ପରୋପକାରାୟ ଧର୍ମାୟ ପାପାୟ ପରପୀଡ଼ନମ‍୍‌

News Story - Posted on 2017-07-17

ସୂର୍ଯମଣି ମିଶ୍ର

 

ମହାଭାରତରେ କୁହାଯାଇଛି ‘ପରୋପକାରାୟ ଧର୍ମାୟ ପାପାୟ ପର ପୀଡ଼ନମ‍୍‌’। ଅନ୍ୟକୁ କଷ୍ଟ ଦେବା ପାପ ବୋଲି ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି ଏହି ଗ୍ରନ୍ଥରେ। କିନ୍ତୁ ଆଜି ଦିନରେ ସମଗ୍ର ଭାରତରେ ଯାହା ଦେଖିବାକୁ ମିଳୁଛି, ତାହା ହେଉଛି ପାପମୟ ଆଚରଣ। ପରୋପକାର ପରିବର୍ତ୍ତେ ପର ପୀଡ଼ନରେ ନେତା, ଅଭିନେତା, ବାବା, ମାତା, ଫାଦର‍୍‌, ପାଷ୍ଟର, ମୁଲ୍ଲା, ମୌଲବୀ, କେହି ଯେପରି ନିଜକୁ ଦୂରାଇ ପାରୁନାହାନ୍ତି। କୌଣସି ଧର୍ମଶାସ୍ତ୍ର ପର ପୀଡ଼ନକୁ ଗ୍ରହଣ କରେ ନାହିଁ। ଅଥଚ ଧର୍ମ ନାମରେ ଚାଲିଛି ବ୍ୟଭିଚାର ଓ ରକ୍ତପାତ। ପରମ୍ପରା ନାମରେ ଅନ୍ଧ ବିଶ୍ୱାସକୁ ଗ୍ରହଣ କରିବା ଯେପରି ନେତାମାନଙ୍କର ପ୍ରମୁଖ କର୍ତ୍ତବ୍ୟ ହୋଇଛି। ଜାତି, ଧର୍ମ ଭେଦଭାବ ନେଇ ମଣିଷ ମଣିଷକୁ ହତ୍ୟା କରିଚାଲିଛି। ଚିହ୍ନିପାରୁନି ମଣିଷ ମଣିଷକୁ। ଜଣେ ମଣିଷ ଆଉଜଣେ ମଣିଷ ଯଦି ନାସ୍ତିକ, ହେତୁବାଦୀ ଭାବେ ପରିଚୟ ପାଉଛି, ତେବେ ତାକୁ ଧର୍ମଦ୍ରୋହୀ ଓ ରାଷ୍ଟ୍ରବିରୋଧୀ ଭାବରେ ଚିହ୍ନଟ କରି ହତ୍ୟା କରିବାକୁ ପଛାଉନାହିଁ। କାହିଁକି ନା, ସେ ଭିନ୍ନ ମତ ଦେଉଛି।

 

