ସ୍ମାର୍ଟ ସିଟିର ଆତ୍ମକଥା

News Story - Posted on 2017-09-23

ଡ. ସିଦ୍ଧାର୍ଥ କାନୁନ‌୍‍ଗୋ

 

ମୁଁ ଦେଶର ଏକ ନମ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ୱର କହୁଛି। ଏହି ବର୍ଷେ କିମ୍ୱା ଦୁଇବର୍ଷ ହେଲା ସିନା ମୁଁ ସ୍ମାର୍ଟ ସିଟିର ମାନ୍ୟତା ପାଇଛି; କିନ୍ତୁ ମୋ ପଛରେ କେତେ ଯେ କିମ୍ୱଦନ୍ତୀ ଅଛି, ତାହା କହିଲେ ବୋଧହୁଏ ସରିବ ନାହିଁ। ମୁଁ ହେଉଛି ମନ୍ଦିର ମାଳିନୀ ସହର। ଏହାର ଅଧୀଶ୍ୱର ହେଉଛନ୍ତି ପ୍ରଭୁ ଲିଙ୍ଗରାଜ। ଆଜି ପୁଣି ମୁଁ ଓଡ଼ିଶା ରାଜ୍ୟର ରାଜଧାନୀ। ସଚିବାଳୟଠାରୁ ଆରମ୍ଭ କରି ବିଧାନ ସଭା, ବିଭାଗୀୟ ମୁଖ୍ୟ ଦପ୍ତର, ରାଜଭବନ, ଆଦି ବହୁ ଅଟ୍ଟାଳିକାକୁ ମୋ ବକ୍ଷରେ ଧାରଣ କରି ମୁଁ ସଗର୍ବେ ଦଣ୍ଡାୟମାନ।

 

ପଞ୍ଜାବ ଓ ହରିୟାନାର ରାଜଧାନୀ ଚଣ୍ଡୀଗଡ଼ ଏବଂ ମୁଁ ଅର୍ଥାତ‌୍‍ ଭୁବନେଶ୍ୱର ଏକ ସମୟରେ ଗଢ଼ି ଉଠିଥିଲୁ। ଚଣ୍ଡୀଗଡ଼କୁ ଅନାଇଲା ବେଳେ ମୋତେ ଲାଜ ଲାଗୁଛି। ନିଜକୁ ନିଜେ ପଚାରୁଛି, କାହିଁ ରାଣୀ କାହିଁ ଚନ୍ଦ୍ରକାଣି!

 

ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା। ବେଶୀଦିନର ପୁରୁଣା କଥା ନୁହେଁ। ସେତେବେଳେ ମୁଁ ଅର୍ଥାତ‌୍‍ ଭୁବନେଶ୍ୱର ନୂଆକରି ସ୍ମାର୍ଟ ସିଟିର ମାନ୍ୟତା ପାଇଥାଏ। ହଁ! କହିରଖେ ଯେ, ସରକାରଙ୍କ ଦ୍ୱାରା ଘୋଷିତ ସ୍ମାର୍ଟ ସିଟି ଯୋଜନା ଓ ସ୍ୱଚ୍ଛ ଭାରତ ମିଶନ ଯୋଜନା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ମନେହୁଏ। କାରଣ ଚିନ୍ତା ଓ ଚେତନା ଦୃଷ୍ଟିରୁ ଉଭୟ ଯୋଜନା ପରସ୍ପରର ପରିପୂରକ। ମୋର ଯାହା ମନେ ହୁଏ, ୨୦୧୫ ମସିହା ଗାନ୍ଧୀଜୟନ୍ତୀ ଠାରୁ ଅର୍ଥାତ‌୍‍ ଅକ୍ଟୋବର ମାସ ୨ ତାରିଖ ଠାରୁ ଏହି ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଉପଲକ୍ଷେ କୌଣସି ଏକ ଛୁଟି ଦିନରେ ତତ‌୍‍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବହୁ ସଚିବ ଏବଂ ସ୍ତର ଅନୁସାରେ ସବୁ କର୍ମଚାରୀ ସଫେଇ କାମରେ ଲାଗିଗଲେ। ଫୁଲ‌୍‍ ୟୁନିଫର୍ମରେ ଅର୍ଥାତ‌୍‍ ଟି ସାର୍ଟ ଓ ହାଫ‌୍‍ ପ୍ୟାଣ୍ଟ ପିନ୍ଧି ବହୁ ସରକାରୀ ବାବୁ ଝାଡୁଖଣ୍ଡେ ଧରି ସଫେଇ କାମରେ ଲାଗିଲେ। ଭଲ କଥା। ମୁଁ ଖୁବ‌୍‍ ଖୁସି ହେଲି ଭାବିଲି ଯାହା ହେଉ ଏତେ ଦିନେ ମୋ ଦୁଃଖ ଗଲା। ବାହା ବାସିଦିନ ବେଦିମୁହଁ ପୋଡ଼ାଭଳି ଠିକ‌୍‍ ତା’ପରଦିନ ଯଥାପୂର୍ବଂ ତଥା ପରଂ।

