ସାଇନାଥ ଓ ଗୋଲାପ ଫୁଲ

News Story - Posted on 2017-07-08

ଜ୍ୟୋତିର୍ବିଦ‍୍‌ ଡ. ପ୍ରଦୀପ କୁମାର ଚୌଧୁରୀ

 

ଗୋଲାପ ଫୁଲ ସୂଚିତ କରୁଛି ଜୀବନ ଜଞ୍ଜାଳରେ ସେ କଣ୍ଟା, ଏହାର ଊର୍ଦ୍ଧ୍ୱକୁ ଗଲେ ସଦ୍ୟ ଗୋଲାପ ଭଳି ସେ ବ୍ରହ୍ମର ପୂର୍ଣ୍ଣପ୍ରକାଶ।

 

ପ୍ରତ୍ୟେକ ମଣିଷର ନିଜର ସ୍ୱତନ୍ତ୍ର ରୁଚି ଓ ପସନ୍ଦ ଥିବା ଭଳି ପ୍ରତ୍ୟେକ ଅବତାରୀ ମହାପୁରୁଷ ବା ଭଗବାନଙ୍କ ସ୍ୱତନ୍ତ୍ର ରୁଚି ରହିଛି। ଯେପରିକି ମହାଦେବଙ୍କ ବେଲପତ୍ର, ପବିତ୍ର ଜଳ, ପଞ୍ଚାମୃତ ଓ ତୁଳସୀ ମଞ୍ଜରୀ, ରୁଦ୍ରାକ୍ଷ ଓ ବିଭୂତି ପସନ୍ଦ, ଶ୍ରୀହରି ବିଷ୍ଣୁଙ୍କୁ ତୁଳସୀପତ୍ର, ଦୁର୍ଗାଙ୍କୁ ମନ୍ଦାରଫୁଲ ଓ ସିନ୍ଦୂର, ମହାଲକ୍ଷ୍ମୀଙ୍କୁ କମଳ ପୁଷ୍ପ, ସରସ୍ୱତୀଙ୍କୁ ଶ୍ୱେତପୁଷ୍ପ ଓ ପୁଷ୍କରମାଳା ଦେଇ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଅଛି। ଅର୍ଥାତ‌୍‍ ଦେବତାଙ୍କ ରୁଚି ବା ପସନ୍ଦ ଅନୁଯାୟୀ ପ୍ରତ୍ୟେକ ପୂଜାର୍ଚ୍ଚନା ଦ୍ରବ୍ୟ ନିର୍ଣ୍ଣୟ କରାଯାଇଥାଏ। କାହାର କେଉଁ ବର୍ଣ୍ଣ ପ୍ରିୟ ତ କାହାର କେଉଁ ପୁଷ୍ପ ପ୍ରିୟ। କାହାର କେଉଁ ଫଳ ପ୍ରିୟ ତ କାହାର କେଉଁ ସୁଗନ୍ଧ ପ୍ରିୟ। ତେଣୁ ଭକ୍ତ ବା ଆଶ୍ରିତ ଯେଉଁ ଭଗବାନଙ୍କୁ ଆରାଧନା, ପୂଜାର୍ଚ୍ଚନା କରେ ସେହି ଭଗବାନଙ୍କ ପ୍ରିୟ ଦ୍ରବ୍ୟରେ ତାହା କରାଯାଏ।

 

ଅନେକ ସାଇ ଭକ୍ତ ବା ଆଶ୍ରିତମାନଙ୍କ ମତରେ ଏ ପ୍ରଶ୍ନ ଉଙ୍କିମାରିବା ସ୍ୱାଭାବିକ ଯେ ବାବା ସାଇଙ୍କ ପ୍ରିୟ ପୁଷ୍ପ ଗୋଲାପ କାହିଁକି? ଗୋଲାପ ଫୁଲକୁ ବାବା ସାଇନାଥ କାହିଁକି ନିଜର ପ୍ରିୟ ପୁଷ୍ପ ଭାବରେ ଗ୍ରହଣ କଲେ? ଗୋଲାପ ଫୁଲ ସହ ବାବାଙ୍କର କ’ଣ ସଂପର୍କ ରହିଛି?