ଶୁଦ୍ର, ଅଛୁଆଁ, କାଫେର‍୍‌, ବିଧର୍ମୀ ଭଳି ଶବ୍ଦ ଏବେ ସୋସିଆଲ‍୍‌ ମିଡିଆରେ ଭାଇରାଲ‍୍‌ ହେଉଛି। ଏହାକୁ ନେଇ ଭାଇଚାରା ଭାଙ୍ଗିପଡ଼ିଲାଣି। କାହାକୁ କିଏ ପାକିସ୍ତାନ ଏଜେଣ୍ଟ କହିଲାଣି ତ, ଆଉ କାହାକୁ କିଏ ଆମେରିକାର ଦଲାଲ‍୍‌ କହିଲାଣି। ଦେଶର ସଂହତି, ସଂପ୍ରୀତି ଏବେ ମାତ୍ର ରାଜନୀତିର ପ୍ରସଙ୍ଗ। ଭୋଟ ଗୋଟାଇବାର ମାଧ୍ୟମ ପାଲଟିଛି। ବାସ୍ତବତା କିନ୍ତୁ ଦେଶରେ ଆଭ୍ୟନ୍ତରୀଣ ଶତ୍ରୁ ସଂଖ୍ୟା ଧର୍ମ ନାମରେ ବଢ଼ି ବଢ଼ି ଚାଲିଛି। ଭୋକ ଓ ଭ୍ରଷ୍ଟାଚାରର ବଳୟରେ ଅସ୍ତବ୍ୟସ୍ତ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୭୦ ପ୍ରତିଶତରୁ ଅଧିକ। ଏହି ପ୍ରସଙ୍ଗ କ୍ଷମତାଧାରୀ ଏବଂ ପ୍ରମୁଖ ବିରୋଧୀଦଳ ନେତାଙ୍କ ପାଇଁ ଅଲୋଡ଼ା ଓ ଅଦରକାରୀ। ଭୋଟ ଆସିଲେ ହୁଏତ ଏଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏଇ ଭୋଟଜୀବୀ ନେତାମାନେ। କିନ୍ତୁ ଦେଶର ସଂହତି ଓ ସମୃଦ୍ଧି ପ୍ରତି ବିପଦ କିଏ? କାହା ପାଇଁ ଓ କେଉଁ କାରଣକୁ ନେଇ ଦେଶରେ ଅସ୍ଥିରତା, ଆତଙ୍କବାଦ ଓ ନକ୍ସଲ‍୍‌ବାଦ ଭଳି ନରସଂହାର ଲୀଳା ବାଧାହୀନ ଭାବେ ଚାଲିଛି, ସେନେଇ ସଂବେଦନଶୀଳ ହେଉନାହାନ୍ତି ନେତା। ଲୋକମାନଙ୍କ ମଧ୍ୟରେ ଧର୍ମ ଓ ସାଂପ୍ରଦାୟିକତା ଆଧାରରେ ଭେଦଭାବର ମଞ୍ଜି ବୁଣି କ୍ଷମତା ହାସଲ ପାଇଁ ଅହରହ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଚଳାଇ ରଖିଛନ୍ତି।

 

