ଚାଷ ରାଜନୀତି-ରାଜନୀତିଆ ଚାଷ

News Story - Posted on 2017-08-22

କେନ୍ଦ୍ର ହେଉ କି ରାଜ୍ୟ, ଯେଉଁ ଦଳ ବି ସରକାରରେ ଅଛି ସେମାନେ ସମସ୍ତେ ଶିଳ୍ପ ପଛରେ ଗୋଡାଇଛନ୍ତି । କାରଣ ଶିଳ୍ପ କ୍ଷେତ୍ରରୁ ପାର୍ଟି ପାଇଁ ରାଜନୈତିକ ଚାନ୍ଦା ହିଁ ଆସିଥାଏ । ଏହା ଏକ ନଗ୍ନ ସତ୍ୟ । କିନ୍ତୁ କେହି ମାନିବେ କି? ନିହାତି ଅଖଞ୍ଜ ଅବସ୍ଥା ପଡ଼ିଲେ ସେମାନଙ୍କ ପାଇଁ କେବଳ ଭରସା ପରିସଂଖ୍ୟାନ ଓ ବିତଣ୍ଡା ଯୁକ୍ତି । ତେଣୁ ସରକାରୀ-କୃଷି ମାନେ - ନିରାଶାର ନାନା ମାୟା ରୂପ ।

 

ଅନ୍ୟ ପକ୍ଷରେ କୃଷି ହିଁ ଏକମାତ୍ର କ୍ଷେତ୍ର ଯେଉଁଠାରେ ସର୍ବାଧିକ କର୍ମନିଯୁକ୍ତିର ପ୍ରତ୍ୟକ୍ଷ ସମ୍ଭବେନା ଓ ପରୋକ୍ଷ ଭାବରେ ଦେଶ ଗଠନର ସମସ୍ତ ଉତ୍ସ ଲୁଚି ରହିଥାଏ । ଦେଶ ସ୍ୱାଧୀନ ସମୟରେ ଭାରତ କୃଷି କ୍ଷେତ୍ରରେ ଏତେ ପଛୁଆ ଥିଲା ଯେ ଆମେରିକା ଭଳି କିଛି ରାଷ୍ଟ୍ରର ଦାନ ଏବଂ ଅନୁଦାନ ଉପରେ ଦୀର୍ଘବର୍ଷ ଧରି ଭାରତ ନିର୍ଭରଶୀଳ ଥିଲା । ହୀରାକୁଦ, ଭାକ୍ରାନଙ୍ଗଲ ଭଳି ବୃହତ୍ ନଦୀବନ୍ଧ ଯୋଜନା କୃଷିକ୍ଷେତ୍ରକୁ ପ୍ରଗତି ପଥରେ ଆଗେଇ ନେଇଥିଲା ଏବଂ ଦେଶ ଖାଦ୍ୟାନ୍ନ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଥିଲା । ଅନ୍ୟପକ୍ଷରେ ଶିଳ୍ପ, ବାଣିଜ୍ୟ ଆଦି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପ୍ରଗତିର ମାଇଲଖୁଣ୍ଟ ସ୍ଥାପିତ ହୋଇଚାଲିଥିବା ବେଳେ କୃଷିକ୍ଷେତ୍ର ସଂପୂର୍ଣ୍ଣ ରୂପେ ଅବହେଳିତ ହୋଇପଡିଛି ।

 

