ଡେରାବାବାଙ୍କୁ ୨୦ ବର୍ଷ ଜେଲ୍

News Story - Posted on 2017-08-28

ଧର୍ଷକ ବାବା ଡେରାମୁଖ୍ୟ ଗୁରମିତ ସିଂହଙ୍କୁ ମିଳିଲା ୨୦ ବର୍ଷ ଜେଲଦଣ୍ଡ । ଦୁଇ ଜଣ ସାଧ୍ୱୀଙ୍କୁ ଧର୍ଷଣ କରିବା ଅପରାଧ ପାଇଁ ତାଙ୍କୁ ଏହି ଦଣ୍ଡ ମିଳିଛି । ଏହା ସହିତ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଧାର୍ଯ୍ୟ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଗଦୀପ ସିଂହ । ଜେଲ୍ରେ ତାଙ୍କୁ ଅନ୍ୟ କଏଦୀଙ୍କ ପରି ରଖିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଦଣ୍ଡ ଘୋଷଣା କରିବା ସମୟରେ ଧର୍ଷକ ବାବା ହାତଯୋଡ଼ି କାନ୍ଦିବା ସହିତ ତାଙ୍କୁ ମାଫ କରିବାକୁ ଅନୁରୋଧ କରିଥିଲେ । ଦଣ୍ଡବିଧାନ ପରେ ସେ କୋର୍ଟରୁମରୁ ନବାହାରି ଚଟାଣରେ ଗଡ଼ିବାରୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନିଆଯାଇଛି ।

 

୨୦୦୨ ମସିହାରେ ଦୁଇ ଜଣ ସାଧ୍ୱୀଙ୍କୁ ଧର୍ଷଣ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚା ସୌଦା ସଂପ୍ରଦାୟର ମୁଖ୍ୟ ଗୁରମିତ ସିଂହଙ୍କ ଉପରେ ଆଜି ଦଣ୍ଡବିଧାନ କରିଛନ୍ତି ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଗଦୀପ ସିଂହ । ନିରାପତ୍ତା ଦୃଷ୍ଟିକୋଣରୁ ପଞ୍ଚକୁଲାରେ କୋର୍ଟ ଅନୁଷ୍ଠିତ ନହୋଇ ରୋହତକ ଜେଲ୍ରେ ହୋଇଥିଲା । ସେଥିପାଇଁ ପଞ୍ଚକୁଲାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରେ ବିଚାରପତି ସିଂହଙ୍କୁ ସେଠାକୁ ନିଆଯାଇଥିଲା । ଦଣ୍ଡବିଧାନ ନେଇ ନିଜନିଜ ପକ୍ଷ ରଖିବାକୁ ବିଚାରପତି ଉଭୟ ପକ୍ଷଙ୍କୁ ୧୦ ମିନିଟ ଲେଖାଏଁ ସମୟ ଦେଇଥିଲେ । ସିବିଆଇ ଓକିଲ ଗୁରମିତ ସିଂହଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଯୁକ୍ତି କରିଥିବାବେଳେ ଡେରାମୁଖ୍ୟଙ୍କ ଓକିଲ ତାଙ୍କୁ ଜଣେ ସମାଜସେବୀ ଭାବେ ବର୍ଣ୍ଣନା କରି କୋହଳ ଦଣ୍ଡ ଦେବାକୁ ଆବେଦନ କରିଥିଲେ ।

 

ଉଭୟ ପକ୍ଷଙ୍କୁ ଶୁଣିବା ପରେ ବିଚାପରତି ସିଂହ ଦଣ୍ଡ ଘୋଷଣା କରିଥିଲେ । ୨୦୦୨ ମସିହାର ଦୁଇଟି ଧର୍ଷଣ ପାଇଁ ବିଚାରପତି ଗୁରମିତ ସିଂହଙ୍କ ଉପରେ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରିଥିଲେ । ବାବା ଗୁରୁମିତ ସିଂହଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬ ଦଫା ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବାବା ଏକାସାଙ୍ଗରେ ଏହି ଦଣ୍ଡ ଭୋଗ କରିବେ ନାହିଁ, ପରକୁ ପର ବା କ୍ରମାଗତ ଭାବରେ ଭୋଗ କରିବେ । ଏହାର ଅର୍ଥ ବାବା ଗୋଟିଏ ଧର୍ଷଣ ପାଇଁ ୧୦ ବର୍ଷ ଜେଲ୍ଦଣ୍ଡ ଭୋଗ କରିବା ପରେ ଅନ୍ୟ ଏକ ଧର୍ଷଣ ପାଇଁ ଆଉ ୧୦ ବର୍ଷ ଦଣ୍ଡ ଭୋଗିବେ । ମୋଟ ଉପରେ ୨୦ ବର୍ଷ ସେ ଜେଲ୍ରେ ରହିବେ । ସେହିପରି ଜରିମାନା ଟଙ୍କାରୁ ୧୪ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରିବାକୁ ବିଚାରପତି ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