 

ସରକାରଙ୍କ ଯୋଜନାର ଅନ୍ତ ନାହିଁ କିମ୍ୱା ସାଧାରଣ ଲୋକର ଆଖିରୁ ଲୁହ ମଧ୍ୟ ଶୁଖୁନାହିଁ। ମୋ ଅବସ୍ଥା ଦେଖି ମୋର ଓଡ଼ିଆରେ ଏକ ଢ଼ଗ ମନେ ପଡୁଛି। ‘ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’ ପୂର୍ବରୁ ମନ୍ଦିର ମାଳିନୀ ଭୁବନେଶ୍ୱର କଥା କହିଥିଲି। ବର୍ତ୍ତମାନ ଏଠି ଏପରି ପୁରୁଣା ମନ୍ଦିର ଅଛି, ଯେଉଁଠି ଏବେ ମଧ୍ୟ ଠାକୁର ପୂଜା ପାଉଛନ୍ତି। କିନ୍ତୁ ଟିକେ ବର୍ଷା ହେଲେ ମନ୍ଦିର ଗର୍ଭ ଗୃହରେ ନଳା ପାଣି ପଶି ଦୁର୍ଗନ୍ଧ ହେଉଛି। ଏପରି କାହିଁକି ହେଉଛି ସମସ୍ତେ ଜାଣୁଥିଲେ ମଧ୍ୟ ଚୁପ‌୍‍ ରହୁଛନ୍ତି। ମନ୍ଦିରର ଚତୁର୍ପାର୍ଶ୍ୱରେ ସୁଦୃଶ୍ୟ ଅଟ୍ଟାଳିକା ମାନ ଗଢ଼ି ଉଠିଛି। କିଛି ଲୋକ ସମସ୍ତ ନୀତିନିୟମକୁ ଖାତିର ନ କରି ନିଜର ଏପରି ଅଟ୍ଟାଳିକା ନିର୍ମାଣ କରିଛନ୍ତି, ଯଦି ବି.ଡି.ଏ, ବା ମହାନଗର ନିଗମର ନିୟମକୁ ଉଲ୍ଲଙ୍ଘନ କରି ଏପରି ଅଟ୍ଟାଳିକା ତୋଳାଯାଇଛି, ତେବେ ସେଥିପାଇଁ ଚିନ୍ତା ନାହିଁ। ପ୍ରତ୍ୟେକ ଭୁଲ‌୍‍ର ସମାଧାନ ଅଛି ନ୍ୟାୟରେ ସର୍ବକ୍ଷମା ଯୋଜନାରେ କିଛି ଟଙ୍କା ପଇଠ କଲେ ଚାରିଗୁଣ ମାଫ‌୍‍। ଏପରି ବେଆଇନ‌୍‍ କୋଠା ନିର୍ମାଣ କରିଥିବା ଲୋକ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କାହା ବାପର ମଧ୍ୟ ସାଧ୍ୟ ନାହିଁ। ଏପରି କିଛି ମୁଷ୍ଟିମେୟ ଲୋକଙ୍କ ଯୋଗୁ ଅନ୍ୟମାନେ ଉତ୍ସାହିତ ହୋଇ ସର୍ବସାଧାରଣ ରାସ୍ତାକୁ ମାଡି ଆସି ବେଆଇନ‌୍‍ ଭାବେ ଘର ତୋଳୁଛନ୍ତି। ଫଳରେ ବେଙ୍ଗ ମୁତିଲେ ଆଣ୍ଠୁଏ ପାଣି ଭଳି ଟିକିଏ ବର୍ଷାରେ ମଧ୍ୟ ଆଚାର୍ଯ୍ୟ ବିହାର, ବମିଖାଲ ଆଦି ଅଂଚଳରେ ଘର ଭିତରେ ପାଣି ପଶିଯାଉଛି। ଏହାକୁ ସମୟେ ସମୟେ ସମସ୍ତେ ଗଣମାଧ୍ୟମରେ ଦେଖିବାକୁ ପାଉଛନ୍ତି। କିନ୍ତୁ ଏଠିପ୍ରତିବାଦର ସ୍ୱରକ୍ଷଣ। ସବୁ ଦୋଷ ସରକାରଙ୍କ ଉପରେ ଲଦି ଦିଆଯାଏ। କିଓ ବାବୁ ସରକାର କହିଲେ କାହାକୁ ବୁଝାଯାଏ? ଲୋକମାନଙ୍କୁ ନେଇ ତ ସରକାର। ସେମାନେ ଯଦି ପଥଭ୍ରଷ୍ଟ ହେବେ, ତେବେ ତାଙ୍କୁ ଚେତାଇବ କିଏ?

