କିସ୍ ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ

News Story - Posted on 2017-08-26

କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ(କିସ୍)କୁ ଡିମ୍‍ଡ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଚିଠି ସଂଖ୍ୟା ଏଫ୍‍.୯-୧୪/୨୦୧୧-ୟୁ-୩(କ), ତା୨୫ ।୮ ।୨୦୧୭ରିଖ ଅନୁସାରେ କିସ୍କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏହା ହେଉଛି ଭାରତ ତଥା ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ । ଯଦିଓ ଏହା ପୂର୍ବରୁ ‘ଇନ୍ଦିରା ଗାନ୍ଧୀ ଜନଜାତି ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ହୋଇଛି, କିନ୍ତୁ ଏଠାରେ ସମସ୍ତ ବର୍ଗର ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ମାତ୍ର କିସ୍‍ ବିଶ୍ୱବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ କେବଳ ଜନଜାତି ବର୍ଗର ।

 

କିସ୍‍ ବିଶ୍ୱବିଦ୍ୟାଳୟ କିସ୍‍କୁ ‘ଡିମ୍‍ଡ ୟୁନିଭର୍‍ସିଟି ଅଣ୍ଡର ଡି ନୋଭେ କ୍ୟାଟେଗୋରୀ’ରେ ମାନ୍ୟତା ମିଳିଛି । ବିଶେଷତଃ କିସ୍‍ରେ ପ୍ରାଥମିକ ଭାବେ ୭ଟି ନୂତନ ଅଭିନବ ବିଭାଗ ଖୋଲାଯାଇ ଜନଜାତିଙ୍କ ଉପରେ ଉଚ୍ଚତର ଶିକ୍ଷା ଓ ଗବେଷଣା କରାଯିବ । ଯାହା ଦ୍ୱାରା କିସ୍‍ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିବ । ଏହାକୁ ଦୃଷ୍ଟିରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ମଧ୍ୟ ସଂପୂର୍ଣ୍ଣ ମାଗଣା ଓ ସଂପୂର୍ଣ୍ଣ ଆବାସିକ ରହିବ । କିସ୍ର ଏହି ସଫଳତାରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଆନନ୍ଦ ପ୍ରକାଶ କରି କହିଛନ୍ତି, ଓଡ଼ିଶାବାସୀଙ୍କ ଶୁଭେଚ୍ଛା, ସଦ୍ଦିଚ୍ଛା ଓ ଭଲପାଇବା ଥିବାରୁ କିସ୍‍କୁ ଆଜି ଏଭଳି ମାନ୍ୟତା ମିଳି ପାରିଛି । ସେଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ।

 

କିସ୍‍କୁ ଏହି ସଫଳତା ଦେଇଥିବାରୁ କିସ୍‍ ତରଫରୁ ଶ୍ରୀ ସାମନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ସେହିପରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗକୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଦୁଇଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଜନଜାତି ବ୍ୟାପର ମନ୍ତ୍ରୀ ଜୁଏଲ୍‍ ଓରାମ୍‍ ଓ କେନ୍ଦ୍ର ପେଟ୍ରୋଲିଅମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଶ୍ରୀ ସାମନ୍ତ ସେମାନଙ୍କ ସଦ୍ଦିଚ୍ଛା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜଣାଇ ଶ୍ରୀ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ନ ଥିଲେ କିସ୍‍ ଆଜି ଏଠାରେ ପହଞ୍ଚି ପାରି ନ ଥାନ୍ତା । ସେ ମଧ୍ୟ ସମସ୍ତ ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି । ଅପରପକ୍ଷରେ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଖବରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହା ସହିତ ସେମାନଙ୍କ ଅଭିଭାବକ ତଥା ରାଜ୍ୟର ଜନଜାତି ସଂପ୍ରଦାୟ ମଧ୍ୟ ଏହି ଖବରରେ ଆନନ୍ଦ ପ୍ରକାଶ କରିଛନ୍ତି ।

 

୧୯୯୨-୯୩ ମସିହାରେ ୧୨୫ଜଣ ଗରିବ ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ଏକ ଭଡ଼ାଘରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କିସ୍‍ ପ୍ରତିଷ୍ଠା ହୋଇଥିଲା । କ୍ରମେ ଏଠାରେ ପିଲାଙ୍କ ସଂଖ୍ୟା ସହ କିସ୍‍ର କଳେବର ବୃଦ୍ଧି ପାଇଥିଲା । ବର୍ତ୍ତମାନ କିସ୍‍ର ଛାତ୍ରଛାତ୍ରୀ ସଂଖ୍ୟା ୩୭ ହଜାର (୨୭ ହଜାର ଅଧ୍ୟୟନରତ ଓ ୧୦ ହଜାର ଛାତ୍ରଛାତ୍ରୀ କିସ୍‍ରୁ ଉତ୍ତୀର୍ଣ୍ଣ)ରେ ପହଞ୍ଚିଛି । ଏଥିରେ ୬୦ ପ୍ରତିଶତ କେବଳ ରହିଛନ୍ତି ଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ପ୍ରଥମରୁ ସ୍ନାତକୋତ୍ତର ଶ୍ରେଶୀ ପର୍ଯ୍ୟନ୍ତ ସାଧାରଣ ଶିକ୍ଷା ସହ ଧନ୍ଦାମୂଳକ ତାଲିମ୍‍ ପ୍ରଦାନ କରାଯାଇଥାଏ । ଜାତିସଂଘ ପ୍ରଣୀତ ଶତତ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କରାଯିବା ବ୍ୟତୀତ କିସ୍‍ ଓଡ଼ିଶା ରାଜ୍ୟ ସମେତ ଏହାର ପଡ଼ୋଶୀ ରାଜ୍ୟର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମାଓବାଦ ଓ ନକ୍ସଲ୍‍ବାଦ ବୃଦ୍ଧି ରୋକିବାରେ ସମର୍ଥ ହୋଇଛି । ଓଡ଼ିଶାର ବିଭିନ୍ନ ଗ୍ରାମରୁ ଆସିଥିôବା କିସ୍‍ର ୨୭ ହଜାର ଛାତ୍ରଛାତ୍ରୀଙ୍କ ଜରିଆରେ ଜନଜାତିଙ୍କ ମାନସିକତାରେ ପରିବର୍ତ୍ତନ ଅଣାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‍ କରିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top