ମହିଳା ସଂରକ୍ଷଣ ବନାମ ସଶକ୍ତିକରଣ

News Story - Posted on 2017-09-23

ସୂର୍ଯ୍ୟମଣି ମିଶ୍ର

 

ସେପ୍ଟେମ୍ୱର ୨୦, ୨୦୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଶ୍ରୀମତୀ ଗାନ୍ଧି ନିଜ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ମହିଳା ସଂରକ୍ଷଣ ସଂପର୍କିତ ବିଲ‍୍‌ ରାଜ୍ୟସଭାରେ ମାର୍ଚ୍ଚ ୯, ୨୦୧୦ରେ ଗୃହିତ ହୋଇସାରିଛି। କିନ୍ତୁ ଅଳ୍ପ କେତୋଟି ରାଜନୈତିକ ଦଳର ବିରୋଧ ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ବିଲ‍୍‌ଟି ଲୋକସଭାରେ ପାଶ‍୍‌ ହୋଇପାରିନାହିଁ। କଂଗ୍ରେସ ଦଳ ଅପେକ୍ଷାରେ ରହିଛି ଲୋକସଭାରେ ଯଦି ପ୍ରଧାନମନ୍ତ୍ରୀଙ୍କ ଦଳ ପକ୍ଷରୁ ବିଲ‍୍‌ଟି ଗୃହିତ ପାଇଁ ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ସମର୍ଥନ ଦେବ। ମହିଳା ଆରକ୍ଷଣ ବିଲ‍୍‌ଟି ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲ‍୍‌ଖୁଣ୍ଟ ହେବ। କଂଗ୍ରେସ ଦଳର ଦିବଂଗତ ନେତା ରାଜୀବ ଗାନ୍ଧି ମହିଳା ସଶକ୍ତିକରଣ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଉଥିଲେ। ୧୯୯୩ରେ ସେ ଓ ତାଙ୍କ ଦଳ ପକ୍ଷରୁ ୭୩ ଏବଂ ୭୪ତମ ସମ୍ୱିଧାନ ସଂଶୋଧନ କରାଯାଇ ପଞ୍ଚାୟତ ଓ ନଗରପାଳିକାରେ ମହିଳାମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ।

 

ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ, ମୁଲାୟମ‍୍‌ ସିଂଯାଦବଙ୍କ ସମାଜବାଦୀ ପାର୍ଟି ଏହି ପ୍ରସ୍ତାବିତ ବିଲ‍୍‌କୁ ଲୋକସଭାରେ ତୀବ୍ର ବିରୋଧ କରିଥିଲେ। କାରଣ ଭାବରେ ଏହି ଦୁଇଦଳର ସଂସଦମାନେ ଯୁକ୍ତି କରିଥିଲେ ଯେ, ଏହି ବିଲ‍୍‌ ଗୃହିତ ହେଲେ ଉଚ୍ଚବର୍ଗର ମହିଳାମାନେ ଅଧିକ ଭାବେ ବିଜୟୀ ହେବେ। ସେଥିପାଇଁ ପଛୁଆ ଓ ଅପସଂଖ୍ୟକ ମହିଳାମାନଙ୍କ ପାଇଁ ପୃଥକ୍ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଫଳରେ ଏହି ବିଲ‍୍‌ଟି ଗୃହିତ ନହୋଇ ଆଜିଯାଏ ପଡ଼ିରହିଛି। ବିଜେପି ଦଳ ଏବେ ଲୋକସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଛି। ବିଜେପି ମଧ୍ୟ ନିଜ ନିର୍ବାଚନ ଇସ୍ତାହାରରେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ  ଆଜି ଦିନରେ ମହିଳା ସଶକ୍ତିକରଣ କଥା କହୁଥିବା ବିଜେପି ଦଳ ଲୋକସଭାରେ ପ୍ରସ୍ତାବିତ ବିଲ‍୍‌ଟିକୁ ଆଇନରେ ପରିଣତ କରିବା ପାଇଁ ଶ୍ରୀମତୀ ଗାନ୍ଧି ନିଜ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ମହିଳା ସଂରକ୍ଷଣ ବିଲ‍୍‌ ସପକ୍ଷରେ ମଧ୍ୟ ସିପିଆଇଏମ‍୍‌, ସିପିଆଇ, ବିଜୁଜନତା ଦଳ, ତୃଣମୂଳ କଂଗ୍ରେସ ଏବଂ ଏନ‍୍‌ସିପି ଦଳର ସମର୍ଥନ ରହିଛି। ତେବେ ପ୍ରଶ୍ନ ହେଉଛି କାହିଁକି ବିଜେପି ଦଳ ପକ୍ଷରୁ ଏହି ପ୍ରସ୍ତାବିତ ତଥା ରାଜ୍ୟ ସଭାରେ ଗୃହିତ ବିଲ‍୍‌ଟିକୁ ଲୋକସଭାରେ ପାଶ‍୍‌ କରାଯାଉନାହିଁ? ଶ୍ରୀମତୀ ଗାନ୍ଧି ନିଜ ପତ୍ରରେ ଆହୁରି ଲେଖିଛନ୍ତି ଯେ, ମହିଳା ଆରକ୍ଷଣ ବିଲ‍୍‌ଟିକୁ ଲୋକସଭାରେ ଗୃହିତ କରି ମୋଦିଜୀ ବହୁମତର ଲାଭ ଉଠାନ୍ତୁ। ୧୯୮୯ରେ କଂଗ୍ରେସ ଦଳ ପକ୍ଷରୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। କିନ୍ତୁ ବିରୋଧୀ ଦଳର ସମର୍ଥନ ଅଭାବରୁ ଏହି ବିଲ‍୍‌ଟି ଆଇନରେ ପରିଣତ ହୋଇପାରିନଥିଲା। ୧୯୯୩ରେ ରାଜ୍ୟସଭାରେ ବିଲ‍୍‌ଟି ଗୃହିତ ହୋଇଥିବାବେଳେ, ଲୋକସଭାରେ ଗୃହିତ ହୋଇପାରିନଥିଲା।

