ଟିକିଏ ଧ୍ୟାନ ଦେବା କି?

News Story - Posted on 2017-07-25

ରତ୍ନେଶ୍ବର ସାହୁ

 

ଅନେକ ସମୟରେ କିଛି ଲୋକ ଆପଣଙ୍କୁ ବିଭିନ୍ନ ପ୍ରକାର କଥା କହିବେ। କେତକ ଲୋକଙ୍କ କଥା ଆପଣଙ୍କୁ ଭାବନା ରାଇଜରେ ବୁଡି ରହିବା ପାଇଁ ସୁଯୋଗ ଦିଏ ବା ବାଧ୍ୟ କରେ। ଆପଣ ନିଜ ବ୍ୟକ୍ତିଗତ ସମସ୍ୟାଠାରୁ ଦୂରେଇ ଯାଇ ଏକ ବଡ ସମସ୍ୟା ଆସି ମୁଣ୍ଡ ଉପରେ ଅଛି ବୋଲି ଭାବିବେ।

 

ଏହା କିନ୍ତୁ ବାସ୍ତବରେ ଠିକ ସେଇଆ ନୁହେଁ। ଆପଣଙ୍କୁ ଭ୍ରମରେ ରଖିବା ପାଇଁ ଏହା ଏକ ପ୍ରକ୍ରିୟା ମାତ୍ର। ଆପଣ ଏହି ପ୍ରକ୍ରିୟାରୁ ନିଜକୁ ଅତି ଆରାମରେ ଦୂରେଇ ପାରିବେ। ଆପଣଙ୍କୁ ଭାବନା ରାଇଜରେ ବୁଡାଇବାକୁ ଚେଷ୍ଟା କରୁଥିବା ଲୋକମାନଙ୍କୁ ଭାବନା ରାଇଜରେ ବୁଡାଇ ପାରିବେ। କିଛି ପ୍ରଶ୍ନ ଆପଣ ମଧ୍ୟ ସେମାନଙ୍କ ପାଇଁ ତିଆରି କରନ୍ତୁ। ଯେତେବେଳେ ସେମାନେ ଆପଣଙ୍କୁ କହୁଛନ୍ତି ଆପଣ ପଚାରନ୍ତୁ। ଏହା ଦ୍ବାରା ମୋର କ’ଣ ଲାଭ ହେବ? ଏହା କଲେ ଆପଣଙ୍କର କ’ଣ ଲାଭ ହେବ? ଏହା ଦ୍ବାରା ସମାଜର କ’ଣ ଲାଭ ହେବ? ଏହାର ସୁଦୂର ପ୍ରସାରୀ ପ୍ରଭାବ ଆଗାମୀ ପିଢି ପାଇଁ କ’ଣ ହେବ?

 

ଦୁନିଆ ଆମଠାରୁ ଆରମ୍ଭ ହୋଇ ନାହିଁ କି ଆମ ପରେ ଦୁନିଆ ଶେଷ ହୋଇଯିବ ନାହିଁ। ଆମ ପୂର୍ବରୁ ଆମର ଜେଜେ, ଅଜା ଏବଂ ତାଙ୍କର ଜେଜେ, ଅଜା ଥିଲେ। ଆଗାମୀ ଦିନରେ ଆମର ପରବର୍ତ୍ତୀ ପିଢି ମଧ୍ୟ ଆସିବେ। ତେଣୁ ସେମାନେ କିପରି ବଞ୍ଚିବେ? ଆଜି ଆମେ କ’ଣ ଖରାପଟା ଅନୁଭବ କରୁଛେ ଏବଂ ଏହା ଚାଲିଗଲେ କ’ଣ ଭଲଟା ଅନୁଭବ କରିବା? ଆଜି ଆମେ କ’ଣ ଭଲଟା ଅନୁଭବ କରୁଛେ ଏବଂ ଏହା ଚାଲିଗଲେ କ’ଣ ଖରାପଟା ଅନୁଭବ କରିବା? ଯଦି କିଛି ଭଲ ନାହିଁ ତାହାହେଲେ ଆଜି ପର୍ଯ୍ୟନ୍ତ ଆମେ କିପରି ବଞ୍ଚିଛେ? ଆମର ମାନସିକତା ଏବଂ କାର୍ଯ୍ୟରେ କି ପ୍ରକାର ଭୁଲ ରହିଯାଇଛି? ଏହି ଭୁଲ କ’ଣ ପ୍ରଭାବ ପକାଇଛି? କେବଳ ଏହି ଭୁଲ ବା ଅସୁବିଧା ରହିଛି ନା ଆଉ କିଛି ଭୁଲ ଓ ଅସୁବିଧା ରହିଛି?

