୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଆବାସ

News Story - Posted on 2017-09-09

ବିନୋଦ ବହଲ

 

ସ୍ୱାଧୀନତା ପରେ ସାତ ଦଶନ୍ଧିର ଯାତ୍ରା ସମୟରେ ରିଅଲ‌୍‍ ଇଷ୍ଟେଟ‌୍‍ ଏବଂ ଆବାସିକ କ୍ଷେତ୍ର  ଯୋଜନାର ଅଭାବ ଏବଂ ଅତ୍ୟନ୍ତ ଅପର୍ଯ୍ୟାପ୍ତ ସମ୍ୱଳ ଥିବା ପ୍ରାରମ୍ଭିକ ବର୍ଷଗୁଡ଼ିକଠାରୁ ଆରମ୍ଭ କରି ଏକ ଲମ୍ୱା ଯାତ୍ରା ଶେଷ କରିଛି। ଏଥିସହିତ ସହରୀ ପରିବର୍ତନ ଏବଂ ତ୍ୱରିତ ଆର୍ଥିକ ଅଭିବୃଦ୍ଧିକୁ ସୁଗମ କରି ପ୍ରଗତିଶୀଳ, ଯୋଜନାବଦ୍ଧ, ସଂଗଠିତ ଏବଂ ପରିବର୍ତ୍ତନକାରୀ ଅବସ୍ଥା ପର୍ଯ୍ୟନ୍ତ ପହଂଚିଛି।

 

ରିଅଲ‌୍‍ ଇଷ୍ଟେଟ‌୍‍, ଆବାସ ଏବଂ ମୌଳିକ ଭିତ୍ତିଭୂମି ଭଳି ମହତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ପରିବର୍ତ୍ତନକାରୀ ସୁଧାର ଜରିଆରେ ଦୀର୍ଘକାଳୀନ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ବର୍ତ୍ତମାନର ସରକାରଙ୍କ ଦୂରଦୃଷ୍ଟି। ଏହା ସ୍ୱାଧୀନତା ପରେ ପ୍ରାରମ୍ଭିକ ବର୍ଷ (୧୯୪୭-୬୪) ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେତେବେଳେ ସମ୍ୱଳ ଏବଂ କର୍ମୀଙ୍କ ମଧ୍ୟରେ ଯୋଜନା କରିବା ଏବଂ ତା’କୁ କାର୍ଯ୍ୟକାରୀ କରିବା କ୍ଷମତାର ଅଭାବ କାରଣରୁ ଆବାସ/ସହରୀ ଭିତ୍ତିଭୂମି ବିକାଶ ଦିଗରେ ଅଧିକ ଧ୍ୟାନ ଦିଆଯାଇନଥିଲା। ଏହା ବ୍ୟତିରେକ, ଏହି ଅବଧିରେ ସରକାର ଜନତାଙ୍କ ପାଇଁ ଗୃହର ନିର୍ମାଣ କରିବା ଉଦ୍ଦେଶ୍ୟରେ ସରକାରୀ ଆବାସ ବୋର୍ଡର ପ୍ରାରମ୍ଭ କରିଥିଲେ ଏବଂ ସୁନିୟୋଜିତ ସହରର ଭିତ୍ତି ସ୍ଥାପନା କରାଯାଇଥିଲା। ଏହା ପରେ ୧୯୫୨ ଏବଂ ୧୯୬୦ରେ କ୍ରମଶଃ ଚଣ୍ଡିଗଡ଼ ଏବଂ ଗାନ୍ଧୀନଗର ଅସ୍ଥିତ୍ୱକୁ ଆସିଥିଲା।

 

