ତ୍ୟାଗ ଓ ସେବାର ନାୟକ ପର୍ଶୁରାମ

News Story - Posted on 2017-08-13

ବୈଷ୍ଣବ ଜେନା

 

ସ୍ୱତନ୍ତ୍ର ଭାବେ ବରୀ ଅଞ୍ଚଳ ତଥା ରାଜଧାନୀରେ ଓ ସାମଗ୍ରିକ ଭାବେ ଓଡ଼ିଶା ରାଜ୍ୟରେ ତ୍ୟାଗ, ମାନବ ସେବା, ପରୋପକାର, ସାମାଜିକ ବଂଧନ, ସ୍ନେହ ଓ ଭକ୍ତିର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ପର୍ଶୁରାମ ନାୟକ। ଏହି ନାମ ଉଚ୍ଚାରଣରେ ଏକ ଭିନ୍ନତା ଥାଏ। କାରଣ ଏହି ନିଆରା ମଣିଷଟି ଆଜୀବନ ଅନ୍ୟମାନଙ୍କ ଶିକ୍ଷାଦୀକ୍ଷା, ଚାକିରୀ, ସାମାଜିକ ଥଇଥାନ, ସ୍ୱାବଲମ୍ୱନଶୀଳତା, ଆର୍ଥିକ ମାନଦଣ୍ଡ ବୃଦ୍ଧି ତଥା ପାରମ୍ପରିକ ରୀତିରେ ବିବାହ ବନ୍ଧନ ଆଦିରେ ବହୁମୂଲ୍ୟ ଅବଦାନ ରଖି ଆସୁଥିଲେ। ସବୁ କ୍ଷେତ୍ରରେ ନିସ୍ୱାର୍ଥପରତା ଏବଂ ଆତ୍ମ ପ୍ରଚାରର ବିରୋଧି ମନୋଭାବ। ଅନ୍ୟମାନଙ୍କୁ ଦେବାରେ ସେ ଅପାର ଆନନ୍ଦ ଅନୁଭବ କରୁଥିଲେ। ସେ ସେବା ଓ ତ୍ୟାଗର ଚଳନ୍ତି ପ୍ରତିଭା ଥିଲେ। ଏହି କାରଣରୁ ସେ ବରୀ ଏବଂ ରାଜଧାନୀର ବୟସ୍କ ଲୋକମାନଙ୍କର ଶ୍ରଦ୍ଧାର ପାତ୍ର ହୋଇଥିବା ବେଳେ ଯୁବପିଢୀର ଲୋକଙ୍କ କ୍ଷେତ୍ରରେ ଭକ୍ତି ଓ ପୂଜାର ମଣିଷ।

 

