ଗୋପନୀୟତା ନେଇ କେତେ ରାୟ?

News Story - Posted on 2017-08-24

ବ୍ୟକ୍ତିର ଗୋପନୀୟତା ଅଧିକାର ନେଇ ଭାରତର ବିଭିନ୍ନ କୋର୍ଟ ବିଭିନ୍ନ ମାମଲାରେ ଅନେକ ପ୍ରକାର ରାୟ ଓ ମନ୍ତବ୍ୟ ଦେଇଛନ୍ତି । ୧୯୫୪ ମସିହାରୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ଆଗରେ ଉପସ୍ଥାପିତ ହୋଇଛି ପ୍ରଶ୍ନ । ସେଥିରୁ ଅନେକ ମାମଲାରେ କୋର୍ଟ ଗୋପନୀୟତାକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେଇ ନଥିଲେ । ସେହି ଦୃଷ୍ଟିରୁ ଆଜିର ରାୟ ଯୁଗାନ୍ତକାରୀ ବୋଲି କୁହାଯାଉଛି । ୧୯୭୫ ମସିହାରେ ସୁପ୍ରିମ କୋର୍ଟଙ୍କର ଯେଉଁ ଖଣ୍ଡପୀଠ କହିଥିଲେ ଯେ ଏହା ମୌଳିକ ଅଧିକାର ନୁହେଁ ତାହାର ଜଣେ ସଦସ୍ୟ ଥିଲେ ୱାଇଭି ଚନ୍ଦ୍ରଚୂଡ଼ । ଆଜି ଯେଉଁ ୯ ଜଣିଆ ଖଣ୍ଡପୀଠ ସେହି ରାୟ ଭୁଲ ଥିଲା ବୋଲି କହିଛନ୍ତି ତାହାର ଜଣେ ସଦସ୍ୟ ହେଲେ ଡିୱାଇ ଚନ୍ଦ୍ରଚୂଡ଼ । ଡିୱାଇ ଚନ୍ଦ୍ରଚୂଡ଼ ହେଲେ ୱାଇଭି ଚନ୍ଦ୍ରଚୂଡ଼ଙ୍କୁ ପୁଅ ।

୧୯୫୪ : ଏମପି ଶର୍ମା ବନାମ ସତୀଶ ଚନ୍ଦ୍ର

 

ଜଣକ ବିରୋଧରେ ଏତଲା ଦିଆଯାଇଥିôବା ଦିଆଯିବା ପରେ ତାଙ୍କ ଘର ଖାନତଲାସ କରିବା ଓ ନଥିପତ୍ର ଯାଞ୍ଚ ଓ ଜବତ କରିବା ନେଇ ଏହି ମାମଲା ଦାଏର ହୋଇଥିଲା । ସୁପ୍ରିମ କୋର୍ଟର ଏକ ୮ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଭାରତୀୟ ସମ୍ବିଧାନ ଅନୁସାରେ ଗୋପନୀୟତା ଏକ ମୌଳିକ ଅଧିକାର ନୁହେଁ ।

 

୧୯୬୨ : ଖରକ ସିଂହ ବନାମ ଉତ୍ତର ପ୍ରଦେଶ

 

ଖରକ ସିଂହ ଜଣେ ଡକାୟତ । ଉତ୍ତର ପୁଲିସ ତାଙ୍କ ଉପରେ କଡ଼ା ନଜର ରଖିଥିଲେ । ସେ ଏହା ବିରୋଧରେ ମାମଲା ଦାଏର କରିଥିଲେ । ତାଙ୍କର ଯୁକ୍ତି ଥିଲା ପୁଲିସ ତାଙ୍କ ଗତିବିଧି ଉପରେ ସବୁବେଳେ ନଜର ରଖିଥିôବାରୁ ତାଙ୍କର ସ୍ୱାଧୀନ ଭାବେ ବିଚରଣ ଓ ଜୀବନ ଓ ସ୍ୱତନ୍ତ୍ରତା ଅଧିକାର ବ୍ୟାହତ ହେଉଛି । ଏହି ମାମଲାରେ ସୁପ୍ରିମ କୋର୍ଟଙ୍କର ଏକ ୬ ଜଣିଆ ଖଣ୍ଡପୀଠ ଗୋପନୀୟତା ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଦେଇଥିଲେ । ତେବେ ସମ୍ବିଧାନର ୨୧ ଧାରାରେ ଦିଆଯାଇଥିବା ଜୀବନର ଅଧିକାର ଭିତରୁ ଗୋପନୀୟତା ଅଧିକାର ନେଇ ଏକ ଆଇନ ବାହାର କରିଥିଲେ ।

 

୧୯୭୫ : ଗୋବିନ୍ଦ ବନାମ ମଧ୍ୟ ପ୍ରଦେଶ

 

