ଦୁର୍ନୀତି ପାଲଟିଛି ଫୁଲ ଓ ଫଳ

News Story - Posted on 2017-10-01

ସୂର୍ଯ୍ୟମଣି ମିଶ୍ର

 

ଦୁର୍ନୀତି ଏବେ ପେଟପୂରା ଲୋକଙ୍କ ପାଇଁ ଫୁଲ ଓ ଫଳ ପାଲଟିଛି । ଭୋକ ଦୂର ପାଇଁ ପେଟ ପୂରିବା ଲକ୍ଷ୍ୟ ନେଇ ନୁହଁ । ନିଜ ପାଇଁ ଅଧିକରୁ ଅଧିକ ବିଭବ, ସମ୍ପଦ ଓ ସୁବିଧା ଯୋଗଡ଼ ଉଦ୍ଦେଶ୍ୟରେ ଚାଲିଛି ଦୁର୍ନୀତି । ଉତ୍ତରଦାୟିତ୍ୱ ସମ୍ପନ୍ନ ଲୋକଙ୍କ ଏହି ଭ୍ରଷ୍ଟ ଆଚରଣ ଆମର ଗଣତାନ୍ତ୍ରିକ ଜୀବନ ପାଇଁ ସବୁଠୁ ବଡ଼ ଅସଙ୍ଗତିର କାରଣ ପାଲଟିଛି ।

 

ନିକଟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏକ ନିର୍ମାଣାଧୀନ ସେତୁ ଭୁଷୁଡ଼ି ପଡ଼ିଲା । ଜଣେ ନିରୀହ ବ୍ୟକ୍ତିଙ୍କର ଅକାରଣରେ ମୃତ୍ୟୁ ଘଟିଲା । ତାଙ୍କ ପରିବାର ନିଃସ୍ୱ ହୋଇଗଲେ । ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାରେ ୪ଟି ସେତୁ ଭୁଷୁଡ଼ି ପଡ଼ିବା ଘଟଣା ପଛରେ ଯେଉଁ ବଡ଼ କାରଣ ତାହାହେଲା ଦୁର୍ନୀତି । ଲାଂଚ କାରବାରର ଫଳସ୍ୱରୂପ ଅନଭିଜ୍ଞ ସଂସ୍ଥା ହାତରେ ସେତୁ ନିର୍ମାଣର ଦାୟିତ୍ୱ ଦିଆଯିବା ଯୋଗୁଁ ଏଭଳି ଜୀବନହାନୀ ଘଟଣା ଘଟିଛି ।

 

କେବଳ ଓଡ଼ିଶା ନୁହେଁ ଭାରତ ଏବେ ସମଗ୍ର ଏସିଆ ମହାଦେଶରେ ସବୁଠୁ ଦୁର୍ନୀତିଗ୍ରସ୍ତ ଦେଶଭାବେ କୁଖ୍ୟାତି ଅର୍ଜନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ନା ଖାଉଙ୍ଗା ନା ଖାନେ ଦୁଙ୍ଗା । କିନ୍ତୁ ଖିଆ ଚାଲିଛି । ବନ୍ଦ ପାଇଁ ସରକାରୀ କଳ ଫେଲ ମାରିଛି । ଏକ ସୂଚନା ଅନୁଯାୟୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଆହ୍ୱାନ ଦେଇଛନ୍ତି ପିସି ବନ୍ଦ ପାଇଁ । ମୁଁ ସଚିବାଳୟ ଜଗିଛି, ତୁମେ ଗାଁକୁ ଜଗ ବୋଲି ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରପଂଚମାନଙ୍କୁ କହିଥିଲେ । କିନ୍ତୁ ଦୀର୍ଘଦିନ ପରେ ତାଙ୍କ ପାଖରେ ସୂଚନା ମିଳିଲା ଯେ, ବ୍ଲକ୍ ଓ ପଂଚାୟତସ୍ତରରେ ଲାଂଚ ଦିଆନିଆ ବା ପିସି କାରବାର ଚାଲିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିସି କାରବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ତାଙ୍କ ନିର୍ଦ୍ଦେଶ ଯେ, କାର୍ଯ୍ୟକାରୀ ହୋଇପାରିବ ନାହିଁ କି କାର୍ଯ୍ୟକାରୀ ହୋଇପାରୁ ନାହିଁ ସେ ସମ୍ପର୍କରେ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ମତ ଅନୁଧ୍ୟାନ କଲେ ଜଣାପଡ଼େ ।