 

ସାଧାରଣ ଭାବରେ ଆମେ ଏହାର ଗୂଢ଼ ରହସ୍ୟ ବା ତତ୍ତ୍ୱ ନ ବୁଝି ଜଣେ ଆଉଜଣଙ୍କୁ ଅନୁକରଣ କରି ଗୋଲାପ ଫୁଲ ସାଇଙ୍କୁ ଅର୍ପଣ କରୁଛୁ। କେବଳ ବାବାଙ୍କ ଆଶ୍ରିତ ଲୀଳାକ୍ଷେତ୍ର ଓ ବର୍ତ୍ତମାନରେ ଜୀବନ୍ତ ସମାଧି କ୍ଷେତ୍ରରେ ଗୋଲାପ ଫୁଲର ପ୍ରାଚୁର୍ଯ୍ୟ ଏବଂ ମହକ ବିସ୍ତୃତ ନୁହେଁ। ପୃଥିବୀର କୋଣେ ଅନୁକୋଣେ ବାବାଙ୍କ ଉପସ୍ଥିତି ଉପଲବ‌୍‍ଧି ହେବାମାତ୍ରେ ଗୋଲାପଫୁଲ ତାହାର ସ୍ଥିତି ଜାହିର‌୍‍ ରଖେ।

 

ବାବାଙ୍କ ପ୍ରିୟ ଫୁଲ ଭାବରେ ଗୋଲାପ ଆଦର ପାଇବାର ଅନ୍ତରାଳେ ଏକ ଗୂଢ଼ ତତ୍ତ୍ୱ ରହିଛି। ତାହା ହେଲା ବାବାଙ୍କ ଜୀବନୀ ଠିକ‌୍‍ ଗୋଲାପ ଫୁଲ ଭଳି। ଗୋଲାପ ଫୁଲ ସୂଚିତ କରୁଛି ଜୀବନ ଜଞ୍ଜାଳର ମୋହ, ମାୟାରେ ସେ କଣ୍ଟା ଆଉ ଏହାର ଊର୍ଦ୍ଧ୍ୱକୁ ଗଲେ ସଦ୍ୟ ଗୋଲାପ ଫୁଲ ଭଳି ବ୍ରହ୍ମର ପୂର୍ଣ୍ଣପ୍ରକାଶ। ତେଣୁ ବାବା ସାଇ କହୁଛି ମୁଁ ରୂପରେ ଗୋଲାପ ଫୁଲର କଣ୍ଟା ଭଳି ଅର୍ଥାତ‌୍‍ ମୁଁ ଜଣେ ଭିକ୍ଷୁକ। କିନ୍ତୁ ଅନ୍ତଃସତ୍ତାର ଦିବ୍ୟଦୃଷ୍ଟିରେ ମୁଁ ସଦ୍ୟ ପ୍ରସ୍ଫୁଟିତ ସୁନ୍ଦର ଗୋଲାପ ଭଳି ବ୍ରହ୍ମର ପୂର୍ଣ୍ଣ ପ୍ରକାଶ।

 

