କେଉ ଦଳ ପାଇବ ଘଡ଼େଇ-ଶକ୍ତି?

News Story - Posted on 2017-08-01

ଶରତ ପୋଥାଳ

 

ରାଜନୀତିରେ ପରିବାରବାଦ ଆଉ ତା ଭିତରେ ପିତା-ପୁତ୍ରଙ୍କୁ ନେଇ ଚାଲିଆସିଥିବା ରାଜନୈତିକ ପରମ୍ପରା ଅଳ୍ପ ବହୁତେ ସବୁ ରାଜନୈତିକ ଦଳ ମଧ୍ୟରେ ଦେଖିବାକୁ ମିଳିଥାଏ। ସେହି କ୍ରମରେ ଦେଖିବାକୁ ଗଲେ ଯାଜପୁର ଜିଲା ମଧ୍ୟ ଏହି ପରମ୍ପରାରୁ ବାଦ ଯାଇନାହିଁ। ଅବିଭକ୍ତ କଟକ ଜିଲାରୁ ଅଲଗା ହେବା ପୂର୍ବ ଆଉ ପରର ରାଜନୈତିକ ଇତିହାସକୁ ଅବଲୋକନ କଲେ ଦେଖାଯାଏ ଏହି ପିତା-ପୁତ୍ରର ପରମ୍ପରା ଏଇ ଜିଲାରେ ମଧ୍ୟ ବେଶ‌୍‍ ପ୍ରଭାବ ବିସ୍ତାର କରିଆସିଛି। ୭ଟି ବିଧାନସଭା କ୍ଷେତ୍ର, ୨ଟି ପୌରପରିଷଦ ଏବଂ ୧୦ଟି ବ୍ଲକକୁ ନେଇ ଗଠିତ ଯାଜପୁର ଜିଲା ରାଜନୀତି ଅନେକ ପିତା-ପୁତ୍ରଙ୍କ ରାଜନୈତିକ କାର୍ଯଧାରାକୁ ପରଖି ସାରିଲାଣି। କେତେକ ପିତାଙ୍କ ଅନ୍ତେ ତ’ ପୁଣି କେତେକ ପିତା ରାଜନୀତିରେ ସକ୍ରିୟ ଥିବା ବେଳେ ରାଜନୀତିରେ ପାଦ ଥାପିଛନ୍ତି। ଫଳ ସ୍ୱରୂପ ଅନେକ ଏଥିରେ ସଫଳ ହେବା ସହ ରାଜନୀତିରେ ପରିବାରବାଦ ପରି ପ୍ରଥାକୁ ବଳବତ୍ତର ରଖିବାରେ ସହାୟକ ହୋଇଛନ୍ତି।

 

ଏହି ପ୍ରସଙ୍ଗରେ ଆଲୋଚନ କରିବାକୁ ଗଲାବେଳେ ଯେଉଁ କୋତୋଟି ପରିବାର ବା ପିତା-ପୁତ୍ରଙ୍କ ରାଜନୈତିକ ଚିତ୍ର ଆଖି ଆଗରେ ନାଚିଯାଏ ସେମାନଙ୍କ ମଧ୍ୟରୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଏବଂ ତାଙ୍କ ପୁତ୍ର ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ କଥା ସବୁଠାରୁ ଚର୍ଚ୍ଚାପାଇଁ ବେଶ ଖୋରାକ ଯୋଗାଏ। ରାଜନୀତିର ଅଙ୍କାବଙ୍କା ରାସ୍ତାରେ କିଏ କେତେ ସଫଳ ହୋଇଛନ୍ତି ତାହାତ ଭିନ୍ନକଥା, କିନ୍ତୁ ରାଜନୀତିରେ ପରିବାରବାଦକୁ ବିଶ୍ୱାସ ରଖୁନଥିବା ଅନେକଙ୍କ ପାଇଁ ଏହି ପିତା-ପୁତ୍ରଙ୍କ ରାଜନୈତିକ ଯାତ୍ରା ଏକ ଭିନ୍ନ ଅନୁଭବ ଆଣିଦେଇଛି। ଯାଜପୁର ଜିଲା ରାଜନୀତିର ସବୁଠାରୁ ଅନୁଭବୀ ରାଜନେତା ଭାବେ ପ୍ରଫୁଲ ଚନ୍ଦ୍ର ଘଡାଇଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ସତୁରି ଦଶକ ପୂର୍ବରୁ। ଜନ କଂଗ୍ରେସରୁ ପ୍ରାରମ୍ଭିକ ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରଫୁଲ ବାବୁ ନିଜର ବିଚକ୍ଷଣତା ଆଉ ପାରଦର୍ଶିତା ବଳରେ ରାଜ୍ୟ ରାଜନୀତିର ଶିଖରରେ ପହଞ୍ଚି ପାରିଥିଲେ। ଜନ କଂଗ୍ରେସରୁ କଂଗ୍ରେସ ଏବଂ ପରେ ଅଣ କଂଗ୍ରେସ ଦଳରୁ ପ୍ରାର୍ଥି ହୋଇ ବିଭିନ୍ନ ସମୟରେ ରାଜ୍ୟ ଶାସନରେ ଭିନ୍ନ ଭିନ୍ନ ବିଭାଗର ମନ୍ତ୍ରୀ ଭାବେ ସଫଳତାର ଅନେକ ସ୍ୱାକ୍ଷର ଦେଇଯାଇଛନ୍ତି।