 

ବର୍ତ୍ତମାନ ମୋ ଉପରେ ବେଆଇନ‌୍‍ ମନ୍ଦିର ନିର୍ମାଣ ଏକ ଧାରାରେ ପଡ଼ିଗଲାଣି। ଟିକିଏ ଖାଲି ଯାଗା ପାଇଲେ ଲୋକ ପ୍ରଥମେ ଟେକାଟିଏ ଥୋଇ ତା’ଉପରେ ନାଲି ପତକାଟିଏ ବାନ୍ଧି ସିନ୍ଦୂର ବୋଳୁଛନ୍ତି। ତା’ପରେ ସମୟ ସୁବିଧା ଦେଖି ଚାନ୍ଦା ଭେଦାରେ ମନ୍ଦିର ନିର୍ମାଣ ହେଉଛି। ଏପରିଭାବେ ମୋ ଉପରେ କେତେ ବେଆଇନ‌୍‍ ମନ୍ଦିର ଗଢ଼ି ଉଠିଛି ସେସବୁର ହିସାବ ନଗର ପାଳିକା ପାଖରେ ଅଛି ତ? କହିବା ବାହୁଲ୍ୟ ଯେ, ଅଧିକାଂଶ ମନ୍ଦିର କିଛି ଲୋକଙ୍କର ରୋଜଗାରର ଏକ ମାଧ୍ୟମ ପାଲଟି ଯାଇଛି। କିଛିମନ୍ଦିର ଆଗରେ ସନ୍ଧ୍ୟାବେଳେ ହେଉ ବା ସକାଳେ ହେଉ ଲଫଙ୍ଗା ଟୋକାଙ୍କୁ ଦେଖିବାକୁ ମିଳୁଛି। ବାଟରେ ଝିଅ ବୋହୂ ବା କୋମଳମତି ଛାତ୍ରୀ ମଧ୍ୟ ଜିବାକୁ ଭୟ କରୁଛନ୍ତି। କେତେକ କ୍ଷେତ୍ରରେ ଅଶ୍ଳୀଳ ଇଂଗିତ ପ୍ରଦର୍ଶନ କରାଯାଇ କଥା ବହୁଦୂର ପର୍ଯ୍ୟନ୍ତ ଚାଲିଯାଉଛି।