ସ୍ୱାଧୀନତା ମିଳିବାର ପରବର୍ତ୍ତୀ ବର୍ଷଗୁଡ଼ିକରେ (୧୯୬୫ରୁ ୧୯୯୦) ଆଇନ ପ୍ରତିବନ୍ଧକ ଥିଲା। କିନ୍ତୁ ଏହି ଅବଧିରେ ସହରୀ ଆବାସ ବିକାଶ ନିଗମ (ହୁଡ‌୍‍କୋ), ଜାତୀୟ ଆବାସ ବ୍ୟାଙ୍କ (ଏନ‌୍‍ଏଚ‌୍‍ବି) ଏବଂ ଆବାସ ବିକାଶ ଅର୍ଥ ନିଗମ (ଏଚ‌୍‍ଡିଏଫସି)ର ଗଠନ ମାଧ୍ୟମରେ ଋଣ କ୍ଷେତ୍ରରେ ବୃଦ୍ଧିକୁ ନୀତିଗତ ପ୍ରୋତ୍ସାହନ ଦିଆଗଲା। ୧୯୭୬ରେ ଅର୍ବାନ ସିଲିଂ ଆକ୍ଟ ପାରିତ କରାଗଲା। ଏହାର ଉଦ୍ଦେଶ୍ୟ ଭୂମିର ଅବ୍ୟବହାରୀକ ଦାମକୁ ନିୟନ୍ତ୍ରିତ କରିବା ଥିଲା, କିନ୍ତୁ ପରେ ଏହାକୁ ପଶ୍ଚିମବଙ୍ଗ ଏବଂ କେରଳ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଦ୍ୱାରା ଅଚଳ କରିଦିଆଗଲା, କାରଣ ଏହି ଆଇନ ଉଦ୍ଦେଶ୍ୟକୁ ପୂରଣ କରିପାରିବାରେ ବିଫଳ ହେଲା। ମହତ୍ୱପୂର୍ଣ୍ଣ କଥା ଏହା ଯେ ଏହି ଅବଧି ସମୟରେ (୧୯୮୮)ରେ ଜାତୀୟ ଆବାସ ନୀତି ଅସ୍ତିତ୍ୱକୁ ଆସିଲା ଏବଂ ଶୋଷିତ ଲୋକମାନଙ୍କ ପାଇଁ ଗ୍ରାମୀଣ ଆବାସ ଯୋଜନା ଲାଗୁ କରାଗଲା।

 

ଉଦାରୀକରଣ ପରର ଅବଧି (୧୯୯୧-୨୦୦୦)ରେ ସରକାରଙ୍କ ଭୂମିକା ଥିଲା ସିଧାସଳଖ ଆବାସ ପ୍ରଦାନ କରିବା, ଯେପରିକି ଜାତୀୟ ଆବାସ ନୀତି। ପରେ ରିଅଲ ଇଷ୍ଟେଟ‌୍‍ ଏବଂ ଆବାସ କ୍ଷେତ୍ରର ବିକାଶ ପାଇଁ ଘରୋଇ କ୍ଷେତ୍ର ଲାଗି କୁଶଳ ଆଇନ, ନୀତି ଏବଂ ଆଥିର୍କ ଫ୍ରେମ‌୍‍ୱାର୍କ ଜରିଆରେ ତାହାକୁ ଆହୁରି ଅଧିକ ଦୃଢ଼ତା ପ୍ରଦାନ କରାଗଲା। କେବଳ ସେତିକି ନୁହେଁ, ସହରୀ ବିକାଶ ଏବଂ ଆବାସକୁ ପ୍ରୋତ୍ସାହନ ଦେବା ଲାଗି, ସହରୀ ସ୍ଥାନୀୟ ସଂସ୍ଥାକୁ କ୍ଷମତାସମ୍ପନ୍ନ କରାଗଲା ଏବଂ ଆବାସ ଋଣ ବଜାରକୁ ଦୃଢ଼ତା ପ୍ରଦାନ କରାଗଲା। ୨୦୦୦ ପରେ ଆର୍ଥିକ ଜଗତୀକରଣ ସମୟରେ ୨୦୦୦ କୋଟି ଡଲାରର ନିବେଶ ସହିତ ସହରଗୁଡ଼ିକୁ ନାଗରିକ ସେବା ସ୍ତରରେ ପର୍ଯ୍ୟାୟଭିତ୍ତିକ ସୁଧାର ପାଇଁ ପ୍ରୋତ୍ସାହିତ କରିବା ଲାଗି ୨୦୦୫ରେ ଜେଏନ‌୍‍ଏନ‌୍‍ୟୁଆରଏମ‌୍‍ ଆରମ୍ଭ କରାଗଲା।

 

୨୦୧୪ରୁ ଆବାସ କ୍ଷେତ୍ରକୁ ପ୍ରୋତ୍ସାହନ

 

