ପୋସ୍କୋ ପରି ଫୁସ‌୍‍କିବ ଜିନ୍ଦଲ!

News Story - Posted on 2017-06-29

ପୋସ୍କୋ ଜମିରେ ଶୁଖିଲାରେ ବାଳିଆ ମାଡ଼ି ବସିବାକୁ ଜେଏସଡବ୍ଲ୍ୟୁ କମ୍ପାନୀ ଯେଉଁ ଉଦ୍ୟମ ଚଳାଇଛି ତାହା ଫସରଫାଟିବାର ସମ୍ଭାବନା ରହିଛି। ଇସ୍ପାତ କାରଖାନା ପାଇଁ ଜେଏସଡବ୍ଲ୍ୟୁ ପାରାଦୀପ ନିକଟରେ ପୋସ୍କୋ ପାଇଁ ଅଧିକୃତ ଜମି ସହିତ ସେହି ପ୍ରକଳ୍ପକୁ ମିଳିଥିବା ସମସ୍ତ ବୈଧାନିକ ମଂଜୁରୀ ମଧ୍ୟ ହସ୍ତାନ୍ତର କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ଆଇନଗତ ଦୃଷ୍ଟିକୋଣରୁ ଏହା ସମ୍ଭବ ନହୋଇପାରେ।

 

ପାରାଦୀପ ନିକଟରେ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୦ ନିୟୁତ ଟନ‌୍‍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ସାଜ୍ଜନ ଜିନ୍ଦଲ ଗୋଷ୍ଠୀର ଜେଏସଡବ୍ଲ୍ୟୁ ଲିମିଟେଡ଼ ଓଡ଼ିଶା ସରକାରଙ୍କ ଅନୁମୋଦନ ଲାଭ କରିଛି। ପୋସ୍କୋ ପାଇଁ ଅଧିଗୃହୀତ ଜମି ଦିଆଗଲେ ସେହି ଜମିରେ କାରଖାନା ନିର୍ମାଣ କରିବାକୁ କମ୍ପାନୀ ସରକାରଙ୍କୁ ଜଣେଇଛି। ତେବେ ସେଥିପାଇଁ ପୋସ୍କୋ ପ୍ରକଳ୍ପକୁ ମିଳିଥିବା ସମସ୍ତ ବୈଧାନିକ ମଂଜୁରୀ ମଧ୍ୟ ଜିନ୍ଦଲ ପ୍ରକଳ୍ପକୁ ହସ୍ତାନ୍ତର କରିବାକୁ କମ୍ପାନୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।

 

କିନ୍ତୁ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ଏହି ଅଧିକାରୀ ଜଣକ କହିଛନ୍ତି ଯେ ପୋସ୍କୋ ପ୍ରକଳ୍ପକୁ ମିଳିଥିବା ଜଙ୍ଗଲ ଓ ପରିବେଶ ମଂଜୁରୀ ସେହି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିଲା। ପୋସ୍କୋ ପ୍ରସ୍ତାବିତ ଇସ୍ପାତ କାରଖାନାର ବୈଷୟିକ ଜ୍ଞାନକୌଶଳ, ପ୍ରକଳ୍ପ ଢାଞ୍ଚା ଆଦି ଭିତ୍ତିରେ ସେହି ପ୍ରକଳ୍ପକୁ ପରିବେଶ ଓ ଜଙ୍ଗଲ ମଂଜୁରୀ ମିଳିଥିଲା। କିନ୍ତୁ ଜିନ୍ଦଲ ପ୍ରକଳ୍ପ ଏହାଠାରୁ ସଂପୂର୍ଣ୍ଣ ଅଲଗା। ସେଥିପାଇଁ ଏହା ସଂପୂର୍ଣ୍ଣ ଏକ ନୂଆ ପ୍ରକଳ୍ପ ଭାବେ ବିବେଚିତ ହେବ। ତେଣୁ ଏହି ପ୍ରକଳ୍ପ ପାଇଁ ସାନି ବୈଧାନିକ ମଂଜୁରୀ ଦରକାର।

 

ପୋସ୍କୋ ତାହାର ନିଜସ୍ୱ ଫିନେକ୍ସ ପ୍ରଯୁକ୍ତି ଜରିଆରେ ଇସ୍ପାତ ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଜେଏସଡବ୍ଲ୍ୟୁ ପୁରୁଣା ବ୍ଲାଷ୍ଟ ଫଣ୍ଣେର୍ସ ପ୍ରଯୁକ୍ତି ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ ପାଇଁ ସାନି ବୈଧାନିକ ମଂଜୁରୀ ପାଇବାକୁ ହେଲେ ସ୍ଥାନୀୟ ଅଂଚଳର ଲୋକମାନଙ୍କର ସହମତି ଦରକାର। ସେଥି ନିମନ୍ତେ ଜନଶୁଣାଣି ହେବା ଦରକାର। କିନ୍ତୁ ଯେଉଁ ଲୋକମାନେ ଇସ୍ପାତ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ପୋସ୍କୋ ପରି ଏକ ବୃହତ ବହୁରାଷ୍ଟ୍ରୀୟ କମ୍ପାନୀକୁ ବିଦା କରିଦେଲେ ସେମାନେ କ’ଣ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ସହଜରେ ବାଟ ଛାଡ଼ିଦେବେ? ବାସ୍ତବ କଥା ହେଉଛି ଯେଉଁ ଲୋକମାନେ ପୋସ୍କା ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଚଳାଇଥିଲେ ସେମାନେ ଜିନ୍ଦଲ ବିରୋଧରେ ମଧ୍ୟ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି। ଏପରିକି ଅନେକ ସ୍ଥାନୀୟ ଲୋକ ସରକାର ଅଧିଗ୍ରହଣ କରିଥିବା ଅନେକ ଜମିକୁ ପୁଣି ଥରେ ଦଖଲକୁ ନେଲେଣି। ସେଠାରେ ବାଡ଼ବୁଜି କାଜୁ ଓ ଝାଉଁ ଆଦି ଗଛ ଲଗେଇଲେଣି।

