ବିଘ୍ନ ବିନାଶକ ବନାମ ବିଘ୍ନ ବିକାଶକ!

News Story - Posted on 2017-08-25

ବୈଷ୍ଣବ ଜେନା

 

ଓଡ଼ିଶା ରାଜ୍ୟରେ ଯାଜପୁର ଜିଲ୍ଲାର ମହାବିନାୟକ ଏବଂ ଗଞ୍ଜାମର ପଂଚମାଠାରେ କେବଳ ଗଣେଶ ମନ୍ଦିର ବହୁ ପ୍ରାଚୀନ କାଳରୁ ରହିଆସିଥିଲା । ଏବେ ସେହି ଅଗ୍ରପୂଜ୍ୟ ଦେବତାଙ୍କର ବହୁ ମନ୍ଦିର ହେଲାଣି । ସେହିପରି ଭାବେ ଏହି ଦେବତାଙ୍କର କେବଳ ବିଦ୍ୟାଳୟମାନଙ୍କରେ ପୂଜା ହେଉଥିଲା । ତାହା ପୁଣି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ । କାଁ ଭାଁ ଜମିଦାରମାନେ ଅତୀତରେ ଏହି ଲମ୍ବୋଦରଙ୍କର ୩ ଦିନିଆ ପୂଜା କରୁଥିଲେ । ମାତ୍ର ଏବେ ଏହି ଠାକୁରଙ୍କର ବହୁଳ ଆବିର୍ଭାବ ଘଟିଲାଣି । ଓଡ଼ିଶା ରାଜ୍ୟର ହଜାର ହଜାର ନବ ନିର୍ମିତ ମନ୍ଦିରରେ ଏବେ ଏହି ଗଜାନନ ପାଶ୍ୱର୍ ଦେବତା ଭାବରେ ପୂଜା ପାଉଥିବା ବେଳେ ଗଣେଶ ଚତୁର୍ଥୀ ଏକ ପ୍ରକାର ଗଣପର୍ବ ହୋଇଗଲାଣି ।

 

ଏବେ ଓଡ଼ିଶା ଗଣେଶମୟ । ସହରାଂଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ, ପଡ଼ା ଗ୍ରାମରେ, ସରକାରୀ ଦପ୍ତରରେ ଓ କୋର୍ଟ କଚେରୀରେ, ମହାବିଦ୍ୟାଳୟରେ ଓ ବିଶ୍ୱବିଦ୍ୟାଳୟରେ, କ୍ଲବ ଏବଂ ୟୁନିୟନ୍ ଅଫିସ୍ରେ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାରେ ଏହାଙ୍କର ପୂଜା ହେଉଛି । ଅନ୍ୟ ଭାଷାରେ କହିବାକୁ ଗଲେ ବିଘ୍ନରାଜଙ୍କର ପୂଜା ଓଡ଼ିଶା ରାଜ୍ୟରେ ଲକ୍ଷାଧିକ ସ୍ଥାନରେ ହେଉଛି । ଏଥିପାଇଁ ବିଭିନ୍ନ ପୂଜା ସାମଗ୍ରୀ ସମେତ ଭୋଗ ସାମଗ୍ରୀର ମୂଲ୍ୟ ହଠାତ୍ ବଢ଼ିଯାଇଛି । ନନା (ପୁରୋହିିତ)ମାନଙ୍କର ଚାହିଦା ଓ ଭାଉ ହଠାତ୍ ବଢି ଯାଉଛି । ନୂତନ ନନାମାନେ ସୃଷ୍ଟି ହୋଇଯାଉଛନ୍ତି । ଅବ୍ରାହ୍ମଣମାନେ ନୂତନ ନନା ଭୂମିକା ନେଉଛନ୍ତି । ଏହା ଭାବାବେଗ ଏବଂ ଭକ୍ତି ଭାବନାର କଥା ହୋଇ ଥିବାରୁ ତାହାକୁ କେହି ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ ।

 

