ଛୁଟିଦିନରେ ବି ବଢ଼ିଲା ଗ୍ୟାସ ଦର

News Story - Posted on 2017-10-01

ରବିବାର ଛୁଟିଦିନ ହୋଇଥିଲେ ବି ସରକାର ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି । ୨୦୧୮ ମାର୍ଚ୍ଚ ସୁଦ୍ଧା ଏଲପିଜି ଉପରୁ ସଂପୂର୍ଣ୍ଣ ସବସିଡି ଉଚ୍ଛେଦ ପାଇଁ ମୋଦି ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଆଜି ପ୍ରତି ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ୧.୫୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ବିମାନ ଇନ୍ଧନ ଦର ମଧ୍ୟ ୬ ପ୍ରତିଶତ ବୃଦ୍ଧି କରାଯାଇଛି ।

 

ଗତ ଜୁଲାଇ ମାସରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଥିଲେ ଯେ ୨୦୧୮ ମାର୍ଚ୍ଚ ସୁଦ୍ଧା ଏଲପିଜି ଉପରୁ ସବୁ ସବସିଡି ପ୍ରତ୍ୟାହାର କରିବା ନିମନ୍ତେ ସିଲିଣ୍ଡର ପ୍ରତି ମାସିକ ୪ ଟଙ୍କା ଦର ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 

ସରକାରଙ୍କର ଏହି ନିର୍ଦ୍ଦେଶ ଅନୁସାରେ ଏଲପିଜି ଦର ନିୟମିତ ଭାବେ ବୃଦ୍ଧି ପାଇଚାଲିଛି । ଜୁଲାଇ ପରଠାରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ୬୯.୫୦ ଟଙ୍କା ବୃଦ୍ଧି ହୋଇସାରିଲାଣି । ଶେଷ ଥର ପାଇଁ ସେପ୍ଟେମ୍ବର ପହିଲାରେ ଏଲପିଜି ସିଲିଣ୍ଡର ଦର ୭ ଟଙ୍କା ବଢ଼ିଥିଲା ।

 

୨୦୧୬ ମସିହାରେ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ୪୧୯.୧୮ ଟଙ୍କା ଥିଲା । ଏବେ ତାହା ୪୮୮.୮୮ ଟଙ୍କାରେ ପହଂଚିଲାଣି । ସେହିପରି ରିହାତି ରହିତ ଏଲପିଜି ଦର ମଧ୍ୟ ୧.୫୦ ଟଙ୍କା ବଢ଼ି ୫୯୯ ଟଙ୍କାରେ ପହଂଚିଛି । ଗତ ମେ ୩୦ ତାରିଖ ପରେ ଏଲପିଜି ଦରରେ ଏହା ପଂଚମ ଅଭିବୃଦ୍ଧି ।

 

ଆଜି ଛୁଟି ଦିନରେ ସରକାର ବିମାନ ଇନ୍ଧନ ଦର ମଧ୍ୟ ୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ବିମାନ ଇନ୍ଧନ ବା ଏଟିଏଫ ଦର କିଲୋଲିଟର ପିଛା ୫୩,୦୪୫ ଟଙ୍କାରେ ପହଂଚିଛି । ଏହି ଦର ଗତକାଲି ସୁଦ୍ଧା ଥିଲା ୫୦,୦୨୦ ଟଙ୍କା । ସେପ୍ଟେମ୍ବର ପହିଲାରେ ମଧ୍ୟ ଏଟିଏଫ ଦରରେ ୪ ପ୍ରତିଶତ ବା କିଲୋଲିଟର ପ୍ରତି ୧୯୧୦ ଟଙ୍କା ବୃଦ୍ଧି ହୋଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top