ବିଜେପିର କର୍ପୋରେଟ ଚାନ୍ଦା ଅଧିକ

News Story - Posted on 2017-08-17

ଗତ ୪ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି ପାଇଛି ସର୍ବାଧିକ କଂପାନୀ ଚାନ୍ଦା । ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ ବା ଏଡିଆର ତରଫରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ୨୦୧୨-୧୩ ବର୍ଷରୁ ୨୦୧୫-୧୬ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ୨୯୮୭ କର୍ପୋରେଟ୍ ଦାତାଙ୍କଠାରୁ ୭୦୫.୮୧ କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛି ।

 

ଏଡିଆରର ସୂଚନା ଅନୁସାରେ ଏହି ୪ ବର୍ଷ ମଧ୍ୟରେ ଭାରତର ପାଞ୍ଚୋଟି ଜାତୀୟ ଦଳ ପାଇଛନ୍ତି ମୋଟ ୯୫୬.୭୭ କୋଟି ଟଙ୍କାର କର୍ପୋରେଟ ଚାନ୍ଦା । ଏହି ସମୟ ମଧ୍ୟରେ ୧୬୭ ଦାତାଙ୍କଠାରୁ କଂଗ୍ରେସ ପାଇଛି ମାତ୍ର ୧୯୮.୧୬ କୋଟି ଟଙ୍କାର କର୍ପୋରେଟ୍ ଚାନ୍ଦା । ଏହି ଚାରି ବର୍ଷର ମୋଟ କର୍ପୋରେଟ୍ ଚାନ୍ଦା ୯୫୬.୭୭ କୋଟି ଟଙ୍କାର ମାତ୍ର ୪ ପ୍ରତିଶତ ପାଇଛି ସିପିଆଇ ଏବଂ ୧୭ ପ୍ରତିଶତ ପାଇଛି ସିପିଏମ । ଏ ଚାରି ଦଳ ବ୍ୟତିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଏକ ଜାତୀୟ ଦଳ ଭାବେ ଗ୍ରହଣ କରିଛି ଏଡିଆର । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକ ଜାତୀୟ ଦଳ ଭାବେ ସ୍ୱୀକୃତ ହୋଇଥିଲେ ହେଁ ଏହି ଦଳ ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ ୨୦ ହଜାର ଟଙ୍କା ଉପରେ କୌଣସି ଚାନ୍ଦା କାହାଠାରୁ ଗ୍ରହଣ କରିନାହିଁ ବୋଲି ଘୋଷଣା କରିଥିବାରୁ ତାହାକୁ ବିଚାରକୁ ନିଆଯାଇ ନାହିଁ ।

 

ଏଡିଆର ରିପୋର୍ଟ ଅନୁସାରେ ଏହି ଜାତୀୟ ଦଳଗୁଡ଼ିକ ଗ୍ରହଣ କରିଥିବା ମୋଟ ୩୮୪.୦୪ କୋଟି ଟଙ୍କାର ୧୯୩୩ କର୍ପୋରେଟ ଚାନ୍ଦା କ୍ଷେତ୍ରରେ ପ୍ୟାନ୍ ନମ୍ବର ଉଲ୍ଲେଖ କରାଯାଇ ନାହିଁ । ସେହିପରି ୩୫୫.୦୮ କୋଟି ଟଙ୍କାର ୧୫୪୬ ଚାନ୍ଦାଦାତାଙ୍କର କୌଣସି ଠିକଣା ନାହିଁ । ପ୍ୟାନ୍ ଓ ଠିକଣା ନଥିବା ମୋଟ ଚାନ୍ଦାର ୯୯ ପ୍ରତିଶତ ବା ୧୫୯.୫୯ କୋଟି ଟଙ୍କା ପାଇଛି ବିଜେପି । ଏହି ଚାରି ବର୍ଷରେ ଯେତେ ଚାନ୍ଦା ମିଳିଛି ତାହାର ୬୦ ପ୍ରତିଶତ କେବଳ ୨୦୧୪-୧୫ ବର୍ଷ ମଧ୍ୟରେ ମିଳିଛି । ଏହି ସମୟ ମଧ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

