ଚାନ୍ଦା ଆଦାୟରେ ସବା ଆଗାରେ ବିଜେପି

News Story - Posted on 2017-09-07

ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜନୀତିକ ପ୍ରଭାବ ସହିତ ଚାନ୍ଦା ଆଦାୟ କ୍ଷମତା ମଧ୍ୟ ବୃଦ୍ଧି ପାଇଛି । ୨୦୧୫-୧୬ ବର୍ଷରେ ଏହି ଦଳ ଅନ୍ୟ ୫ଟି ଜାତୀୟ ଦଳ ମିଶି ଯେତିକି ଚାନ୍ଦା ପାଇଥିଲେ ତା’ଠାରୁ ଯଥେଷ୍ଟ ଅଧିକ ଚାନ୍ଦା ଆଦାୟ କରିଛି ବିଜେପି । ଏହି ବର୍ଷ ମୋଟ ଉପରେ ଯେତେ ରାଜନୀତିକ ଚାନ୍ଦା ଦିଆଯାଇଛି ତାହାର ୫୫ ପ୍ରତିଶତ ପାଇଛି ବିଜେପି । ପୂର୍ବ ବର୍ଷ ଏହି ଦଳର ଚାନ୍ଦା ଅଂଶ ଥିଲା ୫୧ ପ୍ରତିଶତ ।

 

ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ୨୦୧୪-୧୫ ବର୍ଷରେ ଜାତୀୟ ଦଳଗୁଡ଼ିକ ମୋଟ ୧୮୬୯ କୋଟି ଟଙ୍କାର ଚାନ୍ଦା ପାଇଥିଲେ । ପରବର୍ଷ ଏଥିରେ ୪୧ ପ୍ରତିଶତ ହ୍ରାସ ଘଟି ୧୦୩୩ କୋଟିରେ ପହଂଚିଥିଲା । ତେବେ ଏହାର ୮୦ ପ୍ରତିଶତ କେବଳ ବିଜେପି ଓ କଂଗ୍ରେସ ଦଳକୁ ଯାଇଛି । ଅନ୍ୟ ଜାତୀୟ ଦଳଗୁଡ଼ିକ ଭିତରେ କେବେଳ ସିପିଏମ ଏହି ବର୍ଷ ୧୦୦ କୋଟିରୁ କିଛି ଅଧିକ ଚାନ୍ଦା ପାଇଛି । ବିଜେପି ଓ କଂଗ୍ରେସ ଦାଖଲ କରିଥିବା ସେମାନଙ୍କର ଆୟସୂତ୍ର ରିପୋର୍ଟରେ ଏହି ଚାନ୍ଦାର ୭୭% ଅଜଣା ସୂତ୍ରରୁ ଆସିଥିବା ଦର୍ଶାଇଛନ୍ତି । ଏ ଦୁଇ ଦଳ ପାଇଥିବା ଚାନ୍ଦାର ଏକ ଚତୁର୍ଥାଂଶ ଖର୍ଚ୍ଚ ହୋଇନାହିଁ ।

 

ଏଡିଆର ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷ ବିଜେପି ଓ କଂଗ୍ରେସ ମୋଟ ୮୩୨.୪୨ କୋଟି ଟଙ୍କାର ଚାନ୍ଦା ଉଠାଇଥିଲେ । ଏହାର ୭୭% ବା ୬୪୭ କୋଟି ଟଙ୍କା ଅଜଣା ସୂତ୍ରରୁ ଆସିଛି । ଏହି ବର୍ଷ ବିଜେପି ମୋଟ ୫୭୦.୮୬ କୋଟି ଟଙ୍କାର ଚାନ୍ଦା ପାଇଥିଲାବେଳେ କଂଗ୍ରେସ ପାଇଛି ୨୬୧.୫୬ କୋଟି ଟଙ୍କା ପାଇଛି । ବିଜେପି ପାଇଥିବା ଚାନ୍ଦା ମଧ୍ୟରେ ୪୫୯.୫୬ କୋଟି ଟଙ୍କା ହେଉଛି ସ୍ୱେଚ୍ଛାକୃତ ଦାନ । କଂଗ୍ରେସ ପାଇଥିବା ଚାନ୍ଦା ମଧ୍ୟରେ ୧୬.୮୦ କୋଟି ଟଙ୍କା ହେଉଛି ସ୍ୱେଚ୍ଛାକୃତ ଦାନ ।

 

ଦଳଗୁଡ଼ିକ ପାଇଥିବା ଚାନ୍ଦା ସଂପର୍କରେ ସାଧାରଣ ମଂଚ ବା ୱେବସାଇଟରେ କୌଣସି ତଥ୍ୟ ନାହିଁ । ଦଳଗୁଡ଼ିକ ଏନେଇ ନିଜ ଆଡ଼ୁ ସାଧାରଣ ଲୋକଙ୍କୁ କିଛି ଜଣାଉ ନାହାନ୍ତି । ଫ୍ରାନ୍ସ, ନେପାଳ, ଭୁଟ୍ଟାନ, ଜର୍ମାନୀ, ଇଟାଲି, ବ୍ରାଜିଲି, ବୁଲଗାରିଆ, ଆମେରିକା ଓ ଜାପାନ ଆଦି ଦେଶରେ ରାଜନୀତିକ ଦଳଗୁଡ଼ିକ ପାଉଥିôବା ଚାନ୍ଦା ଓ ତାହାର ସୂତ୍ର ସଂପର୍କରେ ସାଧାରଣ ଲୋକଙ୍କୁ ଜଣାଇଥାନ୍ତି । ଭାରତବର୍ଷର ରାଜନୀତିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବା ଦାବିକୁ ତୀବ୍ର ବିରୋଧ କରୁଛନ୍ତି । ତେଣୁ ସେମାନେ ନିଜର ଆୟ ସଂପର୍କରେ ସର୍ବସାଧାରଣଙ୍କୁ କିଛି ଜଣାଉ ନାହାନ୍ତି ।

 

ଭାରତର ରାଜନୀତିକ ଦଳଗୁଡ଼ିକ କେବଳ ନିର୍ବାଚନ କମିଶନଙ୍କୁ ପ୍ରଚାର ଖର୍ଚ୍ଚ ଓ ଆୟକର ବିଭାଗକୁ ଆୟର ହିସାବ ଦେଇଥାନ୍ତି । କିନ୍ତୁ ତାହା କେତେ ସତ କେତେ ମିଛ ତା’ ଉପରେ ଏ ଦୁଇ ସଂସ୍ଥା କେବେ ତର୍ଜମା କି ତଦନ୍ତ କରନ୍ତି ନାହିଁ । ଜାତୀୟ ଦଳଗୁଡ଼ିକର ଅଜଣା ସୂତ୍ରର ଆୟ ଏତେ ଅଧିକ ହୋଇଥିଲେ ମଧ୍ୟ ତା’ ଉପରେ ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଅନ୍ୟ କୌଣସି ସଂସ୍ଥା କିଛି ତଦନ୍ତ କରନ୍ତି ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top