ଶିଳ୍ପ ବଢ଼ିଛି, ଦାରିଦ୍ର୍ୟ କମିନି

News Story - Posted on 2017-07-20

ଓଡ଼ିଶା ମୂଳତଃ ଏକ କୃଷିପ୍ରଧାନ ରାଜ୍ୟ। କିନ୍ତୁ ଏହାକୁ ଏକ ଶିଳ୍ପପ୍ରଧାନ ରାଜ୍ୟରେ ପରିଣତ କରିବା ପାଇଁ ୧୯୬୨ ମସିହାରୁ ଉଦ୍ୟମ ହୋଇ ଆସୁଛି। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କ ସ୍ଲୋଗାନ ଥିଲା ‘ଟାଇଲ ଛପର ଘର, ନିଆଁକୁନଥି ଡର’। ଏଇ ସ୍ଲୋଗାନକୁ ଲୋକପ୍ରିୟ କରାଇ ସେ ରାଜ୍ୟରେ ଏକ ଶିଳ୍ପବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ସେ ନିଜେ ଜଣେ ଶିଳ୍ପପତି ଥିଲେ। ତେଣୁ ଶିଳ୍ପ ସମୃଦ୍ଧି ଜରିଆରେ ରାଜ୍ୟର ଦ୍ରୁତ ଆର୍ଥନୀତିକ ବିକାଶ ପାଇଁ ସ୍ୱପ୍ନ ଦେଖିଥିଲେ। ତାଙ୍କର ସ୍ୱପ୍ନ ଥିଲା ଦବ‌୍‍ିତୀୟ ଇସ୍ପାତ କାରଖାନା। ସେତେବେଳକୁ ରାଉରକେଲାରେ ଓଡ଼ିଶାର ପ୍ରଥମ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇ ସାରିଥିଲା।

 

ବିଜୁବାବୁଙ୍କ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଓଡ଼ିଶାର ଶିଳ୍ପାୟନ ପାଇଁ ଅନେକ ଉଦ୍ୟମ କରିଥିଲେ। ୧୯୮୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ତାଙ୍କର ସ୍ଲୋଗାନ ଥିଲା ‘ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ’। ତାଙ୍କ ଅମଳରେ ଓଡ଼ିଆ ଶିଳ୍ପପତିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଗୁଡ଼ାଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ରାଜ୍ୟର କେତେକ ଅଂଚଳରେ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଥିଲା।

 

୧୯୯୦ ମସିହାରେ ପୁଣି ଥରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି ଥରେ ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ ଉଦ୍ୟମ କଲେ। ସେତେବେଳେ ସେ ଯାଜପୁର ଜିଲ୍ଲାର କଳିଙ୍ଗନଗରକୁ ଏସିଆର ଇସ୍ପାତ ହବ‌୍‍ ଭାବେ ବିକଶିତ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସେଠାରେ ମେସ୍କୋ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଥିଲା।

 

୧୯୬୦-୨୦୦୦, ଏଇ ୪୦ ବର୍ଷ ଭିତରେ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଅନେକେ ଛୋଟ ଛୋଟ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିଲା। ଏହା ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ଜାତୀୟ ସ୍ତରରେ ନାଁ କମେଇଥିଲା। କିନ୍ତୁ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ବେଳକୁ ସମଗ୍ର ଦେଶରେ ଶିଳ୍ପ ଓ ବାଣିଜ୍ୟ ସପକ୍ଷରେ ଏକ ଦୃଢ଼ ଓ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥିବାରୁ ତାହାର ଫାଇଦା ନେବାକୁ ରାଜ୍ୟ ସରକାର ଲାଗିପଡ଼ିଲେ। ‘ଦ୍ରୁତ ଶିଳ୍ପାୟନ ଜରିଆରେ ଦ୍ରୁତ ପ୍ରଗତି’ ପରି ଚିନ୍ତାଧାରା ଜରିଆରେ ନବୀନବାବୁଙ୍କ ସରକାର ରାଜ୍ୟର କୃଷି ଅର୍ଥନୀତିକୁ ତଡ଼ିତ ବେଗରେ ଶିଳ୍ପ ଅର୍ଥନୀତିରେ ପରିଣତ କରିବାକୁ ଦ୍ରୁତ ଅଭିଯାନ ଆରମ୍ଭ କଲେ।

 

