ଶହେ କୋଟିର ସଂପତ୍ତି ଛାଡ଼ି ସନ୍ନ୍ୟାସୀ!

News Story - Posted on 2017-09-17

ଆଜିକାଲି ଲୋକମାନେ ଯେକୌଣସି ଉପାୟରେ ସଂପତ୍ତି ଠୁଳ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏମିତିକି ଏ ଯୁଗରେ ସଂସାରଛଡ଼ା ସନ୍ନ୍ୟାସୀମାନେ ବି ସଂପତ୍ତିର ସାମ୍ରାଜ୍ୟ ଗଢ଼ିବା ସହିତ ବିଳାସ ବ୍ୟସନର ଜୀବନ ବିତାଇବାକୁ ଭଲ ପାଉଛନ୍ତି । ଏଭଳି ଏକ ସମୟରେ ନିଜର ୩ ବର୍ଷ ବୟସର ଶିଶୁକନ୍ୟା ଓ ପ୍ରାୟ ୧୦୦ କୋଟି ଟଙ୍କାର ସଂପତ୍ତି ଛାଡ଼ି ସନ୍ନ୍ୟାସୀ ହେବାର ନିଷ୍ପତ୍ତି ନେଇଛନ୍ତି ମଧ୍ୟ ପ୍ରଦେଶ ଜଣେ ଉଚ୍ଚଶିକ୍ଷିତ ଯୁବକ ଓ ତାଙ୍କର ଉଚ୍ଚଶିକ୍ଷିତା ପତ୍ନୀ ।

 

ମଧ୍ୟ ପ୍ରଦେଶ ନୀମୁଚ ସହରରେ ବସବାସ କରନ୍ତି ସୁମିତ ରାଠୋର ଓ ତାଙ୍କ ପତ୍ନୀ ଅନାମିକା । ସୁମିତଙ୍କୁ ଏବେ ମାତ୍ର ୩୫ ବର୍ଷ ବୟସ ଓ ଅନାମିକାଙ୍କୁ ୩୪ । ସେମାନଙ୍କର ୩ ବର୍ଷ ବୟସର ଝିଅଟିଏ ଅଛି । ନାଁ ତା’ର ଇଭ୍ୟା । ସୁମିତ ନୀମୁଚରେ ଥିବା ନିଜର କୋଟିକୋଟି ଟଙ୍କାର ପାରିବାରିକ ବ୍ୟବସାୟ ପରିଚାଳନା କରନ୍ତି । ବିବାହ ପୂର୍ବରୁ ଅନାମିକା ଭାରତ ସରକାରଙ୍କ ଅଧୀନସ୍ତ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ଼ରେ ଜଣେ ଉଚ୍ଚ ବେତନ ପ୍ରାପ୍ତ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସୁମିତଙ୍କ ପୈତୃକ ଓ ନିଜ ଅର୍ଜିତ ସଂପତ୍ତିର ମୂଲ୍ୟ ବର୍ତ୍ତମାନର ବଜାର ଦର ଅନୁସାରେ ୧୦୦ କୋଟି ଟଙ୍କା ହେବ । ତାଙ୍କ ବାପା ରାଜେନ୍ଦ୍ର ସିଂହଙ୍କର ଗୋଟିଏ ସିମେଣ୍ଟ ବ୍ୟାଗ୍ କାରଖାନା ରହିଛି ।

 

ଅନାମିକାଙ୍କ ବାପ ଘର ଲୋକେ ମଧ୍ୟ ବିତ୍ତଶାଳୀ । ଅନାମିକାଙ୍କ ବାପା ଅଶୋକ ଚଣ୍ଡଲିୟା ଆଗରୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଥିଲେ ।

 