 

କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସୂଚନା ଅଧିକାର, ମନରେଗା ଏବଂ ଖାଦ୍ୟ ଅଧିକାର ଭଳି ଆଇନ‍୍‌ କାର୍ଯ୍ୟକାରୀ କରି ଦେଶରେ ଏକ ବିପ୍ଲବ ସୃଷ୍ଟି କରିଥିଲା। କିନ୍ତୁ ବିରୋଧୀ ଦଳର ବିରୋଧ ଯୋଗୁଁ ପ୍ରସ୍ତାବିତ ମହିଳା ଆରକ୍ଷଣ ବିଲ‍୍‌ଟିକୁ ଗୃହିତ କରିପାରିନଥିଲା। ଆଜି ଦିନରେ ମହିଳା ଆରକ୍ଷଣ ପାଇଁ ଦାବି କରିବାର ଆବଶ୍ୟକତା ଓ ଗୁରୁତ୍ୱ କାହିଁକି? ଏହି ପ୍ରଶ୍ନର ଉତ୍ତର ଯାହା ତାହା ହେଲା, ଆଜି ଦିନରେ  ମହିଳାମାନେ ସବୁଠୁ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି। ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ସେମାନଙ୍କୁ ମିଳୁନାହିଁ ସମାନତାର ଅଧିକାର। ୱାଲ୍ର୍ଡ ଇକୋନୋମିକ୍ ଫୋରମ‍୍‌ ୨୦୧୬ ରିପୋର୍ଟରେ ସୂଚାଇଛି ଯେ, ମହିଳା ସୁରକ୍ଷା ଓ ବିକାଶ ସୂଚାଙ୍କରେ ବିଶ୍ୱର ୧୪୪ ଟି ଦେଶ ମଧ୍ୟରେ ଭାରତ ତଳଆଡୁ ଦ୍ୱିତୀୟରେ ଅଛି। ମହିଳା ବିରୋଧୀ ହିଂସା ବା ଅପରାଧ ଭାରତର ସ୍ଥିତି ଅତ୍ୟନ୍ତ ଦୟନୀୟ। ସ୍ୱାସ୍ଥ୍ୟ ଓ ଜୀବିକା ସୁରକ୍ଷା କ୍ଷେତ୍ରରେ ଭାରତୀୟ ମହିଳା ଅତ୍ୟନ୍ତ ଦାରୁଣ ସ୍ଥିତିରେ ଜୀବନ ବିତାଉଛନ୍ତି।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତା’ ରିପୋର୍ଟରେ ସୂଚାଇଛି ଯେ, ପ୍ରତିବର୍ଷ ବିଶ୍ୱରେ ଯେତେ ସଂଖ୍ୟକ ମହିଳା ଆତ୍ମହତ୍ୟା କରୁଛନ୍ତି ମୋଟ ଆତ୍ମହତ୍ୟାକାରୀ ମହିଳାଙ୍କ ମଧ୍ୟରୁ ଭାରତରେ ୩୦୦ ପ୍ରତିଶତ ମହିଳା ଅଛନ୍ତି। ନେପାଳ ପରେ ଭାରତ ମହିଳା ଆତ୍ମହତ୍ୟା ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ। ତୁଳନାତ୍ମକ ଭାବେ ଭାରତୀୟ ପୁରୁଷଙ୍କ ଆତ୍ମହତ୍ୟା ହାର ବିଶ୍ୱରେ ୨୨ ପ୍ରତିଶତ ଥିବାବେଳେ ମହିଳାଙ୍କ ଆତ୍ମହତ୍ୟା ହାର ୩୦ ପ୍ରତିଶତ। ୧୯୯୭ରେ ଦେଶରେ ୨୦ ହଜାର ଗୃହିଣୀ ଆତ୍ମହତ୍ୟା କରୁଥିବାବେଳେ ୨୦୦୯ରେ ଏହି ଆତ୍ମହତ୍ୟା ସଂଖ୍ୟା ୨୫ ହଜାରକୁ ବୃଦ୍ଧି ପାଇଥିଲା। ୨୦୧୩ ବେଳକୁ ଆତ୍ମହତ୍ୟାକାରୀ ମହିଳାଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାରକୁ ଛୁଇଁଥିଲା। ୨୦୧୬ ଏକ ରିପୋର୍ଟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ୫ ହଜାର ୬୫୦ ଜଣ କୃଷକ ଆତ୍ମହତ୍ୟା କରିଥିଲେ। କୃଷକ ଆତ୍ମହତ୍ୟା ବୃଦ୍ଧି ପାଇବା ପରେ ମହିଳାଙ୍କ ଆତ୍ମହତ୍ୟା ହାର ଆହୁରି ଅଧିକ ଭାବେ ବଢିଯାଇଛି। ଘରର ପୁରୁଷ ଆତ୍ମହତ୍ୟା କରିବା ପରେ ମହିଳା ଅଧିକ ଭାବେ ନିର୍ଯାତିତ ହେଉଛନ୍ତି। ସାମାଜିକ ସ୍ତରରେ ମହିଳାଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ସରକାର ସଫଳ ପଦକ୍ଷେପ ନେଇପାରିନାହାନ୍ତି। ଏହା ହେଉଛି ସାମାଜିକ ସ୍ଥିତି।

