ଗୋପନୀୟତା ଏକ ମୌଳିକ ଅଧିକାର

News Story - Posted on 2017-08-24

ବ୍ୟକ୍ତିର ଗୋପନୀୟତା ଅଧିକାର ହେଉଛି ଏକ ମୌଳିକ ଅଧିକାର । ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟର ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସର୍ବସମ୍ମତ କ୍ରମେ ଏହି ରାୟ ଦେବା ସହିତ ପୂର୍ବରୁ ଏ ନେଇ ଦିଆଯାଇଥିବା ସମସ୍ତ ରାୟକୁ ରଦ୍ଦ କରିଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ ଆଧାର ବା ଏକକ ପରିଚୟ ବ୍ୟବସ୍ଥାର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଧାର ଯୋଗୁଁ ବ୍ୟକ୍ତିର ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ବହୁ ପକ୍ଷ ଯୁକ୍ତି କରି ଆସୁଛନ୍ତି । ସୁପ୍ରିମ କୋର୍ଟଙ୍କର ଆଜିର ରାୟକୁ କେନ୍ଦ୍ର ସରକାର ସମ୍ମାନ ଦେବେ ବୋଲି କହିଛନ୍ତି । ତେବେ ବ୍ୟକ୍ତିର ଗୋପନୀୟତା ଅଧିକାର ସ୍ୱୟଂସଂପୂର୍ଣ୍ଣ ନୁହେଁ ବୋଲି ପୁଣି ଥରେ ଯୁକ୍ତି ବାଢ଼ିଛନ୍ତି ସରକାର ।

 

ପ୍ରଧାନ ବିଚାରପତି ଜେଏସ ଖେହାର, ବିଚାରପତି ଜେ. ଚେଲମେଶ୍ୱର, ଏସଏ ବୋବଦେ, ଆରକେ ଅଗ୍ରୱାଲ, ଆରଏଫ ନରିମାନ, ଏଏମ ସାପ୍ରେ, ଡିୱାଇ ଚନ୍ଦ୍ରଚୂଡ଼, ସଂଜୟ କେ. କାଉଲ ଏବଂ ଏସ. ଅବ୍ଦୁଲ ନାଜିରଙ୍କୁ ନେଇ ଗଠିତ ଏକ ୯ ଜଣିଆ ଖଣ୍ଡପୀଠ ପୂର୍ବରୁ ସୁପ୍ରିମ କୋର୍ଟର ୮ ଜଣିଆ ଖଣ୍ଡପୀଠ ଏମପି ଶର୍ମା ମାମଲାରେ ଦେଇଥିôବା ରାୟ ଏବଂ ୬ ଜଣିଆ ଖଣ୍ଡପୀଠ ଖରକ ସିଂହ ମାମଲାରେ ଦେଇଥିବା ରାୟକୁ ରଦ୍ଦ କରି କହିଛନ୍ତି ଯେ ଗୋପନୀୟତା ଅଧିକାର ହେଉଛି ସମ୍ବିଧାନର ୨୧ ଧାରାରେ ଦିଆଯାଇଥିôବା ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ ।

 

ସୁପ୍ରିମ କୋର୍ଟଙ୍କର ଏହି ରାୟ ୧୩୪ କୋଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ରାୟ ଭିତ୍ତିରେ ସୁପ୍ରିମ କୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ଆଧାର ବା ଏକକ ପରିଚୟ ବ୍ୟବସ୍ଥାର ସାମ୍ବିଧାନିକତାର ବିଚାର କରିବେ । ଆଧାରକୁ ବଂଚାଇବା ପାଇଁ ସରକାର ଏବେ ସୁପ୍ରିମ କୋର୍ଟଙ୍କୁ ବୁଝେଇବାକୁ ହେବ ଯେ ବ୍ୟକ୍ତିର ଆଙ୍ଗୁଳି ଛାପ ଓ ଆଖି ଫଟୋ ନିଆଯିବା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ ନୁହେଁ । ସୁପ୍ରିମ କୋର୍ଟ ଯଦି କେନ୍ଦ୍ରର ଯୁକ୍ତିକୁ ମାନିଲେ ତେବେ ଆଧାର ବ୍ୟବସ୍ଥା ରହିବ । ନହେଲେ ଏହା ରଦ୍ଦ ହେବ । ସେହିପରି ହ୍ୱାଟସଆପ ଗୋପନୀୟତା ମାମଲା ଓ ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଦଫା ନେଇ ଚାଲିଥିବା ମାମଲା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

 

