ଡେରି ହେଲା, କିନ୍ତୁ ଭଲ ହେଲା

News Story - Posted on 2017-08-23

ଶେଷରେ ନ୍ୟାୟ ପାଇଲେ ମୁସଲିମ ମହିଳା । ଯାହା ୦ ବର୍ଷ ତଳେ ହେବାର ଥିଲା ତାହା ଏବେ ହେଲା । ଯାହା ଭାରତର ସଂସଦ କରିବାର ଥିଲା ତାହା ସୁପ୍ରିମ କୋର୍ଟଙ୍କ ରାୟ ଯୋଗୁଁ ସମ୍ଭବ ହେଲା । ତିନ୍ ତଲାକ୍ ପରି ଏକ ଅମାନବିକ ପ୍ରଥାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ । ଏଣିକି ଦେଖିବାର କଥା, ଭାରତର ମୁସଲିମ ସମାଜ ଓ ଭୋଟ-ପ୍ରିୟ ରାଜନୀତିକ ଗୋଷ୍ଠୀ ସୁପ୍ରିମ କୋର୍ଟଙ୍କର ଏହି ରାୟକୁ କିଭଳି ଗ୍ରହଣ କରୁଛନ୍ତି ଓ କିଭଳି କାର୍ଯ୍ୟକାରୀ କରୁଛନ୍ତି ।

 

ସବୁ ଧର୍ମର କିଛି କିଛି ନିଜସ୍ୱ ପ୍ରଥା ଓ ପରମ୍ପରା ରହିଛି । ବିଶେଷକରି ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରରେ ଭିନ୍ନ ଧର୍ମର ଭିନ୍ନ ପ୍ରଥା ଓ ପରମ୍ପରା ଚଳି ଆସୁଛି କାହିଁ କେଉଁ କାଳରୁ । ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନଙ୍କର ଧାର୍ମିକ ଅଧିକାର ମୌଳିକ । ଏହି ମୌଳିକ ଅଧିକାରରୁ କୌଣସି ସଂପ୍ରଦାୟକୁ ବଂଚିତ କରିବାର ଅର୍ଥ ତାହା ଉଭୟ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ଉଲ୍ଲଙ୍ଘନ । କିନ୍ତୁ ତିନ୍ ତଲାକ୍ ପରି ଏକ ପ୍ରଥା ଯେତେ ପୁରୁଣା ହେଲେ ବି ମୁସଲିମ ଧର୍ମର ମୌଳିକ ଓ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବୋଲି ସୁପ୍ରିମ କୋର୍ଟ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହାକୁ ପ୍ରାଥମିକ ଭାବେ ପ୍ରାୟ ସବୁ ପକ୍ଷ ସମର୍ଥନ କରିଛନ୍ତି । କାରଣ ଏହି ପ୍ରଥା ମୁସଲମାନଙ୍କର ପବିତ ଗ୍ରନ୍ଥ କୋରାନର ସମର୍ଥନ ପାଇ ନାହିଁ । ବିଶ୍ୱର ଅନ୍ୟ କୌଣସି ଧର୍ମନିରପେକ୍ଷ ରାଷ୍ଟ୍ରରେ ଛାଡ଼ନ୍ତୁ, କୌଣସି ମୁସଲିମ ରାଷ୍ଟ୍ରରେ ମଧ୍ୟ ଏ ବ୍ୟବସ୍ଥା ଚଳେ ନାହିଁ । ଯାହା ପାକିସ୍ତାନ, ଇରାକ, ସାଉଦି ଆରବ, ସିରିଆ, ଜୋର୍ଡ଼ାନ, ମିଶର, ବାଂଲାଦେଶ, ଲିବ୍ୟା, କାତାର, କୁଏତ, ଆରମ ଅମିରାତ ଆଦି ଇସଲାମିକ ରାଷ୍ଟ୍ରରେ ବେଆଇନ ତାହା କିନ୍ତୁ ଭାରତବର୍ଷ ଭଳି ଏକ ଉଦାର ଧର୍ମନିରପେକ୍ଷ ରାଷ୍ଟ୍ରରେ ୭୦ ବର୍ଷ ଧରି ଚଳି ଆସିଥିଲା ଏବଂ ସେଥିଯୋଗୁଁ ହଜାର ହଜାର ମୁସଲିମ ମହିଳା ମୁସଲମାନ ସମାଜରେ ଅକଥନୀୟ ନିର୍ଯାତନାର ଶିକାର ହୋଇ ଆସୁଥିଲେ ।

