ତୋରାଣିପିଆ ରାଜନୀତି!

News Story - Posted on 2017-07-15

ରଙ୍ଗାଚରଣ ପ୍ରଧାନ

 

ଆରେ ମୁନ୍ନା ତୁ କ’ଣ ଆଜି ତୋରାଣି ପିଇବାକୁ ଯାଇ ନଥିଲୁ କି?

 

ତୋରାଣି ପିଆ? ସେଇଟା ପୁଣି କ’ଣ?

 

ତୋରାଣି ପିଆ କ’ଣ ଜାଣିନୁ? ମୁଁ ବୁଝେଇ ଦେଉଛି ଶୁଣୁ। ଯେତେବେଳେ ଗୋଟିଏ ଝିଅର ବିଭାଘର ଅଳ୍ପ ଦିନ ବାକି ଥାଏ, ସେତେବେଳେ ତା’ର ମାଉସୀ ଘର, ଖୁଡିଘର, ଅପାଘରସବୁ ଖାଇବାକୁ ଡାକନ୍ତି। ଖାଇବା ପାଇଁ ତ ମଟନ୍, ମାଛ ହୋଇଥାଏ। କିନ୍ତୁ ଏହାକୁ ତୋରାଣି ପିଆ କୁହାଯାଏ। ବୁଝିଲୁ?

 

ବୁଝିଲି ଯେ, କିନ୍ତୁ ଆଜି କାହାର ତୋରାଣି ପିଆ ହେଉଥିଲା?

 

ସେଇକଥା ପରା! ଆରେ ମୁଁ କ’ଣ ଜାଣିଥିଲି? ଆଜି ସକାଳେ ଜାଣିଲି ନା! ଆମ ଓଡ଼ିଶାର ଗୋଟେ ନିଉଜ୍ ଚାନେଲ୍ ସକାଳୁ ସକାଳୁ ଟୁଇଟ୍ କରି ଗୋଟେ ଖାଲି ହଲ୍ ଦେଖେଇ କହିଲା, ଏଇଠି ଆଜି ତୋରାଣି ପିଆ ହେବ। ସେଇଠୁ ମୁଁ ଜାଣିଲି।

 

ଭୋଜି ଚାଲିଥିଲା ବେଳେ ସିନା ଫଟ ଉଠେଇ ଛାଡିବା କଥା? ଖାଲି ଘରେ କେହି ନାହାନ୍ତି, ତା ଫଟରେ କ’ଣ ନିଉଜ୍ ଅଛି? ଏମାନଙ୍କୁ କ’ଣ ଆଉ ନିଉଜ୍ ମିଳୁନି?

 

ସେଇକଥା ପରା! ଏ ତ କିଛି ନୁହଁ। ସେଦିନ ତ ସେମାନେ ଟୁଇଟ୍ କରିଥିଲେ ଯେ ମୋଦିଙ୍କ ଜୀବନୀ ଲେଖା ହବ। ମାନେ ବହି ଲେଖା ସରିବା ପରେ ସିନା ନିଉଜ୍ ହୁଏ, ଏବେ ତ ବହି ଲେଖା ଆରମ୍ଭ ହେଇନି, ସେଇଟା ବି ନିଉଜ୍!

 

ଅତି ଉତ୍ସାହିତ ହୋଇଯାଇଛନ୍ତି ବୋଧେ।

 

ହେଇଥିବ। କିନ୍ତୁ ସେସବୁ ଛାଡ଼। ଆଜି ତୋରାଣି ପିଇବାକୁ କିଏ ଆସିଥିଲା ଆଗ କୁହ?

 

ଆଜିପରା ରାଷ୍ଟ୍ରପତି ପ୍ରାର୍ଥୀ କୋବିନ୍ଦଜୀଙ୍କୁ ନବୀନବାବୁ ତୋରାଣି ପେଇବାକୁ ଡାକିଥିଲେ!

