‘ଛାତ୍ର ମାତନ୍ତୁ, ଶିକ୍ଷା ବ୍ୟବସ୍ଥା ସଜାଡ଼ନ୍ତୁ’

News Story - Posted on 2017-09-22

ଅଯଥା ରାଜନୈତିକ ହସ୍ତକ୍ଷେପ ଯୋଗୁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ହିଂସାକାଣ୍ଡ ଉପୁଜୁଛି। ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନର ପବିତ୍ର ବାତାବରଣ ସହିତ ଭାଇଚାରା ଓ ଏକତାକୁ ରକ୍ଷା କରିବା ସହିତ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ନିଜର ତଥା ରାଜ୍ୟର ଭବିଷ୍ୟତ ପାଇଁ ସାଲିସ‌୍‍ ବିହୀନ ସଂଗ୍ରାମ କରିବାକୁ ବିଧାୟକ ଦିଲିପ ରାୟ ନିବେଦନ କରିଛନ୍ତି।

 

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ଯେଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ଭୟଙ୍କର ହିଂସାକାଣ୍ଡମାନ ସୃଷ୍ଟି ହେଉଛି ତାହା ରାଜ୍ୟର, ଶିକ୍ଷା ବ୍ୟବସ୍ଥାର ଓ ଛାତ୍ରଛାତ୍ରୀମାନଙ୍କ ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଳ ସମସ୍ୟାରୁ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଫେରାଇବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ରାଜନେତା ଏଭଳି ବିଭେଦ ଓ ହିଂସା ସୃଷ୍ଟି କରୁଥିବାରୁ ସେମାନଙ୍କ ପ୍ରତି ଛାତ୍ର ସମାଜ ସଚେତନ ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

 

ଓଡ଼ିଶାରେ ଥିବା ସରକାରୀ କଲେଜଗୁଡ଼ିକ ମଧ୍ୟରୁ ମାତ୍ର ୫ଟିରେ ନିୟମିତ ଅଧ୍ୟକ୍ଷ ଥିବା ବେଳେ ବ୍ୟାପକ ସଂଖ୍ୟକ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ଗୋଟିଏ ହେଲେ ସାହାଯ୍ୟପ୍ରାପ୍ତ ଓ ଯୁକ୍ତ ୨ କଲେଜରେ ବି ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଉତ୍କଟ ଅବସ୍ଥାରେ ପହଞ୍ଚିଛି। ଶିକ୍ଷକ ଓ କର୍ମଚାରୀ ଅଭାବ ତଥା ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବାରୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତର ନ୍ୟାକ‌୍‍ ମାନ୍ୟତା ନାହିଁ। ଯେଉଁ କେତୋଟି ହାତଗଣତି ବିଶ୍ୱବିଦ୍ୟାଳୟ ଓ କଲେଜର ନ୍ୟାକ‌୍‍ ମାନ୍ୟତା ରହିଛି ସେଥିରୁ ଅଧିକାଂଶ ‘ବି’ ଓ ‘ସି’ ଗ୍ରେଡ‌୍‍ର। ନ୍ୟାକ‌୍‍ ମାନ୍ୟତା ନଥିବାରୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେଉଛନ୍ତି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ୮୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ମେଡ଼ିକାଲ କଲେଜ, ହୋମିଓପାଥିକ ଓ ଆୟୁର୍ବେଦିକ କଲେଜଠାରୁ ଆରମ୍ଭ କରି ସଂଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷକ ଓ କର୍ମଚାରୀ ଅଭାବ।

 

ମୋଟାମୋଟି ଭାବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠିକାରେ ଚାଲିଛି। ଏଥିଯୋଗୁ ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଗବେଷଣା ଓ ଅନୁଷ୍ଠାନର ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି। ହାଇସ୍କୁଲ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟଳୟଗୁଡ଼ିକରେ ମଧ୍ୟ ଏହି ସମସ୍ୟା ଅତି ସାଂଘାତିକ। ଏଥିଯୋଗୁ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପାଇବାରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଏହା ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଦୁର୍ବଳ ଭିତ୍ତିଭୂମି ଯୋଗୁ ଓଡ଼ିଆ ପ୍ରାର୍ଥୀମାନଙ୍କ ପ୍ରଦର୍ଶନ ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଶାଜନକ ହେଉନାହିଁ। ରାଜ୍ୟରେ ବେକାରୀ ଓ ବେରୋଜଗାରୀ ବଢ଼ି ଚାଲିଥିବା ବେଳେ ଉପଯୁକ୍ତ ଦକ୍ଷତା ବିକାଶ ହୋଇପାରୁନି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ କଲେଜ, ସ୍କୁଲ ଆଦିରେ ବି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବ୍ୟାପକ ସଂଖ୍ୟାରେ ଖାଲି ପଡ଼ିଛି।

 

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଏଭଳି ସଙ୍କଟଜନକ ଅବସ୍ଥାରେ ଥିବା ବେଳେ ଏହାକୁ ସୁଧାରିବା ପାଇଁ ଛାତ୍ର ସମାଜ କାଳେ ଦଳମତ ନିର୍ବିଶେଷରେ ସଂଘବଦ୍ଧ ଆନ୍ଦୋଳନ କରିବ ତାହାକୁ ଆଖିଆଗରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ଗୋଷ୍ଠୀ ସଂଘର୍ଷ ସୃଷ୍ଟି କରାଯିବା ସହ ବ୍ୟାପକ ହିଂସାକାଣ୍ଡ ମାଧ୍ୟମରେ ଭାଇଚାରାକୁ ନଷ୍ଟ କରାଯାଉଛି। ଏ ପରିପ୍ରେକ୍ଷୀରେ ଛାତ୍ର ସମାଜ କୌଣସି ରାଜନୈତିକ ଦଳର ହାତବାରିସି ନ ହୋଇ ନିଜେ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରି ରଖିବା ପାଇଁ ସଂଘବଦ୍ଧ ଉଦ୍ୟମ କରିବା ଲାଗି ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି। ଯେଉଁ ରାଜନୈତିକ ଦଳ ଓ ନେତାମାନେ ଛାତ୍ରଛାତ୍ରୀଙ୍କ ଜୀବନ ସହ ବିପଦଜ୍ଜନକ ଖେଳ ଖେଳୁଛନ୍ତି ସେମାନଙ୍କଠାରୁ ଛାତ୍ର ସମାଜ ଦୂରେଇ ରହିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top