୫୦୦ ଦିନରେ ଭାଷା ଆନ୍ଦୋଳନ

News Story - Posted on 2017-08-25

ପବିତ୍ର ମହାରଥା

 

ଓଡ଼ିଆରେ ଓଡ଼ିଶା ଶାସନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ଦାବିରେ ଦୀର୍ଘ ୫୦୦ ଦିନରେ ଭାଷା ଆନ୍ଦୋଳନ ପହଂଚିିଛି । ଲଗାତାର କଳା ପତାକା ପ୍ରଦର୍ଶନ କରି ଓଡ଼ିଆ ଜାତିର ପ୍ରତିନିଧିମାନେ ବିଧାନ ସମ୍ମୁଖ ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୋ÷ଧୂରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ସଚିବାଳୟ ମାର୍ଗ ଦେଇ ରାଜ୍ୟପାଳଙ୍କ ବାସଭବନ ନିକଟସ୍ଥିତ ଉକ୍ରଳ ନିର୍ମାତା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ୧୪୪ ଧାରା ଆଇନ ଉଲଂଘନ ନ କରି ନୀରବରେ ଡାହାଣ ହାତରେ କଳା ପତାକା ଏବଂ ପ୍ରତିବାଦର ଦାବି ପତ୍ର ଧରି ପ୍ରତିବାଦ କରି ଚାଲିଛନ୍ତି ।

 

୧୯୫୪ ମସିହା ଭାଷା ଆଇନରେ ସଂଶୋଧନ କରି ଆଇନଟିକୁ ହାତକୁ ନେବା ଏବଂ ତହିଁରେ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ପାଇଁ ଭାଷା ଆନ୍ଦୋଳନ, ଓଡ଼ିଶାର ଦାବିକୁ ୮ ଏପ୍ରିଲ,୨୦୧୬ ରେ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚରମ ପତ୍ର ପ୍ରଦାନ କରାଯାଇଥିଲା । ଭାଷା ପାଇଁ ଗଜାନନ ମିଶ୍ରଙ୍କ ଅନଶନରୁ ତିଆରି ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିରେ କୋ÷ଣସି ସୁଫଳ ନ ମିଳିବାରୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଓ ନିଜେ ଭାଷା ତପସ୍ୱୀ ଗଜାନନ ମିଶ୍ର କମିଟିରୁ ଓହରି ଆସିଥିଲେ ଏବଂ ଚରମ ପତ୍ର ଅନୁଯାୟୀ ୧୩ ଏପ୍ରିଲ, ୨୦୧୬ ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି)ଠାରୁ ସରକାରଙ୍କ ଛାତି ଉପରେ କଳା ପତାକା ଅଭିଯାନ ଚାଲିବ ବୋଲି ଦର୍ଶାଯାଇଥିଲା । ତଦନୁଯାୟୀ ସେହି ଦିନଠାରୁ ନୀରବ କଳା ପତାକା ଅଭିଯାନ ଆରମ୍ଭ ହୋଇ ୪୧ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

 

କିନ୍ତୁ ସରକାର ୨୧ ମେ, ୨୦୧୬ରେ ବିଜ୍ଞପ୍ତି ପ୍ରକାଶ କରି ଆଇନଟିକୁ ହାତକୁ ନେଲେ ଏବଂ ୧୫ ଅଗଷ୍ଟ, ୨୦୧୬ ସୁଦ୍ଧା ଆଇନର ନିୟମ ପ୍ରଣୟନ କରିବେ ବୋଲି ଗଣମାଧ୍ୟମରେ ପ୍ରତିଶୃତି ଦେଲେ । ଯାହା ଫଳରେ ଭାଷା ଆନ୍ଦୋଳନ ସରକାରଙ୍କୁ ସମ୍ମାନ ଦେଇ କଳା ପତାକା ଅଭିଯାନକୁ ସ୍ଥଗିତ ହୋଇଥିଲା । କିନ୍ତୁ ଭାଷା ଆନ୍ଦୋଳନ ପ୍ରତିବାଦ ସଭା ପ୍ରତିଦିନ ମଧୁବାବୁଙ୍କ ପ୍ରତିମୂର୍ତ୍ତି (ଭାଷା ତୀର୍ଥ) ନିକଟରେ ଜାରି ରହିଥିଲା । କିନ୍ତୁ ସରକାର ୧୫ ଅଗଷ୍ଟ, ୨୦୧୬ ଯେଉଁ ନିୟମ ପ୍ରଣୟନ କଲେ ତହିଁରେ କୋ÷ଣସି ଦଣ୍ଡ ବିଧାନ ବ୍ୟବସ୍ଥା ବା ଆଇନଟିକୁ ସୂଚାରୂ ରୂପେ ପରିଚାଳନାର ବ୍ୟବସ୍ଥା କରି ନଥିଲେ । ତେଣୁ ଭାଷା ଆନ୍ଦୋଳନର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସ୍ଥଗିତ ଥିବା କଳା ପତାକା ଅଭିଯାନ ପୁନର୍ବାର ୧୬ ଅଗଷ୍ଟ, ୨୦୧୬ରୁ ଆରମ୍ଭ ହୋଇ ଆଜି ୫୦୦ ଦିନରେ ପହଂଚିଛି । ଏହି ୫୦୦ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ କଳା ପତାକାର ଲହର ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ଅଂଚଳରେ ଯଥା: ସମ୍ବଲପୁର ଓ ରାଉରକେଲାରେ, ବ୍ରହ୍ମପୁର, ଛତ୍ରପୁର, କନ୍ଧମାଳ, ଫୁଲବାଣୀ, ତୁମୁଡିବନ୍ଧ, ଯୋଡା, କେନ୍ଦୁଝର, ଯାଜପୁର, ଜେନାପୁର, ନିଆଳି ପ୍ରଭୃତି ଅଂଚଳରେ ମଧ୍ୟ ଲଗାତାର ଭାବେ ଜାରି ରହିଛି ଭାଷା ଆନ୍ଦୋଳନ ।

