ପାଇଖାନା ସୂତ୍ରରେ ମହିଳାଙ୍କ ଭୂମିକା

News Story - Posted on 2017-08-21

ରୁଦ୍ର ପ୍ରସନ୍ନ ରଥ

 

ଦେଶର ୧୫୮ ତମ ଏବଂ ରାଜ୍ୟର ପ୍ରଥମ ଜିଲା ଭାବେ ଗତ ଜୁଲାଇରେ ଦେବଗଡ଼କୁ ବାହ୍ୟମଳମୁ୍କ୍ତ ଜିଲା ଭାବେ ଘୋଷଣା କରାଯାଇଛି । ୨୦୧୪ ଅକ୍ଟୋବର ୨ ତାରିଖରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଅଧିନରେ ଏହି ଜିଲା ୨୦୧୯ ଅକ୍ଟୋବର ସୁଦ୍ଧା ବାହ୍ୟ ମଳମୁ୍କ୍ତ ଗାଁର ପରିଚୟ ପାଇବାରଥିଲେ ସୁଦ୍ଧା ଧାର୍ଯ୍ୟ ସମୟର ଦୁଇବର୍ଷ ଆଗରୁ ଜିଲା ଏହ ଲକ୍ଷ୍ୟ ହାସଲ କରିସାରିଛି । ୨୦୧୩ ମସିହାରେ ଜିଲାରେ ମାତ୍ର ୧୧% ଲୋକ ପାଇଖାନା ବ୍ୟବହାର କରୁଥିବା ବେଳେ ଏବେ ଜିଲାର ସମସ୍ତ ଲୋକଙ୍କୁ ପାଇଖାନା ମୁହାଁ କରାଯାଇ ପାରିଛି । ଆଉ ଗତ ତିନି ବର୍ଷ ମଧ୍ୟରେ ଜିଲାରେ ପ୍ରାୟ ୬୭,୦୦୦ ପାଇଖାନା ର୍ନିମାଣ କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଏବଂ ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଦେବଗଡରେ ପାଇଖାନା ସୂତ୍ରକୁ ସଫଳ କରିବା ପାଇଁ ମହିଳାମାନଙ୍କର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହା ଯେ କେହି ସ୍ୱୀକାର କରିବ । ସେ ପାଇଖାନାକୁ ରଂଗୀନ କରିବା ହେଉ ବା ପାଇଖାନାକୁ ସଫା ରଖି ଏହା ଚାରିପଟେ ଗଛ ଲଗାଇବା ହେଉ ଦେବଗଡର ମହିଳାମାନେ ପ୍ରମାଣ କରିଛନ୍ତି ଯେ ଯଦି ମହିଳାମାନଙ୍କୁ ପରିମଳ ବ୍ୟବସ୍ଥାରେ ପ୍ରଥମରୁ ସାମିଲ କରାଯିବ ତାହା ହେଲେ ଗୋଟିଏ ଅଂଚଳରେ ପରିମଳ ପରିସ୍ଥିତିରେ ଅନେକ ପରିବର୍ତ୍ତର୍ନ ଆସି ପାରିବ ।

 

ପରିମଳ ବ୍ୟବସ୍ଥା ସହିତ ମହିଳାମାନେ ଓତଃପ୍ରୋତଃ ଭାବେ ଜଡିତ । ବିଭିନ୍ନ କାରଣରୁ ମହିଳା ମାନେ ଏକ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ପ୍ରଥମ ଶିକାର ହୁଅନ୍ତି । ବାହାରେ ଝାଡା ଯିବାବେଳେ ଦୁଷ୍କର୍ମର ଶିକାର ହେଉ କିମ୍ବା ପାଇଖାନା ସଫା କରିବା ହେଉ ବା ପାଇଖାନା ଯାଇନପାରି ଶିଶୁଟି ରୋଗରେ ପଡିଲେ ତାର ଯତ୍ନ ନେବା ହେଉ ପରିମଳ ବ୍ୟବସ୍ଥା ନଥିଲେ କିମ୍ବା ବିପର୍ଯ୍ୟସ୍ତ ହେଲେ ମହିଳାମାନେ ହିଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଦେବଗଡର ମହିଳାମାନେ ଏ ଦିଗରେ ଆଉ ପାଦେ ଆଗେଇଯାଇ ଦେବଗଡ ପ୍ରଶାସନକୁ ଅନେକ ଭାବରେ ସାହାଯ୍ୟ କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୪୫୦୦ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୪୦,୦୦୦ ମହିଳାମାନେ ଜିଲା ପ୍ରଶାସନ ସହିତ ସଂପୂର୍ଣ୍ଣ ସହଯୋଗ କରିନଥିଲେ ଏ ଲକ୍ଷ ହାସଲ କରିବା କଷ୍ଟକର ହୋଇଥାନ୍ତା ।

 

ଦେବଗଡ଼ର ଏ ସଫଳତାରେ ମହିଳାମାନେ ଏକ ଚତୁର୍ମୁଖୀ ଭୂମିକା ଗ୍ରହଣ କରିଛନ୍ତି । କେତେବେଳେ ତାଲିମଦାତା ତ ଆଉ କେତେବେଳେ ସଂଗଠକର ଭୂମିକା ତୁଲାଉଛନ୍ତି । କେତେବେଳେ ନିଜେ ମିସ୍ତ୍ରୀ ହୋଇ ବାଲି ସିମେଣ୍ଟରେ କାମ କରିଛନ୍ତି ତ ଆଉ କେତେବେଳେ ବୈଠକ କରିବା ପାଇଁ ସବୁକାମ ଛାଡି ଏକାଠି ହୋଇଛନ୍ତି । ସପ୍ତାହକୁ ଥରେ ହାତରେ ଝାଡୁ ଧରି ରାସ୍ତା ସଫା କରିବା ପାଇଁ ତ ପୁଣି କେତେବେଳେ ର୍ୟାଲିରେ ଭାଗ ନେଇ ଘର ଘର ବୁଲି ପୋଷ୍ଟର ମାରିବା ହେଉ ଏ ସବୁ କାମରେ ମହିଳା ମାନେ ଆଗକୁ ବାହାରି ଆସି ଦେଖାଇଦେଇଛନ୍ତି ଯେ ପରିମଳ ହେଉଛି ମହିଳାଙ୍କ ଜୀବନର ଏକ ଅଭିଚ୍ଛେଦ୍ୟ ଅଂଗ ।