 

ଏକଦା ଜିଲା ରାଜନୀତିରେ ଅଖଣ୍ଡ ପ୍ରଭାବ ଥିବା ପ୍ରଫୁଲ ବାବୁ ନିଜ ରାଜନୈତିକ ଜୀବନର ଅନ୍ତ ପୂର୍ବରୁ ପୂର୍ବରୁ ନିଜର ଉତ୍ତରାଧିକାରୀ ବାଛିବାକୁ ଯାଇଁ ୨୦୦୯ ମସିହାରେ କୋରାଇ ବିଧାନସଭା ଆସନରୁ ନିଜର ପୁତ୍ର ପ୍ରତିରଞ୍ଜନ(ଡ୍ୟାନି)ଙ୍କୁ ବିଧାୟକ ଭାବେ ଅବସ୍ଥାପିତ କରାଇଥିଲେ। ଇଂଜିନିୟର ପ୍ରୀତି ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ସଫଳତା ପରେ ସଫଳତା ପାଇବାକୁ ଲାଗିଲେ। କିନ୍ତୁ ସମୟର ପରିବର୍ତ୍ତନ ସଙ୍ଗେସଙ୍ଗେ ପ୍ରଫୁଲଙ୍କ ରାଜନୈତିକ କୂଟନୈତିକ ଧାରାରୁ ଆଉପାଦେ ଆଗକୁ ଯାଇ ଡ୍ୟାନି ନିଜର ଏକ ସ୍ୱତନ୍ତ୍ର ଯୁବ ବାହିନୀ ମାଧ୍ୟମରେ କୋରେଇ ରାଜନୀତିରେ ଏକ ଭିନ୍ନ ଶାସନ ଆରମ୍ଭ କରିବାକୁ ଲାଗିଲେ। ପିତା-ପୁତ୍ରଙ୍କ ରାଜନୈତିକ ବିଚାରଧାରାରେ କିଛିଟା ପାର୍ଥକ୍ୟର କଥା ଜିଲ୍ଲା ରାଜନୀତିରେ ଗୋଟିଏ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା। ବିଜେଡିର ଅନ୍ୟତମ ସଂଖ୍ୟାଲଘୁ ନେତା ହୁସେନ ରବି ଗାନ୍ଧୀଙ୍କ ଉପରେ ଡ୍ୟାନି ବାହିନୀ ପକ୍ଷରୁ ଆକ୍ରମଣ ଉଭୟ ପିତା-ପୁତ୍ରଙ୍କ ପାଇଁ କିଛି ସମୟ ପାଇଁ ସମସ୍ୟା ସୃଷ୍ଠି କରିଥିଲା। ପରବର୍ତ୍ତୀ ସମୟରେ ପ୍ରଫୁଲ ଘଡାଇଙ୍କୁ ପ୍ୟାରୀ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ମଧ୍ୟରାତ୍ର ଷଡ଼ଯନ୍ତ୍ର ଅଭିଯୋଗରେ ମନ୍ତ୍ରୀପଦ ହରାଇବାକୁ ପଡିଥିଲା।

