ଦୁର୍ନୀତି ଦୋଷରେ ହଟିଲେ ନବାଜ ଶରିଫ

News Story - Posted on 2017-07-28

ପାନାମା ପେପର ଲିକ୍ ମାମଲାରେ ଆଜି ପାକିସ୍ଥାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶରିଫ୍ ପାକିସ୍ଥାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବରେ ଏହା ଥିଲା ତାଙ୍କର ତୃତୀୟ କାର୍ଯ୍ୟକାଳ । ତାଙ୍କର ଗତ ୩ଟି କାର୍ଯ୍ୟକାଳ ତାଙ୍କର ଅସମ୍ପୂର୍ଣ୍ଣ ରହିଥିଲା । ସେ ଇସ୍ତଫା ଦେବା ପରେ ତାଙ୍କ ସାନ ଭାଇ ଶାହାବାଜ ନବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ଶାହାବାଜ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି ।

 

ଶୁକ୍ରବାର ପାନାମା ମାମଲାରେ ପାକିସ୍ତାନ ସୁପ୍ରିମ କୋର୍ଟ ଐତିହାସିକ ରାୟ ଶୁଣାଇ ଶରିଫ୍ଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ସେ ଦେଶ ସହିତ ସଚ୍ଚୋଟ ଅଚାରଣ ପ୍ରଦର୍ଶନ କରି ନଥିବାରୁ ତାଙ୍କର ସଂସଦ ସଦସ୍ୟ ପଦକୁ କୋର୍ଟ ରଦ୍ଦ କରିଛନ୍ତି । ଫଳରେ ସେ ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ପାକିସ୍ତାନର ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଶରିଫଙ୍କୁ ଆଜୀବନ ଅଯୋଗ୍ୟ ଘୋଷଣା କରିଛନ୍ତି ସୁପ୍ରିମ କୋର୍ଟ । ଶରିଫ ଓ ତାଙ୍କ ପରିବାରର ଅନ୍ୟ କେତେକ ସଦସ୍ୟଙ୍କ ବିରୋଦରେ ଫୌଜାଦରୀ ମାମଲା ରୁଜୁ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

ସୁପ୍ରିମ କୋର୍ଟର ବିଚାରପତି ଆସିଫ ସଇଦ ଖୋସା, ଗୁଲଜାର ଅହମଦ, ଶେଖ ଅଜମତ ସଇଦ, ଇଜାଜୁଲ ଏହସାନ ଏବଂ ଇଜାଜ ଆଫଜଲ ଖାଁଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିଚାରପତି ଇଜାଜ ଆଫଜଲ ଖାଁ କହିଛନ୍ତି ଯେ ଶରିଫଙ୍କ ସମେତ ତାଙ୍କ ଝିଅ ମରୟାମ ନବାଜ, ଜ୍ୱାଇଁ କ୍ୟାପ୍ଟେନ ମହମ୍ମଦ ସଫଦାର, ଦୁଇ ପୁଅ ହସନ ଏବଂ ହୁସେନ ନବାଜଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଚାଲିବ ଓ ଏହାର ରାୟ ୩୦ ଦିନ ଭିତରେ ପ୍ରକାଶ ପାଇବ ।

 

ନିଷ୍ପତ୍ତି ଶୁଣାଇଥିବା ବିଚାରପତି କହିଛନ୍ତି ଶରିଫ ପାକିସ୍ଥାନୀ ସଂସଦ ଓ ଅଦାଲତ ଆଗରେ ସଚ୍ଚୋଟ ଆଚରଣ ପ୍ରଦର୍ଶନ କରିାହାନ୍ତି । ତାଙ୍କୁ ପାନାମା ମାମଲାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷିତ କରାଯାଉଛି । ପାକିସ୍ଥାନ ସମ୍ବିଧାନର ଅନୁଚ୍ଛେଦ ୬୨ ଓ ୬୩ ଆଧାରରେ ସୁପ୍ରିମକୋର୍ଟ ବେଞ୍ଚ ୫-୦ରେ ବହୁମତ ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷିତ କରିଛନ୍ତି । ନବାଜ ଶରିଫ ଓ ତାଙ୍କ ପରିବାର ନାମରେ ବିଦେଶରେ କୋଟିକୋଟି ଟଙ୍କାର ସଂପତ୍ତି ଥିବା ପାନାମା ପେପରରେ ଲିକ୍ ହୋଇଥିଲା । ଶରିଫ କହିଥିଲେ ଯେ ଏହା ତାଙ୍କର ବ୍ୟବସାୟରୁ ଉପାର୍ଜିତ ହୋଇଛି । କିନ୍ତୁ ସେ ଏହିସବୁ ସଂପତ୍ତି ବିଷୟରେ ପୂର୍ବରୁ ଘୋଷଣା କରିନଥିଲେ ।

 

ପାନାମାଗେଟ ସ୍କାଣ୍ଡାଲର ତଦନ୍ତ କରି ଯୁଗ୍ମ ତଦନ୍ତକାରୀ ଦଳ ଯେଉଁ ତଥ୍ୟପ୍ରମାଣ ପାଇଛନ୍ତି ସେସବୁକୁ ପାକିସ୍ତାନର ଜାତୀୟ ଉତ୍ତରଦାୟ ପରିଷଦକୁ ପଠାଇ ଦିଆଯିବ ବୋଲି କୋର୍ଟ ରାୟ ଦେଇଛନ୍ତି । ତୁରନ୍ତ ଦେଶର ଶାସନ ଭାର ଗ୍ରହଣ କରିବାକୁ ତଥା ଗଣତାନ୍ତ୍ରିକ କ୍ଷମତା ହସ୍ତାନ୍ତର ତଦାରଖ କରିବା ପାଇଁ କୋର୍ଟ ରାଷ୍ଟ୍ରପତି ମାମୁନ ହୁସେନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି ।

 

ଶରିଫ୍ଙ୍କ ବିରୋଧରେ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟର କକ୍ଷ ନମ୍ବର ୧ ରେ ଶୁଣାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଆଖପାଖରେ ବହୁୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।

 

ପଦରୁ ଇସ୍ତଫା ଦେବା ପରେ ନବାଜ ତାଙ୍କ ସାନ ଭାଇ ଶାହବାଜ ଶରିଫଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି । ଶାହବାଜ ଏବେ ପାକିସ୍ଥାନ ସଂସଦର ନିମ୍ନ କକ୍ଷ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଯାହାଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ କରାଯାଇ ନପାରେ । ସେଥିପାଇଁ ତାଙ୍କୁ ନିର୍ବାଚନ ଲଢିବାକୁ ହେବ । ପାକ ଗଣମାଧ୍ୟମର ସୂଚନା ଅନୁସାରେ ଶାହବାଜ ଉପନିର୍ବାଚନରେ ବିଜୟୀ ନହେଲା ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କୁ ୪୫ ଦିନ ପାଇଁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇପାରେ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶରିଫଙ୍କ ପରିବାର ବିଦେଶରେ ସମ୍ପତ୍ତି ଅର୍ଜନ କରିବାର ଆରୋପର ଯାଞ୍ଚ ପାଇଁ ଏକ ଦଳ ଗଠନ ହୋଇଥିଲା । ଏହି ଦଳ ତଥା ଜେଆଇଟି ଗତ ୧୦ ଜୁଲାଇରେ ନିଜ ରିପୋର୍ଟ ଜମା କରିଥିଲେ । ରିପୋର୍ଟରେ ସରିଫ୍ଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ କରିବା ପାଇଁ କୁହାଯାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top