ଦେଶର ସୀମା ପାଖରେ ଓ ଦେଶର ଆଭ୍ୟନ୍ତରଣରେ ପ୍ରତିଦିନ ରକ୍ତପାତର ହୋରିଖେଳ ଚାଲିଛି। ଏହି ରକ୍ତପାତ ପଛରେ ରହିଛି ସାଂପ୍ରଦାୟିକତା ଓ ଧର୍ମ ରକ୍ଷାର ଯୁକ୍ତି। ଈଶ୍ୱରଙ୍କୁ ମାନୁଥିବା ଲୋକ ଧର୍ମକୁ ମାନୁଛନ୍ତି। ଇହଲୋକ ଓ ପରଲୋକର ବିଶ୍ୱାସ ପ୍ରତି ଆସ୍ଥା ରଖୁଛନ୍ତି। କିନ୍ତୁ ଜଣେ ମଣିଷ ଆଉ ଜଣେ ମଣିଷକୁ ମଣିଷ ବୋଲି ଗ୍ରହଣ କରିବାକୁ ନାରାଜ। ତାକୁ କାଳେ ଧର୍ମରକ୍ଷା କରିବାକୁ ପଡ଼ିବ, ସେଥିପାଇଁ ବିଧର୍ମୀକୁ ହତ୍ୟା କରିବା ତା’ର ଧର୍ମ ହେବ ବୋଲି ତାକୁ ବୁଝାଇ ଦିଆଯାଇଛି। କିନ୍ତୁ ଧର୍ମଶାସ୍ତ୍ର ଅନୁଯାୟୀ ମଣିଷ ହତ୍ୟା ତ ପର କଥା, ଜୀବହତ୍ୟାକୁ ମଧ୍ୟ ବାରଣ କରାଯାଇଛି। ହିନ୍ଦୁତ୍ୱବାଦୀ ସଂଗଠନର ସଦସ୍ୟମାନେ ବିଶେଷତଃ ମନୁ ଶାସ୍ତ୍ରକୁ ଗୁରୁତ୍ୱ ଦେଇଥାନ୍ତି। ମନୁ ଶାସ୍ତ୍ରରେ କ୍ଷମାଶୀଳ, ଉଦାରଚେତା ଓ ସତ୍ୟର ଉପାସକ ହେବା ପାଇଁ କୁହାଯାଇଛି। କିନ୍ତୁ ମନୁଙ୍କ କଥା କହୁଥିବା ହିନ୍ଦୁତ୍ୱବାଦୀ ସତ୍ୟ ବଦଳରେ ଅସତ୍ୟ, କ୍ଷମାଶୀଳ ଉଦାରଚେତା ବଦଳରେ ନୃଶଂସତାକୁ ଭୂଷଣ କରିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳେ। ପ୍ରାୟତଃ ସଚେତନ ନାଗରିକ ଜାଣିଛନ୍ତି, ମୁସ‍୍‌ଲିମ‍୍‌ ଆତଙ୍କବାଦର ପାଳକ ଭୂମିକାରେ ଅଛନ୍ତି ହିନ୍ଦୁ ମୌଳବାଦୀ। ସମ୍ମୁଖରେ ନହେଲେ ବି ପଛପଟରେ ରହି ରକ୍ତପାତରେ ଆନନ୍ଦ ପାଉଛନ୍ତି। କିଏ ରକ୍ତପାତରେ ଆନନ୍ଦ ପାଉଛନ୍ତି, କିଏ ଅଛନ୍ତି ଆତଙ୍କବାଦ ଓ ସାଂପ୍ରଦାୟିକତା ପଛରେ, ଏ ସଂପର୍କରେ ଊଣାଅଧିକେ ନାଗରିକ ଜାଣିଛନ୍ତି। କିନ୍ତୁ ଜାଣି ନିରବ। କାରଣ ମୁହଁ ଖୋଲିଲେ କାଳେ ଧର୍ମ ନଷ୍ଟ ହୋଇଯିବ। ହିନ୍ଦୁ ହେଉ ଅବା ମୁସଲ‍୍‌ମାନ ଅବା ଖ୍ରୀଷ୍ଟିୟାନ, କୌଣସି ଧର୍ମ ହତ୍ୟାକୁ ଗ୍ରହଣ କରିନାହିଁ। ତେବେ ଧର୍ମ ନାମରେ ସାମ୍ରାଜ୍ୟ ବିସ୍ତାର ପାଇଁ କିଏ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ତ ଆଉ କିଏ ପୃଷ୍ଠପୋଷକତା କରୁଛନ୍ତି। ସାମ୍ରାଜ୍ୟବାଦୀ ପୁଞ୍ଜିବାଦୀ ଶକ୍ତିର ଲକ୍ଷ୍ୟ ନିଜ ବିଚାରକୁ ଚିରଞ୍ଜିବୀ କରି ରଖିବା। ଏଥିପାଇଁ ଧର୍ମ, ଜାତି ଓ ସଂପ୍ରଦାୟର  ସାହାରା ନିଆଯାଉଛି। ଏହା ଧର୍ମଶାସ୍ତ୍ରର ବିଚାର ନୁହେଁ ବରଂ ବିରୁଦ୍ଧାଚରଣ।

 