 

ଏହି ୪ ବର୍ଷ ମଧ୍ୟରେ ସର୍ବାଧିକ ଚାନ୍ଦା ଦେଇଛି ସତ୍ୟ ଇଲେକ୍ଟୋରଲ ଟ୍ରଷ୍ଟ । ଏହାର ଚାନ୍ଦା ପରିମାଣ ହେଉଛି ୨୬୦.୮୭ କୋଟି ଟଙ୍କା । ଏଥିରୁ ବିଜେପି କେବଳ ୧୯୩.୬୨ କୋଟି ଟଙ୍କାର ଚାନ୍ଦା ପାଇଥିବା ଘୋଷଣା କରିଛି । ଏହି ଟ୍ରଷ୍ଟରୁ କଂଗ୍ରେସ ପାଇଛି ୫୭.୨୫ କୋଟି ଏବଂ ଏନସିପି ପାଇଛି ୧୦ କୋଟି ଟଙ୍କା । ସେହିପରି ଜେନେରୋଲ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୭୦.୭୦ କୋଟି ଟଙ୍କା ଏବଂ କଂଗ୍ରେସକୁ ୫୪.୧୦ କୋଟି ଟଙ୍କାର ଚାନ୍ଦା ଦେଇଛି । ସିପିଆଇ ଓ ସିପିଏମକୁ ସର୍ବାଧିକ ଚାନ୍ଦା ଦେଇଛନ୍ତି ସଂଘ ଓ ଶ୍ରମିକ ସଂଗଠନ । ସିପିଏମ ୭ଟି ସଂଘରୁ ୧.୦୯ କୋଟି ଟଙ୍କାର ଚାନ୍ଦା ପାଇଥିବାବେଳେ ସିପିଆଇ ୧୫ଟି ସଂଘରୁ ପାଇଛି ୧୪.୬୪ ଲକ୍ଷ ଟଙ୍କା ।

 

୨୦୧୨-୧୩ ବର୍ଷରେ ରିୟଲ ଇଷ୍ଟେଟ କ୍ଷେତ୍ର ଜାତୀୟ ଦଳଗୁଡ଼ିକୁ ସବୁଠୁ ଅଧିକ ଚାନ୍ଦା ଦେଇଛି । ଏଥିରୁ ବିଜେପି ପାଇଛି ସିଂହଭାଗ । ସେହି ବର୍ଷ ବିଜେପି ରିୟଲ ଇଷ୍ଟେଟ୍ କ୍ଷେତ୍ରରୁ ୧୫.୯୬ କୋଟି ଟଙ୍କାର ଚାନ୍ଦା ପାଇଥିବାବେଳେ କଂଗ୍ରସ ପାଇଛି ମାତ୍ର ୯୫ ଲକ୍ଷ ଏବଂ ସିପିଏମ ୪ ଲକ୍ଷ ଟଙ୍କା ।

 

ଏହି ଚାରି ବର୍ଷ ମଧ୍ୟରେ ଖଣି, ରିୟଲ ଇଷ୍ଟେଟ, ଶକ୍ତି, ଖବରକାଗଜ ଆଦି ବ୍ୟବସାୟ ସହିତ ଜଡ଼ିତ କର୍ପୋରେଟ୍ ସଂସ୍ଥା ୪୧୯.୬୯ କୋଟି ଟଙ୍କାର ଚାନ୍ଦା ଦେଇଥିଲାବେଳେ ମାନୁଫାକ୍ଚରିଂ କ୍ଷେତ୍ର ଦେଇଛି ୧୨୩.୬୭ କୋଟି ଟଙ୍କାର ଚାନ୍ଦା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top