ଚକଟିଲେ ଚଷୁ, ଚୁଚୁମିଲେ ତରଡ଼ା!

News Story - Posted on 2017-08-21

ରବି କାନୁନ୍ଗୋ 

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତ ବର୍ଷ ୨୦୧୬ ଅଗଷ୍ଟ ୧୫ ଭାଷଣ କୌଣସି ପ୍ରକାର ଐତିହାସିକ ଥିଲା କି? ମାତ୍ର ମନସ୍ତାତ୍ତ୍ୱିକ କାରଣରୁ ତାହା ପ୍ରଣୀଧାନଯେଗ୍ୟ । ସ୍ୱାଧୀନ ଭାରତର ଇତିହାସରେ ଏହା ଥିଲା ପ୍ରଥମ । କୌଣସି ପ୍ରଧାନମନ୍ତ୍ରୀ ଏତେ ଦୀର୍ଘ ଭାଷଣ ଦେଇ ନ ଥିଲେ । ଅବଧି ଥିଲା – ୮୬ ମିନିଟ୍ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଖ୍ୟାତ ଭାଷଣ ‘ଟ୍ରାଇଷ୍ଟ୍ ଉଇଥ୍ ଡେଷ୍ଟିନି’ ଥିଲା ୭୨ ମିନିଟ୍ର ଏବଂ ତାହା ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଭାଷଣ ବୋଲି କୁହାଯାଏ ।

 

ଭାରତ – ଏ ନାଁରେ ସେତେବେଳେ ନୂଆ ଭୂଖଣ୍ଡର ନାମକରଣ ହେଉଥାଏ । ତାହା ପୁଣି ଅହିଂସା ଜରିଆରେ ।
ସେଦିନ ନେହେରୁ କହିଥିଲେ, “ଶାନ୍ତି ଅଦୃଶ୍ୟ, ସ୍ୱାଧୀନତା ଅଦୃଶ୍ୟ, ସମୃଦ୍ଧି ଅଦୃଶ୍ୟ ଏବଂ ଅଦୃଶ୍ୟ ବି ଏକକ ମୁକ୍ତ ପୃଥିବୀରେ ବିପଦଗୁଡ଼ିକ । ତେଣୁ ସମୃଦ୍ଧି ଦିଗରେ ବଢ଼ିବାକୁ ହେଲେ, ସ୍ୱାଧୀନ ଭାରତକୁ ଶାନ୍ତିରେ ରହିବାକୁ ହେବ ।” କାଳର ନାନା ବିଡ଼ମ୍ବନା । ଶାନ୍ତି ପଇଁ ବାନ୍ଦୁଙ୍ଗ ସମ୍ମିଳନୀ, ପଂଚଶୀଳ ନୀତି କେତେ କଥା କଲେ । ମାତ୍ର ଭାରତ ଉପରେ ଚୀନ ଆକ୍ରମଣ କଲା ।

 

ଯେହେତୁ ମୋଦୀ ବଢ଼ିଆ କହନ୍ତି, ତାଙ୍କ ବାଣୀ ଶୁଣିବାକୁ ଲୋକଙ୍କର ଆଗ୍ରହ ରହିବା ସ୍ୱାଭାବିକ ।

 

ସେ କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯଥା : ‘ଭାରତ କୀ ଉମର’ ମାତ୍ର ୭୦ ନୁହେଁ; କାହିଁ କେତେ ପୁରୁଣା । ୧୯୪୭ରେ ଆମେ କେବଳ ‘ସ୍ୱରାଜ୍ୟ’ ହାସଲ କରିଥିଲୁ – ଏବେ ‘ସୁରାଜ୍ୟ’ ହାସଲ କରିବାକୁ ମୋ ଶାସନ ଉଦ୍ୟମରତ । ସେତେବେଳେ ପ୍ରତ୍ୟେକ ଭାରତୀୟ ହୁଏତ ଜେଲ ଯାଇ ନ ଥିଲେ – ମାତ୍ର ସମସ୍ତେ ଥିଲେ ମୁକ୍ତି ଆନ୍ଦୋଳନର ସିପାହୀ! ତଥ୍ୟଗତ ଭାବେ ଏହା ଅସଙ୍ଗତ ।

 

ସାଙ୍ଗେସାଙ୍ଗେ ଟୁଇଟର୍ ଫେସ୍ବୁକ୍ ଆଦି ସୋସାଲ୍ ମିଡିଆରେ ମନ୍ତବ୍ୟ ଆସିଗଲା – ତା’ହେଲେ, ମୋଦୀଙ୍କ ମନ୍ତ୍ର-ଜ୍ଞାନ ଦାତା ‘ସ୍ୱୟଂସେବକ ସଙ୍ଘ’ ବି ‘ସିପାହୀ’ ଥିଲା କି?