ବାବା ନିଜ ଜୀବନଚର୍ଯ୍ୟାରେ ପାର୍ଥିବ ଜଗତରେ ଜଣେ ପ୍ରତିକୂଳପୂର୍ଣ୍ଣ ଭିକ୍ଷୁକ ଭାବରେ ଦୃଶ୍ୟମାନ ହେଉଥିଲେ ମଧ୍ୟ ଏହାର ଊର୍ଦ୍ଧ୍ୱକୁ ଯାଇ ସେ ଗୋଲାପ ଫୁଲ ଭଳି ବ୍ରହ୍ମକୁ ପ୍ରକାଶ କରିଛନ୍ତି। ତେଣୁ ବାବା କହିଛନ୍ତି ଜୀବନ ଜଞ୍ଜାଳ କଣ୍ଟକପୂର୍ଣ୍ଣ, ଏହାକୁ ସାହସର ସହିତ ମୁକାବିଲା କଲେ ହିଁ ଏହାର ଊର୍ଦ୍ଧ୍ୱକୁ ଯାଇ ମୁକ୍ତି ବା ମୋକ୍ଷ ବା ଈଶ୍ୱରପ୍ରାପ୍ତିର ମାର୍ଗ ଖୋଲିବ। ବାବା ନିଜର କଣ୍ଟକପୂର୍ଣ୍ଣ ଜୀବନର ଆଦର୍ଶରେ ଆମକୁ ଶିଖାଉଛନ୍ତି ତୁମେ ଜୀବନର ଦୁଃଖକୁ ଗ୍ରହଣ କରି ଆପଣେଇବାର ମନ୍ତ୍ର ଶିଖ ତେବେ ଯାଇ ପ୍ରକୃତ ସୁଖର ସନ୍ଧାନ ପାଇବ। ଗୋଲାପ ଫୁଲ ଫୁଟିବାର ବେଳ ସେତେବେଳେ ଆସେ ଯେତେବେଳେ ସେଥିରେ କଣ୍ଟା ଗଜୁରେ। ଜୀବନର ପ୍ରକୃତ ସୁଖ ଓ ଶାନ୍ତି ପାଇବାକୁ ହେଲେ ଦୁଃଖର ପାହାଚ ଚଢ଼ିବାକୁ ହୁଏ। ପଙ୍କ ଭିତରୁ ଯେପରିକି ସୁନ୍ଦର ସତେଜ ଶତଦଳ ପଦ୍ମ ଫୁଟେ, ଅନ୍ଧାରକୁ ମନ୍ଥନ କଲେ ଯେପରି ଆଲୋକର ସନ୍ଧାନ ମିଳେ, ଖଣିରୁ ଯେପରି କି ମଣି ମିଳେ, ବିଷକୁ ମନ୍ଥନ କଲେ ଯେପରିକି ଅମୃତ ସୃଷ୍ଟିହୁଏ, ଠିକ‌୍‍ ସେହିପରି ଜୀବନର ଦୁଃଖ ଓ ସମସ୍ତବାଧକ, ପ୍ରତିକୂଳ ପରିସ୍ଥିତିକୁ ଆଦରି ଆପଣେଇ ମୁକାବିଲା କରି ଏହାର ଊର୍ଦ୍ଧ୍ୱକୁ ଗଲେ ହିଁ ପ୍ରକୃତ ଈଶ୍ୱରଙ୍କ ଚିରନ୍ତନ ସତ୍ତା ମିଳେ।

 