 

ତମର ଯୋଉ କଥା ନା! କିହୋ ସିଏ ନିର୍ବାଚନ ପ୍ରଚାରରେ ଆସିଥିଲେ, ଆଉ ତମେ କହୁଛ ତୋରାଣି ପିଇବାକୁ ଆସିଥିଲେ! ଏଇଟା କ’ଣ ଗୋଟେ କଥା?

 

କିରେ ଏଠି ତ ତାଙ୍କ ପାଇଁ ଭୋଟ ଥୁଆ ବୋଲି ନବୀନବାବୁ ଆଗରୁ ଫୋନ୍ କରି କହିଦେଇଥିଲେ। ଆଉଥରେ ପ୍ରଚାର କରିବାକୁ କାହିଁକି ଆସିବେ? ବନ୍ଧୁ ବାନ୍ଧବ ସମ୍ପର୍କରେ ଏମିତି ହୁଏ।

 

ଦେଖ! ସୌୟଜନ୍ୟତା ଦୃଷ୍ଟିରୁ ତାଙ୍କୁ ଡକା ଯାଇଥିଲା। ତମେ ତାକୁ ଅଲଗା କଲର୍ ଦିଅନି। ମୀରା କୁମାର ବି ତମ ଦିଲ୍ଲୀ ସରକାରଙ୍କ ପାଖକୁ ତୋରାଣି ପିଇବାକୁ ଯାଇଥିବେ।

 

ଆରେ ନାଇରେ! ଯେଉଁ ମିଟିଂରେ ମୀରା କୁମାରଙ୍କ ନାଁ ସ୍ଥିର ହେଲା ସେ ମିଟିଂକୁ ଆପ୍‌କୁ ଡକାଯାଇ ନଥିଲା। ଆଉସବୁ ଅଣବିଜେପି ଦଳକୁ ଡକା ଯାଇଥିଲା।

 

ଠିକ କଥା। ତମ କେଜରିବାଲକୁ କୁହ, ମୁଖ୍ୟମନ୍ତ୍ରୀ ହେଲାଣି, ନିଜକୁ ଟିକେ ମେଣ୍ଟେନ୍ କରିବ। ଛୋଟିଆ ରାଜ୍ୟରେ ପାବାର୍‌ରେ ଅଛି। ବଡବଡ ଦଳ ସଙ୍ଗେ ଟିକେ ରିଲେସନ୍ ମେଣ୍ଟେନ୍ କରି ରଖ। ଦେଖିବ କିଛି ଅସୁବିଧା ହବନି। ନବୀନବାବୁଙ୍କ ଠୁଁ ଶିଖ। ଭାଇନାଙ୍କ ପାର୍ଟି ତାଙ୍କୁ ବିପଦରେ ପଡିଲା ବେଳେ ସାହାଯ୍ୟ କରିଥିଲେ। ନହେଲେ ତାଙ୍କ ସରକାର ଭାଙ୍ଗି ଯାଇଥାନ୍ତା। କିନ୍ତୁ ନବୀନବାବୁ କ’ଣ ତାଙ୍କ କଥା ଶୁଣୁଛନ୍ତି? ତଥାପି ନବୀନବାବୁଙ୍କ କଥା ପଡିଲେ ଭାଇନା କିଛି କହିପାରନ୍ତି ନାହିଁ। ସେକୁଲାର୍ ପାର୍ଟି ନା! ହା ହା ହା! ଭାଇନା ଗୋଟେ ପ୍ରକାର ରିଲେସନ୍ ମେଣ୍ଟେନ୍ କରୁଛନ୍ତି। ନବୀନବାବୁ ବି ତାଙ୍କଠୁ ବଡ ପାର୍ଟି ସଙ୍ଗେ ରିଲେସନ୍ ବଢ଼ଉଛନ୍ତି, ତୋରାଣି ପେଇବାକୁ ଡାକୁଛନ୍ତି।

 

ସତକଥା। କେଜରିବାଲ ସେଇଟା ନ କରି ଭୁଲ କରୁଛି। ହେଲେ ଲୋକେ କ’ଣ କହିବେ?

