ଜି ଫର୍‌ ଗୀତା, ଜି ଫର୍‌ ଜିଏସଟି!

News Story - Posted on 2017-07-02

ରଙ୍ଗାଚରଣ ପ୍ରଧାନ

ଜାଣିଛ? ଗୀତାରେ ୧୮ଟି ଅଧ୍ୟାୟ ଅଛି ଆଉ ଜିଏସଟି ବି ୧୮ଟି ବୈଠକ ପରେ ହେଲା।

ମୁଁ ମୁନ୍ନାର ମୁହଁକୁ କିଛି ସମୟ ଅବାକ୍ ହୋଇ ଚାହିଁ ରହିଲି, ଭାବୁଥିଲି ତା’ର ଆଜି ହେଇଛି କ’ଣ? ପଚାରିଲି, କ’ଣ ଟିଭିରେ ଡେରି ରାତି ପର୍ଯ୍ୟନ୍ତ ଜିଏସଟି ମେଳା ଦେଖି ନିଦ ପାକଳ ହେଇନି କି?

କାଇଁ?

ବିଳିବିଳଉଛୁ ଯେ?

ଖରାପ କ’ଣ କହିଲି? ଏଇଟା କ’ଣ ମିଛ?

ମିଛ କି ସତ ମୁଁ ଜାଣିନି। ମହାଭାରତ ୧୮ ପର୍ବ ଓ ରାମାୟଣ ୭ ଖଣ୍ଡ ବୋଲି ଜାଣିଛି। ଗୀତା କେତୋଟି ଅଧ୍ୟାୟ ମୁଁ ଜାଣିନି। ହେଇଥିବ। କିନ୍ତୁ କାହିଁ ଜିଏସଟି ଆଉ କାହିଁ ଗୀତା ! ତୋର କ’ଣ ମୁଣ୍ଡଫୁଣ୍ଡ ଖରାପ ହୋଇଗଲାଣି କି?

ମୁଁ କ’ଣ କହୁଛି ଏକଥା? ନିଜେ ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି ବୋଲି ମୁଁ କହିଲି ନା ଆଉ!

ପ୍ରଧାନମନ୍ତ୍ରୀ ତ କିଛି ବି କହିବେ। ଜିଏସଟିକୁ ସଫଳ କରିବା ପାଇଁ ସେ, ଏକପ୍ରକାରେ, ଗୀତାର ରାଣ ଖୁଆଉଛନ୍ତି। କି ନହେଲେ, ଦଶ ବର୍ଷ କାଳ ଜିଏସଟିକୁ ରୋକିଥିବା ଲୋକ ହିସାବରେ ତାଙ୍କ ଇମେଜକୁ ବଦଳାଇବା ପାଇଁ ସେ ଏବେ କିଛି ବି କହିବେ। ଯଦି ଜିଏସଟି ପାଇଁ ୧୬ଟି ମିଟିଂ ହୋଇଥାନ୍ତା ତେବେ ସେ ସନ୍ତୋଷୀ ମା ପୂଜାର ୧୬ ଶୁକ୍ରବାର କଥା କହିଥାନ୍ତେ! ଏକଥା ହୁଏତ ସେ ଏଥିପାଇଁ କହିଥାଇପାରନ୍ତି ଯେ ଜିଏସଟି ଲାଗୁହେଲେ ପ୍ରକୃତରେ ଲୋକଙ୍କର କ’ଣ ଭଲ ହେବ ସେ ନିଜେ ବି ଜାଣି ନାହାନ୍ତି! ତେଣୁ ସେ ଅସଲ କଥା ନକହି ଏଣୁତେଣୁ ଗପୁଛନ୍ତି।

ହେଃ , ତମେ ବି ନା! ପ୍ରଧାନମନ୍ତ୍ରୀ ପୁଣି କିଛି ଜାଣି ନାହାନ୍ତି! କି ଯେ କଥା ତମେ କୁହ?