 

ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ବିଶେଷକରି କିଛି ପ୍ରଶାସକଙ୍କ ଦ୍ୱାରା ନବୀନ ବାବୁ ପରିଚାଳିତ ଭଳି ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମରେ ଦେଇ ଦଳରୁ ବହିଷ୍କାର ହେବାକୁ ପଡିଥିଲା। ଏପରିକି ପ୍ରତ୍ୟକ୍ଷ ରାଜନୀତିରୁ ତାଙ୍କୁ ସନ୍ୟାସ ଦେବାକୁ ମଧ୍ୟ ଦଳ ବାଧ୍ୟ କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ନଦେଇ ଉତ୍ତରାଧିକାର ସୂତ୍ରରେ ହେଉ ବା କୋରେଇରେ ଡ୍ୟାନିଙ୍କ ପ୍ରତି ଅସନ୍ତୋଷକୁ ପ୍ରଶମିତ କରିବାକୁ ହେଉ ସୁକିନ୍ଦା ରାଜନୀତିରେ ପିତାଙ୍କ ପରିବର୍ତ୍ତେ ପୁତ୍ର ଡ୍ୟାନିଙ୍କୁ ଅବସ୍ଥାପିତ କରାଯାଇଥିଲା। ସୌଭାଗ୍ୟବଶଃତ ସୁକିନ୍ଦାରେ ପରାଜୟର ମୁହଁ ଦେଖୁଦେଖୁ ଜିତିଯାଇଥିଲେ ପ୍ରୀତିରଞ୍ଜନ। ନିର୍ବାଚନ ପରେ ଜିଲ୍ଲା ରାଜନୀତିରେ ଏକ ରକମର ଅଛୁଆାଁ ହୋଇ ରହିଥିବା ଡ୍ୟାନି ନିଜର ଚେଷ୍ଟା ଆଉ ପରିଶ୍ରମ ବଳରେ ପିତାଙ୍କ ଗଡରେ ଥିବା ଅସନ୍ତୋଷକୁ କିଛି ମାତ୍ରାରେ ଦମନ କରିବାରେ ସକ୍ଷମ ହେଲେ। ଖଣି ଖାଦାନରେ ଭରା ଶିଳ୍ପ ସମୃଦ୍ଧ ସୁକିନ୍ଦାରେ ଧିରେ ଧିରେ ନିଜର ଆସ୍ଥାନ ଜମାଇ ଆସୁଥିବା ବେଳେ ନଗଡା ପରି ଅପପୁଷ୍ଟିର କଳଙ୍କ ଡ୍ୟାନିଙ୍କ ରାଜନୈତିକ ଆକାଶରେ କଳା ବାଦଲ ଢାଙ୍କି ଦେଇଥିଲା। ସାରା ଦେଶରେ ଅପବାଦର କଳଙ୍କ ରାଜ୍ୟକୁ ମୁଣ୍ଡାଇବାକୁ ପଡିଲା। ଏଭଳି ସ୍ଥିତିରେ ପ୍ରଫୁଲଙ୍କ ପ୍ରତି ସାମାନ୍ୟ କୋହଳ ହୋଇ ଆସୁଥିବା ବିଜୁ ଜନତା ଦଳର ମୁଖ୍ୟ ପୁନର୍ବାର କଠୋର ହୋଇପଡବାର ଲକ୍ଷ କରାଯାଉଛି।

 