 

ଲୋକଙ୍କ କଥା ମିଡିଆ ଉପରେ ଛାଡିଦିଅ। ସେମାନେ ବୁଝେଇ ଦେବେ ଲୋକଙ୍କୁ। କହିବେ ଦଳିତ, ଆଦିବାସୀ, ମହିଳା ଓ ପଛୁଆ ଜାତିର ଇସୁ ଥିଲା ତ, ସେଇଥିପାଇଁ। ନହେଲେ ସଂଧ୍ୟାବେଳେ ଡାକି ଗରମାଗରମ ଝଗଡାଟେ କରେଇଦେବେ। ଲୋକେ ଅଫିସରୁ ବାଧାରେ ଆସି ରାତିରେ କ୍ରାଇମ୍ ପାଟ୍ରୋଲ୍ ଦେଖିବା ପୂର୍ବରୁ ଏ ଶୋ’କୁ ବି ଦେଖିବାକୁ ଭଲ ପାଆନ୍ତି।

କିରେ ଲୋକେ ପରା ଏବେ ଦାନ ମାଝି ଆଉ ନଗଡା କଥା ଦେଖିଛନ୍ତି! ଏବେ ତୋରାଣି ଖିଆ ପାଇଁ ଦଳିତ ଇସୁ ଉଠେଇଲେ ବିଶ୍ବାସ କରିଯିବେ? ଆଉ ତାଙ୍କ ପାର୍ଟି ପରା ଦଳିତଙ୍କୁ କାର୍ ପଛପଟ ରେଲିଂରେ ବାନ୍ଧି ନିସ୍ତୁକ ବାଡେଇଥିଲା, ଆଉ ପୁଣି ନିର୍ଭୟରେ ତା’ର ଭିଡିଓ ୟୁଟୁବ୍‌ରେ ଛାଡିଥିଲା। ଲୋକେ କ’ଣ ସହଜରେ ଭୁଲିଯିବେ?

 

କୋଉଠି ଅଛ ତମେ? ଯୁଗ ଯାଇ କୋଉଠି ମାରିଲାଣି! ତମ ସରକାର ତ ଦିଲ୍ଲୀରେ ଏତେ କାମ କରୁଛି, ଲୋକଙ୍କ ଭିତରେ ପ୍ରଚାର କରୁନା!

 

କୋଉଠି ପ୍ରଚାର କରିବୁ? ପଢ଼ାଲେଖା ପିଲାଙ୍କ ପାଇଁ ସେମାନେ କୁଟୀର ଶିଳ୍ପ ଖୋଲି ଦେଇଛନ୍ତି। ତାଙ୍କର ଗୋଟିଏ ଲେଖାଏଁ ବିଗ୍ ବ୍ରଦର ଅଛନ୍ତି। ସେମାନେ ଫଟୋସପ୍ ବ୍ୟାନର୍ ଯୋଗାଉଛନ୍ତି। ଏମାନେ ଦିନସାରା ଶେୟାର କରୁଛନ୍ତି। ଦି ପଇସା ମିଳିଯାଉଛି।

 

ସମସ୍ତେ କ’ଣ ସେଇଆ?

 

ନା। ସମସ୍ତେ ସେଇଆ ନୁହନ୍ତି। ଆଉ ଦଳେ ଅଛନ୍ତି। ସେମାନଙ୍କ ପାଖରେ ପୂରା ହିସାବ ଅଛି। କୋଉଠି ଦଳିତ କେତେ ପରସେଣ୍ଟ ଅଛନ୍ତି, ମୁସଲମାନ କେତେ ପରସେଣ୍ଟ ଅଛନ୍ତି, ଉଚ୍ଚଜାତି କେତେ ଅଛନ୍ତି, କୋଉପାର୍ଟି ଗତଥର କାହା ଭୋଟର କେତେ ପରସେଣ୍ଟ ନେଇଥିଲା, ଏସବୁ ହିସାବ କରି ମୁଣ୍ଡ ହଲେଇ ଦେଉଛନ୍ତି। କହୁଛନ୍ତି, ତମେ ପାଇବନି। ମୋ ମନ ମରି ଯାଉଛି।

