ଚିଟଫଣ୍ଡ ଲିଙ୍କ: ବିଜେଡ଼ି ବିଧାୟକ ଗିରଫ

News Story - Posted on 2017-09-19

କିଛି ଦିନ ନିଷ୍କ୍ରିୟ ରହିବା ପରେ ଚିଟ୍ ଫଣ୍ଡ ତଦନ୍ତରେ ପୁଣି ସକ୍ରିୟ ହୋଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ । ସିସୋର ଚିଟ୍‍ଫଣ୍ଡ୍‍ ଦୁର୍ନୀତିରେ ସିବିଆଇ ବିଜେଡ଼ିର କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ମଙ୍ଗଳବାର ଅପରାହ୍ନରେ ହାଜର କରାଯିବା ପରେ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେଇଛି ସିବିଆଇ । ଅନ୍ୟପକ୍ଷରେ ତାଙ୍କ ଗିରଫଦାରିର ପ୍ରତିବାଦ କରିଛନ୍ତି ତାଙ୍କ ସମର୍ଥକ ଓ ବିଜୁ ଜନତା ଦଳ । ତାଙ୍କ ସମର୍ଥକମାନେ କଟକରୁ ଆସି ସିବିଆଇ ଅଫିସ ଆଗରେ ଗିରଫଦାରିର ପ୍ରତିବାଦ କରିଥିବାବେଳେ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି ନିଜେ ପ୍ରଭାତ ।

 

ପ୍ରଭାତଙ୍କ ଭାଇ ଆର୍ତ୍ତରଂଜନ ବିଶ୍ୱାଳ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସୋମବର ରାତିରେ ସିବିଆଇ ଅଫିସରମାନେ ତାଙ୍କୁ ଜେରା ପାଇଁ ଅଫିସକୁ ଡାକିଥିଲେ । ସେଠାରେ ତାଙ୍କୁ କିଛି ସମୟ ଜେରା କରିବା ପରେ ଗିରଫ କରାଯାଇଥିଲା । ଆଜି ସକାଳୁ ଏହି ଖବର ପ୍ରଚାରିତ ହୋଇଥିଲା । ତାଙ୍କର ସମର୍ଥକମାନେ ଶହଶହ ସଂଖ୍ୟାରେ ଆସି ସିବିଆଇ ଅଫିସ ଆଗରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏହା ପଛରେ ବିଜେପି ନେତାମାନଙ୍କର ହାତ ରହିଛି ବୋଲି ଅଭିଯୋଗ କରିଥିଲେ । ତୈଳ ଦରବୃଦ୍ଧି ପ୍ରତିବାଦରେ ବିଜେଡି ହରତାଳ କଟକରେ ସଫଳ ହୋଇଥିବାରୁ ତାଙ୍କ ଉପରେ ରାଜନୀତିକ ପ୍ରତିଶୋଧ ନେବାକୁ ବିଜେପି ବୋଲରେ ସିବିଆଇ ଏପରି କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ ।

 

ଉପରବେଳା ସିବିଆଇ ବିଧାୟକ ବିଶ୍ୱାଳଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିବା ପରେ ୫ ଦିନ ରିମାଣ୍ଡରେ ନେଇଛି । ବର୍ତ୍ତମାନ ପ୍ରଭାତ ସିବିଆଇ ରିମାଣ୍ଡରେ ୧୯ରୁ ୨୩ ପର୍ଯ୍ୟନ୍ତ ରହିବେ । ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୨୦(ଖ) ସମେତ ୪୨୦, ୪୦୯, ୪୫୬, ୪୬୭, ୪୬୮, ୪୭୧ ଏବଂ ପ୍ରାଇସ ଚିଟ୍ ଆଣ୍ଡ ମନି ସର୍କୁଲେସନ ବ୍ୟାନିଂ ଆକ୍ଟର ଧାରା ଲାଗିଛି । ତାଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ପ୍ରଭାତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ତାଙ୍କ ଦେହ ଅସୁସ୍ଥ ଥିବା କହିଛନ୍ତି ତାଙ୍କର ଓକିଲ ଅନୂପ ସେନାପତି । କିଛି ଦିନ ତଳେ ତାଙ୍କ ପେଟ ଅପରେସନ ହୋଇଥିଲା । ତାଙ୍କ ରକ୍ତଚାପ ବଢ଼ି ଯାଇଥିବା ଆଜିର ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଛି ।