ଏହି ସମୟରେ ସମଗ୍ର ବିଶ୍ୱରେ ଇସ୍ପାତର ଚାହିଦା ଏତେ ବୃଦ୍ଧି ପାଇଥିଲା ଯେ ବହୁ ଶିଳ୍ପପତିଙ୍କ ନଜର ଓଡ଼ିଶାର ଲୁହା ପଥର ଉପରେ ପଡ଼ିଥିଲା। ଓଡ଼ିଶା ଏକ ଖଣିଜ ସମୃଦ୍ଧ ରାଜ୍ୟ। ଏକଥା ଏତେବେଳକୁ ସମଗ୍ର ବିଶ୍ୱ ଜାଣି ସାରିଥିଲା। ଓଡ଼ିଶାରେ ପ୍ରଚୁର ଲୁହା ପଥର, କୋଇଲା, ମାଙ୍ଗାନିଜ, କ୍ରୋମ, ବକ୍ସାଇଟ‌୍‍, ଡୋଲୋମାଇଟ‌୍‍ ଆଦି ଗଚ୍ଛିତ ଥିବାରୁ ଏଠାରୁ ତାହା ଆମଦାନୀ କରିବାକୁ କିମ୍ୱା ଏଠାରେ ଧାତବ ଶିଳ୍ପ ସ୍ଥାପନ କରିବାକୁ ଦେଶ ଓ ବିଦେଶର ବହୁ ବଡ଼ବଡ଼ କମ୍ପାନୀ ଆଗ୍ରହ ପ୍ରକାଶ କଲେ। ବିଦେଶୀ ପୁଂଜି ଆକର୍ଷଣ କରିବା ପାଇଁ ଇତିମଧ୍ୟରେ ଭାରତ ସରକାର ଅନେକ କଟକଣା ଉଠାଇ ସାରିଥିଲେ। ତେଣୁ ଓଡ଼ିଶାରେ ନବୀନବାବୁଙ୍କ ଉଦ୍ୟମକୁ ଅନେକ ସଫଳତା ମିଳିଲା।

 

ରାଜ୍ୟ ସରକାରଙ୍କଠାରୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ରିହାତି ପାଇ ଗତ ଦେଢ଼ ଦଶନ୍ଧି ମଧ୍ୟରେ ରାଜ୍ୟରେ ଅନେକ କ୍ଷେତ୍ରରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି ଓ ଆହୁରି ଅନେକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ୫୦ରୁ ଅଧିକ କମ୍ପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ସେଥିମଧ୍ୟରୁ ୩୦ ଉପରେ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇସାରିଛି। କଳିଙ୍ଗନଗରରେ ୧୩ଟି କମ୍ପାନୀ ଇସ୍ପାତ ଉତ୍ପାଦନ କରୁଛନ୍ତି। ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଅନେକ ସ୍ପଞ୍ଜ ଲୁହା କାରଖାନା ଖୋଲିଛି। ପୋସ୍କୋ ଓ ମିତ୍ତଲ ପରି ଦୁଇଟି ବଡ଼ ବଡ଼ ଇସ୍ପାତ ପ୍ରକଳ୍ପ ଭଣ୍ଡୁର ହୋଇଥିଲେ ହେଁ ଜିନ୍ଦଲ ଗୋଷ୍ଠୀ ଓଡ଼ିଶାରେ ଅନ୍ୟ ବୃହତ ଇସ୍ପାତ କାରଖାନାର ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଚାଲିଛି।

 

ସେହିପରି ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ବିର୍ଲା ଓ ବେଦାନ୍ତ ଗୋଷ୍ଠୀ ଅନେକ ପ୍ରଗତି କରିଛନ୍ତି। ବେଦାନ୍ତ ଗୋଷ୍ଠୀ କଳାହାଣ୍ଡି ଓ ଝାରସୁଗୁଡ଼ାରେ ଦୁଇଟି କାରଖାନା ପ୍ରତିଷ୍ଠା କରିଛନ୍ତି। ସମ୍ୱଲପୁରରେ ବିର୍ଲା ଗୋଷ୍ଠୀର ହିଣ୍ଡାଲକୋ କାରଖାନା ଖୋଲିଛି। ପୂର୍ବରୁ ଭାରତ ସରକାରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ନାଲ‌୍‍କୋ ବି ତାହାର ସଂପ୍ରସାରଣ କରିଚାଲିଛି।