 

ହଁ, ଗୋଟିଏ କଥା କହୁ କହୁ ଅନ୍ୟ ଆଡେ଼ ଚାଲିଗଲି। ଲୋକମାନେ ଘର କରୁଛନ୍ତି। ସରକାରୀ ଯାଗାକୁ ମାଡି ଘର ନିର୍ମାଣ ଚାଲିଛି। କାମ ବେଳେ ଇଟା ବାଲି ଇତ୍ୟାଦି ମାସ ମାସ ଧରି ଘର ଆଗରେ ପଡି ରହିବା ଦ୍ୱାରା ରାସ୍ତାଟି ସଂକୁଚିତ ହୋଇଯାଉଛି। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ଯଦିବା କିଏ ପ୍ରତିବାଦ କଲା, ଉତ୍ତର ମିଳୁଛି ତୋ ବୋପାର କ’ଣ ଗଲା?

ଆଉ ଗୋଟିଏ କଥା ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡୁଛି ରାମବାବୁ ଓ ଦାମବାବୁ ଦୁଇ ପଡ଼ୋଶୀ। ରାମବାବୁ ସଉକି ଯୋଗୁ କୁକୁର ପାଳିଛନ୍ତି। ଭଲ କଥା। କିଏ ମନା କରୁଛି? କିନ୍ତୁ ମୋ କଥାଟି ସେତିକିରେ ସରିନାହିଁ। ରାମବାବୁ ବେଶ‌୍‍ ଶିଖିତ ଲୋକ। ତାଙ୍କ ଘର ଆଗରେ ଯଦି କିଏ ମଇଳା ପକାଏ, ତେବେ ସେ ଉଚ୍ଚଗଳାରେ ପାଟି କରି ହୋ ହଲ୍ଲା ସୃଷ୍ଟି କରିବାର ନଜିର‌୍‍ ଅଛି। କିନ୍ତୁ ରାତି ହେଲେ ଚାରିଆଡେ଼ ଯେତେବେଳେ ଶୂନ‌୍‍ଶାନ‌୍‍, ସେତେବେଳେ ରାମବାବୁ ଲୁଚି ଲୁଚି ଚୋର ଭଳି ଦାମବାବୁଙ୍କ ଘର ଆଗରେ କୁକୁରକୁ ନେଇ ଝାଡ଼ା ପରିସ୍ରା ଇତ୍ୟାଦି କରାଉଛନ୍ତି। କିଓ ବାବୁ! ଯଦି କୁକୁର ରଖିବାରେ ଏତେ ସଉକ, ତେବେ ନିଜ ଘରେ କୁକୁର ପାଇଁ ଶୌଚାଳୟଟିଏ କଲେ ଭଲ ହୁଅନ୍ତା ବୋଲି ମୁଁ ମନେ କରେ। ସେହିପରି ଏତେ ପ୍ରଚାର ପ୍ରସାର ସତ୍ତ୍ୱେ ଏବଂ ସରକାରଙ୍କର ଏ ନେଇ ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ମୋ ଉପରେ ଖୋଲା ରାସ୍ତାରେ ଲୋକମାନେ ଶୌଚ ହେଉଛନ୍ତି। ଏହା ତ ମୋର ଅଙ୍ଗେନିଭା କଥା। କେଉଁ ଗଳିରେ ଏପରି ହେଉଛି, ତା’ର ସୂଚନା ଦେବାକୁ ଉଚିତ‌୍‍ ମନେ କରୁନାହିଁ।

 

ଭୋଟ‌୍‍ ହାତେଇବା ପାଇଁ କେବଳ ମୋ କ୍ଷେତ୍ରରେ ନୁହେଁ, ବହୁ ସହରରେ ବସ୍ତିମାନ ଗଢ଼ି ଉଠିଛି। ଏଠାକାର ପରିବେଶ କଥା ଚିନ୍ତା କରୁଛି କିଏ?