ଯାଜପୁର ଜିଲ୍ଲା ବରୀ ବ୍ଲକର ସେରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାପୁରୁଷ ଜଣକ ବାଲ୍ୟକାଳରୁ ସଂଗ୍ରାମୀ ଥିଲେ। ୪ର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳକୁ ତାଙ୍କୁ ୫ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଥିଲା, ତାହା ପୁଣି ଗୋଟିଏ ନାଳ ଓ ଗୋଟିଏ ନଦୀ (ବିରୂପା ନଦୀ) ପାର ହୋଇ। ସକାଳ ୮ଟା ବୋଳୁ ଘରୁ ବାହାରୁ ଏକରକମ ଦୌଡି ଦୌଡି ଇନ୍ଦୁପୁର ଯାଆନ୍ତି ଓ ଫେରନ୍ତି ରାତି ୮ଟା ବେଳେ। ଏହା ସତ୍ତ୍ୱେ ସେ ଥକି ନଥିଲେ କିମ୍ୱା ପାଠପଢ଼ା ଜିଦ‌୍‍ରୁ ଓହରିନଥିଲେ। ମାଟ୍ରିକ‌୍‍ ପାସ‌୍‍ ପରେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। କଟକ ଆସିବା ପାଇଁ ସେ ନିଜର ବାକ୍ସପତ୍ର ମୁଣ୍ଡାଇ ୨୦ କି.ମି. ଦୂର କେନ୍ଦ୍ରାପଡାକୁ ଆସିଥିଲେ। ଏହି କଷ୍ଟ ଯାତ୍ରା କଥା ଏକଦା ସେ ଆମକୁ କହିଥିଲେ। ସେତେବେଳେ ତାଙ୍କ ପରିବାର ଅବସ୍ଥା ଭଲ ନଥିଲା। ବାଲ୍ୟକାଳରୁ ସେ ପିତାଙ୍କୁ ହରାଇଥିଲେ। ରେଭେନ୍ସାରେ ପଢ଼ିବା ବେଳେ ସେ ମାତ୍ର ୨୦ ଟଙ୍କା ମେଧାବୃତ୍ତି ଆକାରର ପାଉଥିଲେ। ସେତେବେଳେ ଏହା ଯଥେଷ୍ଟ ଥିଲା, କାରଣ ସେତେବେଳେ ମାସିକ ହଷ୍ଟେଲ‌୍‍ ଖର୍ଚ୍ଚ ଥିଲାମାତ୍ର ୧୨ ଟଙ୍କା। ରେଭେନ୍ସାରୁ ପାଠ ସାରି ସେ ସ୍ନାତକୋତ୍ତର ପାଠ ପାଇଁ ଆହ୍ଲାବାଦ ଯାଇଥିଲେ। ସେଠାରୁ ଆସି ପ୍ରଥମେ ଅଧ୍ୟାପକ ପରେ ଡେପୁଟି କଲେକ୍ଟର (ଓ.ଏ.ଏସ‌୍‍.) ଓ ଶେଷରେ ଷ୍ଟେଟ‌୍‍ ବ୍ୟାଙ୍କର ଅଫିସର ଭାବେ ଯୋଗଦେଇଥିଲେ। ଏହି କର୍ମମୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜର ରାଜକାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ସହିତ ଜନସେବାକୁ ଅଗ୍ରାଧିକାର ସେ ଦେଇଆସିଥିଲେ। ପାଟଣା ଏବଂ କାନପୁରରେ ଷ୍ଟେଟ‌୍‍ ବ୍ୟାଙ୍କର ମହାପ୍ରବନ୍ଧକ ଥିଲାବେଳେ ସେଠାକାର ଓଡ଼ିଆ ସମାଜକୁ ସୁସଂଗଠିତ କରିବା ତାଙ୍କର ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟ। ଷ୍ଟେଟ‌୍‍ ବ୍ୟାଙ୍କରୁ ଡେପୁଟେସନ‌୍‍ରେ ଯାଇ ସେ ତତ୍କାଳୀନ କୋରାପୁଟ ପଞ୍ଚବଟୀ ଗ୍ରାମ୍ୟ ବ୍ୟାଙ୍କର (ବର୍ତ୍ତମାନର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ) ସେ ପ୍ରଥମ ଅଧ୍ୟକ୍ଷ ଥିଲେ। ସେ ପ୍ରାୟ ୧୫ ବର୍ଷ କାଳ କୋରାପୁଟ ଜିଲ୍ଲାରେ କଟାଇଥିଲେ। ତେଣୁ ସେ ଏହି ଅବିଭକ୍ତ ଜିଲ୍ଲାର ସବୁ ପ୍ରମୁଖ ଗାଁ ସମ୍ପର୍କରେ ଅବଗତ ଥିଲେ। ତାଙ୍କ ଅମଳରେ କୋରାପୁଟ ଜିଲ୍ଲାର ବ୍ୟାଙ୍କ ବ୍ୟବସ୍ଥାର ବିସ୍ତାର ଘଟିଥିଲା। ସେହି ଅଞ୍ଚଳରେ ପର୍ଶୁରାମ ବାବୁ ବା ନାୟକ ସାହେବ ଜଣେ ଲୋକପ୍ରିୟ ବ୍ୟକ୍ତି।

 