ରିୟଲ ଇଷ୍ଟେଟ‌୍‍, ଆବାସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ଆଥିର୍କ ବୃଦ୍ଧିକୁ ଦୃଢ଼ତା ପ୍ରଦାନ କରିବାରେ ମୋଦୀ ସରକାରଙ୍କ ନୀତି ସବୁଠୁ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ‌୍‍ଡିଏ ସରକାର ମେ ୨୦୧୪ରେ କାର୍ଯ୍ୟଭାର ସମ୍ଭାଳିଲେ। ସେ ସମୟରେ ଅର୍ଥବ୍ୟବସ୍ଥା ଅଧାମରା ହୋଇସାରିଥିଲା, ମୁଦ୍ରାସ୍ଫୀତି ଏବଂ ଚଳନ୍ତି ଖାତା ନିଅଂଟ ବହୁତ ଅଧିକ ଥିଲା ତଥା ପରିଯୋଜନା ଭ୍ରଷ୍ଟାଚାର ଏବଂ ନୀତିଗତ ବିଫଳତା କାରଣରୁ ଅଟକି ରହିଥିଲା। ଏହାବ୍ୟତୀତ ବିଦେଶୀ ନିବେଶ ମଧ୍ୟ ପ୍ରଭାବିତ ଥିଲା। କିନ୍ତୁ ସୁଶାସନ ଉପରେ ଗୁରୁତ୍ୱ ତଥା ନିରନ୍ତର ସୁଧାର ମାଧ୍ୟମରେ, ଏନ‌୍‍ଡିଏ ସରକାର ଆଥିର୍କ ବିକାଶ ହାରକୁ ସ୍ୱାଭାବିକ କରିପାରିଥିଲେ। ଏହି ସରକାର ଆର୍ଥିକ ନିଅଂଟକୁ ବର୍ଷ ୨୦୧୩-୧୪ର ୪.୫ ପ୍ରତିଶତରୁ କମାଇ ୨୦୧୬-୧୭ରେ ୩.୫ ପ୍ରତିଶତ ପର୍ଯ୍ୟନ୍ତ ନେଇଆସିଥିଲେ ଏବଂ ୨୦୧୭-୧୮ରେ ଏହାକୁ ୩.୨ ପ୍ରତିଶତ ପର୍ଯ୍ୟନ୍ତ ଆଣିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି। ଜିଡିପି ଅଭିବୃଦ୍ଧି ହାର ୨୦୧୩-୧୪ରେ ୬.୬ ପ୍ରତିଶତ ଥିଲା ଯାହାକୁ ବଢ଼ାଇ ୨୦୧୬-୧୭ରେ ୭.୧ ପ୍ରତିଶତ ପର୍ଯ୍ୟନ୍ତ ଅଣାଯାଇପାରିଲା। ମୁଡି ଆକଳନ କରିଛି ଯେ ୨୦୧୭-୧୮ ବର୍ଷ ପାଇଁ ଏହି ହାର ୭.୫ ପ୍ରତିଶତ ରହିବ।

 