 

 ପ୍ରକୃତରେ କିଏ ଯଦି କିଛି କହିଦେଲା ଆମେ ସେହି ବ୍ୟକ୍ତିଙ୍କୁ ପ୍ରଶ୍ନ ନ ପଚାରିବା ଫଳରେ ନିଜେ ଅଧା ଜାଣିବା ଭଳି ରହିଯାଉଛେ। ଏହାର ପ୍ରଭାବରେ ଆମେ ଆଗକୁ ଯାଇ ପାରୁନେ। ଆମ ପାଖରେ ଉପଯୁକ୍ତ ଜ୍ଞାନ ନାହିଁ। ଏହି ସମସ୍ୟା ଯୋଗୁଁ ଆମର ଜ୍ଞାନ ମଧ୍ୟ ବଢିପାରେ ନାହିଁ।

 

ଏକ ଉଦାହରଣ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି। ଗୋଟିଏ ସମୟରେ ସରକାର ନିଷ୍ପତ୍ତି ନେଲେ ଯେ ଘରୋଇ ଓ ସରକାରୀ ସହଭାଗିତାରେ ଶିକ୍ଷା କ୍ଷେତ୍ର ଚାଲିବ। ଏହା ପରେ କେତେ ଜଣ କହିଲେ ଏହା ବିରୋଧରେ ପ୍ରତିବାଦ ହେବା ଆବଶ୍ୟକ। କେତେ ଜଣଙ୍କୁ ଏହି ବିଷୟରେ ପଚାରି ମତ ସଂଗ୍ରହ କରିଥିଲି। ଜଣେ କହିଲେ କାହିଁକି ଏତେ କମ ପରିମାଣର ବିଦ୍ୟାଳୟ ଘରୋଇ କ୍ଷେତ୍ରକୁ ଦିଆଯିବ? ଯଦି ଦେବାର ଅଛି ତାହାହେଲେ 75 ଭାଗ ବିଦ୍ୟାଳୟ ଘରୋଇବାଲାଙ୍କୁ ଦିଆଯାଉ। ଆଉ ଜଣେ କହିଲେ, ଭାଇ ଘରୋଇ ବିଦ୍ୟାଳୟର ପିଲାମାନେ କେତେ ସ୍ମାର୍ଟ! ତେଣୁ ଯଦି ଦିଆଯିବ ଅଧିକ ବିଦ୍ୟାଳୟ ଦେଲେ ସିନା କିଛି ସୁଫଳ ମିଳିବ! ଆଉ ଜଣେ କହିଲେ ଭାଇ ଆମେ ସରକାରଙ୍କୁ ଟିକସ ଦେଉଛୁ। ତେଣୁ ସରକାରଙ୍କୁ ଆମେ କିଛି କହିପାରିବୁ। କିନ୍ତୁ ଯଦି ଘରୋଇ କ୍ଷେତ୍ର ବାଲା ବିଦ୍ୟାଳୟର ଦାୟିତ୍ବ ନେବେ ଆମେ କିଛି ଅସୁବିଧା ହେଲେ କାହାକୁ କହିବୁ? ଶୁଣିବ କିଏ? ଯେହେତୁ ଆମେ ସିଧାସଳଖ ସେହି ଲୋକମାନଙ୍କୁ କିଛି ଆର୍ଥିକ ସହଯୋଗ ଦେଉ ନାହୁଁ ତେଣୁ କିଛି କହିଲେ ସେମାନେ ଓଲଟି ଆମକୁ କହିବେ ତୁମେ କିଏ? ଆମ ସହିତ ତୁମର ସମ୍ପର୍କ କ’ଣ? ତୁମେ ଯାହାକୁ ଟିକସ ଦେଉଛ ତାଙ୍କୁ କୁହ।