 

ଡାକ୍ତର ରାଉତ କହିଛନ୍ତି ପିସି ସମ୍ପୂର୍ଣ୍ଣ ବନ୍ଦ ହେବା ସମ୍ଭବ ନୁହେଁ । ତେବେ କ’ଣ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପିସି ବନ୍ଦ ଅଧାରୁ ଅଟକିଯିବ? ଦୁର୍ନୀତି ଏବେ ସଚିବାଳୟରୁ ହାଣ୍ଡିଶାଳ, ପାର୍ଲାମେଣ୍ଟରୁ ପୁରପଲ୍ଲୀଯାଏ ବ୍ୟାପିଛି । ସଦ୍ୟତମ ଏକ ସର୍ଭେ ରିପୋର୍ଟ ଅନୁଯାୟୀ ବିଶ୍ୱର ୧୭୫ଟି ଦେଶ ମଧ୍ୟରେ ଭାରତ ଦୁର୍ନୀତି ୭୯ତମ ସ୍ଥାନରେ ରହିଛି । ଏହି ସର୍ଭେ ଅନୁସାରେ ସୋମାଲିଆ ବିଶ୍ୱର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ଦେଶ ।
ଭାରତରୁ ଦୁର୍ନୀତିର ଦୂରପାଇଁ ଏକାଧିକ ତଦନ୍ତକାରୀ ସଂସ୍ଥା ରହିଛି । କିନ୍ତୁ ଦୁର୍ନୀତି ଦୂର ହୋଇପାରୁ ନାହିଁ । ଭାରତରେ ଖାଲି ପେଟରେ ରହିଥିବା ଲୋକଙ୍କ ପାଇଁ ଦୁର୍ନୀତି ଫୁଲ କି ଫଳ ନୁହଁ ବରଂ ପୂର୍ଣ୍ଣ ପେଟରେ ଥିବା ସ୍ୱଚ୍ଛଳ-ଅତି ସ୍ୱଚ୍ଛଳ ଲୋକଙ୍କ ପାଇଁ ଦୁର୍ନୀତି ଫୁଲ ଓ ଫଳ ପାଲଟିଛି । ଯେଉଁ ଦେଶରେ ରାଷ୍ଟ୍ରଭକ୍ତି ପାଇଁ ସର୍ବସ୍ୱ ବଳିଦାନ କରିଥିବାର ଅନେକ ଲୋକଙ୍କର ଉଦାହରଣ ରହିଛି ସେହି ଦେଶରେ ଏବେ ଦୁର୍ନୀତି ପାଲଟିଛି ଭୂଷଣ । ପେଟ ପୂରାଇବା ପାଇଁ ଏପରି ନୀତିକୁ ତଥାକଥିତ ପ୍ରଭାବଶାଳୀ ଲୋକମାନେ ଦୈନନ୍ଦିନ ଭୂଷଣ କରୁଛନ୍ତି ତାହା ନୁହେଁ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାର ପିପାସାରୁ ମୁକ୍ତ ହୋଇନପାରି ଏଥିରେ ଜଡ଼ିତ ହୋଇଯାଉଛନ୍ତି ।

 