ତୁ ନିଜେ କହୁନୁ? ଲୋକଙ୍କୁ କ’ଣ ମିଳିବ? ମୁଁ ହୁଏତ ଜାଣି ନଥିବି! ଟିଭିରେ ତ କେବଳ ବେପାରୀଙ୍କୁ କ’ଣ ସୁବିଧା ଅସୁବିଧା ହେବ ତା’ରି ଚର୍ଚ୍ଚା ଚାଲିଛି। ବେପାରୀ ତ ଟଙ୍କାକର ଜିଏସଟି ଦେବେନି ନା! ଆମଠୁଁ ଆଦାୟ କରି ସେମାନେ ଦେବେ।

କିହୋ ଏବେ ପରା ୱାନ୍ ନେସନ୍ ୱାନ୍ ଟ୍ୟାକ୍ସ ହେଇଗଲା! ତମେ ଶୁଣିନ କି?

ଶୁଣିଛି ଯେ, କିନ୍ତୁ ବୁଝି ପାରିନି! କିନ୍ତୁ ମୁଁ ତ ଶୁଣିଥିଲି ଯେ ଏବେ ପାଞ୍ଚ ପ୍ରକାର ଟ୍ୟାକ୍ସ ହେଇଗଲା! ୱାନ୍ ଟ୍ୟାକ୍ସ ଆଉ କୋଉଠି ରହିଲା?

ହେତ୍, ତମେ ବୁଝିପାରିନ, ପାଞ୍ଚ ପ୍ରକାର ଟ୍ୟାକ୍ସ ଦର ସିନା ହେଲା, ସେ ସବୁଗୁଡାକ ନାଁ ଗୋଟିଏ ରହିଲା। ତାକୁ କୁହାଗଲା ଜିଏସଟି!

ଆଛା ତାହେଲେ ଏକ୍ସାଇଜ୍, ସଭିର୍ସ୍ ଟ୍ୟାକ୍ସ ଓ ଆଉ ସବୁ ଟ୍ୟାକ୍ସର ନାଁ ବଦଳା ଯାଇ ଗୋଟିଏ ରଖାଗଲା? କିନ୍ତୁ ଲୋକେ ତ ଆଗରୁ ଟ୍ୟାକ୍ସ ଦେଉଥିଲେ ଆଉ ଏବେ ବି ଟ୍ୟାକ୍ସ ଦେବେ! ବରଂ ଅଧିକ ଦେବେ! ମୁଁ ଶୁଣୁଛି ୨୦ ଦ୍ରବ୍ୟ ଉପରେ ୨୮% ଟ୍ୟାକ୍ସ ଲାଗିବ! ଏଇଟା କ’ଣ ସତ?

ତମେ ଠିକ୍ ଶୁଣିଛ। କିନ୍ତୁ ଏକ୍ସାଇଜ୍ ହଟି ଯାଇଥିବାରୁ ସେସବୁ ଜିନିଷର ଦାମ୍ ଆଗ କମିବ ଓ ତା’ପରେ ଯାଇ 28 ଟ୍ୟାକ୍ସ ଲାଗିବ! ତେଣୁ ତମକୁ ସାମାନ୍ୟ ଅଧିକ ପଡ଼ିବ। ତା’ ଛଡ଼ା ବିଳାସ ସାମଗ୍ରୀ ଉପରେ ତମେ କ’ଣ ଅଧିକ ଟ୍ୟାକ୍ସ ଦିଅନ୍ତନି କି ଆଉ?

ଆଛା ତାହେଲେ ଏମିତି କଥା! ସରକାରଟା କେବେଠୁଁ ସମାଜବାଦୀ ହୋଇ ଧନୀଙ୍କ ଠାରୁ ଅଧିକ ଓ ଗରିବଙ୍କ ଠାରୁ କମ୍ ଟ୍ୟାକ୍ସ ନେଲେଣି ମୁଁ ଜାଣିପାରିଲି ନାହିଁ। ତେବେ ସରକାର କ’ଣ ଚାହାଁନ୍ତି ଯେ ଏହାଦ୍ବାରା ମଧ୍ୟବିତ୍ତ ଆଉ ଧନୀ ହୋଇ ବିଳାସ ଦ୍ରବ୍ୟ ନ କିଣୁ! ଯଦି କିଣିବ, ତେବେ ଅଧିକ ଟ୍ୟାକ୍ସ ଦବ! ଏହାଦ୍ବାରା ତ ସେସବୁ ଜିନିଷର ଚାହିଦା କମିଯିବ ଓ ସେସବୁ ଶିଳ୍ପରେ ବୃଦ୍ଧି କମିଯିବ ଓ ରୋଜଗାର କମିଯିବ। ଅତି କମରେ ଅର୍ଥନୀତି ତ ଏକଥା କହୁଛି।

ତମେ ଏତେଦିନ କମ୍ୟୁନିଷ୍ଟ ପାର୍ଟିରେ ଥିଲ! ତମେ ପୁଣି ଏକଥା କହୁଛ? ବିଳାସ ସାମଗ୍ରୀ ଉପରେ ଯଦି ଅଧିକ ଟ୍ୟାକ୍ସ ନଲାଗିବ, ତେବେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ଟ୍ୟାକ୍ସ କେମିତି କମ ଟ୍ୟାକ୍ସ ଲାଗିଥାନ୍ତା?

ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଆଉ ସରକାର ଛାଡ଼ିଲେ କୋଉଠି? ଆଗରୁ କୋଉ ଜିନିଷ ଉପରେ ପନ୍ଦର ପରସେଣ୍ଟ୍ ଟ୍ୟାକ୍ସ ନ ଥିଲା। ଏବେ ତ ୬୦%ରୁ ଅଧିକ ଜିନିଷ ଉପରେ ମୋଦୀ ୧୮% ଓ ୨୮% ଟ୍ୟାକ୍ସ ଲଗେଇ ଦେଲେ! ଆଉ ବାକି ରହିଲା କ’ଣ?

ତମେ କିନ୍ତୁ ଆଉ ଗୋଟିଏ କଥା ଭୁଲିଯାଉଛ!

କ’ଣ?

ମୁଁ ଆଗରୁ କହିଥିଲି, ଏକ୍ସାଇଜ୍ ହଟିଯିବାରୁ ଯେତିକି ମୂଲ୍ୟ ଉପରେ ଟ୍ୟାକ୍ସ ଲାଗୁଥିଲା ଏବେ ତା’ଠାରୁ କମ୍ ମୂଲ୍ୟ ଉପରେ ଲାଗିବ। ତେଣୁ ତମକୁ ବେଶୀ ଅଧିକ ଦେବାକୁ ପଡ଼ିବନି।

କିନ୍ତୁ ଦୋକାନୀ ଯଦି ସେଇ ପୁରୁଣା ମୂଲ୍ୟ ଉପରେ ୧୮% ଜିଏସଟି ଲଗେଇଲା?

ସେଥିପାଇଁ ଗୋଟିଏ ଆଇନ୍ ତିଆରି ହୋଇଛି। କେହି ଏମିତି କରିପାରିବେନି।

ହେ ହେ ହେ, ଆଇନ ତ ହଜାରେ ତିଆରି ହୋଇଛି! ତାକୁ କିଏ ମାନିଲେ ସିନା!

ନ ମାନିଲେ ତମେ କମ୍ପ୍ଲେନ ଦବ।

କୋଉଠି କମ୍ପ୍ଲେନ୍ ଦବୁ? ସେ କମ୍ପ୍ଲେନ ଶୁଣିବାକୁ ସରକାର ଅଲଗା ଲୋକ ରଖିଛନ୍ତି? କମ୍ପ୍ଲେନରେ ମୋ ନମ୍ବର ଆସିଲା ବେଳକୁ ମୋ ବାଇକରେ କେତେ ତେଲ ପୋଡିଥିବ? ସରକାର କେମିତି ଜାଣିବେ ଗୋଟିଏ ଦୋକାନୀ ଆଗରୁ କେତେ ଟଙ୍କାରେ ବିକୁଥିଲା? ତା ଛଡା, ସରକାର ଅଧିକ ଲାଭ ଉପରେ ଅଧିକ ଇନକମ ଟ୍ୟାକ୍ସ ନେଇପାରନ୍ତି, କିନ୍ତୁ ମୋ ଇଛା ମୋ ଦୋକାନରେ କେଉଁ ଜିନିଷକୁ କେତେ ଲାଭରେ ବିକିବି, ତାକୁ ସରକାର ରୋକିପାରିବେ କି? ସରକାର କ’ଣ ସବୁ ଜିନିଷକୁ ଏସେନ୍ସିଆଲ୍ କମୋଡିଟି ଆକ୍ଟ୍ ଭିତରେ ଆଣିବେ?

