିଲୋମିଟର ଥିଲା । ଏଣିକି ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୫୫ କିଲୋମିଟର ହେବ । ଏହି ଗତିରେ ଚାଲିଲେ ବି ଏସବୁ ଟ୍ରେନ୍ ଠିକ ସମୟରେ ବାହାରିବ କି ପହଂଚିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ଅଥଚ ଅଧିକ ଭଡ଼ା ଗଣିବେ ଯାତ୍ରୀ । ଏସବୁ ଟ୍ରେନର ସ୍ଲିପର ଟିକଟ ପାଇଁ ଯାତ୍ରୀଙ୍କୁ ଅଧିକ ୩୦ ଟଙ୍କା, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ଟିକଟ ପାଇଁ ଅଧିକ ୪୫ ଟଙ୍କାଓ ପ୍ରଥମ ଶ୍ରେଣୀ ଏସି ଟିକଟ ପାଇଁ ୭୫ ଟଙ୍କା ଅଧିକ ଦେବାକୁ ହେବ ।

 

ଜନ ଅସନ୍ତୋଷକୁ ଆଡ଼େଇବା ଉଦ୍ଦେଶ୍ୟରେ ରେଳବାଇ ମନ୍ତ୍ରଣାଳୟ ଯାତ୍ରୀଭଡ଼ା ବୃଦ୍ଧି ନକରି ଏହି କୌଶଳ ପ୍ରୟୋଗ କରିଛି । ଏହାକୁ ସୁପରଫାଷ୍ଟ ଲେଭି କୁହାଯାଉଛି । ଏବେ ନୂଆ କରି ୪୮ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ତାଲିକାରେ ସାମିଲ କରାଯାଇଛି । ଏବେ ଦେଶରେ ଏହାକୁ ଲଗେଇ ମୋଟ ସୁପରଫାଷ୍ଟ ଟ୍ରେନ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି । ନୂଆ ସୁପରଫାଷ୍ଟ ଲେଭି ଜରିଆରେ ସରକାର ଚଳିତ ବର୍ଷ ଅଧିକ ୭୦ କୋଟି ଟଙ୍କା ଅର୍ଜନ କରିବେ ବୋଲି ହିସାବ କରାଯାଇଛି ।

 

ଗତ ବର୍ଷ ଏପରି ସୁପରଫାଷ୍ଟ ଲେଭି ବ୍ୟବସ୍ଥା ବିରୋଧରେ କଡ଼ା ଟିପ୍ପଣୀ ଦେଇଥିଲେ ଦେଶର କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ । ଯାତ୍ରୀମାନେ ସୁପରଫାଷ୍ଟ ଲେଭି ଦେଉଥିଲେ ମଧ୍ୟ ସଂପୃକ୍ତ ଟ୍ରେନ ସୁପରଫାଷ୍ଟ ଗତିରେ ଚାଲୁ ନଥିବା ରିପୋର୍ଟ କରିଛନ୍ତି ସିଏଜି । ସିଏଜି ଅଡିଟରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୮୯୦ଟି ସୁପରଫାଷ୍ଟ ଟ୍ରେନ୍ ବିଳମ୍ବରେ ଚାଲିଥିଲା । ତଥାପି ଏଥିପାଇଁ ସୁପରଫାଷ୍ଟ ଲେଭି ଆଦାୟ କରାଯାଇଥିଲା । ଜୁଲାଇ ମସାରେ ୧୨୯ ଟ୍ରେନ, ଅଗଷ୍ଟଟେ ୧୪୫ ଓ ସେପ୍ଟେମ୍ବରରେ ୧୮୩ ଟ୍ରେନ୍ ଏକ ଘଣ୍ଟାରୁ ତିନି ଘଣ୍ଟା ବିଳମ୍ବରେ ଚାଲିଥିଲା । ସେହିପରି ଜୁଲାଇରେ ୩୧ଟି ସୁପରଫାଷ୍ଟ ଟ୍ରେନ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲିଥିଲା । ଅଗଷ୍ଟରେ ଏହି ସଂଖ୍ୟା ହେଲା ୩୭ । ଜୁଲାଇରେ ୧୯୬, ଅଗଷ୍ଟରେ ୧୮୬ ଓ ସେପ୍ଟେମ୍ବରରେ ୨୪୦ ସୁପରଫାଷ୍ଟ ଟ୍ରେନ ୩୦ ମିନିଟରୁ ଘଣ୍ଟାଏ ବିଳମ୍ବରେ ଚାଲିଥିଲେ ।

 

ସରକାର ଘୋଷଣା କରିଥିବା କେତେକ ନୂଆ ସୁପର ଫାଷ୍ଟ ଟ୍ରେନ ହେଲେ ପୁନେ-ଅମରାବତୀ ଏକ୍ସପ୍ରେସ, ପାଟଳୀପୁତ୍ର-ଚଣ୍ଡିଗଡ଼ ଏକ୍ସପ୍ରେସ, ବିଶାଖାପାଟଣା-ନାନ୍ଦେଦ ଏକ୍ସପ୍ରେସ, ଦିଲ୍ଲୀ-ପଠାନକୋଟ ଏକ୍ସପ୍ରେସ, କାନପୁର-ଉଦ୍ଧାମପୁର ଏକ୍ସପ୍ରେସ, ଛାପ୍ରା-ମଥୁର ଏକ୍ସପ୍ରେସ, ରକଫୋର୍ଟ ଚେନ୍ନାଇ-ତିରୁଚିରାପଲ୍ଲୀ ଏକ୍ସପ୍ରେସ, ବାଙ୍ଗାଲୋର-ଶିବମୋଗା ଏକ୍ସପ୍ରେସ, ଟାଟା-ବିଶାଖାପାଟଣା ଏକ୍ସପ୍ରେସ, ଦରଭଙ୍ଗା-ଜଳନ୍ଧର ଏକ୍ସପ୍ରେସ, ମୁମ୍ବାଇ-ମଥୁରା ଏକ୍ସପ୍ରେସ ଏବଂ ମୁମ୍ବାଇ-ପାଟନା ଏକ୍ସପ୍ରେସ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top