ମାତ୍ର ଚାରି ବର୍ଷ ତଳେ ଉଭୟ ପରିବାରର ସହମତିରେ ସୁମିତ ଓ ଅନାମିକାଙ୍କ ବିବାହ ସଂପନ୍ନ ହୋଇଥିଲା । ବିବାହର ବର୍ଷକ ପରେ ଜନ୍ମ ହୋଇଥିଲା ଇଭ୍ୟା । ତେବେ ଇଭ୍ୟାକୁ ଯେତେବେଳେ ମାତ୍ର ୮ ମାସ ହୋଇଥିଲା ସେତେବେଳେ ସୁମିତ ଓ ଅନାମିକା ସନ୍ନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କର ନିଷ୍ପତ୍ତିକୁ ପ୍ରଥମେ ସେମାନଙ୍କ ପରିବାର ଲୋକେ ବିରୋଧ କରିଥିଲେ । କିନ୍ତୁ ଏବେ ସମସ୍ତେ ରାଜି ।

 

ପ୍ରଥମେ ସୁମିତ ଜୈନ ପରମ୍ପରା ଅନୁସାରେ ସନ୍ନ୍ୟାସ ଗ୍ରହଣ କରିବାକୁ ଘୋଷଣା କରିଥିଲେ । ସେ ଏହି ନିଷ୍ପତ୍ତି ନେବା ପରେ ପତିବ୍ରତା ପତ୍ନୀ ଭାବେ ଅନାମିକା ମଧ୍ୟ ତାଙ୍କ ସହିତ ସନ୍ନ୍ୟାସ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେମାନେ ସେପ୍ଟେମ୍ବର ୨୩ ତାରିଖରେ ଗୁଜରାଟ ସୁରାଟରେ ଥିବା ଏକ ଜୈନ ମନ୍ଦିରରେ ଶ୍ୱେତାମ୍ବର ଜୈନ ପରମ୍ପରା ଅନୁଯାୟୀ ସନ୍ନ୍ୟାସ ଦୀକ୍ଷା ନେବେ । ସେମାନଙ୍କୁ ଦୀକ୍ଷା ଦେବେ ଜୈନ ମୁନୀ ଶୁଦ୍ଧାମାର୍ଗୀ ଜୈନ ଆଚାର୍ଯ୍ୟ ରାମଲାଲ ମହାରାଜ । ସେଥିପାଇଁ ସେମାନଙ୍କୁ ମୁଣ୍ଡର ସମସ୍ତ କେଶ ଉପାଡ଼ିବାକୁ ହେବ । ସେମାନେ ଏଣିକି ସାରା ଜୀବନ ଶ୍ୱେତବସ୍ତ୍ର ପରିଧାନ କରିବେ । ମୁହଁରେ ମଧ୍ୟ କପଡ଼ା ବାନ୍ଧିବେ ।

 

ତେବେ ସେମାନଙ୍କର ଏହି ନିଷ୍ପତ୍ତି ଯୋଗୁଁ ସେମାନଙ୍କ ଶିଶୁକନ୍ୟା ଇଭ୍ୟାର ଅବସ୍ଥା କ’ଣ ହେବ? ଇଭ୍ୟା ପ୍ରତି ଥିବା ସେମାନଙ୍କର କର୍ତ୍ତବ୍ୟ ଛାଡ଼ି ସେମାନେ ସନ୍ନ୍ୟାସ ଗ୍ରହଣ କରିବା ନିଷ୍ଠୁରତା ବୋଲି ଗ୍ରହଣ କରୁଛନ୍ତି କେତେକ ଶିଶୁ ଅଧିକାର କର୍ମୀ । ସ୍ଥାନୀୟ ଅଂଚଳର ଶିଶୁ ଅଧିକାର କର୍ମୀ ରାଘବେନ୍ଦ୍ର ଶର୍ମା ଏହା ବିରୋଧରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନରେ ଆବେଦନ କରିବେ ବୋଲି କହିଛନ୍ତି । କିନ୍ତୁ ଅନାମିକାଙ୍କ ବାପା ତଥା ଇଭ୍ୟାର ଅଜା ଅଶୋକ ଚଣ୍ଡଲିୟା କହିଛନ୍ତି ଯେ ସେ ତାଙ୍କ ନାତୁଣୀର ଲାଳନପାଳନ ଦାୟିତ୍ୱ ଗ୍ରହଣ କରିବେ । ଏଥିରେ ବି ସହମତ ଅଛନ୍ତି ସୁମିତଙ୍କ ବାପା ତଥା ଇଭ୍ୟାର ଜେଜେବାପା ରାଜେନ୍ଦ୍ର ସିଂହ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top