 

ରାଜନୈତିକ କ୍ଷେତ୍ରରେ ଯଦିଓ ମହିଳାମାନଙ୍କୁ ପଞ୍ଚାୟତ ଓ ନଗରପାଳିକା କ୍ଷେତ୍ରରେ ଆରକ୍ଷଣର ସୁବିଧା ଦିଆଯାଇଛି ତେବେ ସଂସଦ ଓ ବିଧାନସଭାରେ ସମାନୁପାତିକ ଅଧିକାର ମିଳିପାରିନାହିଁ। ମହିଳାମାନଙ୍କର ସ୍ଥିତି ଓ ବିପତ୍ତି ଉପରେ ଅନୁଧ୍ୟାନ କଲେ ଯାହା ସୂଚନା ମିଳେ ତାହା ହେଉଛି ଏକ ସଭ୍ୟ ସମାଜ ପାଇଁ ବଡ଼ ଉଦ‍୍‌ବେଗର ବିଷୟ। ଦେଶରେ ପ୍ରତି ୧ଘଣ୍ଟାରେ ମହିଳାଙ୍କ ବିରୋଧରେ ୬ଟି ଅପରାଧ ଗୋଟିଏ ଦଶନ୍ଧି ମଧ୍ୟରେ ୨.୨୪ ନିୟୁତ ମହିଳାଙ୍କ ବିରୋଧରେ ଅପରାଧ ୨୦୧୪ରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଥିଲା ୮୨ ହଜାର ୨୩୫,  ୨୦୧୫ରେ ଏହା ବୃଦ୍ଧି ପାଇ ୮୪ ହଜାର ୨୨୨ରେ ପହଞ୍ଚିଥିଲା ଅପହରଣ ୨୦୧୪ରେ ସଂଖ୍ୟା ଥିଲା ୫୭ ହଜାର ୩୧୧୨୦୧୫ରେ ୫୯ ହଜାର ୨୭୭ ଯୌତୁକ ଜନିତ ନିର୍ଯାତନା ୬୬ ହଜାର ବଳାତ୍କାର ଓ ଧର୍ଷଣର ଶିକାର ୨୦୧୪-୩୬,୭୩୫ ୨୦୧୫-୩୪,୬୫୧ ଯୌନ ନିର୍ଯାତନା ୨୦୧୪-୮୨,୨୩୫ ୨୦୧୫-୮୪,୨୨୨ ଅପହରଣ ୨୦୧୪-୫୭,୩୧୧ ୨୦୧୫-୫୯,୨୭୭ ୨୦୧୩ରେ ୨ଲକ୍ଷ ୫୦ ହଜାର ମହିଳାଙ୍କ ଆତ୍ମହତ୍ୟା (୧୫ରୁ ୩୪ ବର୍ଷ)। ଏହିପରି ଓଡ଼ିଶାରେ ମହିଳାଙ୍କର ଦୁର୍ଦ୍ଦଶାର ଚିତ୍ର ଯାହା ତାହା ହେଲା ଓଡ଼ିଶାରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ୨୦୧୪-୨,୦୧୧ ୨୦୧୩-୧,୮୩୨ ୨୦୧୨-୧,୪୫୮ ପ୍ରତିଦିନ ଓଡ଼ିଶାରେ ୬ଜଣ ମହିଳା ଦୁଷ୍କର୍ମର ଶିକାର (୨୦୧୫ର ଓଡ଼ିଶା ସରକାରଙ୍କ ଗୃହବିଭାଗ ଶ୍ୱେତପତ୍ର ରିପୋର୍ଟ) ଦୁଷ୍କର୍ମ ମାମଲା ସଂଖ୍ୟା ୨,୧୪୪ ୨୦୧୨- ମହିଳାଙ୍କ ପ୍ରତି ଧର୍ଷଣ ସଂଖ୍ୟା ୧,୪୫୮ ୨୦୧୩- ୧,୮୩୨୨୦୧୪-୨,୦୧୧ ୨୮ ମାର୍ଚ୍ଚ, ୨୦୧୫ ସୁଦ୍ଧା ୨୭୧। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଆଧାରରେ ଯାହା ଜଣାଯାଇଛି ତାହା ହେଉଛି ଦେଶରେ ମହିଳାମାନେ ଏବେବି ଦୁର୍ବଳ। ସେମାନଙ୍କୁ ମିଳୁନି ସାମାଜିକ ନ୍ୟାୟ, ସମାନତାର ଅଧିକାର।