୧୭ ବର୍ଷ ତଳେ ସେ ଅବସର ନେଇଥିଲେ ବି ମୃତ୍ୟୁର ଶେଷ ପର୍ଯ୍ୟନ୍ତ ସେ କେବେ ବେକାର ହୋଇ ବସି ନଥିଲେ।  ସ୍ୱୟଂମ‌୍‍ଶ୍ରୀ ମାଇକ୍ରୋ ଫାଇନାନ୍ସର ସେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଥିଲେ । ଏହି କ୍ଷୁଦ୍ର ସଂସ୍ଥାକୁ ସେ ଏକ ଆନ୍ତର୍ଜାତିକ ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ କରାଇଛନ୍ତି। ମାତ୍ର ୫ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାର କାରବାର ଏବେ ବାର୍ଷିକ ୧୨୦୦ କୋଟି ଟଙ୍କା। ପ୍ରାୟ ୧୫ ହଜାର ଅନଗ୍ରସର ମହିଳା ସେଥିରେ ସାମିଲ‌୍‍ ଅଛନ୍ତି। ଦିନକୁ ଏହି ସଂସ୍ଥା ପାଇଁ ଦୈନିକ ୧୨ ଘଣ୍ଟା ସମୟ ଦେଉଥିଲେ ବି ପାରିଶ୍ରମିକ ବାବଦରେ ଗୋଟିଏ ପଇସା ନେଉନଥିଲେ। ଗରିବ ଓ ତଳ ଶ୍ରେଣୀର ଲୋକଙ୍କ ପାଇଁ କାମ କରି ପଇସା ନେଲେ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ। ସେହିପରି ଭାବେ ପୁଅ ବିଦେଶରେ ରହୁଥିବାରୁ ଏବଂ ତାଙ୍କ ପାଇଁ ସେଠାରେ ଗୋଲାପର ଶଯ୍ୟା ଥିଲେ ବି ସେ ନିଜ ଲୋକଙ୍କ ମେଳରେ ଅର୍ଥାତ‌୍‍ ଆତ୍ମୀୟସ୍ୱଜନଙ୍କ ମେଳରେ ରହିବାକୁ ନିଷ୍ପତ୍ତି କରିଥିଲେ। ନିଜ ଲୋକଙ୍କଠାରୁ ଯେଉଁ ସ୍ନେହ ଶ୍ରଦ୍ଧା ମିଳେ ତାହା ଅନ୍ୟ କେଉଁଠି ମିଳିବ ନାହିଁ ବୋଲି ସେ କହୁଥିଲେ।

 

ପର୍ଶୁରାମ ବାବୁଙ୍କର ପରଲୋକ ଖବର ଶୁଣିବା ପରେ ଅଞ୍ଚଳର ବହୁ ଲୋକ କାନ୍ଦି ପକାଇଥବା ବେଳେ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଶ୍ୟାମ ସୁନ୍ଦର ମଲ୍ଲିକଙ୍କର କୋହଭରା  ମନ୍ତବ୍ୟ ଅତ୍ୟନ୍ତ ଉଲ୍ଲେଖନୀୟ। ତାଙ୍କ କହିବାନୁସାରେ ଗତ ୭୦ ଦଶକରେ ସେରପୁର ଓ ଶ୍ରୀରାମପୁର ମଧ୍ୟରେ ସବର୍ଣ୍ଣ ଅସବର୍ଣ୍ଣ ସଂଘର୍ଷ ଘଟିଥିଲା। ଏଥିରେ ସାମିଲ‌୍‍ ହୋଇ ଅସବର୍ଣ୍ଣମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ କେତେକ ଲୋକ ତାଙ୍କୁ ପ୍ରବର୍ତ୍ତାଇଥିଲେ। ତେବେ ମହାଜ୍ଞାନୀ ଓ ଦୂରଦ୍ରଷ୍ଟା ପର୍ଶୁରାମ ବାବୁ କହିଥିଲେ ଯେ ଅସବର୍ଣ୍ଣମାନଙ୍କ ଉପରେ ଆକ୍ରମଣ କରିବା ବୋକାମୀ ଓ ମୁର୍ଖତା। କାରଣ ସେମାନେ ତୁମ୍ଭ ଉପରେ ନିର୍ଭରଶୀଳ ନୁହଁନ୍ତି, ବରଂ ତୁମ୍ଭେମାନେ ସେମାନଙ୍କ ଉପରେ ନିର୍ଭରଶୀଳ। ବରୀ ପରି ଅନଗ୍ରସର ଅଞ୍ଚଳ ସେମାନଙ୍କୁ ଛାଡି ତିଷ୍ଠିବା ଅସମ୍ଭବ। ତେଣୁ ତାଙ୍କୁ ମାରିବା ଓ ତଡ଼ିଦେବା କଥା ଛାଡି ଦିଅ, ଭୁଲ‌୍‍ ବୁଝାମଣା ଦୂର କର ନଚେତ‌୍‍ ଅସଲ ଦୁର୍ଦ୍ଦଶା ଭୋଗିବ ବୋଲି ତାଗିଦା ପୂର୍ବକ ପର୍ଶୁବାବୁ କହିଥିଲେ। ଏହାଦ୍ୱାରା ସେହି ଦୁଇଟି ଗ୍ରାମରେ ହେବାକୁ ଥିବା ଭୟଙ୍କର ହିଂସାକାଣ୍ଡ ଆପେ ଆପେ ପ୍ରଶମିତ ହୋଇଥିଲା। ବହୁ ଧନ ଜୀବନ ନଷ୍ଟ ହେବାରୁ ବଞ୍ଚି ଯାଇଥିଲା। କାରଣ ସେତେବେଳେ ବରୀ ଓ ବିଞ୍ଝାରପୁର ବ୍ଲକରେ ନିଜ ନିଜ ବାଟରେ ସବର୍ଣ୍ଣ ଓ ଅସବର୍ଣ୍ଣମାନେ ମେଳି ଆରମ୍ଭ କରି ସଂଘର୍ଷ ପାଇଁ ପ୍ରସ୍ତୁତ ହୋଇସାରିଥିଲେ ବୋଲି ଶ୍ୟାମବାବୁ ଲୁହ ଗଡାଇ କହିଥିଲେ।

