କିଏ କରିଛି କ୍ରସଭୋଟିଂ?

News Story - Posted on 2017-08-06

ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସଭୋଟିଂ କଲେ କି ବିଜେଡି ସାଂସଦ? ଏମିତି ଏକ ପ୍ରଶ୍ନ ଉପରେ ରାଜଧାନୀର ରାଜନୀତିକ ମହଲରେ ଜୋର ଧରିଛି ଚର୍ଚ୍ଚା ଓ ଆଲୋଚନା । କେତେ ଜଣ ବିଜେଡି ସାଂସଦ କ୍ରସଭୋଟିଂ କରିଥିବା କଂଗ୍ରେସ ସନ୍ଦେହ ପ୍ରକଟ କରିଥିବାବେଳେ ବିଜେଡି କହିଛି ଯେ ଯେଉଁମାନେ ସେପରି କରିଥିବେ ସେମାନେ ବିବେକ ଅନୁସାରେ ନୁହେଁ ଟଙ୍କା ନେଇ ସେପରି କରିଥିବେ ।

 

ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିôବା କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଏନଡିଏ ପ୍ରାର୍ଥୀ ଏମ. ଭେଙ୍କେୟା ନାଇଡ଼ୁ ଆକଳନଠାରୁ ୨୧ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ପୂର୍ବ ଘୋଷିତ ସମର୍ଥନ ଅନୁସାରେ ସେ ୪୯୫ ଖଣ୍ଡ ଭୋଟ ପାଇବା କଥା । ପାଇଛନ୍ତି ୫୧୬ ଖଣ୍ଡ ଭୋଟ । ତେଣୁ ତାଙ୍କ ସପକ୍ଷରେ ୨୧ ଜଣ ସାଂସଦ ଦଳୀୟ ନିଷ୍ପତ୍ତି ଉଲ୍ଲଙ୍ଘନ କରି ଭୋଟ ଦେଇଥିବା ସନ୍ଦେହ କରାଯାଉଛି ।

 

ରାଷ୍ଟ୍ରପତି ନିର୍ବାଚନରେ ଉପା ପ୍ରାର୍ଥୀ ମୀରା କୁମାର ୨୨୫ ସାଂସଦଙ୍କ ଭୋଟ ପାଇଥିଲେ । ସେହି ନିର୍ବାଚନରେ ବିହାରର ସଂଯୁକ୍ତ ଜନତା ଦଳ ଓ ଓଡ଼ିଶାର ବିଜୁ ଜନତା ଦଳ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସମର୍ଥନ ଘୋଷଣା କରିଥିଲେ । ଏହି ଦୁଇ ଦଳର ସାଂସଦଙ୍କ ସଂଖ୍ୟା ଯଥାକ୍ରମେ ୨୮ ଓ ୧୨ । ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଏ ଦୁଇ ଦଳ ଉପା ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥ କରିଥିଲେ । ତେଣୁ ଆଶା କରାଯାଉଥିଲା ଗୋପାଳକୃଷ୍ଣ ୨୨୫+୪୦= ୨୬୫ ଖଣ୍ଡ ଭୋଟ ପାଇବେ । ମାତ୍ର ଗଣତିରୁ ଜଣାପଡ଼ିଲା ଯେ ତାଙ୍କ ସପକ୍ଷରେ ୨୪୪ ଖଣ୍ଡ ପଡ଼ିଛି । ଅର୍ଥାତ ସେ ଆକଳନଠାରୁ ୨୧ ଖଣ୍ଡ ଭୋଟ କମ୍ ପାଇଛନ୍ତି । ଏହି ୨୧ ଖଣ୍ଡ ଭୋଟ ହିଁ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡ଼ୁଙ୍କ ସପକ୍ଷରେ ଯାଇଛି ।

 

