ବର୍ଷାର ଆତ୍ମକଥା

News Story - Posted on 2017-08-14

ଡାକ୍ତର ରବିନାରାୟଣ ସେନାପତି

 

ମୁଁ ତ କବି ନୁହେଁ ବର୍ଷା ମାତ୍ର,

ମେଘ ସମ୍ଭାରରେ ପୁଷ୍ଟ, ଶବ୍ଦ ମୋର କାହିଁ?

କେମିତି ମୁଁ ମୋ କଥା କହିବି,

ଶବ୍ଦ ମୋର ଭୟଙ୍କର ବଜ୍ର ଘଡଘଡି,

ଟୁପୁରୁ ଟାପୁର, ଝର ଝର ଝରିପଡେ,

ଟିଣ କର୍କଟରେ ବାଇଦ ବଜାଏ,

ଖସର ଖସର ଖସିପଡି ଗଡିଯାଏ ଓଳଛିଆ ପାଣି,

ପାହାଡ଼ ଚୁଡାରୁ ମାଡ ଖାଇ,

ଘୋର ନାଦେ ଭୂମିରେ କଚାଡି ପଡେ,

ଝରଣାର ଶାସ୍ତ୍ରୀୟ ରାଗିଣୀ ଅବା ନଦୀର ସେ କୁଳୁକୁଳୁ ତାନ,

ସଭିଏଁ ମୋ ସଙ୍ଗୀତ ଆମେ ସବୁ ମିତ।

 

ଏ ଭାଷା ତ କବିକୁଳ ବୁଝେ,

ଝରାଏ ତା ଝର କଲମରେ,

ଅନେକ ଆସର କରେ,

ଆଉ ଲେଖେ,

ଆସନ୍ତେ ବର୍ଷା କାଳ ନିଦାଘ ଶେଷେ,

ଘୋଟଇ ମେଘମାଳା ଆକାଶ ଦେଶେ।

ଏସବୁ ଆଛା ଦିନମାନଙ୍କ ଘଟଣା,

ଆଉ ସେ ସୁଦିନ କାହିଁ,

ମୋ ମନର ବହୁ କ୍ଷୋଭ ଅନ୍ତର ବେଦନା,

କେମିତି କହିବି,

ଶବ୍ଦ ସବୁ ଶୁଷ୍କ ଅପହୃତ,

ମୁଁ ତ ନୁହେଁ କବି, ବରଷା ମାତର!

 

ହେ କବିକୁଳ!

ଲକ୍ଷେ କବିତାର ମନ୍ତ୍ର ଆହୂତି ଦେଇ ଆବାହନ କର,

ମୁଁ କି ବନ୍ଦନାର ଯୋଗ୍ୟ,

ତୁମ୍ଭ ବର୍ଷାରାଣୀ ଅପବିତ୍ର ବହୁ କାଳୁ,

ଅମ୍ଳ ତା ଶରୀର, ଗନ୍ଧକ ଓ ଅଙ୍ଗାରକର ବୋଝ ବୋହି

ଆଉ କେତେ ପାତକର ଅଣୁ,

ବିଷ ପରମାଣୁ,

କେ ଦେଇଛି ମୋର ଏହି ନୀରିହ ତନୁରେ,

ଏତେ ଜହରର ଜ୍ବାଳା!

କରିଛ କି ପ୍ରତିବାଦ ଦୀପ ଶୋଭାଯାତ୍ରା କରି,

କିମ୍ବା କେବେ କଲମ ମୁନରେ,

ମୋ ପିତା ସୁରୁଜ ଆଜି ପରାଜିତ।

ନାଳ ନର୍ଦ୍ଦମାରୁ ମୁକ୍ତ ଓ ପବିତ୍ର କରି ଆକାଶେ ସଞ୍ଚିଲା,

କିନ୍ତୁ ତହିଁ ବି ସୁରକ୍ଷା କାହିଁ,

ବଳ ବୁଦ୍ଧି ପୂର୍ଣ୍ଣ, ଜନ ନଜରରୁ,

ଗାଅ କବି, ରକ୍ଷାକର ନଷ୍ଟ ବର୍ଷା ଦୁଲାଳୀକୁ,

ବ୍ୟଭିଚାରୀ, ଅତ୍ୟାଚାରୀ ଦାନବ ଦାଉରୁ।

 

