ପ୍ରକୃତିର ବୈଚିତ୍ର୍ୟ- ବ୍ରହ୍ମ କମଳ

News Story - Posted on 2017-07-17

ହରିଶ୍ଚନ୍ଦ୍ର କର

 

ବଗିଚା କାମ ଏକ ଅତ୍ୟନ୍ତ ଆମୋଦ ଦାୟକ ରୁଚି। ଏଥିରେ ବେଳେବେଳେ ଅତ୍ୟନ୍ତ ବିରଳ ଗଛ ବା ଫୁଲଟିଏ  ଉପୁଜାଇ ପାରିଲେ ଖୁବ ଖୁସି ଲାଗେ। ସେମିତି ଏକ ଫୁଲ ହେଲା ବ୍ରହ୍ମ କମଳ।

 

କି ବିଚିତ୍ର ସତେ ଏ ବୃକ୍ଷଲତା ଓ ଜୀବଜଗତ! ବ୍ରହ୍ମ କମଳ ପ୍ରକୃତିର ଏକ ବୈଚିତ୍ର୍ୟ। ପତ୍ରରୁ ଗଛ, ପୁଣି ପତ୍ରରୁ ପତ୍ର। ସେଥିରୁ ପ୍ରାୟ ଆଂଗୁଳି ମୋଟ ୧୫ ସେ.ମି. ନାଡରୁ ପଦ୍ମ ପରି ଫୁଲ। ଭୁରୁଭୁରୁ ସୁରଭିତ ସୁବାସ। ଫୁଲ ସନ୍ଧ୍ୟା ୭ଟାରେ ଫୁଟି ପ୍ରାୟ ୫ ଘଣ୍ଟା ପରେ ରାତିରେ ହିଁ ମଉଳି ଯାଏ। ଅନ୍ୟ ଦେଶରେ ଏହାକୁ ରାତିର ରାଣୀ’ ବି କହିଥାନ୍ତି। ରାତିରେ ଫୁଟି ରାତିରେ  ମଉଳି ଯାଉଥିବାରୁ ‘ବ୍ରହ୍ମ କୁମୁଦ’ ନାମ ହୁଏତ ଅଧିକ ପ୍ରଯୁଜ୍ୟ ହୁଅନ୍ତା। ପ୍ରକୃତରେ ଜାପାନରେ ଏହାକୁ ‘ଚନ୍ଦ୍ର ତଳେ ସୌନ୍ଦର୍ଯ୍ୟ’ ବୋଲି କୁହାଯାଇଥାଏ।

 

ଏ ଫୁଲ ଅତ୍ୟନ୍ତ ବିରଳ।  ଏହାର ବିଜ୍ଞାନ-ଭିତ୍ତିକ ନାମ ହେଲା ଇପିଫାଈଲମ ଅକ୍ସିପେଟାଲମ। ଏହି ଫୁଲଗଛ ହିମାଳୟରେ ସାଧାରଣତଃ ଦେଖିବାକୁ ମିଳିଥାଏ। ଏହା ଭାରତ ଛଡା, ମେକ୍ସିକୋ, ଦକ୍ଷିଣ ଆମେରିକା, ବର୍ମା, ତିବବତ୍, ଜାପାନ୍, ଶ୍ରୀଲଂକା ଓ ଚୀନରେ ଦେଖିବାକୁ ମିଳିଥାଏ। ଏହା ବର୍ଷରେ ଥରେ କିଛିଦିନ ପାଇଁ ହିଁ ଫୁଟିଥାଏ।

 

ବ୍ରହ୍ମ କମଳ ଏକ ପ୍ରକାରର କାକଟସ୍। ଏ ଗଛ ପାଇଁ ବେଶୀ ପାଣି ଦରକାର ହୁଏନି। ଦୁଇ ତିନି ଦିନରେ ଥରେ ପାଣି ଦେଲେ ଯଥେଷ୍ଟ। ବେଶୀ ପାଣି ଦେଲେ ଗଛ ମରିଯାଇପାରେ। ଛାଇ ଛାଇ ଖରା ଜାଗାରେ ଏ ଗଛ ଭଲ ହୁଏ।

 

ଏହାର ଔଷଧୀୟ ଗୁଣ ରହିଛି। ତିବ୍ବତୀୟ ଔଷଧ ଶାସ୍ତ୍ରରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ।

 

ଏ ବର୍ଷ ଆମ ବଗିଚାରେ ଅନେକ ବ୍ରହ୍ମ କମଳ ଫୁଲ ଫୁଟିଛି। ଖୁସିର କଥା ଯେ ବହୁ କୌତୁହଳୀ ବ୍ୟକ୍ତି ଓ ପୁଷ୍ପ ବିଜ୍ଞାନୀମାନେ ଏହି ଗଛ ଓ ଫୁଲ ସହ ପରିଚିତ ହୋଇପାରିଛନ୍ତି।

 

୧୩୦, ରତ୍ନାକର ବାଗ, ଭୁବନେଶ୍ବର-୭୫୧୦୧୮

ମୋ: ୯୮୬୧୧୬୮୧୪୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top