ମୁନ୍ନା ଏଥର କିଛି ନକହି ଫେସବୁକରେ ବିଜି ଥିବାର ବାହାନା କରି ଚୁପ୍ ରହିଲା। କିନ୍ତୁ ମୁଁ ଠିକ୍ ଠଉରେଇ ପାରୁଥାଏ, ସେ ମୋରି କଥାକୁ ଭାବୁଥାଏ। ବୁଝି ନପାରିଲେ ମୋରି ପାଖକୁ ଧାଇଁ ଆସି ଝଡେଇ ସିନା ହୁଏ, କିନ୍ତୁ ଭକ୍ତ ହୋଇନି ସେ ଆଜି ପର୍ଯ୍ୟନ୍ତ! କିଛି ସମୟ ପରେ ମୁଁ ପୁଣି ଆରମ୍ଭ କଲି।

ବାପାରେ, ମୋଦୀ ଟିକେ ଚିନ୍ତା କରୁ କି ନକରୁ, ତୁ ତ ଟିକେ ଚିନ୍ତା କର! ଆଉ କେତେ ଦିନ ଏମିତି ସ୍ଲୋଗାନବାଜି କରି, ବ୍ରାଣ୍ଡ ଆମ୍ବାସଡର ଲଗେଇ ଓ ବିଭିନ୍ନ ବାହାନା କରି ଟ୍ୟାକ୍ସ, ସରଚାର୍ଜ ଓ ସେସ୍ ଲୁଟି ଚାଲିଥିବ କହିଲୁ? ସାରା ପୃଥିବୀରେ ଏତେ ଅଧିକ ଦରର ଜିଏସଟି ନାହିଁ, ଆଉ ତୁ ମୋତେ ଭଗବତ୍ ଗୀତା କଥା କହୁଛୁ?

ବ୍ୟସ୍ତ ହୁଅନି, ଅର୍ଥନୈତିକ ବିଷାରଦମାନେ କହୁଛନ୍ତି, ପ୍ରଥମେ ସମ୍ଭାଳି ନିଅ, ପରେ ସରକାର ରେଟ୍ କମେଇବେ!

କି ଓଲଟା କଥା! ନୂଆ ଟିକସକୁ ସଫଳ କରିବାକୁ ହେଲେ ପ୍ରଥମେ ସିନା ଅଳପ ଟ୍ୟାକ୍ସ ଲଗାଯାଇଥାନ୍ତା! ତା ଛଡ଼ା ସମସ୍ତେ ଜାଣିଛନ୍ତି, ଛୋଟିଆ ପିଲାଟେ ବି କହିବ, ଟିକସ ଦର ଯେତେ କମେଇକି ରଖିବ, ଟିକସ ଚୋରୀ ସେତେ କମ୍ ହେବ। ଦିଲ୍ଲୀରେ ଅରବିନ୍ଦ କେଜରିୱାଲ୍ ପ୍ରାକ୍ଟିକାଲ୍ କରିକି ଦେଖେଇ ସାରିଲାଣି।

ତମେ ଏତେ କଥା କହୁଛ, କାହିଁ ଟିଭିରେ ଏ କଥା ଆଲୋଚନା ହେଉନି ତ? ଯେଉଁମାନେ ଆଲୋଚନା କରୁଛନ୍ତି କେବଳ ବେପାରୀଙ୍କୁ କ’ଣ ଅସୁବିଧା ହବ ସେଇଆ ଆଲୋଚନା କରୁଛନ୍ତି।

ମିଡ଼ିଆରେ ଆଲୋଚନା ହେଉନି ତ ମୁଁ କେମିତି ଜାଣିଲି? ତୁ କୋଉ ମିଡିଆ ଦେଖୁଛୁ କେଜାଣି!

ମୁଁ ଓଡ଼ିଆ ଚାନେଲ ଦେଖେ ଓ ଓଡ଼ିଆ ପେପର୍ ପଢେ।

ମୋତେ ହସ ମାଡିଲା। ମୁଁ କହିଲି, ଓଡ଼ିଆ ପେପରରୁ ଆଜିକାଲି, ବିଜ୍ଞାପନ ମଧ୍ୟରୁ ଖବର ଖୋଜି ଖୋଜି ପଢିବାକୁ ପଡୁଛି। ଆଉ ଟିଭିବାଲାଙ୍କୁ କାହିଁକି ଦୋଷଦେବା? ଜିଏସଟି ବେଳକୁ ନିଆଳିରେ ଜନ୍ତୁ ବାହାରିଲା କିମ୍ବା ସେଇ ଚାନେଲମାନଙ୍କ ମଧ୍ୟରୁ କିଏ ଗୋଟେ ବାହାର କଲା। ତାଙ୍କ ପାଖରେ ଆଉ ଟାଇମ୍ କାହିଁ?