 

ବୈଧାନିକ ମଂଜୁରୀ ହସ୍ତାନ୍ତର ସହିତ ଜିନ୍ଦଲ ଗୋଷ୍ଠୀ ମଧ୍ୟ ପ୍ରସ୍ତାବିତ କାରଖାନା ପାଇଁ ସ୍ଥାୟୀ ଓ ନିଶ୍ଚିତ କଞ୍ଚାମାଲ ଯୋଗାଣ ବ୍ୟବସ୍ଥା ପାଇଁ ଅନୁରୋଧ କରିଛି। ଏହି ଉଦ୍ଦେଶ୍ୟରେ ଜିନ୍ଦଲ ଗୋଷ୍ଠୀ ୩୦ ବର୍ଷ ଯାଏଁ ଆବଶ୍ୟକ ଲୁହାପଥର ପାଇବାକୁ ଓଡ଼ିଶା ଖଣି ନିଗମ ସହିତ ଚୁକ୍ତି କରିବାକୁ ଚାହୁଁଛି। ଖଣି ନିଗମ ବାର୍ଷିକ ୧୦୦ ନିୟୁତ ଟନ ଇସ୍ପାତ ଉପିାଦନ ପାଇଁ ଲୁହା ପଥର ଉତ୍ତୋଳନ କରୁ ବୋଲି ଜିନ୍ଦଲ ଅନୁରୋଧ କରିଛି। କିନ୍ତୁ ଏହା ଆଦୌ ସମ୍ଭବ ନୁହେଁ। ଖଣି ନିଗମ ଏବେ ବର୍ଷକୁ ଯେତିକି ଲୁହା ପଥର ଉେତ୍ତାଳନ କରୁଛି ସେଥିରେ ବର୍ଷକୁ ସର୍ବାଧିକ ୬ ନିୟୁତ ଟନ‌୍‍ ଇସ୍ପାତ ଉତ୍ପାଦିତ ହୋଇପାରିବ। ଆଉ କେତେ ହଜାର କୋଟି ପୁଞ୍ଜି ଖଟାଇଲେ, କେତେ ଲୋକ ନିଯୁକ୍ତ କଲେ ଓ କେତେ ଖଣି ପାଇଲେ ଖଣି ନିଗମ ବାର୍ଷିକ ୧୦୦ ନିୟୁତ ଟନ ଇସ୍ପାତ ପାଇଁ ଲୁହା ପଥର ଯୋଗାଇ ପାରିବ ତାହା କେବଳ କଳ୍ପନାର କଥା।

 

ଏହା ବ୍ୟତିତ ଜମି ମଧ୍ୟ ଜିନ୍ଦଲ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପୋସ୍କୋ ପାଇଁ ଅଧିଗୃହୀତ ଜମିରେ ଓଡ଼ିଶା ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମ ପାଚେରୀ କରିପାରିଲା ନାହିଁ। ଇଡ଼କୋ ଯେତେ ଥର ପାଚେରୀ ନିର୍ମାଣ ଆରମ୍ଭ କରିଛି ଲୋକେ ସେତେ ଥର ଭାଙ୍ଗି ଦେଇଛନ୍ତି। ଜିନ୍ଦଲ କହୁଛି କାରଖାନା ପାଇଁ ଇଡ଼କୋ ପାଚେରି ଘେରା ଜମି ଦେଉ। ଏହା ସମ୍ଭବ ହେବ କି ନାହିଁ ତାହା ମଧ୍ୟ ସନ୍ଦେହରେ। କାରଣ ଲୋକେ ଜମି ଦଖଲ କଲେଣି। ପାଚେରୀ ନିର୍ମାଣ ଉଦ୍ୟମକୁ ବିରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନେଲେଣି।

 

ଏଭଳି ଅନେକ ସମସ୍ୟା ଓ ବିବାଦ ଭିତରେ ଜିନ୍ଦଲକୁ ପୋସ୍କୋ ଜମି ହସ୍ତାନ୍ତର ଏତେ ସହଜ ନୁହେଁ ବୋଲି ଶିଳ୍ପ ମହଲରେ ଚର୍ଚ୍ଚା ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top