ଗୋଲାପ ଫୁଲ କହୁଛି କଣ୍ଟା ଓ ଫୁଲ ଯେପରିକି ପରସ୍ପର ଜଡ଼ିତ ଏବଂ  ଫୁଲଫୁଟିବାକୁ ହେଲେ ପ୍ରଥମେ କଣ୍ଟାର ସୃଷ୍ଟି ଅନିବାର୍ଯ୍ୟ, ଠିକ‌୍‍ ସେହିପରି ଜୀବନର ପ୍ରକୃତ ଈଶ୍ୱର ମାର୍ଗ ଉନ୍ମୋଚିତ ହେବାକୁ ହେଲେ ପ୍ରଥମେ ସମସ୍ତ ପ୍ରତିକୂଳପୂର୍ଣ୍ଣ ଦୁଃଖ, କଷ୍ଟ, ଯାତନାଭରା ପାର୍ଥିବ ଜୀବନକୁ ଶ୍ରଦ୍ଧା ସହ ଆପଣେଇବାକୁ ପଡ଼ିବ ଏବଂ ଏହା ଧୀରେ ଧୀରେ ଈଶ୍ୱରଙ୍କ ସତ୍ୟ, ଶୁଦ୍ଧ ଓ ଚିରନ୍ତନ ମାର୍ଗ ଉନ୍ମୁକ୍ତ କରିଦେବ। ତେଣୁ ସବୁ ଅବତାରୀ ମହାମାନବଙ୍କ ଜୀବନର ଆଦର୍ଶ ଠିକ‌୍‍ ଗୋଲାପ ଫୁଲ ଭଳି ପ୍ରଥମେ କଣ୍ଟକପୂର୍ଣ୍ଣ ଏବଂ ଏହାର ଊର୍ଦ୍ଧ୍ୱକୁ ଗୋଲାପ ଫୁଲ ଭଳି ସତେଜ, ସୁନ୍ଦର, ମଧୁଯୁକ୍ତ ଏବଂ ସୁଗନ୍ଧଭରା। ଜୀବନରେ ଦୁଃଖ-ସୁଖ, ଅନ୍ଧାର-ଆଲୋକ, ପ୍ରତିକୂଳ-ଅନୁକୂଳ, ବିଫଳତା-ସଫଳତା, ପରାଜୟ-ବିଜୟ, କାନ୍ଦ-ହସ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଭଳି। ଯେଉଁମାନେ ଈଶ୍ୱର ଅନୁଗାମୀ ସେମାନେ ଉଭୟଟିକୁ ସମାନ ଭାବରେ ଗ୍ରହଣ କରିଥାନ୍ତି। ତେଣୁ ବାବା ସାଇ ସମସ୍ତ ଆଶ୍ରିତଙ୍କୁ ସୂଚେଇ କହୁଛନ୍ତି, ଯେପରିକି ସତେଜ ସୁନ୍ଦର ପଦ୍ମକୁ ପ୍ରସ୍ଫୁଟିତ କରିବାକୁ ହେଲେ ଦୁର୍ଗନ୍ଧଭରା କଦ୍ଦର୍ମାକ୍ତ ପଙ୍କର ଆବଶ୍ୟକତା ରହିଛି, ସେପରି ଅମୃତ ସୃଷ୍ଟି କରିବାକୁ ହେଲେ ସମୁଦ୍ର ମନ୍ଥନରୁ ପ୍ରଥମେ ହଳାହଳ ବିଷ ଉତ୍ପନ୍ନ ହେଲାଭଳି ନିଜକୁ ଈଶ୍ୱର ଅନୁଗାମୀ କରାଇବାକୁ ହେଲେ ପ୍ରଥମେ ପାର୍ଥିବ ଜଗତର ସବୁ କଷଣ ଛାତିକୁ ପଥର କରି ମୁଣ୍ଡ ପୋତି ସହିବାକୁ ପଡେ଼। ଏହାର ଊର୍ଦ୍ଧ୍ୱରେ ହିଁ ଈଶ୍ୱରଙ୍କ ପଥ ଉନ୍ମୁକ୍ତ ହୁଏ ଏବଂ ଗଭୀର ଭକ୍ତି ଭାବରେ ଏସବୁ ଶ୍ରଦ୍ଧାର ସହ ଆପଣେଇଲେ ଭଗବାନ ସ୍ୱତଃପ୍ରବୃତ୍ତ ଭାବରେ ନିଜ ହୃଦୟ ସିଂହାସନରେ ବିରାଜମାନ କରିବା ସହ ଧୀରେ ଧୀରେ ସେ ସ୍ୱୟଂ ଅବତାରୀ ମହାମାନବ ଈଶ୍ୱରଙ୍କ ପ୍ରତ୍ୟକ୍ଷ ସ୍ୱରୂପ ଭାବରେ ଜଗତରେ ଲୀଳା କରେ ଯାହାକି  ବାବାଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲା।

 