ତାପଜ ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶାରେ ଅନନ୍ତ ସମ୍ଭାବନା ଦେଖି ଅନେକ କମ୍ପାନୀ ଆଗେଇ ଆସିଛନ୍ତି। ଏହି କ୍ଷେତ୍ରରେ ବି ଓଡ଼ିଶା ସରକାର ଦୁଇ ଡଜନରୁ ଅଧିକ କମ୍ପାନୀଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଭୂଷଣ, ବେଦାନ୍ତ, ଜିଏମଆର ଆଦି ଅନେକ କମ୍ପାନୀ ତାପଜ ବିଦ୍ୟୁତ ଉପିାଦନ ଆରମ୍ଭ କରିଥିବାବେଳେ ଭାରତ ସରକାରଙ୍କ ଉଦ୍ୟୋଗ ଏନଟିପିସି ପକ୍ଷରୁ ମଧ୍ୟ ରାଜ୍ୟରେ ଏକ ଅଲଟ୍ରା ମେଗା ପାୱାର ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟ ଶେଷ ହୋଇସାରିଛି।

 

ବନ୍ଦର ବିକାଶ ପାଇଁ ଓଡ଼ିଶାରେ ଉପଯୋଗୀ ଭିତ୍ତିଭୂମି ରହିଥିବାରୁ ରାଜ୍ୟ ସରକାର ଡଜନେ ଉପରେ କମ୍ପାନୀଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଗୋପାଳପୁର ଓ ଧାମରାରେ ବନ୍ଦର କାର୍ଯ୍ୟକ୍ରମ ହୋଇଛି। ପୂର୍ବରୁ ପାରାଦୀପରେ ବନ୍ଦର ଥିଲା। ଏହା ବ୍ୟତିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଓ ଗଂଜାମ ଜିଲ୍ଲାରେ ମଧ୍ୟ ଆହୁରି ପ୍ରାୟ ୯ଟି ବନ୍ଦର ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି।

 

ଭାରତ ସରକାରଙ୍କ ଉଦ୍ୟମରୁ ଓଡ଼ିଶାରେ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ମଧ୍ୟ ଦ୍ରୁତ ବିକାଶ ଘଟିଛି। ପାରାଦୀପରେ ପ୍ରାୟ ଲକ୍ଷେ କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ବହୁମୁଖୀ ପେଟ୍ରୋ-ରସାୟନ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ ହୋଇସାରିଛି। ପାରାଦୀପରେ ମଧ୍ୟ ତିନିଟି ସାର କାରଖାନା ପ୍ରତିଷ୍ଠା ହୋଇଛି। ପୁଣି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହେବାର ସମ୍ଭାବନା ସୃଷ୍ଟି ହୋଇଛି।

 

ଏହି ପ୍ରମୁଖ କେତୋଟି କ୍ଷେତ୍ରକୁ ବାଦ ଦେଲେ ସିମେଣ୍ଟ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଗଣମାଧ୍ୟମ, ମନୋରଂଜନ ଓ ସାଇକେଲ ନିର୍ମାଣ ଆଦି କେତେକ ଶିଳ୍ପ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ।

 

ଏହିସବୁ ଶିଳ୍ପ କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଶିକ୍ଷିତ ଓ ତାଲିମ ପ୍ରାପ୍ତ ଯୁବକ ପ୍ରତ୍ୟକ୍ଷ କର୍ମନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ହିସାବ ଅନୁସାରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ତା’ଛଡ଼ା ଏସବୁ ଶିଳ୍ପ ଯୋଗୁଁ ଲକ୍ଷାଧିକ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଶିଳ୍ପସଂସ୍ଥାକୁ ଘେରି ଗଢ଼ି ଉଠିଥିବା ଜନବସତିରେ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଛି। ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଦ୍ରୁତ ପ୍ରଗତି ଘଟିଛି।

 

କିନ୍ତୁ ଏ ତିନି ମୁଖ୍ୟମନ୍ତ୍ରୀଙ୍କର ଶିଳ୍ପନିଶା ସତ୍ତ୍ବେ ଓଡ଼ିଶାର ସାମୂହିକ ଦାରିଦ୍ର୍ୟ ଦୂର ହୋଇନାହିଁ, ବରଂ ବଢ଼ିଛି- ଅଧିକରୁ ଅଧିକ ଲୋକ ସରକାରଙ୍କ ମାଗଣା ଓ ଶସ୍ତା କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ରୋଜଗାରର ସ୍ଥାୟୀ ମାଧ୍ୟମ କୃଷି ଉଜୁଡ଼ି ଯାଇଛି। ଅ୍ୟ କୌଳିକ ବୃତ୍ତି ସବୁ ଧ୍ବଂସ ପାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top