 

ଜେଲ୍ରେ ବାବାଙ୍କୁ କୌଣସି ଭିଆଇପି ସୁବିଧା ମିଳିବ ନାହିଁ । ତାଙ୍କ ସାଧାରଣ କଏଦୀଙ୍କ ପରି ଜେଲ୍ ପ୍ରକୋଷ୍ଠରେ ରଖାଯିବ । ସେଠାରେ ତାଙ୍କୁ ଅନ୍ୟ କଏଦୀଙ୍କ ପରି ୟୁନିଫର୍ମ ପୋଷାକ ପିନ୍ଧିବାକୁ ଓ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯିବ । ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଯେଉଁ କାମ କରିବାକୁ କହିବେ ସେ ତାହା କରିବେ ।

 

ବିଚାରପତି ସିଂହ ଏହି ଦଣ୍ଡ ଘୋଷଣା କରିବା ସମୟରେ ଗୁରୁମିତ ରାମରହିମ ବାବା ହାତଯୋଡ଼ି କାନ୍ଦୁଥିଲେ । ମୁଝେ ମାଫ କର୍ ଦୋ, ମେଁ ବେଗୁନ୍ନାହ ହୁଁ ବୋଲି ବାବା କାନ୍ଦିକାନ୍ଦି କହୁଥିଲେ । ଦଣ୍ଡଘୋଷଣା ପରେ ସେ କୋର୍ଟରୁମ୍ ନଛାଡ଼ି ଚଟାଣରେ ଗଡ଼ିଲେ ଓ କହିଲେ ମୋ ରକ୍ତଚାପ ବଢ଼ିଯାଇଛି । ସେଇଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହେଲା । ତା’ପରେ ପୁଲିସ ତାଙ୍କୁ ଜୋରଜବରସ୍ତ ଉଠାଇନେଲେ । ତାଙ୍କ ଓକିଲ କହିଛନ୍ତି ଯେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ।

 

ଦଣ୍ଡବିଧାନ ସମୟରେ ଯେପରି କୌଣସି ପ୍ରକାର ଗଣ୍ଡଗୋଳ ହେବନାହିଁ ତାହା ନିଶ୍ଚିତ କରିବାକୁ ହରିଆନା ସରକାର ବ୍ୟାପକ ପୁଲିସ ବ୍ୟବସ୍ଥା କରିଥିଲେ । ବାବାଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିବା ଦିନ ଭକ୍ତମାନେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଭିଆଇଥିଲେ । ସେଥିରେ ୩୮ ଜଣଙ୍କର ପ୍ରାଣହାନୀ ଘଟିବା ସହିତ କୋଟିକୋଟି ଟଙ୍କାର ସଂପତ୍ତି ଧ୍ୱଂସ ହୋଇଥିଲା । ସେଥିପାଇଁ ହରିଆନା ସରକାରଙ୍କୁ ପଞ୍ଜାବ ଓ ହରିଆନା ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଥିଲେ । ଏହାକୁ ଦୃ୍ଷ୍ଟିରେ ରଖି ଆଜି ରୋହତକ ସହର ଚାରି ପଟେ ସାତ ଥାକିଆ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରୋହତକୁ ଯେପରି ଡେରାର କୌଣସି ଭକ୍ତ ପ୍ରବେଶ କରି ନପାରନ୍ତି ସେଥିପାଇଁ ବ୍ୟାପକ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା । ଏହା ସହିତ ସେନା ବାହିନୀକୁ ମଧ୍ୟ ଜାଗତିଆର ରଖାଯାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top