 

ତାଙ୍କ ଉଦ୍ୟମରେ ବରୀ ବ୍ଲକର ଅଙ୍ଗାଳୋ, କାଇପଡା ଓ ରତ୍ନଗିରିଠାରେ ଷ୍ଟେଟ‌୍‍ବ୍ୟାଙ୍କ ସ୍ଥାପନ ହୋଇଛି। ସେ ବରୀ ଅଞ୍ଚଳର ସ୍ୱାଭିମାନ ଓ ଐତିହ୍ୟକୁ ରାଜଧାନୀ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଳାମାଟିଆ ଗୁଳିକାଣ୍ଡ ଓ ଗଣହତ୍ୟା ଘଟଣାକୁ ସେ ରାଜ୍ୟସ୍ତରୀୟ ଉତ୍ସବ କରାଇଛନ୍ତି। ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନର ସେ ଅନ୍ୟତମ କର୍ଣ୍ଣଧାର। ବିରୂପା ନଦୀ ଉପରେ ଇନ୍ଦୁପୁର-ଗମୁ ଠାରେ ସେତୁ ନିର୍ମାଣ ପାଇଁ ତାଙ୍କର ବି ଅବଦାନ ରହିଛି। ସାମଗ୍ରିକ ଭାବେ କହିବାକୁ ଗଲେ ବରୀ ଅଞ୍ଚଳର ସମସ୍ତ ବିକାଶ ଓ ସମସ୍ୟା ସହିତ ସେ ସଂପୃକ୍ତ । କିନ୍ତୁ ତାଙ୍କ ପ୍ରତିଭାକୁ ରାଜ୍ୟ ସରକାର ଚିହ୍ନିଲେ ନାହିଁ। ରାଜ୍ୟ ଯୋଜନା ବୋର୍ଡରେ ତାଙ୍କୁ ସଦସ୍ୟ ଭାବରେ ନେବାପାଇଁ ଦାବୀ ହୋଇଥିଲେ ବି ତାହା ସଫଳ ହେଲାନାହିଁ। ଦେଶର ଅନ୍ୟ ଅଞ୍ଚଳରେ ଜନ୍ମ ହୋଇଥିଲେ ତାଙ୍କୁ ନିଶ୍ଚୟ ଉଲ୍ଲେଖନୀୟ ସମାଜ ସେବା ପାଇଁ ପଦ୍ମଶ୍ରୀ ମିଳିଥାଆନ୍ତା। ଏହାହିଁ ଆମର ଦୁଃଖ ଓ ଅନୁଶୋଚନା।

 

ସେହି ମହାନ‌୍‍ ବ୍ୟକ୍ତିତ୍ୱ ତଥା ଆମର ପର୍ଶୁଭାଇଙ୍କର ମୃତ୍ୟୁ ମଧ୍ୟ ଚମକପ୍ରଦ ଓ ହୃଦୟସ୍ପର୍ଶୀ। ଜୀବନ ସାରା ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖି ଆସିଥିବା ସେହି ବ୍ୟକ୍ତିଜଣଙ୍କ ମରଣ ପୂର୍ବରୁ କାହାକୁ କଷ୍ଟ ଦେଲେନାହିଁ। ଅଚାନକ ପରଲୋକ ଗମନ କଲେ।

 

ତାଙ୍କର ଆତ୍ମାର ବ୍ରହ୍ମଲୀନ ଘଟିବ। ପରଲୋକରେ ବି ସେ ପରକଥା ଚିନ୍ତା କରିବେ।

 

ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top