ମହାଭାରତ ସମୟରେ ଏପରି ଉକ୍ରୋଚ ଶବ୍ଦର ସୂଚନା ମିଳେ । ଉକ୍ରୋଚର ଅର୍ଥ ହେଲା ପ୍ରଲୋଭନ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଚାଣକ୍ୟ ଦୁର୍ନୀତିର ୪୦ଟି ରୂପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରସିଦ୍ଧ ଅର୍ଥଶାସ୍ତ୍ରରେ ରାଷ୍ଟ୍ର ବ୍ୟବସ୍ଥାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଦୁର୍ନୀତିରୁ କିପରି ହଟାଯାଇପାରିବ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଦୋଷୀ ସାବ୍ୟସ୍ତ ହେଲେ କିପରି ଦଣ୍ଡ ପାଇବେ । କୌଟିଲ୍ୟ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ରାଜନୈତିକ, ପ୍ରଶାସନିକ ବ୍ୟବସ୍ଥାର ସବୁଠୁ ପ୍ରାମାଣିକ ଦସ୍ତାବିଜଭାବେ ଗ୍ରହଣ କରାଯାଇଛି । ଏହି ଗ୍ରନ୍ଥରେ ରାଜକୀୟ କର୍ମଚାରୀଙ୍କ ଦୁର୍ନୀତି ସମ୍ପର୍କରେ ବିଷଦ ଚର୍ଚ୍ଚା କରାଯାଇଛି । ନୀତି ନିୟନ୍ତ୍ରଣକାରୀ ଯେତେବେଳେ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ହୋଇ ମଧ୍ୟ ଦୁର୍ନୀତିରେ ଲିପ୍ତ ରହନ୍ତି ସେତେବେଳେ ଦେଶ ବା ରାଷ୍ଟ୍ରର ବିକାଶ ଆଗକୁ ବଢ଼ିପାରେ ନାହିଁ । ରାଜନୈତିକ, ନ୍ୟାୟ, ପ୍ରଶାସନ, ପୁଲିସ ବ୍ୟବସ୍ଥା ସହ ଜଡ଼ିତ ଅଧିକାରୀ, ସାମ୍ବାଦିକ, ସୁନ୍ଦର ମଡ଼େଲମାନେ ଏବେ ଦୁର୍ନୀତି ସହ ନିଜକୁ ଯୋଡ଼ିଦେଇଛନ୍ତି । ଦୁର୍ନୀର ସୁରକ୍ଷା ଅବା ଲିପ୍ତ ବ୍ୟକ୍ତିଙ୍କ ପାଇଁ ଯେପରି ଦଣ୍ଡବିଧାନ ହେବା କଥା ତାହା ଆଖିଆଗରେ ବିଶେଷ ଭାବରେ ପଡ଼ୁନାହିଁ । ଦୁର୍ନୀତି କଲେ ଯେ ଜନସାଧାରଣଙ୍କ ଦ୍ୱାରା ଘୃଣାର ପାତ୍ର ହେବାକୁ ପଡ଼େ ଅବା ଉପେକ୍ଷାର ଶିକାର ହେବାକୁ ପଡ଼େ ସେଭଳି ଦୃଶ୍ୟ ମଧ୍ୟ ଆଜ ଦିନରେ ବିରଳ ।

 

ଆକାଶରେ ଉଡ଼ୁଥିବା ଚଢ଼େଇର ଉଡ଼ନ୍ତା ରାସ୍ତାକୁ ପୂର୍ବାନୁମାନ କରାଯାଇପାରେ । କିନ୍ତୁ ଦୁର୍ନୀତି ଆଚରଣ ତରିକାର ପୂର୍ବାନୁମାନ କରାଯାଇ ନପାରେ । ଏବେ ପେଟର ଭୋକଠାରୁ ବିପଜ୍ଜନକ ଅବସ୍ଥାରେ ପହଂଚିଛି ଧନ ଓ ଶରୀରର ଭୋକ । ଅଧିକରୁ ଅଧିକ ଧନ ସଂଗ୍ରହର ପିପାସା ଏବଂ ନାର ଶରୀର ପ୍ରତି ପୁରୁଷର ଆଦିମ ଭୋକ ଯେପରି ଏବେ ପଶୁତ୍ୱ ପ୍ରବୃତ୍ତି ଆଡ଼କୁ ମୁହାଁଇଛି । ଅନେକ ମହିଳା ପ୍ରକୃତି ଦ୍ୱାରା ପାଇଥିବା ନିଜ ସୌନ୍ଦର୍ଯ୍ୟକୁ ଉପଯୋଗ କରି ଆପଣାର ଆକାଂକ୍ଷାକୁ ପୂରଣ ପାଇଁ ଓଲଟା ସିଧା ନୀତିକୁ ଆପଣଉଛନ୍ତି ଯାହାକୁ ପରୋକ୍ଷରେ ଦୁର୍ନୀତି ସହ ତୁଳନା କରାଯାଇପାରେ । ଏବେ ତ ବାବାଙ୍କଠାରୁ ରାଜନେତା ଏବଂ ଅଫିସରଙ୍କଠାରୁ ପିଅନଙ୍କ ଯାଏ ସମସ୍ତଙ୍କ କାର୍ଯ୍ୟଶୈଳୀରେ ଶୁଦ୍ଧତା ଓ ସ୍ୱଚ୍ଛତା ଭୂଷଣ ହୋଇ ରହିନାହିଁ । ହୁଏତ ସମସ୍ତେ ନୁହନ୍ତି କିନ୍ତୁ ୯୦ ପ୍ରତିଶତ ସରକାରୀ କର୍ମଚାରୀ ଓ ରାଜନେତାଙ୍କ ଧନବୃଦ୍ଧିକୁ ନେଇ ଏତାଦୃଶ ଅଭିଯୋଗ ଜୋର ଧରିଛି ।