ଦୀର୍ଘ ବର୍ଷର ଶାସନ ପରେ ଅପପୁଷ୍ଟିର କଳଙ୍କ ପାଇଁ ପ୍ରଫୁଲ ବାବୁ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ହେଲା। ଯାହକୁ ନେଇ ପ୍ରଫୁଲଙ୍କ ଘରବାହୁଡା ପର୍ବ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ଚର୍ଚ୍ଚା ହେଉଛି। ଅପର ପକ୍ଷରେ ରାଜନୀତିରେ ଖୁବ‌୍‍ ଅଭିଜ୍ଞ ପ୍ରଫୁଲ ବାବୁଙ୍କୁ ବିଜୁ ଜନତା ଦଳ ଅଲୋଡା ଭାବୁଥିଲେ ବି ତାଙ୍କୁ କିନ୍ତୁ ଏବେବି ରାଜନୀତିରେ ଆହୁରି କିଛିବର୍ଷ କାମ କରିପାରିବେ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା ଜାରୀ ରଖିଛନ୍ତି। ଅଦ୍ୟାବଧି ଦଳପ୍ରତି ଥିବା ତାଙ୍କ ଆନୁଗତ୍ୟକୁ ସେ ବାରମ୍ୱାର ପ୍ରମାଣିତ କରିବାକୁ ଯାଇ ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ସୁକିନ୍ଦା ଏବଂ କୋରେଇରେ ନିଜର ରାଜନୈତିକ ଗୋଟି ଚାଳନା କରିଛନ୍ତି। ସେହି କ୍ରମରେ ବିଜୁ ଜନତା ଦଳର ସୁପ୍ରିମୋ ଆଗାମୀ ଦିନରେ ଦଳକୁ ରକ୍ଷା କରିବାକୁ ଯାଇ ବିଗତ ଦିନରେ ଦଳରୁ ବିତାଡିତ କିଛି ବରିଷ୍ଠ ନେତାମାନଙ୍କୁ ପାଖକୁ ଆଣିବାକୁ ଚେଷ୍ଠା ଆରମ୍ଭ କରିଛନ୍ତି। ବାଲେଶ୍ୱର ରାଜନୀତିରେ ଦୀର୍ଘ ଦିନହେବ ବାଦ ପଡିଥିବା ରଘୁ ମହାନ୍ତିଙ୍କ ଘର ଲେଉଟାଣି ପରେ ସମସ୍ତଙ୍କର ନଜର ଏବେ ଯାଜପୁରର ଏହି ବରିଷ୍ଠ ନେତାଙ୍କ ଉପରେ।

 

ନିକଟରେ ଜିଲ୍ଲା ରାଜନୀତିରେ ମୁରବୀ ସଙ୍କଟ ପାଇଁ ଦଳକୁ ଅନେକ ପାଉଣା ଦେବାକୁ ପଡିଛି। ପଞ୍ଚାୟତ ନିର୍ବାଚନରେ ବିଫଳତା ଏବଂ ଭାରତୀୟ ଜନତା ପାର୍ଟିର କାୟା ବିସ୍ତାର ରାଜ୍ୟ ନେତୃତ୍ୱକୁ ଯାଜପୁର ଜିଲ୍ଲା ରାଜନୀତିକୁ ସଜାଡିବା ପାଇଁ ଏକ ରକମର ବାଧ୍ୟ କରିଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ବାରମ୍ୱାର ଗସ୍ତ ଆଉ ଜିଲ୍ଲାର ବହୁ ଟାଣୁଆ ନେତାଙ୍କ ବିଜେପିରେ ଯୋଗଦାନ ପରୋକ୍ଷରେ ପ୍ରଫୁଲଙ୍କୁ ଦଳକୁ ଫେରାଇ ଆଣିବାକୁ  ନବୀନଙ୍କୁ ବାଧ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରଫୁଲଙ୍କ ଘର ଲେଉଟାଣି ଯେତେ ଡେରି ହେଉଛି ଜିଲ୍ଲା ରାଜନୀତି ମଧ୍ୟ ସେତିକି ଜଟିଳ ହୋଇ ଚାଲିଛି। ନିଷ୍ପତ୍ତି ନେବାରେ ନବୀନ ବାବୁ ଡେରିକଲେ ଭାରତୀୟ ଜନତା ପାର୍ଟି ଉଭୟ ପିତା-ପୁତ୍ରଙ୍କୁ ଆଦରି ନେଇପାରେ ବୋଲି ମଧ୍ୟ ଏଡାଇ ଦିଆଯାଇ ନପାରେ। ଏକଥା ମଧ୍ୟ ଶୁଣିବାକୁ ମିଳୁଛି ବିଜେପିର ଜଣେ ରାଜ୍ୟ ନେତୃତ୍ୱଙ୍କ ମଧୁର ସମ୍ପର୍କ ଲାଗୁଥିବା ପ୍ରଫୁଲ ବାବୁଙ୍କୁ ବିଜେପିରେ ଯୋଗଦାନ ପାଇଁ ପ୍ରାୟତଃ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ ହୋଇଛି।