 

ହା ହା ହା। ତମେ ମନ ଖରାପ କରନି। ତମେ ଠିକ୍ କହିଛ। ଦଳେ ଏମିତି ଅଛନ୍ତି। ସେମାନେ ସରଳ କଥାକୁ ଜଟିଳ ନକଲା ପର୍ଯ୍ୟନ୍ତ ବୁଝନ୍ତି ନାହିଁ।

 

ନା , ମୁଁ ମନ ଖରାପ କରୁନି। ସବୁଲୋକ ସେଇଆ ନୁହନ୍ତି। ଆଉ ବହୁତ ଅଛନ୍ତି, ସେମାନେ ସବୁକଥା ବୁଝନ୍ତି। ସେମାନେ କହନ୍ତି, ଆରେ ବାହ୍, ଦିଲ୍ଲୀରେ କେଜରିବାଲ ଏତେ କାମ କରୁଛି? ଆମେ ଏକଥା ଜାଣି ନଥିଲୁ। ହେଲେ ଆମ ଓଡିଶାରେ ଏମିତି ହୁଅନ୍ତାନି? ଓଡ଼ିଶାରେ ବି ଆପ୍ ଆସନ୍ତାନି! କେଜରିବାଲକୁ କହୁନ ଓଡ଼ିଶା ଆସିବ?

 

ଠିକ୍ ତ କହୁଛନ୍ତି।

 

କ’ଣ ଠିକ୍ କହୁଛନ୍ତି? ଚୋପାଟା ବୁଝିଲୁ! କିରେ ନିଜେ ନ ବାହାରିଲେ କ’ଣ କେଜରିବାଲ୍ ତାଙ୍କ ପାଇଁ ଆସି ସବୁ କରିଦବ? ତାଙ୍କ ପାଇଁ ବିଜୁଳି ଦାମ୍ ଅଧା କରିଦବ, ସରକାରୀ ସ୍କୁଲ୍ ସଜାଡିଦବ, ଔଷଧ ଟେଷ୍ଟ ସର୍ଜେରି ମାଗଣା କରିଦବ?

 

ସତକଥା!

 

କିଛି ସମୟ ଦୁଇଜଣ ଚୁପ୍ ହୋଇ ଭାବିବାରେ ଲାଗିଲୁ।

 

ମୁଁ ପୁଣି ଆରମ୍ଭ କଲି।

 

ହଇରେ ମୁନ୍ନା!

 

କ’ଣ କହୁନା?

 

ମୁଁ ଦେଖୁଛି ତୁ ବି ତ କିଛି କମ୍ ନୁହଁ। ତୋତେ ରାଜନୀତି ବିଷୟରେ ଏତେ କଥା ଜଣାଅଛି ବୋଲି ଜାଣି ନଥିଲି। ମୁଁ ଭାବିଲି ଆଜି ପର୍ଯ୍ୟନ୍ତ ମୁଁ ତୋତେ ଶିଖାଉଛି ବୋଲି! କିନ୍ତୁ ତୁ ତ ଗୋଟେ ଛୁପା ରୁସ୍ତମ୍ ପାଲଟିଲୁ!

 

ଆରେ ନାଇ ମ! ସେମିତି କିଛି ନୁହଁ। ଗୋଟିଏ କଥା ଜାଣିବାକୁ ତମ ପାଖକୁ ଆସେ। ମୁଁ ଆଜି ପର୍ଯ୍ୟନ୍ତ ସେଇଟା ବୁଝିପାରୁନି।

 

କ’ଣ?