ଏଠାରେ ଭକ୍ତି ଯୁଗର ପ୍ରମୁଖ ସାହିତ୍ୟିକ ଏବଂ ସମାଜ ସଂସ୍କାରକ ସନ୍ଥ କବିରଙ୍କ ଉକ୍ତିକୁ ଉଦ୍ଧାର କରାଯିବା ପ୍ରାସଙ୍ଗିକ ହେବ। ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିବା ଏବଂ ମୁସଲ‍୍‌ମାନ ପରିବାରରେ ପାଳିତ ହୋଇଥିବା ଏହି ସନ୍ଥ ନିରାକାର ବ୍ରହ୍ମ ଉପାସକ ଥିଲେ। ସନ୍ଥ କବିର‍୍‌ ହିନ୍ଦୁ-ମୁସ‍୍‌ଲିମ‍୍‌କୁ ଗୋଟିଏ ସୂତ୍ରରେ ବାନ୍ଧିବାର ଉଦ୍ୟମ କରିଥିଲେ। ଧର୍ମର ମିଛ ଆଡ଼ମ୍ୱରପୂର୍ଣ୍ଣ କର୍ମକାଣ୍ଡ ଉପରେ ସେ ପ୍ରହାର କରିଥିଲେ। ନୂଆ ରାସ୍ତା ଦେଖାଇଥିଲେ ସେ ଭାରତୀୟ ସମାଜକୁ। ସେ କହିଥିଲେ- ‘ହିନ୍ଦୁ କହେ ମୋହି ରାମ ପିୟାରା, ତୁର୍କ କହେଁ ରହମାନା, ଆପୋଷ ମେଁ ଦେଓ ଲଢ଼ି ଲଢ଼ି ମୁହେଁ ମରମ ନ କୋ ଯାନା।’ ହିନ୍ଦୁ ଅର୍ଥାତ୍ ରାମଙ୍କ ଭକ୍ତ ଏବଂ ମୁସଲ‍୍‌ମାନ ରହମାନଙ୍କୁ ପ୍ରେମ କରିଥାନ୍ତି। ଏକଥାକୁ ନେଇ ଦୁହେଁ ଲଢ଼ି ଲଢ଼ି ମୃତ୍ୟୁବରଣ କରନ୍ତି। ତେବେ ବି ଉଭୟ ସତ୍ୟକୁ ଜାଣିପାରନ୍ତି ନାହିଁ। ଯେ ଯାଏଁ ଗୁଣକୁ ପରୀକ୍ଷା କରିବା ପାଇଁ ଗ୍ରାହକ ନମିଳନ୍ତୁ ସେଯାଏ ତାହାର ଲକ୍ଷ୍ୟ ପୂରଣ ହୋଇନଥାଏ। ଅହଂକାରରେ ବୁଡ଼ିଥିବା ଯାଏ ପ୍ରଭୁଙ୍କୁ ଦେଖି ପାରିନଥାଏ। ଯେତେବେଳେ ଅଜ୍ଞାନତାକୁ ଦୂର କରିବାରେ ସମର୍ଥ ହେବେ, ସେବେ ଯାଇ ଈଶ୍ୱର ସତ୍ତା ଜାଣି ହୋଇଥାଏ। ଈଶ୍ୱର ସମସ୍ତଙ୍କ ମଙ୍ଗଳ ଚାହାନ୍ତି।

 

ଶତ୍ରୁତା ଧର୍ମ ନୁହେଁ, ମଣିଷର ସ୍ୱଭାବ ସେ ଅନ୍ୟର ଦୋଷ ଦେଖି ଆନନ୍ଦ ପାଇଥାଏ। ନିଜ ଦୋଷକୁ ଜାଣେ ନାହିଁ। ମନୁଷ୍ୟର ଶରୀର ବୁନ୍ଦା ବୁନ୍ଦା ପାଣି ଭଳି କ୍ଷଣଭଙ୍ଗୁର। ଏହା ଜାଣି ମଧ୍ୟ ମଣିଷ ଧର୍ମଶାସ୍ତ୍ରର ବିଚାରକୁ ଭାଙ୍ଗି ମଣିଷ ରକ୍ତର ହୋରି ଖେଳୁଛି। ଅନ୍ୟକୁ କଷ୍ଟ ଓ ଯନ୍ତ୍ରଣା ଦେବାରେ ଆନନ୍ଦ ପାଉଛି। ସେ ଜାଣିପାରୁନି ତାକୁ କିଏ ବ୍ୟବହାର କରି ହତ୍ୟା କରିବାକୁ ମଦଦ‍୍‌ ଦେଉଛି। ଆଜି ଆମ ଦେଶର କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏ ସବୁଠି ଅସହିଷ୍ଣୁତାର ଦୃଶ୍ୟ ଦେଖିବାକୁ ମିଳୁଛି। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଠି ବେଶଭୂଷା। କେଉଁଠି ଗାଈ ପାଇଁ ତ ଆଉ କେଉଁଠି ଖାଦ୍ୟ, ବସ୍ତ୍ର, ବାସଗୃହ, ଜଳ, ଜମି, ଜଙ୍ଗଲର ଅଧିକାର ପାଇଁ। କେଉଁଠି ଦେଶପ୍ରେମର ନାରା ତ ଆଉ କେଉଁଠି ରାଷ୍ଟ୍ରବିରୋଧୀ ସ୍ୱରକୁ ନେଇ ପରସ୍ପର ରକ୍ତପାତରେ ମାତିଛନ୍ତି। ନେତା ଭାଷଣରେ ସମବେଦନା ଦେଉଛନ୍ତି, କିନ୍ତୁ କାରଣ ଓ ନିରାକରଣ ଦିଗରେ ନା ନେତା ନା ଧର୍ମର ଠିକାଦାରମାନେ ସ୍ପଷ୍ଟ ମତ ରଖୁଛନ୍ତି? କ୍ଷମତା ଆହରଣ ଯେପରି ନେତାମାନଙ୍କ ପାଇଁ ବଡ଼ ଆବଶ୍ୟକତା ପାଲଟିଛି, ଆଉ ବାବା, ମାତା, ମୁଲା, ମୌଲବୀ ଏବଂ ପାଷ୍ଟର, ଫାଦରଙ୍କ ପାଇଁ ଭୋଗବାଦୀ ଜୀବନଯାପନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି।