ମାତ୍ର ଏହି ପୂଜା ସମ୍ପର୍କିତ ଅର୍ଥାତ୍ ଶେଷ ପର୍ଯ୍ୟାୟଟି ଚିନ୍ତାର କାରଣ ହୋଇଛି । ତଥାକଥିତ ଗଣେଶ ପ୍ରେମୀଙ୍କର ଅସଲ ରୂପ ପଦାରେ ପଡ଼ିଯାଉଛି । ଏହି ପର୍ଯ୍ୟାୟଟି ହେଉଛି ଭସାଣି ଉତ୍ସବ । ପ୍ରଥମ ପର୍ଯ୍ୟାୟଟି ମୂର୍ତ୍ତିପୂଜା, ଦ୍ୱିତୀୟ ପର୍ଯ୍ୟାୟଟି ମେଲୋଡି ଓ ଉଦ୍ଦଣ୍ଡ ନୃତ୍ୟ ଏବଂ ତୃତୀୟ ପର୍ଯ୍ୟାୟଟି ଭୋଜି ଭାତ । ପୂଜା ପାଇଁ ଯେତିକି ଖର୍ଚ୍ଚ ହେଉଛି, ତାହାଠାରୁ ବହୁ ଅଧିକ ଖର୍ଚ୍ଚ ହେଉଛି ଭସାଣିରେ । ଭାଇଦ ବାଜଣା, ଡିଜେ, ମାଇଚିଆ ନାଚ ସହିତ ଖୋଲାରେ ମଦ୍ୟପାନ ସେଥିରେ ଅନ୍ତର୍ଭୁକ୍ତ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ଗଣେଶ ଭସାଣିର ଆୟୋଜନ ଓ ତର୍ଜମା । ବହୁଳ ପ୍ରଚାରିତ ଦୁର୍ଗା ମେଢ ଭାସାଣିଠାରୁ ଏହା ବଳି ପଡ଼ିଲାଣି । ଏହାର ସୁପ୍ରଭାବଠାରୁ କୁପ୍ରଭାବ ମାତ୍ରାଧିକ ହେଲାଣି । ସମସ୍ତଙ୍କ ଆଖି ଆଗରେ ଏହା ଘଟୁଛି । ଧନଜୀବନର ବ୍ୟାପକ କ୍ଷତି ଘଟୁଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ୍ ପ୍ରଶାସନକୁ ନାକେଦମ ହେବାକୁ ପଡ଼ୁଛି । କୋଟି କୋଟି ଟଙ୍କା ଅଯଥାରେ ପାଣିରେ ପଡୁଛି ।

 

ସେହି ଭସାଣିର କଦର୍ଯ୍ୟ ରୂପ ସମ୍ପର୍କରେ ଆମେ ଗତ ବର୍ଷର (୨୦୧୬) କେତେଗୋଟି ଘଟଣାର ଅବତାରଣା କରୁଛୁ । ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ଗତବର୍ଷ ରାଜ୍ୟର ତିନୋଟି ସ୍ଥାନରେ ସାଂପ୍ରଦାୟିକ ହିଂସାକାଣ୍ଡ ଦେଖାଯାଇଥିଲା । ସେହି ତିନୋଟି ସ୍ଥାନ ହେଲା ପଟ୍ଟାମୁଣ୍ଡାଇ, ସୋର ଏବଂ ରାଉରକେଲା । ଏହି ତିନୋଟି ସ୍ଥାନରେ ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିବାବେଳେ ପ୍ରଶାସନକ ପକ୍ଷରୁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା । ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ସଂଖ୍ୟାଲଘୁ ମହିଳାମାନେ ପଟ୍ଟାମୁଣ୍ଡାଇରେ ରାସ୍ତାରୋକ କରିଥିଲେ । ପୋଲିସ୍ ସେଠାରେ ଗଣେଶ ମୂର୍ତ୍ତିକୁ ଜବତ କରି ଥାନାକୁ ଆଣିଥିଲେ ଓ ଏକ ସପ୍ତାହ ପରେ ବିସର୍ଜନ କରିଥିଲେ । ସୋରରେ କର୍ଫୁ ମଧ୍ୟ (ସାଂଧ୍ୟକାଳନ) ଜାରି କରାଯାଇଥିଲା । ରାଉରକେଲାରେ କିଛି କାର ପୋଡ଼ି ହୋଇଥିଲା । ଏହି ତିନୋଟି ସ୍ଥାନରେ ପ୍ରାୟ ୧୦୦ ଜଣ ଗିରଫ ହୋଇଥିଲେ । ବହୁଲୋକ ଆହତ ହୋଇଥିଲେ । ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ ।

 