 

ଏଇଥିପାଇଁ ବୋଧହୁଏ ଚାକିରୀଆ (ସରକାରୀ କର୍ମଚାରୀ)ଙ୍କ ଚାରିତ୍ରିକ ବ୍ୟବହାର ଅଧ୍ୟୟନ କରିବାପାଇଁ ଚାଣକ୍ୟ ଜୋର ଦେଇଥିଲେ । ଚାଣକ୍ୟ କହିଥିଲେ ପ୍ରଜାର ସୁଖ ହିଁ ରାଜାର ସୁଖ ହେବା ଉଚିତ୍ । ଯିଏ ପ୍ରଜାର ପ୍ରିୟ ନୁହେଁ ସିଏ ରାଜ୍ୟର ମଧ୍ୟ ପ୍ରିୟ ନୁହନ୍ତି । ଏବେ ତ ନିକଟ ଅତୀତରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦକଙ୍କୁ ଗୋଖାଦ୍ୟ କିଣା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ନେତା ଆବଣ୍ଟିତ ସିଟ୍କୁ ବେନିୟମ ବ୍ୟବହାର କରି ଦୋଷୀ ସାବ୍ୟସ୍ତ ହୋଇଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ରସିଦ୍ ମସୁଦ୍ । ବିଧାୟକ କିପରି ଅଧିକ ସମ୍ପତ୍ତି ଅର୍ଜନ କରିପାରନ୍ତି ତାହାର ସୂଚନା ମିଳିଥିଲା ମହାରାଷ୍ଟ୍ରର ପବନ ରାଓ ଘୋଲପଙ୍କଠାରୁ । କୋଇଲା ଦୁର୍ନୀତିରେ ତକ୍ରାଳୀନ ଏ.ଜି. ଦୋଷୀ ସାବ୍ୟସ୍ତ ହୋଇଥିବା କାହାରିକୁ ଅଛପା ନୁହେଁ । ଏହିପରି ବୋଫର୍ସ, ଟୁଜିସ୍ପେକ୍ଟ୍ରମ୍ ଏବଂ ୨୦୧୦ର ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଦୁର୍ନୀତିରେ କିପରି ନେତା ଓ ଅଧିକାରୀ ଜଡ଼ିତ ସେନେଇ ତଦନ୍ତ ଚାଲିଛି । କୋଇଲା ବ୍ଲକ୍ ଆବଣ୍ଟନଜନିତ ଦୁର୍ନୀତି କିପରି ଘଟିଥିଲା ତାହାର ମଧ୍ୟ ସୂଚନା ମିଳିଥିଲା । ଓଡ଼ିଶାରେ ଖଣି ଦୁର୍ନୀତିକୁ ମଧ୍ୟ ଏଥିସହ ଯୋଡ଼ାଯାଇପାରେ । ଏ ସବୁ ଦୁର୍ନୀତି ସହ ସ୍ୱାଧୀନତା ପରେ ପର୍ଦ୍ଦାଫାସ ହୋଇଥିବା ସମସ୍ତ ଦୁର୍ନୀତିକୁ ଗଣନା କଲେ ଗଣିହେବ ନାହିଁ ।

 

କିନ୍ତୁ ପ୍ରଶ୍ନ ହେଉଛି ଦୁର୍ନୀତି ଯୋଗୁ କେତେଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଦଣ୍ଡ ପାଇଛନ୍ତି? ଜଣେ ସାଧାରଣ ନାଗରିକ ଟ୍ରାଫିକ୍ ନିୟମ ଉଲଙ୍ଘନ କଲେ ପୁଲିସ ଦଣ୍ଡ ଦେଉଛି । କିନ୍ତୁ ଦୁର୍ନୀତିରେ ଲିପ୍ତ ଓ ଯୁକ୍ତ ରାଜନେତା, ପ୍ରଶାସକ ଦଣ୍ଡ ପାଉନାହାନ୍ତି । ଚାଲିଛି ବେଆଇନ କାରବାର । ସୀମା ଲଙ୍ଘିଛି ଦୁର୍ନୀତି । ଦୁର୍ନୀତି ବିରୋଧୀ ନାରା ବି ବେଶ ଶୁଣାଯାଉଛି । ଶୁଣିବାକୁ ବି ମଧୁର ଲାଗୁଛି ।

 

ସାମ୍ବାଦିକ, ଭୁବନେଶ୍ୱର, ମୋ - ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top