 

ଏଥିପାଇଁ ଧର୍ମଶାସ୍ତ୍ରର ସେହି ଉକ୍ତି ‘ପରୋପକାରାୟ ଧର୍ମାୟ ପାପାୟ ପର ପୀଡ଼ନମ‍୍‌’ କେବଳ ଭାଷଣର ଭୂଷଣ ହୋଇଛି  ସିନା ବାସ୍ତବରେ ଶାସ୍ତ୍ରଠାରୁ ଦୂରରେ ରହିଛନ୍ତି ଏହି ସାଂପ୍ରଦାୟିକତା ଓ ମୌଳବାଦର ପ୍ରବକ୍ତା ଓ କାର୍ଯ୍ୟକର୍ତ୍ତାମାନେ। ଯେଉଁଥି ପାଇଁ ‘ବସୁଧୈବ କୁଟୁମ୍ୱକମ‍୍‌’, ବିଶ୍ୱ ଗ୍ରାମର ଆହ୍ୱାନ ବହୁ ଦୂରରେ। ଧାର୍ମିକ ପାଖଣ୍ଡମାନେ କେତେବେଳେ ପ୍ରତିକ୍ରିୟାଶୀଳ, କେତେବେଳେ ଜଗତୀକରଣ, ଉଦାରୀକରଣ, ଅଯୋଧ୍ୟାକରଣର ପ୍ରତୀକ ହେଉଛନ୍ତି, ଏମାନଙ୍କୁ ଚିହ୍ନିବାର ବେଳ ଆସିଛି। ମଣିଷ ବଞ୍ଚିଲେ ଦେଶ ବଞ୍ଚିବ, ବିଶ୍ୱ ବଞ୍ଚିବ, ଧର୍ମ ବଞ୍ଚିବ, ମଠ-ମନ୍ଦିର, ମସ‍୍‌ଜିଦ‍୍‌-ଗୀର୍ଜା, ଗୁରୁଦ୍ୱାର ବଞ୍ଚିବ। ଧର୍ମର ପ୍ରବଚକ ବଞ୍ଚିବେ, ନେତା ବଞ୍ଚିବେ। ମଣିଷ ହତ୍ୟାରେ ଏହି ସବୁ ଧର୍ମର ପୀଠ ଓ ଏହାର ରକ୍ଷକ, ପ୍ରବଚକ ତଥା ନେତା କେହି ବଞ୍ଚିବେ ନାହିଁ। ଏଥିପାଇଁ ମହାଭାରତ ଭଳି ଶାସ୍ତ୍ରରେ ପର ପୀଡ଼ାକୁ ପାପ ବୋଲି ବହୁପୂର୍ବରୁ ବିବେଚନା କରାଯାଇଛି।

 

ଭୁବନେଶ୍ୱର, ସଂପର୍କ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top