ତେବେ କେଉଁ ଦଳର ସାଂସଦ କରିଛନ୍ତି କ୍ରସଭୋଟିଂ? ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସଭୋଟିଂ ହୋଇଥିବା ପ୍ରମାଣିତ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସନ୍ଦେହ କରାଯାଇ ପାରେ । ତାଙ୍କ କହିବା ଅର୍ଥ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦଳର କେହି କ୍ରସଭୋଟିଂ କରିଥାଇପାରନ୍ତି । କାରଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଇତିମଧ୍ୟରେ ମହାମେଣ୍ଟ ଛାଡ଼ି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିଜେପି ସହିତ ଭିତିରି ସଂପର୍କ ରଖିଥିବା ନେଇ ଆଲୋଚନା ହୋଇଆସୁଛି । ରାଷ୍ଟ୍ରପତି ନିର୍ବାଚନରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରି ବିଜେଡି ଏହି ସଂପର୍କର ସୂଚନା ଦେଇଛି ବୋଲି କଂଗ୍ରେସ ପୂର୍ବରୁ ଅଭିଯୋଗ କରିଥିଲା ।

 

ବିଜେଡିରୁ କ୍ରସଭୋଟିଂ ଚର୍ଚ୍ଚାକୁ କିନ୍ତୁ ଅସ୍ୱୀକାର କରିନାହିଁ ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କ୍ରସଭୋଟିଂକୁ ସ୍ପଷ୍ଟ ଭାଷାରେ ସ୍ୱୀକାର କରିନଥିଲେ ବି କହିଛନ୍ତି ଯେ ଯଦି କେହି କ୍ରସଭୋଟିଂ କରିଥିବେ ତେବେ ସେ ଟଙ୍କା ନେଇ ସେପରି କରିଥିବେ, ବିବେକ ଅନୁସାରେ କରି ନଥିବେ । ଯେଉଁମାନେ ଟଙ୍କା ନେଇ ରାଜନୀତି କରୁଛନ୍ତି ସେମାନେ କି ପ୍ରକାର ରାଜନୀତିଜ୍ଞ?

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭେଙ୍କେୟା ନାଇଡ଼ୁଙ୍କୁ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ପରେ ପରେ ତାହାକୁ ଟୁଇଟ୍ ଜରିଆରେ ସ୍ୱାଗତ କରିଥିଲେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଇତିମଧ୍ୟରେ କେତେକ ପ୍ରସଙ୍ଗକୁ କେନ୍ଦ୍ରକରି ପଣ୍ଡାଙ୍କର ଦଳ ପରିଚାଳନା କରୁଥିବା କେତେକ ବ୍ୟକ୍ତିଙ୍କ ସହିତ ଭଲ ପଡ଼ୁନାହିଁ । ଦଳରେ ସେ ଏକରକମ କୋଣଠେସା ହୋଇଗଲେଣି । ତେଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରର ଅନେକ ମନ୍ତ୍ରୀଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ପଣ୍ଡା ନିଜେ ଓ ତାଙ୍କ କଥାରେ ପଡ଼ି ଆଉ କିଛି ବିଜେଡି ଏମପି କ୍ରସଭୋଟିଂ କରିଥିବା ସନ୍ଦେହ କରାଯାଉଛି ।

 

ତେବେ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭେଙ୍କେୟା ନାଇଡ଼ୁ କେବଳ ଏନଡିଏ ନେତା ଭାବେ ଜିତି ନାହାନ୍ତି । ତାଙ୍କ ପ୍ରତି ବିଭିନ୍ନ ଦଳର ସମର୍ଥନ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ଯେ ଦଳମତ ନିର୍ବିଶେଷରେ ବହୁ ସାଂସଦ ସମର୍ଥନ କରୁଛନ୍ତି ତାହା ଏଥିରୁ ପ୍ରମାଣିତ । ଏନେଇ ଡାକ୍ତର ରାଉତ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ କେହି ଗମ୍ଭୀରତାର ସହିତ ନେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top