ସମୟ କଳିବ ନୀତୀଶଙ୍କ ଲାଭକ୍ଷତି

News Story - Posted on 2017-07-27

ଗୋଟେ ପଟେ ଦୁର୍ନୀତି ବିରୋଧୀ ଭାବମୂର୍ତ୍ତି । ଅନ୍ୟ ପଟେ ସାଂପ୍ରଦାୟିକ ଶକ୍ତିଙ୍କ ମୁକାବିଲା । ଉଭୟ ସଂକଟରେ ପଡ଼ି ଶେଷରେ ଦୁର୍ନୀତିର ହାତ ଛାଡ଼ି ସାଂପ୍ରଦାୟିକ ଶକ୍ତିର ହାତ ଧରିଲେ ବିହାରର ନୀତୀଶ କୁମାର । ଗୁଜରାଟ ଦଙ୍ଗାରେ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ପ୍ରସଙ୍ଗ କରି ଯେଉଁ ନୀତୀଶ କୁମାର ସାଢ଼େ ଚାରି ବର୍ଷ ତଳେ ଏନଡିଏ ଛାଡ଼ିଥିଲେ ଏବେ ଦୁର୍ନୀତିକୁ ପ୍ରସଙ୍ଗ କରି ସେ ନିଜେ ଗଢ଼ିଥିବା ମହାମେଣ୍ଟ ଭାଙ୍ଗିଲେ ଓ ପୁଣି ଏନଡିଏକୁ ଫେରିଲେ । ଏଥିରେ ତାଙ୍କର ଲାଭ କ’ଣ ହେଲା ଓ କ୍ଷତି କ’ଣ ହେବ ତାହାର ହିସାବ ନିକାଶ ସେ ନିଜେ କରିବେ, ପଛରେ । ବିହାର ଲୋକମାନେ ମଧ୍ୟ ତାହାର ହିସାବନିକାଶ କରିବେ ।

 

କିନ୍ତୁ ଜୁଲାଇ ୨୬ ତାରିଖରେ ମାତ୍ର ୫ ଘଣ୍ଟା ଭିତରେ ବିହାର ରାଜନୀତିରେ ଯେଉଁ ପରିବର୍ତ୍ତନ ଘଟିଲା ତାହା ଯେ ଏକ ଯୋଜନାବଦ୍ଧ ନାଟକ ଥିଲା ତା’ ବୁଝିବାକୁ ଆଉ ବାକି ନାହିଁ । ମେଣ୍ଟସାଥୀ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ସିବିଆଇ ବେନାମୀ ସଂପତ୍ତି ମାମଲା ଉଠାଇଲା ପରଠୁଁ ଏହି ନାଟକର କାହାଣୀ, ସଂଳାପ ଓ ଦୃଶ୍ୟ ସବୁ ରଚନା କରାଯାଇଥିଲା । ଏହା ପରଠୁଁ ସେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା, କଂଗ୍ରେସ ଆବାହନରେ ବସୁଥିବା ମିଳିତ ବିରୋଧୀ ଦଳଙ୍କ ବୈଠକରେ ଯୋଗ ନଦେବା, ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ କରିବା ଆଦି ଘଟଣା ଥିଲା ଏହି ନାଟକର ଗୋଟିଏ ଗୋଟିଏ ଦୃଶ୍ୟ ।
ଏକଥା ସତ ଯେ ନୀତୀଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ବିରୋଧରେ ଉଠିଥିବା ବେନାମୀ ସଂପତ୍ତି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । କିନ୍ତୁ ତାଙ୍କ ବାପା ଲାଲୁ ଯାଦବ ଯେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲେ ତାହା ତ ନୀତୀଶ ଜାଣିଥିଲେ! କୋଇଲା ଦୁର୍ନୀତି, ଟୁଜି ଦୁର୍ନୀତି ଆଦି ବହୁବିଧ ଦୁର୍ନୀତିରେ ଛନ୍ଦି ହେବା ପରେ ୨୦୧୪ ନିର୍ବାଚନରେ କଂଗ୍ରେସର ଯେଉଁ ଶୋଚନୀୟ କ୍ଷତି ହେଲା ତାହା ବି ସେ ଜାଣିଥିଲେ । ଏହା ଜାଣିବା ପରେ ମଧ୍ୟ ସେ କାହିଁକି କଂଗ୍ରେସ ଓ ଲାଲୁଙ୍କ ସହିତ ମେଣ୍ଟ କଲେ? ସେତେବେଳେ କ’ଣ ଦୁର୍ନୀତି ଅଭିଯୋଗ ତାଙ୍କୁ ବାସୁଥିଲା? ନା ସେତେବେଳେ ବିଜେପି ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ସୁବିଧାବାଦର ରାଜନୀତିକୁ ଆପଣେଇଥିଲେ? ଆଉ ଏବେ ପୁଣି ଉଭୟ ଲାଲୁ ଓ କଂଗ୍ରେସର ହାତ ଛାଡ଼ି ସେ ପୁଣି ଥରେ ସେହି ସୁବିଧାବାଦୀ ରାଜନୀତିର ପ୍ରମାଣ ଦେଲେ ନାହିଁ କି?