ପରଖିବା ପାଇଁ ନମୁନାଟିଏ । ଆଜି ପର୍ଯ୍ୟନ୍ତ କୃଷିକ୍ଷେତ୍ରରେ କୌଣସି ଜଣେ ଅଗ୍ରଣୀ ଚାଷୀଙ୍କୁ ପଦ୍ମ ପୁରସ୍କାରଟିଏ ଦିଆଯାଇପାରିଲା ନାହିଁ ।
ଅନ୍ୟପକ୍ଷରେ ଚାଷୀ ଆତ୍ମହତ୍ୟାକୁ ଏକ ରାଜନୈତିକ ପ୍ରସଙ୍ଗ କରି ସବୁ ଦଳ ନିଜ ନିଜ ସ୍ୱାର୍ଥରେ କଳି କରିବା ଆରମ୍ଭ କରିଦେଇଛନ୍ତି । ପରସ୍ପରକୁ ଦୋଷ ଦେବା ପାଇଁ ଚାଷ ଓ ଚାଷୀକୁ ଏକ ବଲ୍ ଭଳି ଶାସକ ଓ ବିରୋଧୀ ଦଳ ପରସ୍ପର ଉପରକୁ ଅଭିଯୋଗ ଫୋପଡା ଫୋପଡି ହେଉଛନ୍ତି । ଚାଷୀ ଓ ଚାଷର ପ୍ରକାର ଭେଦ, ଚାଷ ପାଇଁ ଚାଷୀ ଋଣ କରୁଥିବା ଉତ୍ସର ପ୍ରକାର ଭେଦ, ରାତିଅଧରେ ବିଲ ବାଛିବା କିମ୍ବା ଧାନ ବୁଣିବା ପାଇଁ ଚାଷୀ ଟଙ୍କା ଆବଶ୍ୟକ କଲେ ଟଙ୍କା ପାଇବାର କୌଣସି ଉତ୍ସ ସରକାର ଏବେ ସୁଦ୍ଧା ଯୋଗାଇ ଦେଇପାରିନାହାନ୍ତି । ଅଭାବୀ ଓ ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା କଲେ ତାକୁ କୃଷିଜନିତ ଆତ୍ମହତ୍ୟାକୁ ମାନିବାକୁ କୌଣସି ବି ସରକାରର ଛାତିରେ ଦମ୍ଭ ନାହିଁ । ସେହିପରି ଆତ୍ମହତ୍ୟାକୁ ନେଇ ଅବାନ୍ତର ତଥା ଅପମାନଜନକ ମନ୍ତବ୍ୟ ଦେବାରେ ବେଳେବେଳେ ନିର୍ଲଜ ପ୍ରତିଯୋଗିତା ବି ଦେଖିବାକୁ ମିଳେ । ଚାଷୀ ପାଇଁ ସରକାରୀ ସମ୍ମାନ ନାହିଁ କିମ୍ବା ସାମାଜିକ ପ୍ରତିଷ୍ଠା ମଧ୍ୟ ନାହିଁ ।

 

ତେଣୁ ପାଠ ଦି ଅକ୍ଷର ପଢିଲେ ଚାଷୀପୁଅ ବାବୁ ହେବାର ସ୍ୱପ୍ନ ଦେଖେ । ସରକାରଙ୍କ ବିଭିନ୍ନ ପ୍ରକାର ଉଦାସୀନତା କୃଷିକ୍ଷେତ୍ରକୁ ଏବେ ସ୍ଥାଣୁ, ପଙ୍ଗୁ କରିଦେଇଛି କହିଲେ ଭୁଲ ହେବ ନାହିଁ ।

 

ରାଜ୍ୟର ସମସ୍ତ ସହରାଂଚଳରେ ଚାଷଜମିତକ ବହୁତଳ ବିଶିଷ୍ଟ କୋଠାଘର ନିର୍ମାଣ ପାଇଁ ସମସ୍ତଙ୍କ ଆଖି ଆଗରେ ବ୍ୟବହୃତ ହେଉଛି । ବଳଦଟିଏ ଖୋଜିଲେ ମିଳୁନାହାନ୍ତି । ଏଣେ ସରକାର ପର ଚାଉଳରେ ପୂନେଇ ପାଳି କିଛି ରାଜନୈତିକ ଗୋଡାଣିଆଙ୍କୁ କୃଷିକର୍ମଣ ପୁରସ୍କାର ବାଂଟି ବାହାବା ନେଉଛନ୍ତି । ଆଜି ବର୍ଷସାରା ତିରିଶଟାଯାକ ଜିଲ୍ଲାରେ ଛତୁଚାଷ ହେଉଛି । କିନ୍ତୁ ତା ମୂଳରେ ଥିବା ଲୋକଟିର ନାଁ କାହାରିକୁ ଜଣାନାହିଁ । ଏଭଳି ଏକ ନିଷ୍ଠୁର ସତ୍ୟକୁ ସାମ୍ନା କରିବା ପାଇଁ ରାଜନୈତିକ ଦଳମାନେ ପଛଘୁଂଚା ଦେଉଛନ୍ତି । ଏଫ୍ସିଆଇ ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଚାଉଳକୁ ନିଜ ରାଜ୍ୟର ଉତ୍ପାଦନ ବୋଲି ଦେଖାଇ ଆମେ କେବଳ ନିଜକୁ ନିଜେ ଠକୁଛୁ । ହୁଏତ ଏଭଳି ଏକ ସମୟ ଆସିବ ଆମକୁ ଗୁରୁବାର ଦିନର ଝୋଟି ପକାଇବା ପାଇଁ ଆବଶ୍ୟକ ହେଉଥିବା ଚାଉଳ ପାଇଁ ମହାରାଷ୍ଟ୍ର, ଆନ୍ଧ୍ର ଭଳି ରାଜ୍ୟମାନଙ୍କୁ ଭିକ ମାଗିବାକୁ ପଡିବ । ତେଣୁ ଡେରି ହେଲେ ବି ଏବେଠୁ ଶିକ୍ଷିତ ଯୁବକଙ୍କୁ କୃଷିକ୍ଷେତ୍ର ପ୍ରତି ଆକୃଷ୍ଟ କରାଯିବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top