ସୁଲତାନତ ନାହିଁ, ତଥାପି ସୁଲତାନ!

News Story - Posted on 2017-08-07

କଂଗ୍ରେସ ପାର୍ଟି ଏକ ଭୟଙ୍କର ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହୋଇଛି । ଏଥିରୁ ଦଳକୁ ଉଦ୍ଧାର କରିବା ପାଇଁ ହେଲେ ଦଳକୁ ସାମୂହିକ ଭାବେ ଉଦ୍ୟମ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ ଚାଲେଞ୍ଜର ମୁକାବିଲା କରିବାକୁ ହେବ । ଏଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସେ କହିଛନ୍ତି ଏମାନଙ୍କର ମୁକାବିଲା କରିବାକୁ ହେଲେ ଯା ଯେମିତି ଚାଲିଥାଉ ନୀତି କାମ ଦେବ ନାହିଁ । ଏଥିପାଇଁ କଂଗ୍ରେସ ବଦଳିବା ଦରକାର ।

 

ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ରମେଶ କହିଛନ୍ତି, ହଁ, କଂଗ୍ରେସ ଏକ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଛି । ପୂର୍ବରୁ କଂଗ୍ରେସ ନିର୍ବାଚନୀ ସଂକଟରେ ପଡ଼ିଥିଲା । ୧୯୯୬ରୁ ୨୦୦୪ ଯାଏଁ କଂଗ୍ରେସ କ୍ଷମତା ବାହାରେ ଥିଲା । ୧୯୭୭ ମସିହାରେ ମଧ୍ୟ କଂଗ୍ରେସ ସଂକଟରେ ପଡ଼ିଥିଲା । କିନ୍ତୁ ଏବେ କଂଗ୍ରେସ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହୋଇଛି । ଏହା ଏକ ନିର୍ବାଚନୀ ସଂକଟ ନୁହେଁ । ଦଳ ପ୍ରକୃତରେ ଏକ ଗଭୀର ସଂକଟରେ ପଡ଼ିଯାଇଛି ।

 

ସେ କହିଛନ୍ତି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୋଦି ଓ ଶାହାଙ୍କ ରାଜନୀତି ବିରୋଧରେ ଆପେଆପେ ସତ୍ତା-ବିରୋଧୀ ହାୱା ସୃଷ୍ଟି ହେବ ବୋଲି ଭାବିବା କଂଗ୍ରେସ ପାର୍ଟି ପାଇଁ ଠିକ ହେବ ନାହିଁ । ଆମକୁ ବୁଝିବାକୁ ହେବ ଯେ ଆମକୁ ସେମାନଙ୍କ ବିରୋଧରେ ଲଢ଼େଇ କରିବାକୁ ହେବ । ସେମାନେ ଭିନ୍ନ ବାଗରେ ଚିନ୍ତା କରୁଛନ୍ତି, ଭିନ୍ନ ବାଗରେ କାମ କରୁଛନ୍ତି, ଏବଂ ଆମେ ଯଦି ଆମ ଆଭିମୁଖ୍ୟରେ ନମନୀୟ ହେବୁ ନାହିଁ ଆମେ ଅପ୍ରାସଙ୍ଗିକ ହୋଇଯିବୁ ।

 

ସେ କହିଛନ୍ତି, କଂଗ୍ରେସ ପାର୍ଟି ବୁଝିବା ଉଚିତ ଯେ ଭାରତ ଅନେକ ବଦଳି ଯାଇଛି । ପୁରୁଣା ସ୍ଲୋଗାନ ଆଉ କାମ କରୁ ନାହିଁ । ପୁରୁଣା ସୂତ୍ର କାମ କରୁନାହିଁ । ପୁରୁଣା ମନ୍ତ୍ର କାମ କରୁନାହିଁ । ଭାରତ ବଦଳି ଯାଇଛି । କଂଗ୍ରେସ ପାର୍ଟିକୁ ବଦଳିବାକୁ ପଡ଼ିବ ।

 

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ନିଜ ଆଡ଼ୁ ଅନିଶ୍ଚିତତା ଦୂର କରି ୨୦୧୮ ମସିହାରେ ହେବାକୁ ଥିବା କେତେକ ରାଜ୍ୟ ବିଧାନସଭା ଓ ୨୦୧୯ରେ ହେବାକୁ ଥିôବା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବା ଉଚିତ । ସେଥିପାଇଁ ତାଙ୍କୁ ଦଳକୁ ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ପଡ଼ିବ । ରାହୁଳଙ୍କ ନେତୃତ୍ୱ ନେଇ ସେ କହିଛନ୍ତି ମୁଁ ଭାବୁଥିଲି ଏହା ୨୦୧୫ ମସିହାରେ ହେବ । ହେଲା ନାହିଁ । ପୁଣି ଭାବିଲି ଏହା ୨୦୧୬ ମସିହାରେ ହେବ । ହେଲା ନାହିଁ । ତେଣୁ ମୁଁ ଭାବିଲି ମୁଁ ଏଭଳି ପ୍ରଶ୍ନ ଉଠାଇବା ଠିକ ନୁହେଁ । ଏବେ ଭାବୁଛି ୨୦୧୭ ଶେଷ ହେବା ପୂର୍ବରୁ ଏହା ହୋଇପାରେ ।

 

କେବେ ରାହୁଳ ଦାୟିତ୍ୱ ନେବେ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ଏହା ମୁଁ କହିପାରିବି ନାହିଁ । ମୁଁ କେବଳ ଆଶା କରିପାରିବି । ୨୦୧୮ ଓ ୨୦୧୯ ପାଖେଇ ଆସିଲାଣି । ଆପଣଙ୍କୁ ନିର୍ବାଚନ ଲଢ଼ିବାକୁ ହେବ । ରାଜ୍ୟ ନିର୍ବାଚନ, ଜାତୀୟ ନିର୍ବାଚନ । ଏଭଳି ପରିସ୍ଥିତିରେ ଏଭଳି ଅନିଶ୍ଚିତତା ଠିକ ନୁହେଁ ।

 

ମୋଦି ଓ ଶାହାଙ୍କୁ ଚାଲେଞ୍ଜ ଦେବା ପାଇଁ କଂଗ୍ରେସ ପାର୍ଟିରେ କେହି ଅଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ କୌଣସି ବ୍ୟକ୍ତି ଏଭଳି ଯାଦୁକରୀ ତାବିଜ ହେବ ବୋଲି ମୁଁ କହିପାରିବି ନାହିଁ । ଏଥିପାଇଁ ଦଳର ସାମୂହିକ ଶକ୍ତିକୁ ଉପଯୋଗ କରିବାକୁ ହେବ ।

 

ଯେଉଁ କଂଗ୍ରେସ ନେତାମାନେ ଭାବୁଛନ୍ତି ଯେ ଦଳ ଏବେ ବି ସରକାରରେ ଅଛି ସେମାନଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ସୁଲତାନତ ଚାଲିଗଲାଣି, ତଥାପି ଆମେ ଭାବୁଛୁ ଆମେ ସୁଲତାନ ରହିଛୁ । ଆମେ କିପରି ଭାବୁଛୁ, କିପରି କାମ କରୁଛୁ, କିପରି ସମସ୍ୟା ଉତ୍ଥାପନ କରୁଛୁ ଏବଂ କିପରି ଭାବ ବିନିମୟ କରୁଛି ସେସବୁକୁ ପୂରା ବଦଳାଇବାକୁ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top