ତାଜ ମହଲକୁ ଧ୍ୱଂସ କରିବ କି?

News Story - Posted on 2017-08-17

ବିଶ୍ୱ ପ୍ରସିଦ୍ଧ ତାଜ ମହଲକୁ ତୁକେ କ’ଣ ଧ୍ୱଂସ କରିବାକୁ ଚାହୁଁଛ? କେନ୍ଦ୍ର ସରକାରଙ୍କୁ ଏମିତି କଡ଼ା ପ୍ରଶ୍ନଟିଏ କରିଛନ୍ତି ସୁପ୍ରିମ କୋର୍ଟ । ମଥୁରା ଓ ଦିଲ୍ଲୀ ମଧ୍ୟରେ ଏକ ଅତିରିକ୍ତ ରେଳପଥ ବିଛାଇବା ନିମନ୍ତେ ୪୦୦ ଗଛ କାଟିବାକୁ ଅନୁମତି ଦେବା ନିମନ୍ତେ ଦାଏର ହୋଇଥିବା ଏକ ଦରଖାସ୍ତର ଶୁଣାଣି ଅବସରରେ ବିଚାରପତି ମଦନ ବି. ଲୋକୁର ଓ ଦୀପକ ଗୁପ୍ତା ଏହି ପ୍ରଶ୍ନ ପଚାରିଛନ୍ତି ।

 

କୋର୍ଟ କହିଛନ୍ତି, ଏହା ହେଉଛି ଏକ ବିଶ୍ୱ ବିଖ୍ୟାଦ ସ୍ମାରକୀ । ତୁମେ ତାକୁ ଧ୍ୱଂସ କରିବାକୁ ଚାହୁଁଛ? ତୁମେ ତାଜ ମହଲର ସଦ୍ୟତମ ଫଟୋ ସବୁ ଦେଖିଛ? ଇଣ୍ଟର୍ନେଟକୁ ଯାଅ ଏବଂ ଦେଖ । ଏହା ପରେ ବି ଯଦି ତୁମେ ଚାହୁଁଛ, ତେବେ ଗୋଟିଏ ସତ୍ୟପାଠ ବା ଦରଖାସ୍ତ ଦାଖଲ କର ଯେ ଭାରତବର୍ଷ ତାଜ ମହଲକୁ ଧ୍ୱଂସ କରିବାକୁ ଚାହୁଁଛି ।

 

ପରିବେଶକର୍ମୀ ଏମସି ମେହେଟ୍ଟା ଦାଖଲ କରିଥିବା ମାମଲା ଉପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ । ମେହେଟ୍ଟା ତାଜ ମହଲର ସୁରକ୍ଷା ନେଇ ଅନେକ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ୧୬୩୧ ମସିହାରେ ମୋଗଲ ସମ୍ରାଟ ଶାହ ଜାହାନ ତାଙ୍କ ପତ୍ନୀ ମମତାଜ ମହଲଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରିଥିଲେ । ଏହା ଏବେ ବି ବିଶ୍ୱର ଏକ ଆଶ୍ଚର୍ଯ୍ୟ ହୋଇରହିଛି । ଏହାକୁ ଏକ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇଛି ୟୁନେସ୍କୋ ।

 

ପରିବେଶବିଦ ମେହେଟ୍ଟା ତାଜ ମହଲ ସୁରକ୍ଷା ପାଇଁ ଜଙ୍ଗଲ ଉଚ୍ଛେଦ ବିରୋଧରେ ଲଢ଼େଇ କରୁଛନ୍ତି । ଆଖପାଖର ପ୍ରଦୂଷଣ ଓ ଜଙ୍ଗଲ ଉଚ୍ଛେଦ ଯୋଗୁଁ ତାଜ ମହଲ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ସେ ଯୁକ୍ତି କରି ଆସୁଛନ୍ତି । ତାଙ୍କ ମାମଲାର ବିଚାର କରି ସୁପ୍ରିମ କୋର୍ଟ ପୂର୍ବରୁ ତାଜ ମହଲ ସୁରକ୍ଷା ପାଇଁ ଅନେକ କିଛି ନିୟନ୍ତ୍ରଣ ଜାରି କରିଛନ୍ତି ।

 

ଏହି ପୃଷ୍ଠଭୂମିରେ ସରକାର ଉତ୍ତର ପ୍ରଦେଶର ମଥୁରା ଓ ଦିଲ୍ଲୀ ମଧ୍ୟରେ ଗୋଟିଏ ଅତିରିକ୍ତ ରେଳ ଲାଇନ ବିଛାଇବାକୁ ଯୋଜନା କରିଛନ୍ତି । ସେଥିପାଇଁ ୮୦ କିଲୋମିଟର ଦୂରତା ମଧ୍ୟରେ ପ୍ରାୟ ୪୫୦ଟି ଗଛ କାଟିବାକୁ ପଡ଼ିବ । ସେଥିପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଏକ ଦରଖାସ୍ତ ଦାଏର କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top