 

ମୁସଲମାନ ଧର୍ମରେ ପ୍ରଚଳିତ ତିନ୍ ତଲାକ୍ ବ୍ୟବସ୍ଥା ସଂପୂର୍ଣ୍ଣ ଏକତରଫା ଏବଂ ବାଧ୍ୟତାମୂଳକ ହୋଇଯାଇଥିଲା । କୋରାନ୍ରେ ଏହାର ଉଲ୍ଲେଖ ନଥିଲେ ବି ଭାରତର କେତେକ ମୌଲାନା ଏହାକୁ ଚଳେଇଥିଲେ । ପୁରୁଷର ଯେତେବେଳେ ଇଚ୍ଛା ହେବ ସେ ତିନି ଥର ତଲାକ୍ କହିବ ଓ ପତ୍ନୀକୁ ଛାଡ଼ପତ୍ର ଦେବ । ଏହା ଫଳରେ ଅନେକ ମୁସଲିମ ମହିଳାଙ୍କର ପରିବାର ଉଜୁଡ଼ି ଯାଉଥିଲା । ସେମାନେ ସେମାନଙ୍କ ପିଲାମାନଙ୍କଠାରୁ ଅଲଗା ହୋଇଯାଉଥିଲେ । ତଲାକ୍ କହିଥିôବା ସ୍ୱାମୀ ପରେ ପଶ୍ଚାତାପ କଲେ ମଧ୍ୟ ଆଉ ବିବାହ ପୁନର୍ବନ୍ଧନର ସହଜ ଓ ସଭ୍ୟ ଉପାୟ କିଛି ନଥିଲା । ମୌଲାନାମାନଙ୍କ ବ୍ୟବସ୍ଥା ଅନୁଯାୟୀ ଥରେ ତଲାକ୍ ପାଇଥିବା ମହିଳା ପୁଣି ଥରେ ନିଜ ସ୍ୱାମୀଙ୍କ ସହିତ ରହିବାକୁ ହେଲେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବେ ଏବଂ ସେହି ପୁରୁଷଙ୍କ ସହିତ ମଧୁରାତି କଟାଇଲା ପରେ ତାଙ୍କଠାରୁ ଛାଡ଼ପତ୍ର ନେଇ ପୁଣି ପୂର୍ବ ସ୍ୱାମୀଙ୍କୁ ବିବାହ କରିପାରିବେ । ଏହା ମହିଳାମାନଙ୍କର ଇଜ୍ଜତର ଲୁଣ୍ଠନ ଥିଲା ।

 

ଏକଥାକୁ ସୁପ୍ରିମ କୋର୍ଟର ବିଚାରପତି କୁରିଆନ ଯୋଶେଫ ବେଶ ସ୍ପଷ୍ଟ ଭାବରେ ବୁଝେଇଦେଲେ । ଧାର୍ମିକ ସ୍ୱତନ୍ତ୍ରତାର ଅଧିକାରକୁ ସୁରକ୍ଷିତ ରଖି ସେ କହିଲେ ଯେ ଯାହା କୋରାନରେ ପାପ ତାହା ଆଇନରେ କିପରି ଧର୍ମ ହେବ? ଯାହା ଧର୍ମଶାସ୍ତ୍ରରେ ଖରାପ ତାହା ଆଇନରେ କିପରି ଭଲ ହେବ? ଶୁଣାଣିବେଳେ ମଧ୍ୟ ସେ ପ୍ରଶ୍ନ କରିଥିଲେ ନମାଜ ପଢ଼ିବାବେଳେ ଯାହା ନକରିବା ପାଇଁ କୁହାଯାଏ ତାହା କରାଗଲେ ତାହା କିପରି ଧର୍ମ ହେବ? ଯେଉଁମାନେ ତିନ୍ ତଲାକ୍ ସପକ୍ଷରେ ଯୁକ୍ତି କରୁଥିଲେ ସେମାନେ ଏହାର ଯବାବ ଦେଇପାରିଲେ ନାହିଁ ।