 

ନିକଟ ଅତୀତରେ ସ୍ମାର୍ଟ ସିଟିରେ ସ୍ମାର୍ଟ ପୋଲ ଭୁଷୁଡି ପଡ଼ିବା କଥା ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। କେବଳ ଏଇଠି ନୁହେଁ। ସାରା ରାଜ୍ୟରେ ତିନିବର୍ଷରେ ୭ ପୋଲ ଭୁଶୁଡି ପଡ଼ିଲାଣି ବୋଲି ଆଜି ରାସ୍ତାରେ ସକାଳେ ଦୁଇଜଣ କଥାବାର୍ତ୍ତା ହୋଇ ଯାଉଥିବା ଶୁଣିଲି। ଏଥିରେ ବିଭାଗର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

 

ସରକାର ଯେ ସବୁ କରିଦେବେ, ଏ କଥା ଭାବିବା ଭୁଲ‌୍‍। ସାଧାରଣ ଜନତାର ମଧ୍ୟ ସଚେତନତା ରହିବା ଆବଶ୍ୟକ। ସଚିବାଳୟ ମାର୍ଗ ଠାରୁ ଆରମ୍ଭ କରି ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଠାଏ ଠାଏ ଅଳିଆ ଆବର୍ଜନା, ପୁଣି ବିଭାଗୀୟ ମୁଖ୍ୟ ଦପ୍ତର ଫାଠକ ହେଉ ଅଥବା ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଯେଉଁ କୁଢ କୁଢ ଅଳିଆ ଜମା ହୋଇଛି ଏବଂ ସେହି ବାଟ ଦେଇ ଯାଉଥିବା ବାଟୋଇ ରାସ୍ତାରେ ଗଲାବେଳେ ଦୁର୍ଗନ୍ଧ ହେତୁ ମୁହଁରେ ଯେପରି ଲୁଗା ଦେଇ ଯାଉଛନ୍ତି, ନ ଦେଖିଲା ଲୋକ ବିଶ୍ୱାସ କରିବ ନାହିଁ!

 

କହି ବସିଲେ ତ ମୋ ଦୁଃଖର କାହାଣୀ ସରିବ ନାହିଁ। ଆଉ ଗୋଟିଏ କଥା କହି ଆଜିପାଇଁ ଅନ୍ତତଃ ଆପଣଙ୍କଠାରୁ ଏହି ପ୍ରସଙ୍ଗରେ ବିଦାୟ ନେବି। ଲୋକମାନଙ୍କ ଯିବାଆସିବା ସୁବିଧା ପାଇଁ ସରକାର ଫୁଟ‌୍‍ପାଥ‌୍‍ ନିର୍ମାଣ କରିଛନ୍ତି ଏବଂ ଜାନବାହାନ ଭିଡ଼କୁ କମାଇବା ପାଇଁ ଦୋହରା ରାସ୍ତା ମଧ୍ୟ ନିର୍ମାଣ ହୋଇଛି। ଏତେ ସବୁ ସୁବିଧା ସତ୍ତ୍ୱେ ମୋ ଦୁଃଖର ସତେ ଯେପରି ଅନ୍ତ ନାହିଁ! ଏ.ଜି. ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଯାଉଥିବା ରାସ୍ତ ମରଣ ଯନ୍ତା ନୁହେଁ ତ ଆଉ କ’ଣ? ପୋଲିସ ବାବୁମାନେ ପୁରୁଣା ବସ‌୍‍ଷ୍ଟାଣ୍ଡ‌୍‍ ନିକଟରେ ଜାନ ବାହାନ ଅଟକାଇ କାଗଜପତ୍ର ଯାଞ୍ଚ‌୍‍ କରୁଛନ୍ତି। ଏସବୁ ଦ୍ୱାରା ରାସ୍ତା ସଂକୁଚିତ ହୋଇ ଅଯଥା ଭିଡ଼ ହେଉଛି। ସହଜେ ତ ଏକ ପାଖିଆ ରାସ୍ତା! ଏହା ପୋଲିସ‌୍‍ ବାବୁଙ୍କ ନଜରକୁ କିପରି ଆସୁନାହିଁ?