 

ହୁଏତ ଦେଶରେ ମହିଳାମାନଙ୍କ ମଧ୍ୟରୁ କେତେଜଣ ରାଜନୀତି, ସାହିତ୍ୟ, ବିଜ୍ଞାନ, କଳା, ସାମରିକ ଓ କୁଟନୈତିକ କ୍ଷେତ୍ରରେ ନିଜର ଅସାଧାରଣ ଧୀମତ୍ତା ଓ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଉଚ୍ଚତର ସୋପାନରେ ମଧ୍ୟ ପହଞ୍ଚିଛନ୍ତି। କିନ୍ତୁ ୯୦ ପ୍ରତିଶତରୁ ଅଧିକ ମହିଳା ସମାନତା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ପାଇପାରିନାହାନ୍ତି। କୃଷି କ୍ଷେତ୍ର ଅବା ପରିବାରରେ କାର୍ଯ୍ୟ କରୁଥିବା ମହିଳାମାନେ ଅଧିକ ଭାବେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି। କର୍ମଜୀବୀ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ଏବେବି ଅପହଞ୍ଚ ଅବସ୍ଥାରେ।

 

ଏପରି ସ୍ଥିତିରେ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସୁନିଶ୍ଚିତ କରିବାର ସମୟ ଆସିଛି। ସଂସଦ ଓ ବିଧାନସଭାରେ ଆରକ୍ଷଣ ପ୍ରଦାନ ପୂର୍ବକ ମହିଳା ବିରୋଧୀ ଅପରାଧର ଅନ୍ତ ଘଟାଇବା ପାଇଁ ଆଇନକୁ କାର୍ଯ୍ୟକାରୀ କରିବା ସରକାରଙ୍କର ପ୍ରଥମ ଓ ପରମ କର୍ତ୍ତବ୍ୟ ହେବା ଉଚିତ୍। କାରଣ ୯୦ ପ୍ରତିଶତରୁ ଅଧିକ ମହିଳା ଏବେବି ସମ୍ମାନର ସହ ବଞ୍ଚି ପାରିବାର ସ୍ଥିତିରେ ନାହାନ୍ତି। ବିଜ୍ଞାପନରେ ମହିଳା ପାଲଟି ଯାଇଛନ୍ତି ପଣ୍ୟ। ଏହାଠାରୁ ବଳି ଲଜ୍ଜାଜନକ ସ୍ଥିତି ଏକ ସଭ୍ୟ ସମାଜ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ମା’କୁ ସମ୍ମାନର କଥା କହୁଥିବା ସରକାର, ଅନ୍ୟପଟରେ ମାତୃଜାତିକୁ ସମାନତାର ଓ ସମ୍ମାନର ଅଧିକାର ଦେଉନାହିଁ। ଫଳରେ ମହିଳାମାନଙ୍କର ସ୍ଥିତି ଯାହା ତାହା ହେଲା ଅତ୍ୟନ୍ତ ଦୟନୀୟ। ବିପଦର ବଳୟରେ ଦିନ କାଟୁଛନ୍ତି ଦେଶ ଓ ରାଜ୍ୟର ମା’ମାନେ।  ତେଣୁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧିଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ମହିଳା ସଶକ୍ତିକରଣ ସଂପର୍କିତ ଲେଖାଯାଇଥିବା ପତ୍ର ଆଜି ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ ମଧ୍ୟ।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ-୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top