 

ଦେଖିବାକୁ ଗଲେ ଡ୍ୟାନିଙ୍କ ପ୍ରତିଥିବା ତାଙ୍କୁ ପୁରୁଣା ସଙ୍ଗଠନର ସମର୍ଥନ ଆଉ ସହଯୋଗ ଏବେବି କୋରେଇରେ ଅବ୍ୟାହତ ରହିଛି। ଏବେବି ଏକ ଛାମୁଆଁ ସଙ୍ଗଠନ କୋରେଇରେ ଡ୍ୟାନିଙ୍କ ନାଁରେ ତାର ଗୁରୁତ୍ୱକୁ ବଜାୟ ରଖିବାରେ ସକ୍ଷମ ହୋଇଚାଲିଛି। ଆଗାମୀ ଦିନରେ ଯଦି ଜିଲ୍ଲା ରାଜନୀତିରେ ପିତା-ପୁତ୍ରଙ୍କୁ ସଠିକ ଢଙ୍ଗରେ ଅବସ୍ଥାପିତ କରାନଯାଏ ତେବେ ଦୀର୍ଘ୍ ଦୁଇ ଦଶନ୍ଧୀ ଧରି ଜିଲ୍ଲାରେ ନିଜର ଅଖଣ୍ଡ ପ୍ରଭାବ ବିସ୍ତାର କରିଆସିଥିବା ବିଜୁ ଜନତା ଦଳ ଏକ ଭୟଙ୍କର ସଙ୍କଟକୁ ସାମ୍ନା କରିବ ଏଥରେ ସନ୍ଦେହ ନାହିଁ। ତେବେ ସବୁଠୁ ବେଶି ଚର୍ଚ୍ଚା ହେଉଥିବା ପ୍ରସଙ୍ଗଟି ହେଲା ଏବେ ପ୍ରଫୁଲ କରିବେ କ’ଣ ? ବେଳ ଥାଉଁ ଥାଉଁ ନିଜର ପାଇଁ ରାସ୍ତା ନବାଛିଲେ ନେଡ଼ିଗୁଡ କହୁଣିକୁ ବୋହିଗଲେ କେବଳ ଭାବିବା ସାର ହେବ।

 

ସମୟ ଯେତିକି ଗଡି ଚାଲିଛି ରାଜନୈତିକ ରାସ୍ତା ସେତିକି କଣ୍ଟକମୟ ହୋଇ ଚାଲିଛି। ଯଦି ଶେଷ ମୁହୂର୍ତ୍ତରେ ବିଜେଡି ପିତା-ପୁତ୍ରଙ୍କୁ ଉପଯୁକ୍ତ ଥଇଥାନ ନକରେ ତେବେ ବିକଳ୍ପ ରାସ୍ତାରେ ମଧ୍ୟ ଅନେକ ଆଶାୟୀ ଭିଡ ଜମେଇ ସାରିଥିବେ। କୋରେଇରେ ପୂର୍ବତନ ବିଧାୟିକା ସଞ୍ଚିତାଙ୍କ ସମେତ ସଦ୍ୟ ସ୍ୱପ୍ନ ଦେଖୁଥିବା ବିଶ୍ୱଜିତ ନାୟକ, ଅଶୋକ ବଳ ଆଉ ଆଲେକଜାଣ୍ଡାର ଦାସ ସମସ୍ୟା ସୃଷ୍ଟି କରିବେ ଏଥରେ ଦ୍ୱିମତ ନାହିଁ। ଯଦିଓ ବିଜେପିର ୟୁ.ପି ଫର୍ମୁଲା ଅନୁସାରେ ବିଜୟୀ ସମ୍ଭାବନାକୁ ଅଧିକ ଗୁରୁତ୍ୱ ଦୃଷ୍ଠିରୁ ବିଚାର କଲେ ପିତା-ପୁତ୍ରଙ୍କ ଶେଷ ସମୟରେ ଯୋଗଦାନ ହୁଏତ କିଛିଟା ଆସ୍ୱସ୍ଥ କରିପାରେ। କିନ୍ତୁ କେଉଁ ଦଳ ଉଭୟଙ୍କ ପାଇଁ ଉପଯୁକ୍ତ ହେବ ତାହା ସମୟ କହିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top