 

ଗତବର୍ଷ ୯୬ ମିନିଟ୍ ବକ୍ତବ୍ୟରେ ସେ ୨୭ ଥର ‘ପୂର୍ବ ସରକାର’ ବିରୁଦ୍ଧରେ କହିଥିଲେ ବା ହାସ୍ୟଗପ କରିଥିଲେ । ଏଥର ସଂକ୍ଷିପ୍ତ କରି ତାହା ୫୬ ମିନିଟ୍ ସୀମା ଭିତରେ ରଖିଲେ । କହିଲେ ବହୁତ କଥା, ଯାହା ତାଙ୍କ ପୂର୍ବ ଦୁଇ ବର୍ଷର ଭାଷଣ ପରି ଥିଲା ଅତ୍ୟନ୍ତ ବିଦ୍ୟାଧ୍ୟାୟୀ ବା ଅତ୍ୟନ୍ତ ନିରର୍ଥକ ।

 

ପ୍ରଧାନମନ୍ତ୍ରୀ କହିଲେ – ‘ବିଶ୍ୱାସ’ ନାଁରେ ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ୧୯୪୨ରେ ଭାରତୀୟ (କଂଗ୍ରେସ)ଙ୍କ ସ୍ଲୋଗାନ୍ ଥିଲା – ‘ଭାରତ ଛୋଡ଼ୋ’; ଏବେ ତାହା ହେଲା – ‘ଭାରତ ଯୋଡ଼ୋ’! ଶୁଭୁଚି ତ ଭଲ, ମାତ୍ର ଏ କାମ କରାଉଛି କିଏ ବା କରୁଛି କିଏ?
ଭଞ୍ଜ କବିଙ୍କ ‘ଇ-କାର ଭେଦ ଶବଦ’ ଢଙ୍ଗରେ ‘ସୁରାଜ୍ୟ’ ପାଇଁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ - ଆମର ସମସ୍ୟା ଅଛି ସତ, ଏବଂ ସମାଧାନ ପାଇଁ ସାମର୍ଥ୍ୟ ବି ରହିଛି । ‘ସ୍ୱରାଜ୍ୟ’କୁ ‘ସୁରାଜ୍ୟ’ରେ ପରିଣତ କରିବାକୁ ହେଲେ ଆମକୁ ‘ଅପେକ୍ଷା’ କରିବାକୁ ପଡ଼ିବ! କେତେ? ସମୟସୀମା କହିଲେନି । ମୂଲ୍ୟବୃଦ୍ଧି, ଅସହନଶୀଳତା, ଧାର୍ମିକ-ଜାତିଗତ ଅଶାନ୍ତି କାହିଁକି ହେଉଛି ବା କାଶ୍ମୀରରେ କିପରି ଶାନ୍ତି ଫେରେଇ ହେବ – ଏଗୁଡ଼ିକର ନାଁ ଧରିଲେନି ।

 

ସ୍ୱାଧୀନତା ଦିବସ ହେଲା, ଦେଶଭକ୍ତି ନାଁରେ ମଉଜ ମଜଲିସର ଦିନଟିଏ । ଶ୍ରେଣୀ ବିଭାଜନ ଇତ୍ୟାଦି ଜଞ୍ଜାଳରେ ନ ପଶି ଆମେ ସେଇମାନଙ୍କୁ ସାଧାରଣ ଭାରତୀୟ ବୋଲି ଭାବୁ ଯିଏ ଦେଶକୁ ମଝିରେ ରଖି ନିଜ ପାଇଁ ଅମାପ ସ୍ୱପ୍ନ ଦେଖିପାରେ । ପତାକାରେ ‘ପାଟ୍ରିଅଟିଜିମ୍’ ଦେଖେ, ଓ କ୍ରିକେଟରେ ‘ନେସନାଲିଜିମ୍’ ଖୋଜେ ।ବିଶ୍ୱସୁନ୍ଦରୀ ପ୍ରତିଯୋଗିତାର ବିଜୟକୁ ଗୌରବ ବୋଲି ଅନୁଭବ କରେ ଏବଂ ଟିଆରପି ବାଟେ ଅନର୍ ହାସଲ କରିପାରୁଥାଏ । ଏଥିପାଇଁ ଅଧିକ ମୋରାଲ୍ ଖୋଜିବା ଦରକାର ନାହିଁ । ‘ଭାରତୀୟତା’ ନାମକ ଏହି ସାଧାରଣ ପରିଚୟ ଆଗକୁ କେଉଁ ରୂପ ନେବ, ତାହା ଆଜିଠାରୁ କହିବା ପ୍ରାୟ ଅସମ୍ଭବ । କିନ୍ତୁ ଇଦାନୀଂ ସ୍ଥିତାବସ୍ଥା ଯେ ଏଇଆ, ଏକଥା ଅସ୍ୱୀକାର କରିବାନି ।