ସୁପ୍ରିମ କୋର୍ଟଙ୍କର ଏହି ରାୟକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ଆଟର୍ଣ୍ଣି ଜେନେରାଳ କେକେ ବେଣୁଗୋପାଳ ଏହି ରାୟକୁ ସ୍ୱାଗତ କରିଛନ୍ତି । ମାମଲାର ଶୁଣାଣିବେଳେ ସେ କେନ୍ଦ୍ର ପକ୍ଷରୁ ଯୁକ୍ତି କରିଥିଲେ ଯେ ଗୋପନୀୟତା ଏକ ମୌଳିକ ଅଧିକାର ନୁହେଁ । ରାୟ ପ୍ରକାଶ ପରେ ସେ କହିଛନ୍ତି ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାହା ଠିକ ଆଇନ ।

 

ଗୋପନୀୟତା ଏକ ମୌଳିକ ଅଧିକାର କି ନୁହେଁ ତାହା ସ୍ଥିର କରିବା ପାଇଁ ସୁପ୍ରିମ କୋର୍ଟରେ ଅନେକ ପକ୍ଷ ଆବେଦନ କରିଥିଲେ । ତନ୍ମଧ୍ୟରେ ଜଣେ ହେଲେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି କେଏସ ପୁଟ୍ଟୁସ୍ୱାମୀ । ସେ ୨୦୧୨ ମସିହାରେ ତକ୍ରାଳୀନ ଉପା ସରକାରଙ୍କ ଆଧାର ବ୍ୟବସ୍ଥା ଗୋପନୀୟତା ଅଧିକାର ବିରୋଧୀ ବୋଲି କହିଥିଲେ । ଅନ୍ୟ ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ପ୍ରଥମ ଅଧ୍ୟକ୍ଷା ତଥା ମାଗାସେସେ ପୁରସ୍କାର ବିଜେତା ସାମାଜିକ କର୍ମୀ ଶାନ୍ତା ସିହ୍ନା ଏବଂ ନାରୀମୁକ୍ତିବାଦର ପ୍ରବକ୍ତା କଲ୍ୟାଣୀ ସେନ ମେନନ । ଏ ବିଷୟରେ ବିଚାର କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୫ ଅଗଷ୍ଟ ୧୧ ତାରିଖରେ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠ ଗତ ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଆରମ୍ଭ କରିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ୧୯୫୪ ମସିହାରେ ଏମପି ଶର୍ମା ମାମଲାରେ ସୁପ୍ରିମ କୋର୍ଟଙ୍କର ଏକ ୮ ଜଣିଆ ଖଣ୍ଡପୀଠ ଏବଂ ୧୯୬୨ ମସିହାରେ ଖରକ ସିଂହ ମାମଲାରେ ଏକ ୬ ଜଣିଆ ଖଣ୍ଡପୀଠ ଗୋପନୀୟତା ଅଧିକାର ଏକ ମୌଳିକ ଅଧିକାର ନୁହେଁ ବୋଲି ରାୟ ଦେଇଥିବାରୁ କମ ସଦସ୍ୟ ବିଶିଷ୍ଟ ନୂଆ ଖଣ୍ଡପୀଠ ଏହା ଉପରେ ବିଚାର କରିବା ଯୁକ୍ତିଯୁକ୍ତ ହେବ ନାହିଁ । ଏହା ପରେ ୫ ଜଣିଆ ଖଣ୍ଡପୀଠ ତୁରନ୍ତ ଏହି ମାମଲାକୁ ଏକ ୯ ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ ଓ ଜୁଲାଇ ୧୯ ତାରିଖରୁ ଏହା ଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଗଷ୍ଟ ୨ ତାରିଖରେ ଖଣ୍ଡପୀଠ ଶୁଣାଣି ଶେଷ କରିଥିଲେ ।

 

ଏହି ରାୟ ପ୍ରକାଶ ପାଇବା ପରେ ଦେଶର ପ୍ରାୟ ସମସ୍ତ ବଡ଼ବଡ଼ ସାମାଜିକ କର୍ମୀ ଓ ଆଇନଜୀବୀ ଏହାକୁ ସ୍ୱାଗତ କରିଛନ୍ତି । ଏପରିକି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଏହି ରାୟକୁ ସ୍ୱାଗତ କରିଛନ୍ତି । ତେବେ ସେ କହିଛନ୍ତି ଯେ ଏହା ଏକ ସ୍ୱୟଂସଂପୂର୍ଣ୍ଣ ମୌଳିକ ଅଧିକାର ନୁହେଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top