ଏହାଛଡ଼ା ଗଣେଶ ଭସାଣିକୁ ନେଇ ଖୋର୍ଦ୍ଧା ସହର ନିକଟବର୍ତ୍ତୀ ଲୋକେଶ୍ୱରପୁର ଓ ପାନବରଜ ଗ୍ରାମ ମଧ୍ୟରେ ବୋମାମାଡ ହୋଇଥିଲା । ଏଥିରେ ୭ ଆହତ ହୋଇଥିଲେ । ଜଗତସିଂହପୁର ସହର ଉପକଣ୍ଠରେ ମଧ୍ୟ ବୋମାମାଡ ହୋଇ କିଛି ଲୋକ ଆହତ ହୋଇଥିଲେ । କଟକର ଦେବୀଗଡାଠାରେ ଦୁଇ ଦଳ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ପୋଲିସ୍ ହେଲା ନାକେଦମ୍ । କଟକ ମର୍କତ ନଗରରେ ରାତି ୧୦ଟା ପରେ ଶୋଭାଯାତ୍ରାରେ ବାଇଦ ବାଜଣ ଏବଂ ଉଦ୍ଦଣ୍ଡ ନୃତ୍ୟକୁ ନେଇ ପ୍ରବଳ ବିରୋଧ । କେନ୍ଦ୍ରାପଡ଼ା ଅଯୋଧ୍ୟାନଗର ଏବଂ ସାଆନ୍ତସାହି ମଧ୍ୟରେ ଗଣ୍ଡଗୋଳ, ଢେଲାମାଡରେ ୫ ଆହତ । ଜଗତସିଂହପୁରର ସାମାଛକରେ ରାତି ୧୧ଟା ବେଳେ ଉଚ୍ଚ ସ୍ୱରରେ ବାଇଦ ବାଜଣାକୁ ବିରୋଧ । ପୋଲିସ୍ ଆସିବାରୁ ଢେଲାମାଡ । ଗଞ୍ଜାମ ବେଲଗୁଣ୍ଠାର ଭସାଣିରେ ଷ୍ଟଣ୍ଟ ସୋ ବେଳେ ଜଳିଗଲେ ଦୁଇ ଯୁବକ । ଭୁବନେଶ୍ୱରର ଖଣ୍ଡଗିରି-ଜାଆଁଳା ଫାଣ୍ଡି ଅନ୍ତର୍ଗତ ଗୌଡ଼ କାଶିପୁର ଗାଁରେ ମାଡପିଟ୍ ୫ ଗିରଫ । ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୋ ପଂଚାୟତ କଦମ ସାହିରେ ଗଣ୍ଡଗୋଳ ୫ ଗୁରୁତର, ୧୫ ଗିରଫ । ଡେଲାଙ୍ଗରେ ବୋମାମାଡ ଓ ଢେଲାମାଡ ୧୬ ଆହତ ଓ ୧୦ ଗିରଫ । ଜଟଣୀରେ ପୂଜାମଣ୍ଡପ କଡରୁ ତିନି ପେଟି ମଦ ଜବତ, ୨ ବାଇକ୍ ସମେତ ୩ ଗିରଫ । ଭୁବନେଶ୍ୱର ଜ୍ଞାନନଗର ଭୋଇ ସାହିରେ ଗୋଷ୍ଠୀ ସଂଘର୍ଷ, ଦୋକାନ ଭଙ୍ଗାରୁଜା, ୫ ଗିରଫ । ଭଦ୍ରକ ଆରଡି ଅଂଚଳରେ ଚନ୍ଦନ ରାଉତ ନାମକ ଜଣେ ଯୁବକ ମୃତ । ମାହାଙ୍ଗା ଅଂଚଳରେ ଜଣେ ଯୁବକ ପାଣିରେ ବୁଡ଼ିଗଲେ ।

 

ଏହିସବୁ ଅଘଟଣ ଭସାଣି ବେଳେ ଘଟିଥିଲା । ଏକଥା ପ୍ରତ୍ୟେକ ଜିଲ୍ଲାସ୍ତରର ପ୍ରଶାସନ ଓ ପୋଲିସ୍ ଭଲ ଭାବେ ଜାଣିଛି ।

 

ଏହି ପ୍ରସଙ୍ଗରେ ୨୦୧୫ ମସିହାରେ ଘଟିଥିବା ଅଘଟଣ ସବୁଠାରୁ ଦୁଃଖଦାୟକ ଓ ଲୋମ ହର୍ଷଣକାରୀ । ଢେଙ୍କାନାଳ ସହର ଉପକଣ୍ଠରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଜଣେ ମୁର୍ମୂଷ ଅବସ୍ଥାରେ ଥିବା ଆହତଙ୍କୁ ଜଣେ ଯୁବକ ନିଜ କାରରେ ହସ୍ପିଟାଲ୍ ନେଇ ଯାଉଥିଲେ । ସେ ମାନବିକତା ଦେଖାଇବାକୁ ଚାହିଁଥିଲେ ମାତ୍ର ଫଳ ଓଲଟା ହେଲା । ସେହି ବାବୁ ଜଣକ ହସ୍ପିଟାଲ ଯିବା ବାଟରେ ଗଣେଶ ମୂର୍ତ୍ତି ଭସାଣିର ଯୁବକମାନଙ୍କ ହାବୁଡ଼ରେ ପଡ଼ିଲେ । ସେହି ଯୁବକମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଛାଡ଼ିଲେ ନାହିଁ । କହିଲେ, ଭସାଣି ବେଳେ ରାସ୍ତା ଆମର, ଏବାଟେ କୋଉ ଗାଡ଼ି ଯାଇବାରିବ ନାହିଁ, ଯିଏ ଯିବ ସିଏ ମାଡ଼ ଖାଇବ । ତେବେ ଉକ୍ତ ଯୁବକ ସାହସର ସହିତ ନିଜ ଗାଡ଼ିକୁ ନେଇ ହସ୍ପିଟାଲ୍ରେ ପହଂଚିଥିଲେ । କିନ୍ତୁ ସେହି ଉଦ୍ଦଣ୍ଡ ନୃତ୍ୟକାରୀ ଯୁବକମାନେ ସେଠାରେ ପହଂଚି ଯାଇ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ମୂଲ୍ୟବାନ୍ ଗାଡ଼ିକୁ ଭାଙ୍ଗି ଦେଇଥିଲେ ।