 

ଦେବଗଡ଼ ଜିଲା ପ୍ରଶାସନ ତରଫରୁ ମଧ୍ୟ ଏହି ପରିମଳ ବ୍ୟବସ୍ଥାରେ ମହିଳାମାନଙ୍କର ଭୂମିକାକୁ ସଶକ୍ତ କରିବାକୁ ଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲାରେ ବିଭିନ୍ନ ଗ୍ରାମ ପଂଚାୟତରେ ୨୪ ଜଣ ମହିଳା ମନିଟର ନିଯୁକ୍ତ କରାଯିବା ସହ ୨୩୨ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟ ନିଆଯାଉଛି । ଏହା ସହିତ ପାଇଖାନା ନିର୍ମାଣ, ବ୍ୟବହାର ଏବଂ ଏହାର ରକ୍ଷଣା ବେକ୍ଷଣରେ ସହଯୋଗ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଅବସରରେ ପୁରସ୍କାର ପ୍ରଦାନ କରାଯାଉଛି ।

 

ଜିଲା ଜଳ ଏବଂ ପରିମଳ ମିଶନ ସଭ୍ୟ ସଂପାଦକ ଇଂ ପ୍ରତାପଚନ୍ଦ୍ର ମହାପାତ୍ରଙ୍କ ମତରେ ଦେବଗଡ଼କୁ ବାହ୍ୟ ମଳ ମୁ୍କ୍ତ ଜିଲା କରିବାରେ ମହିଳାମାନେ ଏକ ଗୁରୁ ଦାୟିତ୍ୱ ର୍ନିବାହ କରିଛନ୍ତି । ଜିଲାରେ ଥିବା ପ୍ରାୟ ୪୫୦୦ ମହିଳା ସ୍ୱୟଂ ସହାୟକ ଦଳ ମଧ୍ୟରୁ ଅନେକ ଏବେ ପାଇଖାନା ନିର୍ମାଣ, ହାତ ଧୂଆ, ମଶାରୀ ବ୍ୟବହାର ଆଦି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

 

ସେହିପରି ଜିଲା ପରାମର୍ଶଦାତା କୁମୁଦ ଶତପଥୀଙ୍କ ମତରେ ଜିଲାରେ ଗାଁ ଗାଁରେ ଗଠନ କରାଯାଇଥିବା ସ୍ୱଚ୍ଛତା କମିଟିରେ ୫-୧୧ ଜଣ ସଭ୍ୟଥିଲା ବେଳେ ଏଥିରୁ ଅଧାଅଧି ମହିଳା । ପରିମଳ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭାଗୀଦାରିତା ବୃଦ୍ଧି କଲେ ଯେ ସଫଳତା ନିଶ୍ଚୟ ଆସିବ ତାହା ଦେବଗଡ ଜିଲା ପ୍ରମାଣ କରି ଦେଇଛି ।

 

ଦେବଗଡ଼ ଜିଲାରେ ମହିଳାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା ଫଳରେ ଯେଉଁ ଲାଭ ହୋଇଛି ସେଥିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ମହିଳାମାନେ ମଧ୍ୟ ସର୍ବାଧିକ ଲାଭବାନ ହୋଇଛନ୍ତି । ଜଳ ଏବଂ ପରିମଳ ବ୍ୟବସ୍ଥାର ଉନ୍ନତି ଯୋଗୁଁ ଜିଲାରେ ଶିଶୁ ମୃତ୍ୟୁହାର ୪୦ (୨୦୧୩)ରୁ ଖସି ୨୯( ୨୦୧୬) ରେ ପହଁଚିଥିôବା ବେଳେ ମାତୃ ମୃତ୍ୟୁହାର ୩୫୦(୨୦୧୩)ରୁ ଖସି ୨୩୯( ୨୦୧୬)ରେ ପହଁଚିଛି । ସେହିପରି ଜିଲାରେ ୨୦୧୩ରେ ୧୦୨୨ଜଣ ଡାଇରିଆରେ ପୀଡିତ ହୋଇ ଚିଜିତ୍ସିତ ହୋଇଥିବା ବେଳେ ୨୦୧୬ ବେଳକୁ ଏ ସଂଖ୍ୟା ୩୨୭ରେ ପର୍ହଚିଛି । ମୋଟ ଉପରେ ବିଭିନ୍ନ ଦିଗରୁ ଦେବଗଡ଼ ଜିଲା ଯେଉଁ ସଫଳତା ପାଇଛି ତାହାର ଏକ ସିଂହଭାଗ ମହିଳାମାନଙ୍କୁ ଦିଆଯିବା ଆବଶ୍ୟକ ।

 

ଦେବଗଡ଼ର ମହିଳାମାନେ ଯେଉଁ ରାସ୍ତା ଦେଖାଇଛନ୍ତି ତାହା ଅନ୍ୟ ଜିଲା ପାଇଁ ଅନୁକରଣୀୟ ନୁହେଁ କି?

 

ଧବଳଗିରି, ଯାଜପୁରରୋଡ଼
ମୋ- ୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top