 

ବିହାର ଓ ଜାତୀୟ ରାଜନୀତିରେ ଏବେ ନୀତୀଶଙ୍କର ଏହି କାୟା ପଲଟ ରାଜନୀତି ନେଇ ଏମିତି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଦେଶର ଜଣେ ଦୁର୍ନୀତି ବିରୋଧୀ ନେତା ଭାବେ ଭାବମୂର୍ତ୍ତି ଅର୍ଜନ କରିଥିବା ନୀତୀଶଙ୍କ ଆଗରେ ଆଉ ବିକଳ୍ପ କ’ଣ ଥିଲା? ଲାଲୁ ଯଦି ତାଙ୍କ ସାନ ପୁଅ ତେଜସ୍ୱୀକୁ ଇସ୍ତଫା ଦେବାକୁ କହିଥାନ୍ତେ, ବଡ଼ ପୁଅକୁ ଉପମୁଖ୍ୟମନ୍ତ୍ରୀ କରାଇଥାନ୍ତେ ତେବେ ବିହାର ମହାମେଣ୍ଟ ସରକାର ବଜାୟ ରହି ନଥାନ୍ତା କି? ନୀତୀଶ ଏଇଆ ଚାହୁଁଥିଲେ । କିନ୍ତୁ ଲାଲୁ ତାଙ୍କ କଥା ଶୁଣିଲେ ନାହିଁ । ତେଣୁ ନୀତୀଶ ସମ୍ଭବତଃ ଲାଲୁଙ୍କ ଦୁର୍ନୀତିର ବୋଝ ଉତାରିବାକୁ ଅଧିକ ପସନ୍ଦ କଲେ । ଭଲ କଲେ । ତେବେ ସେ ଖାଲି ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ କାହିଁକି? ବିହାର ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କଲେ ନାହିଁ କାହିଁକି? ତାହା ତାଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ୱଳ କରିଥାନ୍ତା । କିନ୍ତୁ ସେ ତାହା କଲେ ନାହିଁ । କ୍ଷମତାରେ ରହିବା ପାଇଁ ପୁଣି ଥରେ ବିଜେପି ହାତ ଧରିଲେ ।

 

ସେ କ’ଣ ବୁଝିଲେ ଯେ ଏବର ବିଜେପି ଓ ନରେନ୍ଦ୍ର ମୋଦି ୨୦୧୩ର ବିଜେପି ଓ ନରେନ୍ଦ୍ର ମୋଦିଙ୍କଠାରୁ ସଂପୂର୍ଣ୍ଣ ଅଲଗା? ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି କ’ଣ ଦେଶରେ ସାଂପ୍ରଦାୟିକ ରାଜନୀତି କରନ୍ତି ନାହିଁ? ସେମାନେ କ’ଣ ହିନ୍ଦୁତ୍ୱକୁ ପ୍ରସଙ୍ଗ କରି ଦେଶରେ ଜନ-ବିଭାଜନ ସୃଷ୍ଟି କରୁ ନାହାନ୍ତ? ଗାଈଙ୍କ ସୁରକ୍ଷା ଆଳରେ ନିରପରାଧ ମଣିଷମାନଙ୍କୁ ହତ୍ୟା କରୁ ନାହାନ୍ତି? ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଯେତେ ଯାହା କହିଲେ ବି ଏଭଳି ଅପରାଧ ଓ ଉତ୍ତେଜନା ସୃଷ୍ଟି କରୁଥିବା ହିନ୍ଦୁତ୍ୱବାଦୀ ଶକ୍ତିଙ୍କୁ ବିଜେପି ଓ ସଂଘ ପରିବାର ସାମାଜିକ ଓ ରାଜନୀତିକ ବାସନ୍ଦ କରିଛନ୍ତି କି?

 

ଉତ୍ତର ଏକ ବଡ଼ ନା । ତେବେ ନୀତୀଶ କାହିଁକି ବଦଳିଲେ? ସେ କହୁଛନ୍ତି ବିହାରର ସ୍ୱାର୍ଥ ପାଇଁ । ଏ ସ୍ୱାର୍ଥ କ’ଣ? କେନ୍ଦ୍ରରୁ କିଛି ଅଧିକ ଅନୁଦାନ? କେନ୍ଦ୍ର ସରକାରରେ ଗୋଟେ ଦି’ଟା ମନ୍ତ୍ରୀ ପଦ? ଏଇ ସ୍ୱାର୍ଥ ପାଇଁ କ’ଣ ବିଜେପିକୁ ସେ ଗଙ୍ଗାପାଣିରେ ଧୋଇ ପବିତ୍ର କରିଦେଲେ?

 

ସମୟ ଏହାର ଉତ୍ତର ଦେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top