 

ସରକାରୀ କର୍ମଚାରୀମାନଙ୍କର ଚାକିରୀ ଚଲିଯିବା ଭୟ ଥାଏ। କିନ୍ତୁ ଘରୋଇ ବ୍ୟବସ୍ଥାରେ କର୍ମଚାରୀମାନେ ଆଜି ଏଠାରେ ତ କାଲି ଆଉ ଅନ୍ୟସ୍ଥାନରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଚାଲିଯିବେ। ତେଣୁ ସେମାନେ ଭୟ ଭିତରେ ରୁହନ୍ତି ନାହିଁ। ଯେହେତୁ ଦାୟିତ୍ବ ଏବଂ ଉତ୍ତରଦାୟିତ୍ବ ବିଷୟରେ କିଛି ତାଳ ମେଳ ନାହିଁ ତେଣୁ ଆମେ ବିରୋଧ କରୁଛୁ। ସରକାରୀ ବିଦ୍ୟାଳୟ ଗୁଡିକରେ ସାଧାରଣ ଲୋକଟିଏ ନିଜର ମାଲିକାନା ଜାହିର କରିବା ପାଇଁ ଯାହା ସୁଯୋଗ ରହିଛି। କିନ୍ତୁ ଘରୋଇ ବିଦ୍ୟାଳୟରେ ସେହି ସୁବିଧା ସୁଯୋଗ ନାହିଁ। ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାରେ ଯେଉଁମାନେ ନିଯୁକ୍ତି ପାଆନ୍ତି ସେମାନେ ଅଧିକ ଦକ୍ଷତା ସମ୍ପନ୍ନ। କିନ୍ତୁ ଉପଯୁକ୍ତ ତଦାରଖ ଓ ସମୀକ୍ଷା ନ ହେଉଥିବା ଯୋଗୁଁ ବ୍ୟବସ୍ଥାରେ ଅସୁବିଧା ରହିଛି।

 

ଆପଣଙ୍କୁ ପ୍ରଶ୍ନ ଯଦି ଆପଣଙ୍କ ନାକରେ ଛୋଟିଆ ଘା’ ଟିଏ ହେଲା ତାହା ହେଲେ ଆପଣ କ’ଣ ନାକଟିକୁ ସଂପୂର୍ଣ୍ଣ କାଟି ଦେବେ? ଯଦି ନା, ବ୍ୟବସ୍ଥାରେ ଥିବା ଭୁଲକୁ ନ ସୁଧାରି ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଚିନ୍ତା କରୁଛଂତି କାହିଁକି? ଆମେ ଏଠାରେ ଗୋଟିଏ କଥା କହିବା ପାଇଁ ଚାହୁଁଛୁ ଯେ, ଏହି ଦେଶରେ 70 ବର୍ଷ ଧରି ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଦେଶରୁ ଗରିବୀ ଲୋପ ପାଇ ନାହିଁ। ତେଣୁ ଏହି ଦେଶରେ ଗଣତନ୍ତ୍ର ଶାସନର ଆବଶ୍ୟକତା ଆଉ ନାହିଁ ବୋଲି କହିବା କି? ନା କହିବା, ଉପଯୁକ୍ତ ଦଳ ଓ ନେତାଙ୍କ ପାଖରେ କ୍ଷମତା ନ ଥିବା ଯୋଗୁଁ ଦେଶର ପ୍ରଗତି ହୋଇ ପାରି ନାହିଁ।

 

ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ବର୍ତ୍ତମାନ ଅନେକ ରାଜ୍ୟରେ ଆଞ୍ଚଳିକ ଦଳଗୁଡିକ କ୍ଷମତାରେ ରହିଛନ୍ତି। ତଣୁ କ’ଣ କହିପାରିବା ସେସବୁ ରାଜ୍ୟରେ ନିଶ୍ଚିତ ଭାବେ ଉନ୍ନତି ହୋଇଛି?

 

ବିଡିପୁର, ଗଞ୍ଜାମ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top