ତମେ ମିଛ କୁହନି, ଚାନେଲମାନେ ଜିଏସଟି ଉପରେ ପ୍ରୋଗ୍ରାମ କରିଛନ୍ତି, ମୁଁ ନିଜେ ଦେଖିଛି।

ହେଇଥିବ। କିନ୍ତୁ ସେମାନେ ଆଉ ଅଧିକ କ’ଣ କହୁଛନ୍ତି? ସେଇ ୱାନ୍ ନେସନ୍, ମଧ୍ୟରାତ୍ର, ଐତିହାସିକ, ଭଗବତ ଗୀତା- ଏଇସବୁ କହୁଛନ୍ତି ନା ଆଉ ଅଧିକ କିଛି କହୁଛନ୍ତି?

କିନ୍ତୁ ବିଭିନ୍ନ ଦଳର ଲୋକ ତ ଆଲୋଚନାରେ ଭାଗ ନେଉଛନ୍ତି। ସେମାନେ ବି କହିପାରନ୍ତେ!

ଅନ୍ୟ ଦଳ ଆଉ କିଏ ରହିଲେ? ଜିଏସଟି ଉପରେ ଆଲୋଚନା ପାଇଁ ବିଜେଡ଼ି ଓ ବିଜେପି, ଉଭୟ ଦଳଙ୍କୁ ଡାକିବା କ’ଣ ଦରକାର? ସେମାନଙ୍କ ମତ ତ ଏକା! ବାକି ରହିଲା କଂଗ୍ରେସ। କଂଗ୍ରେସ ଆଉ ବିଜେପି ମଧ୍ୟରେ ବିବାଦର ମଞ୍ଜି ହେଲା କମା ଫୁଲଷ୍ଟପ୍ ନେଇ, କି ନହେଲେ ଲୋକଙ୍କ ପକେଟ ଲୁଟିବା ପାଇଁ ଏ ନୂଆ ଫନ୍ଦି ପାଇଁ କ୍ରେଡିଟ୍ କିଏ ନେବ, ସେଇଥିପାଇଁ।

ଆପ୍ ଛୋଟ ଦଳ ହୋଇଥିବାରୁ ଆଲୋଚନାକୁ ଡାକୁ ନ ଥିବେ ବୋଧେ।

କିରେ ଛୋଟ ଓ ନୂଆ ଦଳ ହେଲେ କ’ଣ ହେଲା, ଆଇଡିଆ ଓ କାମ ତ ବଡ଼? ସେଇଥିପାଇଁ ଆନ୍ତର୍ଜାତିକ ସ୍ତରରେ ତା’ର ଚର୍ଚ୍ଚା। ସେଇଥିପାଇଁ ଆଜି ଆପ୍ ଭାରତ ଇତିହାସରେ ସବୁଠାରୁ ଦ୍ରୁତଗତିରେ ବିସ୍ତାର କରୁଥିବା ଦଳ। କିରେ ଦେଖୁନୁ, ମୋଦୀ ଇଜ୍ ଅଫ୍ ବିଜିନେସ୍ କଥା କହି ଇଆଡେ ସାଢ଼େ ତିନି ଲକ୍ଷ ଛୋଟ ଟିକସଦାତାଙ୍କୁ ଇନକମ୍ ଟ୍ୟାକ୍ସ ନୋଟିସ ପଠାଉଛନ୍ତି। କିନ୍ତୁ ଏପଟେ ଅରବିନ୍ଦ ରେଡ୍ ରାଜ୍ ଖତମ କରି ଓ ସବୁ ଜିନିଷ ଉପରେ ଟିକସ କମେଇକି ମଧ୍ୟ ତିନି ବର୍ଷ ମଧ୍ୟରେ ରାଜସ୍ବ ଦେଢଗୁଣ କରିସାରିଲାଣି। କାହିଁକି କେଜାଣି, ଏସବୁ ଓଡ଼ିଆ ଦର୍ଶକ ଜାଣିଲେ କୋଉ ଚାନେଲଙ୍କ କ’ଣ ଅସୁବିଧା ହେବ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top