ଗୋବିନ୍ଦ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ତାଙ୍କର ବ୍ୟକ୍ତିଗତ ସଂପର୍କର ଅଧିକାର ନେଇ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମ କୋର୍ଟ ପ୍ରଥମ ଥର ପାଇଁ କହିଥିଲେ ଯେ ଗୋପନୀୟତା ଏକ ମୌଳିକ ଅଧିକାର କିନ୍ତୁ ତାହା ସ୍ୱୟଂସଂପୂର୍ଣ୍ଣ ନୁହେଁ ।

 

୧୯୭୭-୭୮ : ମେନକା ଗାନ୍ଧୀ ବନାମ ଭାରତବର୍ଷ

 

ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସାନବୋହୂ ମେନକା ଗାନ୍ଧୀଙ୍କୁ ୧୯୭୬ ମସିହାରେ ଏକ ପାସ୍ପୋର୍ଟ ମଂଜୁର ହୋଇଥିଲା । କିନ୍ତୁ ସେହି ଜରୁରୀ ପରିସ୍ଥିତି ଭିତରେ ଜନସ୍ୱାର୍ଥ ଦୃଷ୍ଟିରୁ ପାସପୋର୍ଟ ଆଇନର ୧୦(୩)(ଗ) ଧାରାର ବ୍ୟବସ୍ଥା ଦୃଷ୍ଟିରୁ ତାହା ଜବତ କରିବାକୁ ତାଙ୍କ ନିକଟକୁ ଏକ ସରକାରୀ ଚିଠି ଯାଇଥିଲା । ସେ ଏହା ବିରୋଧରେ ମକଦ୍ଦମା କରିଥିଲେ । ସୁପ୍ରିମ କୋର୍ଟ କହିଲେ ସ୍ୱତନ୍ତ୍ରତାର ଅଧିକାର ଭିତରେ ବିଦେଶ ଗସ୍ତ କରିବା ପାଇଁ ମଂଜୁରି ମିଳିଛି ।

 

୧୯୯୫ : ଆର. ରାଜଗୋପାଳ ବନାମ ଭାରତବର୍ଷ

 

ଛଅ ଜଣଙ୍କୁ ହତ୍ୟା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ଜେଲ୍ ଦଣ୍ଡ ଭୋଗ କରୁଥିଲେ ଶଙ୍କର ନାମକ ଜଣେ ବ୍ୟକ୍ତି । ସେ ତାଙ୍କ ଜୀବନ କାହାଣୀକୁ ଏକ ବହି ଆକାରରେ ପ୍ରକାଶିତ କରିବାକୁ ଚାହିଁଲେ । କିନ୍ତୁ ସେତେବେଳେ ସରକାର ତାଙ୍କୁ ସେଥିପାଇଁ ଅନୁମତି ଦେଲେ ନାହିଁ । ସେ ଏହା ବିରୋଧରେ କୋର୍ଟ ଗଲେ ଏବଂ ଯୁକ୍ତି କଲେ ଯେ ତାଙ୍କ ଜୀବନ କାହାଣୀ ଲେଖିବା ୨୧ ଧାରାରେ ଦିଆଯାଇଥିବା ତାଙ୍କ ସ୍ୱତନ୍ତ୍ରତା ଅଧିକାରର ଅନ୍ତର୍ଭୁକ୍ତ । ସୁପ୍ରିମ କୋର୍ଟ ତାହା ଗ୍ରହଣ କରିଥିଲେ ଏବା ତାଙ୍କ କାହାଣୀ ପ୍ରକାଶିତ କରିବା ତାଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାର ବୋଲି ରାୟ ଦେଇଥିଲେ ।

 

୨୦୦୪ : ଆର. ଶ୍ରୀଧର ବନାମ ଆର. ସୁକନ୍ୟା ଓଗେର

 

ଆର. ଶ୍ରୀଧର ଆମେରିକାରେ ରହନ୍ତି । ତାଙ୍କ ପତ୍ନୀ ହେଲେ ଜଣେ ଅଭିନେତ୍ରୀ ସୁକନ୍ୟା । ଉଭୟଙ୍କ ମଧ୍ୟରେ ବିବାହ ବିବାଦ ଓ ଛାଡ଼ପତ୍ର ମାମଲା ଚାଲିଥିଲା । ଶ୍ରୀଧର ଯୁକ୍ତି କରିଥିଲେ ଯେ ସେମାନେ ବିଦେଶୀ ବିବାହ ଆଇନ ୧୯୬୯ ଅନୁସାରେ ଆମେରିକାରେ ବିବାହ କରିଥିବାରୁ ଭାରତୀୟ କୋର୍ଟରେ ତାଙ୍କ ମାମଲାର ବିଚାର ହୋଇପାରିବ ନାହିଁ । ମାନ୍ଦ୍ରାଜ ହାଇକୋର୍ଟରେ ସୁକନ୍ୟା ଯୁକ୍ତି କରିଥିଲେ ତାଙ୍କ ମାମଲାର ବିବରଣୀ ଗଣମାଧ୍ୟମରେ ପ୍ରକାଶ ନପାଉ । ଏହା ତାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ କରୁଛି । ମାନ୍ଦ୍ରାଜ ହାଇକୋର୍ଟ ସୁକନ୍ୟାଙ୍କ ଯୁକ୍ତି ଗ୍ରହଣ କରି ରୁଦ୍ଧ କୋଠରୀରେ ମାମଲାର ଶୁଣାଣି କରିଥିଲେ ଏବଂ ମାମଲାର ବିବରଣୀ ପ୍ରକାଶ ନକରିବା ପାଇଁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଥିଲେ ।