ସେ ଜଣେ ସାଧାରଣ ଭିକ୍ଷୁକରୁ ଗୁରୁ, ଗୁରୁରୁ ସଦ‌୍‍ଗୁରୁ, ସଦ‌୍‍ଗୁରୁରୁ ସାଧୁ, ସାଧୁରୁ ସନ୍ଥ, ସନ୍ଥରୁ ଅବଧୂତ, ଅବଧୂତରୁ ପ୍ରତ୍ୟକ୍ଷ ଈଶ୍ୱର ରୂପାନ୍ତରିତ ହୋଇଥିଲେ। ସଦ‌୍‍ଗୁରୁ ସାଇନାଥ ଆମର ପରମପିତା, ମାତା, ଦିଗଦର୍ଶକ, ସଦ‌୍‍ଗୁରୁ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହର୍ତ୍ତାକର୍ତ୍ତା ଓ ଭାଗ୍ୟବିଧାତା, ସେ ଆମର ରକ୍ଷକ, ଆପଦବିପଦରୁ ଉଦ୍ଧାରକର୍ତ୍ତା ଏବଂ ସବୁକିଛି। ତେଣୁ ସେ ଆମକୁ କହୁଛନ୍ତି ଦୁଃଖ ଓ ସୁଖକୁ ସମାନ ମଣ, ଦୁଃଖରେ ଭାଙ୍ଗିପଡ଼ନାହିଁ କିମ୍ୱା ସୁଖରେ ଅଧିକ ଉତ୍ସାହିତ ହୋଇପଡ଼ନାହିଁ। ଏ ଦୁହେଁ ସମାନ ଦୁଃଖହିଁ ପ୍ରକୃତ ସୁଖର ଜନନୀ। ତେଣୁ ତୁମମାନଙ୍କଠାରୁ କଣ୍ଟାଯୁକ୍ତ ଗୋଲାପଫୁଲ ମୁଁ ଗ୍ରହଣ କରେ ଏଥିରେ ଦୁଃଖମିଶ୍ରିତ ସୁଖର ଆନନ୍ଦ ଅଛି। ମଁୁ ତୁମର ପରମପିତା, ମୁଁ ତୁମଠାରୁ ଶ୍ରଦ୍ଧାରେ କଣ୍ଟାଯୁକ୍ତ ଗୋଲାପ ଗ୍ରହଣ କରୁଛି। ମୁଁ ନିଜେ ତୁମ ଜୀବନର କଣ୍ଟାତକ ରଖି ପ୍ରତିଦାନରେ ତୁମକୁ ମୁଁ ମଧୁପୂର୍ଣ୍ଣ ସୁନ୍ଦର ଗୋଲାପ ପ୍ରଦାନ କରୁଛି ଅର୍ଥାତ‌୍‍ ତୁମେ ଯେତେବେଳେ କଣ୍ଟାଯୁକ୍ତ ଗୋଲାପ ଭଳି ତୁମ ଦୁଃଖ, କାମନା, ମୋତେ ଅର୍ପଣ କରୁଛ, ମୁଁ ତୁମର ସମସ୍ତ ଦୁଃଖ, ଦୁର୍ଦ୍ଦିନକୁ ମହାଦେବ ଗରଳପାନ କଲାଭଳି ପାନ କରି ତୁମ ଉପରେ ସୁଖର ଅମୃତ ସିଞ୍ଚନ କରି ସୁନ୍ଦର, ମଧୁର, ରସାଳ ଓ ସୁଗନ୍ଧଯୁକ୍ତ ଜୀବନ ପ୍ରଦାନ କରୁଛି। ମୋ ଜୀବନର ଆଦର୍ଶ ଠିକ‌୍‍ ଗୋଲାପ ଫୁଲ ଭଳି। ତେଣୁ ଗୋଲାପ ଫୁଲ ମୋ ପ୍ରିୟ। ଦୁଃଖ ନିଏ ସୁଖ ଦିଏ। ତେଣୁ ମୁଁ ତୁମର ଭଗବାନ ଓ ପ୍ରିୟ ପରମେଶ୍ୱର। ଗୋଲାପ କଣ୍ଟା ଯେପରିକି ଗୋଲାପଫୁଲ ତଳେ ରହି ଫୁଲକୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ, ଠିକ‌୍‍ ସେହିପରି ଜୀବନରେ ଘଟିଥିବା ସମସ୍ତ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ଜୀବନର ଚିର ସୁଖ ଓ ଶାନ୍ତିର ପଥ ଉନ୍ମୁକ୍ତ କରେ ଏବଂ ଦିଗ‌୍‍ଦର୍ଶକର ମାଇଲ‌୍‍ଖୁଣ୍ଟ ଭାବରେ କାର୍ଯ୍ୟନିର୍ବାହ କରେ।

 

ତେଣୁ ବାବାଙ୍କୁ କୁହାଯାଏ ଚମତ୍କାରୀ ସନ୍ଥ। ଭଗବାନ, ଯିଏ କି ସାଗର ଜାଳିବେ ଅନଳ, ପର୍ବତେ ଫୁଟାଇବେ କମଳ। ଯିଏ କି ଦୁଃଖକୁ ମନ୍ଥନ କରି ଚିର ସୁଖକୁ ଆବିଷ୍କାର କରନ୍ତି । କଣ୍ଟାରୁ ଫୁଟାନ୍ତି ଗୋଲାପ । ତେଣୁ ଗୋଲାପ ଫୁଲ ବାବାଙ୍କର ଅତି ପ୍ରିୟ ଓ ଆପଣାର।

 

ଭିଏ ୩୪/୪, ୟୁନିଟ‍୍‌-୨, ଭୁବନେଶ୍ୱର,

ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

Dr Tapas K Panda - Email: odiakid@gmail.com - Posted on 2017-07-08 16:33:48

Nice presentation. Must be an eye opener to so many myths about sai n roses. Loved the flow

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top