 

କୋର୍ଟରେ ହାଜର ହେଲାବେଳେ ଗଣମାଧ୍ୟମକୁ ପ୍ରଭାତ କହିଛନ୍ତି ଯେ ତାଙ୍କ ଗିରଫଦାରି ସଂପୂର୍ଣ୍ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ । ତାଙ୍କ ସମର୍ଥକମାନେ ମଧ୍ୟ କହିଛନ୍ତି ଯେ ଗତକାଲି ତୈଳ ଦରବୃଦ୍ଧି ବିରୋଧରେ କଟକରେ ହରତାଳ ସଫଳ ହୋଇଥିବାରୁ ରାଜନୀତିକ ପ୍ରତିହିଂସା ପରାୟଣ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏପରି କରାଯାଇଛି ।

 

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁରରେ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ସିସୋରକୁ ବିକ୍ରି କରିବାକୁ ପ୍ରଭାତ ସିସୋର ମାଲିକ ପ୍ରଶାନ୍ତ ଦାଶଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏଥିପାଇଁ ୨୯ ଲକ୍ଷ ଟଙ୍କା ଦର ଛିଡ଼ିଥିଲା । ବିକ୍ରି କବଲା ହେବା ପୂର୍ବରୁ ସିସୋର ମାଲିକ ପ୍ରଶାନ୍ତ ଦାଶ ତାଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ଏହା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଥିଲା । ପରେ କୌଣସି କାରଣରୁ ଜମି ବିକ୍ରି କବଲା ହୋଇନଥିଲା ।

 

ଏନେଇ ସିବିଆଇ ଖୋଳତାଡ଼ ଆରମ୍ଭ ହେବା ପରେ ପ୍ରଭାତ କହିଥିଲେ ଯେ ସେ ଟଙ୍କା ଫେରେଇ ଦେଇଛନ୍ତି । କିନ୍ତୁ ଟଙ୍କା ଫେରସ୍ତ ନେଇ ସେ ଯେଉଁ ଚୁକ୍ତି କାଗଜପତ୍ର ଦାଖଲ କରିଥିଲେ ତାହା ଫରେନ୍ସିକ ଯାଞ୍ଚ ପରେ ଜାଲ୍ ବୋଲି ଜଣାପଡ଼ିଥିଲା । ଯେଉଁ ତାରିଖରେ ସେ ନଗଦ ଟଙ୍କା ପ୍ରଶାନ୍ତ ଦାଶଙ୍କୁ ଫେରସ୍ତ କରିଥିଲେ ବୋଲି କହିଥିଲେ ସେହି ତାରିଖରେ ପ୍ରଶାନ୍ତ ଦାଶ ଓଡ଼ିଶାରେ ନଥିଲେ, ଫେରାର ଥିଲେ । ତାଙ୍କ ଦସ୍ତଖତ କେହି ଜାଲିଆତି କରିଥିବା ଯାଞ୍ଚରୁ ଜଣାପଡ଼ିବା ପରେ ସିବିଆଇ ଗତକାଲି ତାଙ୍କୁ ଗିରଫ କରିଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି ।

 

ସୂଚନା ଥାଉକି , ଏନେଇ ନଭେମ୍ବର ୨୧,୨୦୧୪ରେ ବିଧାୟକ ପ୍ରଭାତ ବିଶ୍ୱାଳ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ପଚରାଉଚରା କରିଥିଲା ସିବିଆଇ । ନଭେମ୍ବର ୨୬,୨୦୧୬ରେ ପ୍ରଭାତ ବିଶ୍ୱାଳଙ୍କୁ ସମନ ଜାରି କରିଥିଲା ସିବିଆଇ । ଜାନୁୟାରୀ ୧୨,୨୦୧୭ରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା । ଭୁବନେଶ୍ୱର ଓ କଟକ ମହାନଦୀ ବିହାରରେ ଥିବା ତାଙ୍କ ଘରେ ଚଢ଼ାଉ କରାଯାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top