ମୋ ମାତା ଏ ସବୁଜ ବନାନୀ,

ଛାଣି ଛାଣି ସବୁ ଖାଦ,

ପତ୍ର ରନ୍ଧ୍ରେ ନିରୋଳା ଜଳକଣା ମୁକ୍ତ କରେ,

ମୁଁ ବି ଖୋଜେ ମା କୋଳ,

ଖେଳିବାକୁ, ମୁହଁ ଗେଞ୍ଜିବାକୁ,

ମା’ କି କରିବ ତ୍ୟାଗ,

ମେଘମାଳେ ଜାବୁଡି ଚୁମ୍ବନ ଦିଏ,

ମୁଁ ବର୍ଷାରେ ପରିଣତ ହୋଇ ଧରାକୁ ତିନ୍ତାଏ,

ଚାଷୀକୁଳ ମୁଖେ ହସ ଖେଳେ,

ମୁଁ ମାତା ବିଜଡିତ, ମା ମୋତେ ଶୋଷେ,

ଅସହିଷ୍ଣୁ ରାକ୍ଷସ ମନୁଷ୍ୟ,

ବାଧାଦିଏ ଆମ ଏ ଖେଳରେ,

ଯନ୍ତ୍ର ଜନତା ନିର୍ମମେ ହତ୍ୟା କରେ,

ମାତାକୁ ମୋହର,

ଶତ ଶତ ଲରି ଶୋଭାଯାତ୍ରା ବୁହେ, ତା ମର ଶରୀର,

ଗାଅ କବି ପ୍ରତିବାଦ କର,

ଏହି ଅଳି ଅବଳା ବର୍ଷାର।

 

ଉତ୍ତୁଙ୍ଗ ଶିଖର ମାଳା ପ୍ରସ୍ତର ପ୍ରାଚୀର,

ସଖା ଏ ବର୍ଷାର, ଏ ଅଲଂଘ୍ୟ ନିୟମ,

ମୋ ପ୍ରିୟତମ ଓ ମୁଁ, ଯୁଗ ଯୁଗ ନିଭାଇଛୁ,

ପୁଣି ପ୍ରତିଶୃତ ଭବିଷ୍ୟତ ବହୁ କଳ୍ପ,

ସାକ୍ଷୀ ବନ, ସାକ୍ଷୀ ଜୀବଜନ୍ତୁ,

ସାକ୍ଷ୍ୟ ଦେବେ ଅମ୍ବର ନିବାସୀ ଯେତେ,

ସବୁ ମୋର ସପକ୍ଷେ ଥାଇ ବି, କେବଳ ଚତୁର ଜନ୍ତୁ,

ନମାନଇ ପ୍ରକୃତି ନିୟମ,

ମାତାକୁ ମୋ କରି ହତ୍ୟା,

ରାମ୍ପି ବିଦାରି ଦିଏ ପ୍ରିୟତମ ବୁକୁ,

ଗଢ଼ା ହୁଏ ଇମାରତ ସଖା ମାଉଁସରେ,

ରନ୍ଧା ଯାଏ ସଖାର ଅମୂଲ୍ୟ ରୁଧୀର,

ଦେଖ କବି ମାଳ ମାଳ ଧୂମଶ୍ରାବୀ ନଳୀ,

ଜଳ, ସ୍ଥଳ ଓ ଆକାଶ,

ସର୍ବ ବିଦ୍ୟମାନ ଏହି ବିଷର ଫୁତ୍କାର,

କବିଶ୍ରେଷ୍ଠ ମାନେ, ମୁଁ ବର୍ଷା ସର୍ବକାଳ ବାନ୍ଧବୀ ତୁମ୍ଭର,

ଚଲାଅ କଲମ ତୁମ୍ଭ, ରକ୍ଷାକର ମାନ ଏ ସଖୀର।

 