 

ଅବଶ୍ୟ ସୁପ୍ରିମ କୋର୍ଟ ମୁସଲମାନଙ୍କର ଧାର୍ମିକ ଅଧିକାର ଅଲ୍ଲଙ୍ଘନୀୟ ବୋଲି ରାୟ ଦେଇଛନ୍ତି । ସେମାନଙ୍କର ପର୍ସନାଲ ଲ ବା ବ୍ୟକ୍ତିଗତ ଆଇନରେ ହସ୍ତକ୍ଷେପ ନକରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ନୈତିକତା କ୍ଷେତ୍ରରେ ସରକାର ଧାର୍ମିକ ଆଇନ ବା ପର୍ସନାଲ ଲ’ରେ ସଂଶୋଧନ ବା ପରିବର୍ତ୍ତନ କରିପାରିବେ, ମାତ୍ର ତାହାର ମୌଳିକ ଗୁଣ ଓ ଚରିତ୍ରକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶ ଦେବା ସହିତ କୋର୍ଟ କହିଛନ୍ତି ଯେ ତିନ୍ ତଲାକ୍ ନିଷିଦ୍ଧ ହେବା ପରବର୍ତ୍ତୀ ସମୟରେ ଏ ସଂପର୍କରେ ସରକାର ଆଇନ ପ୍ରଣୟନ କରିପାରିବେ । ଏ ଆଇନ ମୁସଲିମ ଧର୍ମାବଲମ୍ବୀଙ୍କର ବିବାହ ଛାଡ଼ପତ୍ର ବିଷୟରେ ସୀମୀତ ରହିବ । ତିନ୍ ତଲାକ୍ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟ ଅସାମ୍ବିଧାନିକ ଘୋଷଣା କରିଥିବାରୁ ଏହାକୁ ନିଷିଦ୍ଧ କରିବାକୁ ଆଉ କୌଣସି ଆଇନର ଆବଶ୍ୟକତା ନାହିଁ ।

 

ପୂର୍ବରୁ ୧୯୮୭ ମସିହାରେ ମଧ୍ୟ ସୁପ୍ରିମ କୋର୍ଟ ଶାହା ବାନୋ ମାମଲାରେ ଏହିପରି ଏକ ରାୟ ଦେଇଥିଲେ । କିନ୍ତୁ ସେତେବେଳେ ରାଜୀବ ଗାନ୍ଧୀ ସରକାର ମୁସଲିମ ଭାବାବେଗର ଚାପରେ ପଡ଼ି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନକରିବା ଲକ୍ଷ୍ୟରେ ଏକ ଆଇନ ପ୍ରଣୟନ କରିଥିଲେ । ଏବେ ଶାୟରା ବାନୋ ମାମଲାରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଏବେକାର ମୋଦି ସରକାର ପୂର୍ଣ୍ଣ ସମ୍ମାନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ବିଶ୍ୱାସ କରିବାକୁ ହେବ ଯେ ଭାରତର ମୁସଲିମ ମହିଳାମାନଙ୍କୁ ଆଉ ଏନେଇ କୋର୍ଟ ଯିବାକୁ ପଡ଼ିବ ନାହିଁ । ସେମାନଙ୍କର ବିବାହ ଛାଡ଼ପତ୍ର ଦେଶର ସାଧାରଣ ଛାଡ଼ପତ୍ର ଆଇନ ଅନୁସାରେ ପରିଚାଳିତ ହେବ ।

 

ଏହା ଦେଶର ସମାନ ସାମାଜିକ ସଂହିତା ଦିଗରେ ଏକ ବଡ଼ ପରିବର୍ତ୍ତନ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top