‘ଆଦାୟ ହେଉ ଲକ୍ଷେ କୋଟି’

News Story - Posted on 2017-08-10

 

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଖଣି ଚୋରିରେ ସମ୍ପୃକ୍ତ ଥିବା ଖଣି ବ୍ୟବସାୟୀଙ୍କଠାରୁ ଆର୍ଥିକ ଦଣ୍ଡବିଧାନ ରାଶି ୬୮,୭୦୦ କୋଟି ଟଙ୍କା ସହିତ ଚାରିବର୍ଷର ସୁଧରାଶି ୩୨,୯୭୬ କୋଟି ଟଙ୍କା ମିଶାଇ ସମୁଦାୟ ଏକଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ସିଭିଲ‌୍‍ ସୋସାଇଟି ତରଫରୁ ଦାବୀ କରାଯାଇଛି।

 

ବୁଦ୍ଧ ମନ୍ଦିରଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସିଭିଲ‌୍‍ ସୋସାଇଟିର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶନାମାକୁ କଦର୍ଥ କରି ରାଜ୍ୟ ସରକାର ଚୋରା ଖଣି ବ୍ୟବସାୟୀଙ୍କ ଠାରୁ ମାତ୍ର ୧୭,୦୦୦ କୋଟି ଟଙ୍କାର ଜୋରିମାନା ଅର୍ଥ ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

 

୨୦୧୨ ଏବଂ ୨୦୧୩ ମସିହାରେ ରାଜ୍ୟ ସରକାର ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ଆଇନ‌୍‍ ୧୯୫୭ର ଧାରା ୨୧(୫) ଅନୁଯାୟୀ  ବେଆଇନ‌୍‍ ଭାବେ ଖଣି ଉତ୍ତୋଳନ କରିଥିବା ବା ଖଣି ଚୋରି କରିଥିବା କମ୍ପାନୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରି ସମୁଦାୟ ୬୮,୭୦୦ କୋଟି ଟଙ୍କା ପଇଠ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କମ୍ପାନୀମାନେ ରାଜ୍ୟର ସମସ୍ତ ନୀତିନିୟମକୁ ଉଲଂଘନ କରି ମନଇଚ୍ଛା ଖଣି ଉତ୍ତୋଳନ କରିବା, ଖଣି ଲିଜ ନଥାଇ ଖଣିଜ ସମ୍ପଦ ଲୁଟ‌୍‍ କରିବା, ଖଣି ଅଂଚଳରେ ପରିବେଶ ନଷ୍ଟ କରିବା ଇତ୍ୟାଦି କରି ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କାର କ୍ଷତି ଘଟାଇଥିଲେ।

 