ଭୂମିରେ ବି ନାହିଁ ରକ୍ଷା,

ଜଳ ହୋଇ ଝରରେ ଝରିଲି,

କେତେ ଅଙ୍କା ବଙ୍କା ପଥ ଦେଇ,

ନଦୀ ନାଳେ ଭରି ହେଲି ମୁହିଁ,

ମହାନଦୀ, ସତଲେଜ କାବେରୀ,

ମାନିଲାନି ମନ ଏ ନରର,

ବନ୍ଧ ବାଡେ ବନ୍ଦୀ କରି, ସରିତାର ସାଗର ଗମନ,

ଦେଶ ଦେଶ, ରାଜ୍ୟ ରାଜ୍ୟ ଯୁଦ୍ଧ ଲାଗେ,

ପ୍ରକୃତି ଉପରେ, ଆପଣାର ଅଧିକାର, କରନ୍ତି ଜାହିର,

ଗଢାହୁଏ ଅଟ୍ଟାଳିକା, ପୋତା ହ୍ରଦ ପୁଷ୍କରଣୀ,

ରହିବି କେଉଁଠି, ଏଣୁ ଅନାବୃଷ୍ଟି, ଅକାଳ ମରୁଡି,

ପଥରୋଧ ମହା ନଗରୀରେ ବନ୍ୟା ମୁଁ ଭିଆଏ,

ବର୍ଷଣ ଅଧିକ, ଅବା ସ୍ବଳ୍ପ ଯାହାର ଆୟତ୍ତ,

ସେ ପ୍ରକୃତି ଜୀବନର ରାହା ଖୋଜେ,

କୁହ କବି ରଖି କି ନପାରିବ ତାହାର ଜୀବନ,

ବର୍ଷା କୁ ମୁକ୍ତି ଦିଅ କବି, ଏ ସମସ୍ତ ଅପବାଦୁ,

ଚଳାଅ କଲମ।

 

ଅଳି କଲି, ଦେଲି ଚେତାବନୀ,

ତେଣିକି ଆପଣାର ଇଛା,

ଅତ୍ୟାଚାରର ଶେଷ ସୀମା ଉପନୀତ,

ଅନ୍ୟାୟର ତାପ ମାତ୍ରା ପଚାଶ ଛୁଇଁଲା,

ଜଳାଭାବ ଅତିଶୟ, ବୃକ୍ଷରାଜି ସମୂହେ ଜଳିବେ,

ମେଘ ହେବ ବଳୀୟାନ, ଅଣାୟତ୍ତ ଅସମୟ,

ଅଣଚାଶ ପବନ ବହିବ,

କେବେ ମହାବାତ୍ୟା ପୁଣି କେବେ ଫାଇଲିନ୍,

ଭାଙ୍ଗିଯିବ ଶୃଙ୍ଖଳିତ ମୌସୁମୀ ପ୍ରବାହ,

ଦ୍ବନ୍ଦ୍ବରେ ପଡିବେ କୃଷିବନ୍ଧୁ,

ଦ୍ବନ୍ଦ୍ବେ କବି କେବେ ତାର କବିତା ଆସର,

ବଷିର୍ବି ବଷିର୍ବି,

ଡୁବାଇବି ପ୍ରଳୟ ପୟୋଧି ଜଳେ ଏ ଧରାକୁ,

ମୀନକୁ ଦୂର ନରହିବ, ବାଇଶି ପାହାଚ,

ସୁଧୁରିବାକୁ ଏ ଶେଷ ଚେତାବନୀ,

ମୁଁ ଚାହିଁନି ମନ୍ତ୍ର ବନ୍ଦନା ଅବା କବିତା ଆହୂତି,

ମୁକ୍ତି ଦିଅ, ଶାନ୍ତି ଦିଅ ପ୍ରକୃତିରେ ସ୍ବାଧୀନତା ଦିଅ,

ମୁଁ ବର୍ଷାରାଣୀ ସର୍ବକାଳ କବିମନ କରିଛି ହରଣ,

ମାଗେ ପ୍ରତିଦାନ ହେ ବାନ୍ଧବେ, ରଖ ମୋର ମାନ।


ପ୍ରତିକ୍ରିୟା

Rabinarayan Senapati - Email: rabisenapati2304@gmail.com - Posted on 2017-08-14 12:26:15

Kabita Na prabandha?

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top