 

ତମ ପାଖରେ ଇଲିଗାଲ୍ ଟଙ୍କା ନାହିଁ। ସେମିତି ଥିଲେ ମୋଦୀ ତମକୁ ଆଜି ପର୍ଯ୍ୟନ୍ତ ଛାଡି ନଥାନ୍ତା।

 

ଥ୍ୟାଙ୍କ ୟୁ!

 

ତମେ ଦଳିତ ଉଚ୍ଚଜାତି ମୁସଲମାନ କାର୍ଡ଼ ଖେଳୁନାହଁ।

 

ଠିକ୍।

 

କୋଉ ନେତାର ମରିବା ପରେ ତମେ ସିମ୍ପାଥୀ ପାଇଁ ଦଳ ତିଆରି କରିନ।

 

ଠିକ୍।

 

ବଡ଼ ବଡ଼ ଶିଳ୍ପପତି ସାଙ୍ଗରେ ବସାଉଠା କରୁନ।

 

ଠିକ୍।

 

ଯୋଉ ଆନ୍ନା ହଜାରେ ଯୋଗୁଁ ତମ ପାର୍ଟି ବଢିଲା ବୋଲି କିଛି ଲୋକ କହନ୍ତି, ସିଏ ତ ପାର୍ଟି ତିଆରି ହେବାଦିନୁ ତମ ବିରୁଦ୍ଧରେ କହୁଛନ୍ତି।

 

ଠିକ୍।

 

ତମ ପାର୍ଟିରୁ ବହୁତ ଲୋକ ଛାଡିକି ଗଲେଣି।

 

ଠିକ୍।

 

ତମ ମୁଖ୍ୟମନ୍ତ୍ରୀ ଅଫିସରେ ମୋଦୀ ସିବିଆଇ ରେଡ୍ କରେଇଲା , ପ୍ରିନ୍ସପାଲ୍ ସେକ୍ରେଟାରୀକୁ ଓ ୧୪ ଜଣ ଏମଏଲ୍ଏକୁ ଗିରଫ କରି ଜେଲରେ ପୁରେଇଲା।

 

କହିଯା।

 

ଟିଭିବାଲା ସବୁବେଳେ କହୁଛନ୍ତି ତମ ପାର୍ଟି ଏଇଥର ଖତମ ହୋଇଗଲା।

 

ଠିକ୍।

 

ତଥାପି ତମ ପାର୍ଟି ବଞ୍ଚିଛି କେମିତି? ଖାଲି ବଞ୍ଚିନି, ଏତେ ଶୀଘ୍ର ଦେଶସାରା ମାଡୁଛି କେମିତି?

 

ସତ କହିବି?

 

କହୁନ!

 

ସତକଥା ହେଲା, ଆମେ କାହା ସଙ୍ଗେ ତୋରାଣି ପିଆ କରୁନା।

 

ହେଃ! ଏଇଟା କ’ଣ ଗୋଟେ କଥା?

 

ଆରେ ଆମେ କାହାକୁ ତୋରାଣି ପିଇବାକୁ ଡାକିବୁ? କୋଉ ରଜା ପୁଅ ମନ୍ତ୍ରୀପୁଅକୁ ଡାକି ଦଳ ବନେଇନୁ। ତୋର ଯଦି ବିଶ୍ବାସ ହେଉନି, ସନ୍ଧ୍ୟାବେଳେ ଆମ ସାଙ୍ଗରେ ଚାଲ୍! ୧୭ ତାରିଖ ଚାଷୀ ସମାବେଶ ପାଇଁ କୋଉମାନେ ପୋଷ୍ଟର ମାରୁଛନ୍ତି ଦେଖିବୁ। ଭଲେଣ୍ଟିଅର୍ ବି ସେଇଠି, ରାଜ୍ୟ ଆବାହକ ବି ସେଇଠି। ହିନ୍ଦୀରେ ’ଜୁନୁନ୍’ ବୋଲି ଗୋଟେ ଶବ୍ଦ ନାହିଁ? ସେଇଥିରେ ଚାଲିଛୁ। ଏତେବାଟ ତ ଆସିଲାଣୁ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top