କ୍ଷମତା ଦଖଲ କରିବାର ତୁରନ୍ତ ପରେ ସରକାର ବିଦେଶୀ ରିଅଲ ଇଷ୍ଟେଟ‌୍‍ ଡେଭଲପର୍ସଙ୍କ ପାଇଁ ସର୍ବନିମ୍ନ କ୍ଷେତ୍ର ଏବଂ ପୁଞ୍ଜି ନିବେଶର ଆବଶ୍ୟକତାରେ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ପୂରଣ କରି ନିର୍ମାଣର ବିକାଶରେ ଏଫଡିଆକୁ ଉଦାରୀକୃତ କଲେ। ଯାହାର ଫଳସ୍ୱରୂପ ବିନିୟାମକ ବାଧା ଏବଂ ଅର୍ଥର ଅଭାବ କାରଣରୁ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଏହି କ୍ଷେତ୍ରରେ ବିଦେଶୀ ନିବେଶ ସୁଗମ ହୋଇପାରିଲା। ଏଫ‌୍‍ଡିଆଇ ସୁଧାରର ଦ୍ୱିତୀୟ ପର୍ଯ୍ୟାୟ ୨୦୧୬ରେ ଦେଖିବାକୁ ମିଳିଲା, ଯେତେବେଳେ ବେସାମରିକ ବିମାନ ଚଳାଚଳ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୦୦ ପ୍ରତିଶତ ଏଫ‌୍‍ଡିଆଇକୁ ମଞ୍ଜୁରି ଦିଆଗଲା ତଥା ପ୍ରତିରକ୍ଷା ଏବଂ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ନିୟମକୁ ସହଜ କରାଗଲା, ଏହା ଅନେକ ପରିମାଣରେ ରିୟଲ‌୍‍ ଇଷ୍ଟେଟ‌୍‍ର ଲାଭ ନିମନ୍ତେ କରାଯାଇଥିଲା। କଥା ହେଉଛି, ଏଫ‌୍‍ଡିଆଇ ସୁଧାରର ସକାରାମିକ ପ୍ରଭାବ ପୂର୍ବରୁ ଦେଖିବାକୁ ମିଳିଥିଲା। ମୋଦୀ ସରକାର ତିନି ବର୍ଷର କାର୍ଯ୍ୟକାଳ ସମୟରେ ବିଦେଶୀ ନିବେଶ ବଢ଼ି ରେକର୍ଡ ୧୫୬୦୦ କୋଟି ଡଲାର ପର୍ଯ୍ୟନ୍ତ ପହଂଚିଗଲା। ମିଳିତ ଜାତିସଂଘ ୨୦୧୬ରେ ଜାରି କରିଥିବା ବିଶ୍ୱ ନିବେଶ ରିପୋର୍ଟ ଅନୁଯାୟୀ, ରିୟଲ‌୍‍ ଇଷ୍ଟେଟ‌୍‍ରେ ଏଫ‌୍‍ଡିଆଇ ୫୭୦ କୋଟି ଡଲାର ଥିଲା। ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ୨୦୧୩-୧୪ରେ ଏହା ୧୨୦ କୋଟି ଡଲାର ଥିଲା।

 

ମୋଦୀ ସରକାର ସହରୀକରଣକୁ ପ୍ରୋତ୍ସାହନ ଦେବାର ଜାଗତିକ ପ୍ରବୃତିର ଅନୁସରଣ କଲେ ଏବଂ ସହରର ଉତ୍ପାଦକତାରେ ସୁଧାର ଦିଗରେ ନୀତି ନିର୍ଦ୍ଧାରଣ କଲେ। ସରକାର ଅଟଳ ସହରୀ କାୟାକଳ୍ପ ଏବଂ ପରିବର୍ତ୍ତନ ସମ୍ୱନ୍ଧୀୟ ଅଟଳ ମିଶନ (ଅମୃତ) ତଥା ୧୦୦ ସ୍ମାର୍ଟ ସିଟି ମିଶନ‌୍‍ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆରମ୍ଭ କଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ନିବେଶର ବ୍ୟବସ୍ଥା କରାଗଲା। ଅମୃତର ଲକ୍ଷ୍ୟ ପିପିପି ମଡେଲ‌୍‍ରେ ୫୦୦ ସହରର ବିକାଶ କରିବା ଏବଂ ୨ କୋଟି ସହରୀ ପରିବାରକୁ ଲାଭ ପହଂଚାଇବା। ୟୁପିଏ ଶାସନକାଳରେ ସହରୀ ନବୀକରଣ ମିଶନ‌୍‍ (ଜେଏନ‌୍‍ଏନ‌୍‍ୟୁଆରଏମ) ଅନ୍ତର୍ଗତ ୩୬ ହଜାର କୋଟି ଟଙ୍କା ଜାରି କରିଥିଲେ ଯେତେବେଳେ କି ବ୍ୟବସ୍ଥା ୪୨୮୦୦ କୋଟିର ଥିଲା। ଏନ‌୍‍ଡିଏ ସରକାର ଅମୃତ ତଥା ସ୍ମାର୍ଟ ସିଟି ମିଶନ‌୍‍ ଅନ୍ତର୍ଗତ ୯୮୦୦୦ କୋଟି ଟଙ୍କାର ବ୍ୟବସ୍ଥା କଲେ।

 