 

ଏହି ଭାଷା ଆନ୍ଦୋଳନରେ ସାମିଲ ହୋଇଛନ୍ତି ବହୁ ଭାଷାବିଦ ଓ ଭାଷା ଯୋଦ୍ଧା । ସେମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ, ହଟ୍ଟନାଥ ମଙ୍ଗରାଜ, ଭବାନୀ ପଟ୍ଟନାୟକ, ପଦ୍ମ ଚରଣ ନାୟକ, ଅରୁଣ ପଣ୍ଡା, ଶ୍ରୀମତୀ କୃଷ୍ଣା ମହାନ୍ତି, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କବି ରବି ସିଂ, ଐରଖାରବେଳ ସ୍ୱାଇଁ, ସିନେଭିନେତା ବିଜୟ ମହାନ୍ତି, ଦୀଲ୍ଲିପ ହାଲି, ଉକ୍ରଳ ସମ୍ମିଳନୀର ଅଭୟ ସାମନ୍ତରାୟ, ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ, ସ୍ୱରାଜ ମିଶ୍ର, ସୁରାରବିନ୍ଦ ଅରବିନ୍ଦ ମୁଦୁଲି, ସାହିତ୍ୟିକ ଗୋ÷ରହରି ଦାସ, ସବ୍ୟସାଚୀ ମହାପାତ୍ର, ସାତକଡି ହେତା, ଅଧ୍ୟାପକ ପ୍ରଫେସର ଆଦରମଣି ବରାଳ, ଅଭିନେତା ଅଶ୍ରୁମୋଚନ ମହାନ୍ତି, ଦାଶ ବେନହୁର, ସ୍ତମ୍ଭକାର ଅସିତ ମହାନ୍ତି, ଦେବେନ୍ଦ୍ର ଦାସ, ହୁସେନ ରବି ଗାନ୍ଧୀ, ଅଜୟ ଜେନା, ସ୍ତମ୍ଭକାର ରବି କାନୁନଗୋ, ଗଜାନନ ମିଶ୍ର, ମାଧବ ଚନ୍ଦ୍ର ସ୍ୱାଇଁ, ପ୍ରଦୋଷ ପଟ୍ଟନାୟକ, ସ୍ତମ୍ଭକାର ଭାଗିରଥୀ ମହାସୁଆର, ରଜତ କର, ବିମଳ ବେହେରା, ମଧୁମିତା ସାମଲ, କଳୀ ସାମନ୍ତରାୟ, କାହ୍ନୁ ବେହେରା, ନାରାୟଣ ରେଡ୍ଡୀ, ବାଙ୍ଗାଲୋରରୁ ରଂଜନ ଆଚାର୍ଯ୍ୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓଡିଶାରୁ ବିଭିନ୍ନ ପ୍ରାନ୍ତରୁ ଭାଷା ଆନ୍ଦୋଳନରୁ ଯୋଗ ଦେଇ ମାତୃଭାଷାରେ ମାତୃଭୂମିର ଶାସନ ପାଇଁ ପ୍ରତିବାଦର ସ୍ୱର ନବୀକୃତ କରିଛନ୍ତି ବାରମ୍ବାର ।

 

କିନ୍ତୁ ଇଂରାଜୀ ମନସ୍କ ସରକାର ଏପର୍ଯ୍ୟନ୍ତ ୧୯୫୪ ମସିହାର ଆଇନ ଲାଗୁ କରିବା ପାଇଁ ବିଧି ବ୍ୟବସ୍ଥା ନ କରିବା ଅତ୍ୟନ୍ତ ଦୁଃଖର ବିଷୟ । ଭାଷା ଆନ୍ଦୋଳନର କଳା ପତାକା ଅଭିଯାନର ଦାବି ମୁତାବକ ଯେ ପର୍ଯ୍ୟନ୍ତ ଭାଷା ଆଇନ ସଂଶୋଧନ ହୋଇ ଓଡ଼ିଆରେ ଶାସନ ପାଇଁ ବ୍ୟବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ସମଗ୍ର ରାଜ୍ୟରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱ ସହିତ ସମ୍ବଲପୁରର ଅଧ୍ୟକ୍ଷ ଗିରିଜା ଶଙ୍କର ଶର୍ମା, କଳାରତ୍ନ ବଂଶୀଧର, ରାଉରକେଲାର ଆର୍ତ୍ତତ୍ରାଣ ମହାପାତ୍ର, କୁଞ୍ଜ ବିହାରୀ ରାଉତ, ବ୍ରହ୍ମପୁର ସାଗର ରଂଜନ ତ୍ରିପାଠୀ, ଫୁଲବାଣୀର ଅଶୋକ ପରିଡା ପ୍ରମୁଖ ପ୍ରମୁଖଙ୍କ ନେତୃତ୍ୱରେ ବହୁଳ ଭାବେ ବ୍ୟାପକରୁ ବ୍ୟାପକ ହେବ ବୋଲି ଭାଷା ଆନ୍ଦୋଳନ, ଓଡ଼ିଶା ପ୍ରତିଜ୍ଞାବଦ୍ଧ ।

 

ମୋ : ୯୪୩୭୦୨୮୮୭୪


ପ୍ରତିକ୍ରିୟା

pabitra maharatha - Email: p.maharatha@gmail.com - Posted on 2017-08-26 02:38:32

bahat badhia

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top