ସୂଚନାଧିକାର କର୍ମୀ ବିଶ୍ୱଜିତ‌୍‍ ମହାନ୍ତିଙ୍କୁ ୩୧.୩.୨୦୧୭ରେ ସୂଚନା ଆଇନ‌୍‍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୮୯୭ କେସ୍‌ରେ ଅର୍ଥ ପଇଠ ପାଇଁ ନୋଟିସ‌୍‍ ପାଇଥିବା ଖଣି କମ୍ପାନୀମାନ ସରକାରୀ ନୋଟିସ‌୍‍କୁ ଚ୍ୟାଲେଞ୍ଜ କରି ଖଣି ଟ୍ରିବୁନାଲରେ ୨୪୮ଟି କେସ‌୍‍ କରିଥିଲା ଉଚ୍ଚ ନ୍ୟାୟାଳୟରେ ୬୪୯ଟି କେସ‌୍‍ କରିଛନ୍ତି। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାତ୍ର ୭ଟି କେସ‌୍‍ରେ ରହିତାଦେଶ ଦେଇଛନ୍ତି। ତେଣୁ ୨୦୧୩ ରୁ ୨୦୧୭ ମସିହା ହାରାହାରି ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଖଣି ମାଲିକମାନଙ୍କୁ କେବଳ ଦଣ୍ଡ ବିଧାନ ଅର୍ଥ ପଇଠ ପାଇଁ ନୋଟିସ‌୍‍ କରି ବସି ରହିଲେ କାହିଁକି? ରାଜ୍ୟ ସରକାର ଚାହିଁଥିଲେ ସେମାନଙ୍କର ଖଣି ଲିଜ‌୍‍ ରଦ୍ଦ କରିଦେଇ ପାରିଥାନ୍ତେ ବା ଆଇନ‌୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତେ। ଯେହେତୁ ଖଣି କମ୍ପାନୀମାନଙ୍କ ଏଜେଣ୍ଟ ଭାବେ ଶାସନ କଳ କାମ କରୁଛି, ତେଣୁ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମୁନାଫାଖୋର ଖଣି ବ୍ୟବସାୟୀଙ୍କଠାରୁ କୌଣସି ଅର୍ଥ ଆଦାୟ କଲେ ନାହିଁ। ଗୋଟିଏ ପଟେ ଚୋରା ଖଣି ବ୍ୟବସାୟୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଯାଇ ୬୮,୭୦୦ କୋଟି ଆଦାୟ ନକରିବା ଏବଂ ଅପର ପକ୍ଷରେ କେନ୍ଦ୍ରୀୟ ଅବହେଳାର ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ନିକଟରେ ଅର୍ଥ ଆଦାୟ ପାଇଁ ଦାବୀ କରିବା ରାଜ୍ୟ ସରକାରଙ୍କର କି ପ୍ରକାରର ଚରିତ୍ର ବୋଲି ସିଭିଲ‌୍‍ ସୋସାଇଟି ତରଫରୁ ପ୍ରଶ୍ନ ହୋଇଛି। ୨୦.୫.୧୭ ତାରିଖରେ ସୂଚନା ଅଧିକାର ଆଇନ‌୍‍ରେ ମିଳିଥିବା ତଥ୍ୟ ଅନୁଯାୟୀ ସରକାରଙ୍କ ନୋଟିସ‌୍‍ ଆଧାରରେ ମାତ୍ର ୨ଟି କମ୍ପାନୀ ଶିବା ସିମେଣ୍ଟ କମ୍ପାନୀ ଏବଂ ଏ.ଏନ‌୍‍. ପଟ୍ଟନାୟକ ଖଣି କମ୍ପାନୀ ଯଥାକ୍ରମେ ୬୮,୮୯,୦୧୪ ଟଙ୍କା ଏବଂ ୧,୦୫,୬୯୮ ଟଙ୍କା ପଇଠ କରିଛନ୍ତି। ଅନ୍ୟ କମ୍ପାନୀଙ୍କ ଠାରୁ ଜାଣିଶୁଣି ସରକାର ଅର୍ଥ ଆଦାୟ କରିନାହାଁନ୍ତି।

 

ଅପର ପକ୍ଷରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କୌଣସି ସ୍ଥାନରେ କମ୍ପାନୀମାନଙ୍କ ଠାରୁ ୧୭,୦୦୦କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ପାଇଁ କହିନାହାଁନ୍ତି। ତେଣୁ କମ୍ପାନୀମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ମାତ୍ର ୧୭,୦୦୦ କୋଟି ଟଙ୍କା ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପ୍ରଶାସନ ଏବଂ ଖଣି ବ୍ୟବସାୟୀମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟ ଅର୍ଥନୀତି କେତେ ବିପର୍ଯ୍ୟସ୍ତ ହୋଇଛି, ତାହା ସ୍ପଷ୍ଟ ଅନୁମେୟ।

 

ତେଣୁ ସିଭିଲ‌୍‍ ସୋସାଇଟି ତରଫରୁ ଦାବି ହୋଇଛି ଯେ ଚୋରା ଖଣି ବ୍ୟବସାୟୀଙ୍କ ପ୍ରତି କୌଣସି ଦୟା ପ୍ରଦର୍ଶନ ନକରି ୪ ବର୍ଷର ସୁଧ ସହ ଜରିମାନା ଅର୍ଥ ସମୁଦାୟ ଏକଲକ୍ଷ କୋଟି ଟଙ୍କା ଆଦାୟ କରାଯିବା ଉଚିତ। ଏହା ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶନାମାର ବିରୋଧ ନୁହେଁ। ଏହା ସହିତ ବେଆଇନ‌୍‍ ଖଣି ଉେତ୍ତାଳନରେ ସମ୍ପୃକ୍ତ ସମସ୍ତ ଖଣି ବ୍ୟବସାୟୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନ‌୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଭିଲ‌୍‍ ସୋସାଇଟି ତରଫରୁ ଦାବୀ ହୋଇଛି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ୍ତ ପ୍ରଧାନ, ସୂଚନାଧିକାର କର୍ମୀ ବିଶ୍ୱଜିତ‌୍‍ ମହାନ୍ତି, ଶ୍ରୀକାନ୍ତ ପାକଳ, ରଞ୍ଜନ କୁମାର ଦାଶ ଏବଂ ଆଇନ‌୍‍ଜୀବୀ ସୁଧୀର ମହାନ୍ତି ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top