ସହରୀ ପରିବତ୍ତନକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ନୀତିରେ ଗୁରୁତ୍ୱର ପ୍ରଭାବ ଦେଖିବାକୁ ମିଳୁଛି। ୧୧୭୦୫ ସହରୀ ଯୋଜନାର ୪୭ ପ୍ରତିଶତ ଅଂଶ ୨୦୧୫-୧୬ରେ ସ୍ୱୀକୃତ ହେଲା ଏବଂ ଏବେ ପ୍ରଗତି ପଥରେ ରହିଛି। ଏହି ପରିଯୋଜନାକୁ ନିର୍ଦ୍ଧାରିତ ଅବଧି ୨୦୧୯-୨୦ ପର୍ଯ୍ୟନ୍ତ ପୂରଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୦୫-୧୪ର ଅବଧିରେ ୩୧୩୮ ପରିଯୋଜନାର ମାତ୍ର ୩୯ ପ୍ରତିଶତକୁ ହିଁ ମଞ୍ଜୁରି ମିଳିଥିଲା। ଆଜି ସ୍ଥିତି ଏପରି ଯେ ବିଦେଶୀ ନିବେଶ ନିମନ୍ତେ ସ୍ମାର୍ଟ ସିଟି ଦିଗରେ ଦେଖୁଛନ୍ତି। ଆମେରିକା ଏବଂ ଫ୍ରାନ୍ସର ବିକାଶ ଏଜେନ୍ସି ସ୍ମାର୍ଟ ସିଟି ରୂପରେ ବିକଶିତ କରିବା ଲାଗି ୩ ସହରକୁ ଆପଣାଇଛନ୍ତି। ଜାପାନ‌୍‍ ସ୍ମାର୍ଟ ସିଟିରେ ଆଗ୍ରହ ଦେଖାଇଛି, ଯେତେବେଳେ କି ଚୀନ‌୍‍ର କମ୍ପାନୀଗୁଡ଼ିକ ଔଦ୍ୟୋଗିକ ଟାଉନସିପ‌୍‍ ବିକଶିତ କରିବାରେ ରୁଚି ରଖିଛନ୍ତି। ସରକାର ଏହି ସୁଧାର କାର୍ଯ୍ୟକ୍ରମ ମାଧ୍ୟମରେ ମାନବ ଜୀବନର ଗୁଣବତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ସହରୀ ଜୀବନଧାରଣ ସୂଚକାଙ୍କ ପ୍ରମୁଖ ସହର ପାଇଁ ଲଂଚ କରାଯାଇଛି। ଏହି ସୂଚକାଙ୍କର ଆଧାର ସହରୀ ଜୀବନର ଗୁଣବତା ଅଟେ।

 

ସରକାର ବିନିର୍ମାଣ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୧୭-୧୮ର କେନ୍ଦ୍ରୀୟ ବଜେଟ‌୍‍ରେ ଏଥି ପାଇଁ ରେକର୍ଡ ୩.୯୬ ଲକ୍ଷ କୋଟି ଟଙ୍କା ଆବଂଟନ କରାଯାଇଛି। ରାଜପଥ ପାଇଁ ଆବଂଟନ ୫୭୬୭୬ କୋଟି ଟଙ୍କାରୁ ବଢ଼ାଇ ୬୪୦୦୦ କୋଟି ଟଙ୍କା କରିଦିଆଯାଇଛି। ଗ୍ରାମୀଣ ସଡ଼କ ପାଇଁ ବଜେଟ‌୍‍ ବଢ଼ାଇ ୨୭୦୦୦ କୋଟି ଟଙ୍କା କରାଯାଇଛି। ଢାଂଚାଗତ କ୍ଷେତ୍ରରେ ନୀତିଗତ କାର୍ଯ୍ୟକ୍ରମର ପରିଣାମ ଦେଖିବାକୁ ମିଳୁଛି। ପରିଯୋଜନାକୁ ଲାଗୁ କରିବା ଏବଂ ଦ୍ରୁତଗତିରେ ମଞ୍ଜୁରି ଦେବା ସାମର୍ଥ୍ୟରେ ମଧ୍ୟ ବୃଦ୍ଧି ଘଟିଛି।

