କୋଣାର୍କରେ ରଙ୍ଗୀନ ପ୍ରତିବିମ୍ୱ

News Story - Posted on 2017-07-18

 

ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିରରେ ବହୁ ପ୍ରତୀକ୍ଷିତ ଶବ୍ଦ ଓ ରଙ୍ଗିନ ଆଲୋକର ପ୍ରକଳ୍ପ ଖୁବ୍‌ ଶୀଘ୍ର ଉଦଘାଟିତ ହେବ। ଏହି ପ୍ରକଳ୍ପର ସମସ୍ତ କାମ ପ୍ରାୟତଃ  ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆସନ୍ତା ସେପ୍ଟମ୍ୱର ‌୍‍ମାସ ୨୭ ତାରିଖ ‘ବିଶ୍ୱ ପର୍ଯ୍ୟଟନ ଦିବସ’ରେ ଏହି ପ୍ରକଳ୍ପର ଶୁଭ ଉଦଘାଟନ ହେବାର ସମ୍ଭାବନା ରହିଛି।

 

ସୂର୍ଯ୍ୟମନ୍ଦିର ପରିସରୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)ର ୫ କୋଟି ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ୧ କୋଟି ୪୬ ଲକ୍ଷ ଟଙ୍କା ମିଶାଇ ମୋଟ ୬ କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟରେ ଗତ ୨୦୧୭ ମସିହା ଫେବୃୟାରୀ ମାସରୁ ଏହି ଶବ୍ଦ ଓ ଆଲୋକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ହରିଆନା ଗୁରୁଗ୍ରାମର ଏକ ଘରୋଇ ସଂସ୍ଥା ଟ୍ରାଇକଲର କରୁଛି। ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ମଧ୍ୟ ଏହି ସଂସ୍ଥା ନେଇଛି।

 

ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ ଅଞ୍ଚଳରେ ୬ଟି ବଡ ଓ ୨ଟି ଛୋଟ ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ସମେତ ନାଟ୍ୟମଣ୍ଡକୁ ଉଜ୍ଜଳ ରଙ୍ଗିନ ପ୍ରତିବିମ୍ୱରେ ଆଲୋକିତ କରାଯିବା ସହ ସୂର୍ଯ୍ୟମନ୍ଦିର ପ୍ରାଚୀନ ଐତିହ୍ୟ ଲୋକସ୍ମୃତି ଓ କିମ୍ୱଦନ୍ତୀ ସଂପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯିବ। ଏହି ପ୍ରକଳ୍ପ ଉଦଘାଟନ ହେବା ପୂର୍ବରୁ ଟ୍ରାଇକଲର ଇଞ୍ଜିନିୟରମାନେ ବିଭିନ୍ନ ସମୟରେ ରାତି ୮ଟା ପରେ ସୂର୍ଯ୍ୟମନ୍ଦିର ଉପରେ ରଙ୍ଗିନ ଆଲୋକ ପକାଇ ପୂର୍ବ ପ୍ରସ୍ତୁତି କରୁଛନ୍ତି। ସୂର୍ଯ୍ୟ ମନ୍ଦିରର ଏହି ମନୋରମ ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି।

 

ସୂର୍ଯ୍ୟ ମନ୍ଦିର ପରିସରରେ ବିଗତ ୨୦୦୨ମସିହାରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ତାହା ଏବ ସଫଳ ହେବାକୁ ଯାଉଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ଖାଲିସ୍ଥାନ ଅଞ୍ଚଳରେ ଶବ୍ଦ ଓ ଆଲୋକକୁ ଉପଭୋଗ କରିବା ପାଇଁ ୨୫୦ ସିଟି ବିଶିଷ୍ଟ ମୁକ୍ତାକାଶ ମଞ୍ଚର ବ୍ୟବସ୍ଥା କରାଯାଇଛି। ଏହି ସ୍ଥାନରେ ଏକ ସଙ୍ଗେ ୨୫୦ ଜଣ ପର୍ଯ୍ୟଟକ ଚେୟାର ବସି ୱାଇଫାଇ ହେଡପୋନ ମାଧ୍ୟମରେ ସୂର୍ଯ୍ୟମନ୍ଦିର ପ୍ରାଚୀନ ଐତିହ୍ୟ ଲୋକସ୍ମୃତି ଓ କିମ୍ୱଦନ୍ତୀ ସଂପର୍କରେ ଅବଗତ ହେବା ସହ ଆମ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ସଂସ୍କୃତି ସଂପର୍କରେ ଅବଗତ ହୋଇପାରିବେ। ସନ୍ଧ୍ୟା ସମୟରେ ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକମାନେ ଏହି ଶବ୍ଦ ଓ ଆଲୋକକୁ ଉପଭୋଗ କରିପାରିବେ।

 

ଏହି ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା, ଗମନାଗମନ, ରାତ୍ରିରହଣି, ବର୍ଷା ସମୟରେ ଶବ୍ଦ ଓ ଆଲୋକ ପ୍ରକଳ୍ପର ସୁରକ୍ଷା ଏବଂ ଅନୁସାଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ନଜରରେ ରଖାଯାଇଛି। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରାଚିନ ଐତିହ୍ୟ ସଂପର୍କରେ ହିନ୍ଦୀରେ ସେଖର ସୁମନ, ଇଂରାଜୀରେ କବୀର ବେଦୀ ଓ ଓଡ଼ିଆରେ ବିଜୟ ମହାନ୍ତି ତଥ୍ୟଭିତିକ ବିଶଦ ବିବରଣୀ ସହିତ ରଙ୍ଗିନ ପ୍ରତିବିମ୍ୱରେ ସୂର୍ଯ୍ୟମନ୍ଦିର ଉଦଭାସିତ ହେବ। ଏଥିପାଇଁ ଟିକଟର ବ୍ୟବସ୍ଥା ରହିଛି ଯେଉଁ ପର୍ଯ୍ୟଟକମାନେ ଟିକଟକିଣି ଚେୟାରେ ବସି ହେଡଫେନ ଲଗାଇବେ ସେମାନଙ୍କ ବ୍ୟତିତ ଅନ୍ୟ କେହି ଶବ୍ଦକୁ ଶୁଣି ପାରିବେ ନାହିଁ। ଏହି ଡକ୍ୟୁମେଣ୍ଟାରୀ ଶବ୍ଦ ଓ ଆଲୋକର ପ୍ରକଳ୍ପ ଦ୍ୱାରା ବହୁ ତଥ୍ୟ ପର୍ଯ୍ୟଟକଙ୍କୁ ମିଳିପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top