 

୨୦୦୬ : ନାଜ ଫାଉଣ୍ଡେସନ ବନାମ ଦିଲ୍ଳୀ ସରକାର

 

ସମଲିଙ୍ଗୀ ଯୌନକୁ ଅପରାଧ ଭାବେ ଗ୍ରହଣ କରିଥିବା ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଦଫାକୁ ବ୍ୟକ୍ତିଗତ ସଂପର୍କର ସ୍ୱାଧୀନତା ଦୃଷ୍ଟିରୁ ନିନ୍ଦା କରିଥିଲେ ସୁପ୍ରିମ କୋର୍ଟ । ତେବେ କୋର୍ଟ ଏହି ଦଫାକୁ ରଦ୍ଦ କରି ନଥିଲେ । ତାହା ସରକାରଙ୍କ କାମ ବୋଲି ମତ ଦେଇଥିଲେ ।

 

୨୦୧୪ : ୟୁଆଇଡିଏଆଇ ବନାମ ସିବିଆଇ

 

ଏକ ଫୌଜଦାରୀ ମାମଲାର ତଦନ୍ତ ପାଇଁ ୟୁଆଇଡିଏଆଇ ଦ୍ୱାରା ପରିଚାଳିତ ଏକକ ପରିଚୟ ଡାଟାବେସ୍ ତଥ୍ୟ ମାଗିଲା ସିବିଆଇ । ୟୁଆଇଡିଏଆଇ ଏହା ଦେବାକୁ ମନାକଲେ । ମାମଲା ସୁପ୍ରିମ କୋର୍ଟ ଗଲା । କୋର୍ଟ କହିଲେ ସଂପୃକ୍ତ ବ୍ୟକ୍ତିଙ୍କର ଅନୁମତି ବିନା ୟୁଆଇଡିଏଆଇ ଏହି ତଥ୍ୟ ଦେଇପାରିବେ ନାହିଁ । ଏହା ବ୍ୟକ୍ତିଙ୍କର ଗୋପନୀୟତା ଅଧିକାରକୁ ସାବ୍ୟସ୍ତ କଲା ।

 

୨୦୧୫ : ବିଚାରପତି ପୁଟ୍ଟୁସ୍ୱାମୀ ବନାମ ଭାରତବର୍ଷ

 

ଆଧାର ଲୋକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଙ୍ଘନ କରୁଛି କି ନାହିଁ ବିଚାର କରିବାକୁ ସୁପ୍ରିମ କୋର୍ଟ ଏକ ଖଣ୍ଡପୀଠ ଗଠନ କଲେ ।

 

୨୦୧୬ : ହ୍ୱାଟସଆପ ମାମଲା

 

କର୍ମଣ୍ୟ ସିଂହ ସରିନ ବନାମ ଭାରତ ସରକାର ମାମଲାରେ ଦିଲ୍ଲୀ ହାଇକୋର୍ଟ ବ୍ୟବହାରକାରୀମାନଙ୍କର ବ୍ୟକ୍ତିଗତ ତଥ୍ୟ ଫେସବୁକ ସହିତ ଶେୟାର କରିବାକୁ ହ୍ୱାଟସଆପକୁ ଅନୁମତି ଦେଇଥିଲେ । କିନ୍ତୁ ସୁପ୍ରିମ କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କର ଏହି ରାୟକୁ କାର୍ଯ୍ୟକାରୀ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

୨୦୧୭ ଅଗଷ୍ଟ ୨୪

 

ସୁପ୍ରିମ କୋର୍ଟଙ୍କର ୯ ଜଣିଆ ଖଣ୍ଡପୀଠ ପୂର୍ବର ସମସ୍ତ ରାୟକୁ ରଦ୍ଦ କରିବା ସହିତ ଗୋପନୀୟତା ଏକ ମୌଳିକ ଅଧିକାର ବୋଲି ରାୟ ଦେଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top