ସହରୀ ସୁଧାର କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ୨୦୨୨ସୁଦ୍ଧା ସମସ୍ତଙ୍କ ପାଇଁ ଗୃହ ଦେବା ଲାଗି ସରକାରଙ୍କ ମିଶନ‌୍‍ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। କମ‌୍‍ ବ୍ୟୟରେ  ଉନ୍ନତ ୩ କୋଟି ନୂଆ ଗୃହ ନିର୍ମାଣ ଉପରେ ମିଶନ‌୍‍ର ଫୋକସ‌୍‍ ରହିଛି। ଏଥିରେ ୧ କୋଟି ଗ୍ରାମୀଣ ଗୃହ ମଧ୍ୟ ସାମିଲ‌୍‍ ଅଛି। ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମର ସଫଳତା ସୁନିଶ୍ଚିତ କରିବା ଲାଗି ସରକାର ସହାୟକ ନୀତି ନିର୍ଦ୍ଧାରଣ କରିଛନ୍ତି। ଏଥିରେ ଆବାସ କ୍ଷେତ୍ରକୁ ଢାଂଚାଗତ ମାନ୍ୟତା ପ୍ରଦାନ କରିବା, ବହନ କରିବା ଯୋଗ୍ୟ ମୂଲ୍ୟରେ ଗୃହ ପାଇଁ ବିଲ୍ଡରଙ୍କୁ ପ୍ରୋତ୍ସାହନ ତଥା କ୍ରେତାଙ୍କୁ ଟିକସ ପ୍ରୋତ୍ସାହନ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର କରୁଥିବା ଲୋକମାନଙ୍କୁ ଋଣ ସହ ଜଡ଼ିତ ସୁଧ ସବ‌୍‍ସିଡି ପ୍ରଦାନ କରିବା ସାମିଲ‌୍‍ ଅଛି।

 

ବେନାମୀ ସମ୍ପତ୍ତି ଅଧିନିୟମ ଦ୍ୱାରା କୃତ୍ରିମ ଏବଂ ଅହେତକୁ ମୂଲ୍ୟବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟତା ମିଳିବ ଏବଂ ଘର ତିଆରି କରିବା ସହଜ ହେବ। ସ୍ୱାଧୀନ ଭାରତର ସବୁଠୁ ବଡ଼ ଟିକସ ସୁଧାର ଜିଏସ‌୍‍ଟି ରିୟଲ‌୍‍ ଇଷ୍ଟେଟ‌୍‍ କାରବାରକୁ ଅଧିକ ପାରଦର୍ଶୀ ତଥା ଟିକସ ସକ୍ଷମ କରିବ।

 

ଏହି ମହତ୍ୱପୂର୍ଣ୍ଣ ସୁଧାର କାର୍ଯ୍ୟକ୍ରମ ସତ୍ୱେ ସରକାରଙ୍କ ସମ୍ମୁଖରେ ତତ‌୍‍କାଳୀନ ଆହ୍ୱାନ ହେଉଛି ଏହି ଉପାୟଗୁଡ଼ିକୁ ସଠିକ‌୍‍ ଢଙ୍ଗରେ ଲାଗୁ କରିବା। ସରକାରଙ୍କ ଦ୍ୱାରା ସିଙ୍ଗଲ ୱିଣ୍ଡୋ ମଞ୍ଜୁରି, ବ୍ୟବସାୟିକ ସୁଗମତା, ଭଡ଼ା ଘର, ଭୂମିର ମୂଲ୍ୟକୁ ଯୁକ୍ତିସଂଗତ କରିବା ଏବଂ ଷ୍ଟାମ୍ପ ଡ୍ୟୁଟି ଭଳି ସୁଧାର ଲାଗୁ କରିବା ବାକି ଅଛି। ଏହି ଆହ୍ୱାନକୁ ଦେଖି ସରକାର ସମସ୍ତ ଦିଗକୁ ବିଚାର କରି ଏହି ପ୍ରୟାସ କରୁଛନ୍ତି ସେ ଏସବୁ କାର୍ଯ୍ୟକ୍ରମର ସାମଗ୍ରୀକ ପ୍ରଭାବ ତୃଣମୂଳ ସ୍ତରରେ ପରିବର୍ତନକାରୀ ରୂପାନ୍ତରଣକୁ ସୁନିଶ୍ଚିତ କରୁ ତଥା ସାଧାରଣ ଜନତାଙ୍କ ଜୀବନର ଗୁଣବତାରେ ମହତ୍ୱପୂର୍ଣ୍ଣ ସୁଧାର ଆସୁ।

 

(ଲେଖକଙ୍କ ମତାମତ ତାଙ୍କର ନିଜସ୍ୱ) 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top