ମଣିଷ ସ୍ଥାନ ନେଇଯିବ ରୋବୋଟ!

News Story - Posted on 2017-11-04

ଗ୍ରହାନ୍ତର ଜୀବ ବା ଆଲିୟନ ସହ ସଂପର୍କ ମଣିଷର ପତନର କାରଣ ହେବ ବୋଲି ଭବିଷ୍ୟବାଣୀ କରିଥିବା ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଙ୍ଗ ଏବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ କିଛି ବର୍ଷ ପରେ ରୋବୋଟଗୁଡ଼ିକ ମଣିଷର ସ୍ଥାନ ନେଇଯିବେ । ଏହି ବିଶିଷ୍ଟ ବ୍ରହ୍ମାଣ୍ଡ ବିଜ୍ଞାନୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧି ମଣିଷକୁ ଅକ୍ତିଆର କରିଯିବ ଓ ମଣିଷଠାରୁ ଆଗେଇଯିବ ।

 

ମିରର୍ ପତ୍ରିକାକୁ ଏକ ସାକ୍ଷାତକାର ଦେଇ ଷ୍ଟିଫେନ ହକିଙ୍ଗ କହିଛନ୍ତି ଯେ ଯେ କେତେକ ଲୋକ ଯେପରି କଂପ୍ୟୁଟର ଭାଇରସ ଡିଜାଇନ୍ କରୁଛନ୍ତି ସେହିପରି କେହି କେହି ଏମିତି କୃତ୍ରିମ ବୁଦ୍ଧି ଡିଜାଇନ କରିବେ ଯାହା ସ୍ୱୟଂ ନିଜର ଉନ୍ନତି କରିପାରିବ ଓ ନିଜକୁ ବଦଳାଇଦେବ । ଏହା ଏକ ନୂଆ ଜୀବନର ରୂପ ନେବ ଏବଂ ମଣିଷଠାରୁ ଆଗେଇଯିବ ।

 

ସେହିପରି ୱେୟାର୍ଡ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ମଣିଷର ମସ୍ତିଷ୍କ ଓ କଂପ୍ୟୁଟର କ’ଣ କ’ଣ କରିପାରିବ ତା’ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ସେ ବିଶ୍ୱାସ କରନ୍ତି ନାହିଁ । କେତେବେଳେ ନା କେତେବେଳେ ମଣିଷ ତିଆରି କରିଥିବା ଯନ୍ତ୍ର ମଣିଷଠାରୁ ମଧ୍ୟ ଉନ୍ନତ ହୋଇଯିବ ।

 

ମେଟ୍ରୋ ପତ୍ରିକାରେ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ହକିଙ୍ଗ କହିଛନ୍ତି, ମୁଁ ଭାବୁଛି ଆମେ ଅଫେରା ସମୟରେ ପହଂଚି ସାରିଛନ୍ତି । ଆମ ପାଇଁ ଆମ ପୃଥିବୀ ଅନେକ ଛୋଟ ହୋଇଗଲାଣି । ବିଶ୍ୱ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବଢ଼ି ଚାଲିଛି । ଆମେ ଆତ୍ମ-ଧ୍ୱଂସକାରୀ ବିପଦରେ ପଡ଼ିଗଲେଣି । ଏହି ବିପଦରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଅନ୍ୟ ଗ୍ରହରେ ଉପନିବେଶ ସ୍ଥାପନ କରିବାକୁ ହେବ । ସେ ଦିଗରେ ଯୁବ ବିଜ୍ଞାନୀମାନେ କାମ କରୁଛନ୍ତି ।

 

ହକିଙ୍ଗ ପ୍ରଥମ ଥର ପାଇଁ ଏପରି ଚେତାବନୀ ଦେଇ ନାହାନ୍ତି । ୨୦୧୫ ମସିହାରେ ମଧ୍ୟ ସେ ଏପରି ବିପଦ ସଂପର୍କରେ ସୂଚନା ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ ଆମେ ଯେଉଁ ରୋବୋଟ ତିଆରି କରୁଛୁ ତାହା ମଣିଷକୁ ଉଈହୁଙ୍କା ପରି ଦଳିଦେଇ ପାରେ । ଆସନ୍ତା ୧୦୦ ବର୍ଷ ଭିତରେ ଆମକୁ ପୃଥିବୀ ଛାଡ଼ି ଅନ୍ୟ ଗ୍ରହରେ ବସତି ସ୍ଥାପନ କରିବାକୁ ହେବ । ନତୁବା ଏକ ବିଶ୍ୱ ସରକାର ଜରିଆରେ ଆମକୁ ଆମ ପୃଥିବୀର ରକ୍ଷା କରିବାକୁ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top