 

ଭାରତ ପରି ଭୂଖଣ୍ଡ ସଂପୂର୍ଣ୍ଣ ପରାଧୀନ ଅତୀତ ଓ ଉପନିବେଶବାଦରୁ ମୁକ୍ତ ହୋଇ, ୭୦ ବର୍ଷ ଭିତରେ କିପରି ବଦଳିଛି – ୟାକୁ ଯେତେ ଠିକ୍ କଳନା କରି ହେବ, ଆମ ସ୍ୱାଧୀନତା ସେତିକି ସଫଳ କି ବିଫଳ ବୋଲି ଜଣା ପଡ଼ିବ । ଆଶା କରୁଛୁ, ଆମର ଖୁସି ହେବା ପାଇଁ ଯେତେ କାରଣ ରହିଛି ଏବଂ ତହୁଁ ଅଧିକ ରହିଛି ଲାଜ କରିବାକୁ । ନିମ୍ନ ପ୍ରଶ୍ନର ଉତ୍ତର ଆମେ ଜାଣୁନା ।

 

୧. ଜଣେ ଭାରତୀୟର ସାଂସ୍କୃତିକ ପରିଚୟ କ’ଣ?
୨. ଭିଜନ ଡକୁମେଣ୍ଟ ଓ ଯୋଜନା ଛଡ଼ା ‘ଭାରତୀୟତା’ କାହାର କି ଦରକାର?
୩. ଏ ଶବ୍ଦ ଶୁଣିଲେ କେତେକ କାହିଁକି ଚିହିଁକି ଉଠନ୍ତି?
୪. ‘ସ୍ୱାଧୀନ’ – ମାନେ, କିଏ କାହାଠାରୁ କେତେ ସ୍ୱାଧୀନ?
ଉଦାହରଣ : ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କେନ୍ଦ୍ର-ରାଜ୍ୟ ସଂପର୍କର ବ୍ୟାଖ୍ୟା କରି କହୁଛନ୍ତି – କୋ’ଅପରେଟିଭ୍ ଫେଡେରାଲିଜିମ୍; ତେଣେ ତ୍ରିପୁରା ମୁଖ୍ୟମନ୍ତ୍ରୀ କେତେକ ଭିନ୍ନ ମତ ପୋଷଣ କରିଥିବାରୁ ତାଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଦୂର-ଦର୍ଶନ ଓ ଆକାଶବାଣୀ ବ୍ୟାନ୍ କରିଦେଲା । ଏପରି ‘କୋ’ଅପରେଟିଭ୍ ଫେଡେରାଲିଜିମ୍’ ଭାରତକୁ ଯୋଡ଼ିବ ନା ଫେଡ଼ିବ?

 

ଯାହାହେଉ, ପ୍ରଧାନମନ୍ତ୍ରୀଙ୍କ ଚାରି ବର୍ଷ ଭାଷଣର ଦୃଶ୍ୟରେଖା ଥିଲା : ୨୦୧୪ – ମେଜିକ୍୍ ପରିକା । ୨୦୧୫ – ୟୁପିଏ ସରକାରଙ୍କ ଯୋଜନାଗୁଡ଼ିକର ଭାଷାନ୍ତରୀକରଣ । ଭାଷଣ ଅବଧି ଥିଲା ୮୬ ମିନିଟ୍ । ୨୦୧୬ – କଥନୀ ୯୬ ମିନିଟ୍ । ଏଥର (୨୦୧୭) – ମାତ୍ର ୫୬ ମିନିଟ୍ । କହିବାଠାରୁ ଲୁଚେଇବା ତାଲିକା ଅଧିକ ଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top