 

କହିବା ବାହୁଲ୍ୟ ଯେ, ଦୁର୍ଘଟଣାଗ୍ରସ୍ତ ଲୋକଟିର ପ୍ରାଣବାୟୁ ସେଠାରେ ଉଡିଯାଇଥିଲା । ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଯୁବକ ଦରମରା ହୋଇ କଟକ ଆସିଥିଲେ । ଦୁଃଖର କଥା ହେଉଛି ଯେ, ଗତବର୍ଷ ସେହି ଦଳକୁ ପୁନର୍ବାର ଭସାଣି ପାଇଁ ଅନୁମତି ଦେଇଥିଲା ପୋଲିସ୍୍ ।

 

ଏହି ପ୍ରସଙ୍ଗରେ ଦକ୍ଷିଣ ଓଡ଼ିଶାର ଜଣେ ବିଧାୟକ କହିଥିଲେ ଯେ, ଗତବର୍ଷ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫୦୦ଟି ସ୍ଥାନରେ ଗଣେଶ ପୂଜା ହୋଇଥିଲା । ସେ ଚାନ୍ଦା ବାବଦରେ ୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ବି ସବୁଆଡେ ଅସନ୍ତୋଷ ଓ ବିରୋଧ । ଚାନ୍ଦା ଆଦାୟ ବେଆଇନ୍ ହୋଇଥିଲେ ବି ସେ କଥାକୁ କୋଉ ପ୍ରଶାସନ ଦେଖୁଛି ବୋଲି ସେ ପ୍ରଶ୍ନ କଲେ ।

 

ଆମ୍ଭର ଜଣେ ବନ୍ଧୁଙ୍କ ଏସଂକ୍ରାନ୍ତୀୟ ମନ୍ତବ୍ୟ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କ ଘର କୋରାପୁଟ ଜିଲ୍ଲାରେ । ତାଙ୍କ ଗ୍ରାମଟିର କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବାସ କରନ୍ତି । ଗତବର୍ଷ ଗ୍ରାମର ପ୍ରାୟ ୩୦ ଜଣ ଯୁବକ ଗଣେଶ ପୂଜାର ଆୟୋଜନ କଲେ । ଖ୍ରୀଷ୍ଟ ଧର୍ମରେ ଗଣେଶ ପୂଜା ନଥିବାରୁ ଏବଂ ଆମର ସେ ବନ୍ଧୁ ନଥିବାରୁ ଅନ୍ୟମାନେ ବିରୋଧ କଲେ । ତେବେ ସେହି ଯୁବକମାନେ କହିଥିଲେ, ଆମର ପୂଜା ଫୁଜା ଲୋଡା ନାହିଁ, ଆମେ କେବଳ ଚାନ୍ଦା ଆଦାୟ ଓ ଭସାଣି ପାଇଁ ଉଦ୍ୟମ କରୁଛୁ । ଏକଥା ସମସ୍ତେ ଶୁଣି ତାଜୁବ ।

 

ଚାନ୍ଦା ଆଦାୟ ଜୁଲମ୍, ଏସବୁ ଅଘଟଣ ଅର୍ଥାତ୍ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା, ଅକାଳ ମୃତ୍ୟୁ, ଶତାଧିକ ଆହତ, ଶତାଧିକ ଗିରଫ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବ୍ୟାଘାତ ଅଘଟଣ ସତ୍ତେ୍ୱ ଚଳିତ ବର୍ଷ ପ୍ରଶାସନ ଓ ପୋଲିସ୍ ସେହି ଭସାଣି ଉତ୍ସବ ପାଇଁ ଅନୁମତି ଦେବେ କି ? ନାଁ ନୀରବଦ୍ରଷ୍ଟା ସାଜିବେ?

 

ମୋ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top