 

ଲୋକମଧ୍ୟ ଫୁଟ‌୍‍ପାଥ‌୍‍ରେ ଚାଲିବାକୁ ଜାଗା ନାହିଁ। ସେଠାରେ ଗୁପ‌୍‍ଚୁପ‌୍‍ ବାଲାଠାରୁ ଆରମ୍ଭ କରି ଦହିବରା ଓ ଆଳୁଦମ‌୍‍ ଇତ୍ୟାଦି ବେପାରୀମାନେ ମଧ୍ୟ ତାଙ୍କ ପସରା ମେଲାଇଛନ୍ତି। ତେଣୁ ଯାନବାହାନ ଯିବା ରାସ୍ତାର ସଂକୁଚିତ ହେଲେ ମଧ୍ୟ ଲୋକମାନେ ବାଧ୍ୟ ହୋଇ ଚାଲି ଚାଲି ଯାଉଛନ୍ତି। ଏଥିପାଇଁ ଯିଏ ଦୁର୍ଘଟଣା ହେଉନାହିଁ ତାହା କିଏ ଅସ୍ୱୀକାର କରିବ? ପୁଣି କିଛି ଦୂରରେ ଦୁଇ ଚକିଆ ଓ ଚାରିଚକିଆ ଯାନ ସେହି ରାସ୍ତାରେ ପାର୍କି ହେଉଛି। ଏହାଦ୍ୱାରା ରାସ୍ତାଟି କେତେ ସଂକୁଚିତ ହୋଇଯାଉଛି, ସମସ୍ତେ ଜାଣି ମଧ୍ୟ ନ ଜାଣିଲା ଭଳି ରହୁଛନ୍ତି ଫଳ ହେଉଛି ଏଇଆ ଏ.ଜି ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ମଧ୍ୟ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏହା ତ ସମସ୍ତେ ଅଙ୍ଗେ ନିଭାଇଥିବେ! ମୁଁ ଆଉ ଅଧିକା କ’ଣ କହିବି? ପୁଣି ମ୍ୟୁଜିୟମ‌୍‍ ଛକ ନିକଟରେ ଘୁଘୁନି ଏବଂ ଚାର୍ଟ ବାଲା ତାଙ୍କ ପସରା ମେଲାଇଛନ୍ତି। ସେଠି ମଧ୍ୟ ପୁରୀ ଆଡକୁ ଯାଉଥିବା ବସ‌୍‍ ଏବଂ ମନ୍ଦିର ଅଭିମୁଖେ ଯାଉଥିବା ଅଟୋର କେଁ କଟର ଶବ୍ଦଯୋଗୁଁ ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ହେଉଛି। ସେଦିନ ଜଣେ ବାବୁ ଅନ୍ୟ ଜଣେ ବାବୁଙ୍କ ସହ କଥାବାର୍ତ୍ତା ହେଉଥିବାର ମୁଁ ଶୁଣିଲି ଯେ ପୋଲିସ‌୍‍ ବାବୁ ଦି’ପଇସା ପାଉଥିବାରୁ ଏସବୁ ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ ପ୍ରତି ଆଖି ବୁଜି ଦେଇଛନ୍ତି। ହଉ ଆଜି ରହିଲି ପୁଣି ଆଉ ଥରେ ଦେଖାହେଲେ ମୋର ମନର ଅଭିବ୍ୟକ୍ତି ପ୍ରକାଶ କରିବି।

 

ଚୈତନ୍ୟ ଧାମ, ଶବର ସାହି, ପ୍ଲଟ ନଂ-୨୦୮୪, ଭୁବନେଶ୍ୱର-୭୫୧୦୦୬

ମୋ: ୯୪୩୮୦୭୨୮୫୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top