ପଣ୍ଡା-ପାଣ୍ଡିଆନ ଯୁଦ୍ଧାରମ୍ଭ!

News Story - Posted on 2017-08-03

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ ଓ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଦୁର୍ନୀତ ସଂପର୍କ ଥିବା ନେଇ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କରିଥିବା ଅଭିଯୋଗ ରୋଚକ ମୋଡ଼ ନେଇଛି । ଏହି ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର କହିଥିବାବେଳେ ବୈଜୟନ୍ତଙ୍କ ରାଜନୀତିକ ସଚିବ କହିଛନ୍ତି ଏହା ପଛରେ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କ ହାତ ରହିଛି ।

 

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଛତିଶଗଡ଼ ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ଅଜିତ ଯୋଗୀ ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠାଇଥିଲେ । ପାନାମା ପେପର୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଭିତ୍ତିରେ ସେ ଏମାନଙ୍କ ବିରୋଧରେ କେତେକ ଦୁର୍ନୀତି ଅଭିଯୋଗ ଉଠାଇବା ସହିତ ଚିଦାମ୍ବରମଙ୍କ ସହିତ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କର ସଂପର୍କ ଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ।
ଯୋଗୀଙ୍କ ଅଭିଯୋଗ ଅନୁସାରେ ଚିଦାମ୍ବରମ କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିଲାବେଳେ ପଣ୍ଡାଙ୍କର ଓର୍ଟେଲ କମ୍ୟୁନିକେସନକୁ ବିଦେଶ ପୁଂଜିନିବେଶ ଅନୁମତି ମିଳିଥିଲା । ୨୦୦୭-୦୮ ମଧ୍ୟରେ ବିଦେଶ ପୁଂଜିନିବେଶ ବୋର୍ଡ଼ର ଅନୁମତି ପାଇଁ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ କେତେକ କମ୍ପାନୀ ଲାଞ୍ଚ ଦେଇଥିଲେ ବୋଲି ଯୋଗୀ ଅଭିଯୋଗ କରିଥିଲେ । ଓର୍ଟେଲ ୬୦ କୋଟି ଟଙ୍କାର ବିଦେଶ ପୁଂଜି ଅନୁମତି ପାଇଥିଲା ବୋଲି ସେ କହିଥିଲେ ।

 

ତକ୍ରାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପତ୍ନୀ ନଳିନୀ ଚିଦାମ୍ବରମ ପଣ୍ଡାଙ୍କର ମୂଳ କମ୍ପାନୀ ଇମ୍ଫାର ଜଣେ ଶେୟାର ହୋଲ୍ଡର । ଏ ଦୃଷ୍ଟିରୁ ତାଙ୍କ ସହିତ ବ୍ୟାବସାୟିକ ସଂପର୍କ ରହିଛି । ନିଜେ ପି. ଚିଦାମ୍ବରମ ମଧ୍ୟ ପଣ୍ଡାଙ୍କ ଇମ୍ଫା ଓ ଆଇସିସିଏଲର ଓକିଲ ଭାବେ କାର୍ଯ୍ୟ କରନ୍ତି । ପଣ୍ଡାଙ୍କ କମ୍ପାନୀଙ୍କୁ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ ପଛରେ ଚିଦାମ୍ବରମଙ୍କ ଭୂମିକା ଥିଲା । ଅନ୍ୟ କେତେକ ଦୁର୍ନୀତି ଅଭିଯୋଗରେ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ପଣ୍ଡାଙ୍କ ବିରୋଧରେ ମଧ୍ୟ ତଦନ୍ତ ହେଉ ବୋଲି ଯୋଗୀ ଦାବି କରିଥିଲେ ।

 

ଯୋଗୀଙ୍କର ଏହି ଅଭିଯୋଗ ରାଜ୍ୟର କେତେକ ଖବରକାଗଜରେ ପ୍ରକାଶ ପାଇବା ପରେ ତାଙ୍କ ମାଲିକାନାଧୀନ ଓଟିଭିରେ ପଣ୍ଡାଙ୍କ ରାଜନୀତିକ ସଚିବ ଜ୍ୟୋତି ଘୋଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ପଛରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ଅଣଓଡ଼ିଆ ଅଧିକାରୀଙ୍କ ଭୂମିକା ରହିଛି ବୋଲି ପାଲଟା ଅଭିଯୋଗ କରିଛନ୍ତି । ଓଟିଭିରେ ପ୍ରସାରିତ ତାଙ୍କ ପ୍ରତିକ୍ରିୟା ଅନୁସାରେ ଇମ୍ଫା ଏକ ପବ୍ଲିକ ଲିମିଟେଡ଼ କମ୍ପାନୀ । ସେଥିରେ ଯେକେହି ଶେୟାର କିଣି ପାରିବେ । ପି. ଚିଦାମ୍ବରମ ହେଉଛନ୍ତି ଇମ୍ଫାର ଓକିଲ । କିନ୍ତୁ କାର୍ତ୍ତି ଚିଦାମ୍ବରମଙ୍କ ସହିତ କମ୍ପାନୀର କିଛି ସଂପର୍କ ନାହିଁ । ତୃତୀୟ ମହଲାର ଜଣେ ଦୁର୍ନୀତିଗ୍ରସ୍ତ ଓଡ଼ିଆ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତ କରୁଥିବା ନେଇ ବୈଜୟନ୍ତ ଅଭିଯୋଗ କରିଥିବାରୁ ସେ ଏଭଳି କରାଇଛନ୍ତି । ଅଜିତ ଯୋଗୀ ଏହିପରି ଭଡ଼ାଟିଆଙ୍କ ବନ୍ଧୁକ କାନ୍ଧରେ ପକାଇଛନ୍ତି ବୋଲି ସେ କହିଛନ୍ତି । ତୃତୀୟ ମହଲାର ଏହି ଅଫିସରଙ୍କ ନାମ ପ୍ରକାଶ କରିନଥିଲେ ବି ଜ୍ୟୋତି ଘୋଷ ଯାହାଙ୍କୁ ଇଙ୍ଗିତ କରିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକୟନ ପାଣ୍ଡିଆନ ବୋଲି ରାଜନୀତିକ ମହଲ ବିଶ୍ୱାସ କରୁଛନ୍ତି ।

 

ତେବେ ଯୋଗୀଙ୍କ ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ସୀମର ଦାଶ କହିଛନ୍ତି ।


ପ୍ରତିକ୍ରିୟା

Anand Pradhan - Email: ratnakar2111@gmail.com - Posted on 2017-08-04 09:29:40

Dear facto CM, Rasputin of Odisha

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top