ରତ୍ନବେଦୀରୁ ଜନ୍ମବେଦୀ ଯାତ୍ରା

News Story - Posted on 2017-06-26

ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ !! ଜୟ ଜଗନ୍ନାଥ !!! ଘଣ୍ଟଘଣ୍ଟା, କାହାଳୀ, ମର୍ଦ୍ଦଳ ସହ ତାଳ ଦେଇ ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ଶ୍ରୀଜୀଉଙ୍କୁ ପାଖରେ ପାଇ ବିଭୋର ହୋଇ ଯାଇଥିଲେ ଭକ୍ତ। କିଏ ନାଚି ନାଚି ବିଭୋର ହୋଇଯାଇଥିଲା ତ କିଏ ତଳେ ଗଡ଼ି ଯାଉଥିଲା। ବର୍ଷକେ ଥରେ କାଳିଆ ଠାକୁର ଭାଇ ଭଉଣୀକୁ ଧରି ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସନ୍ତି। କାଳିଆର ଚକାଆଖି ଦେଖି, ରଥ ଟାଣି ପୂଣ୍ୟ ଅର୍ଜିବା ପାଇଁ କିଏ ପୁରୀ ଛୁଟି ଯାଇଥିଲା ତ ଆଉ କିଏ ସାରା ଦିନ ଟିଭି ଆଗରେ ବସି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡିବିଜେ, ଛେରା ପହଁରା ଆଉ ରଥଟଣା ଦେଖିବାରେ ନିମଗ୍ନ ରହିଥିଲା।

 

ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀର ପବିତ୍ର ଘୋଷଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା। ପୁଲିସ ପକ୍ଷରୁ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାଁ ଭାଁ ଅଘଟଣକୁ ଛାଡ଼ିଦେଲେ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ରାତି ପାହିଲାବେଳକୁ ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା। ରଥ, ପଥ ବଡ଼ଦାଣ୍ଡ ସବୁ ଜଗନ୍ନାଥମୟ ହୋଇପଡ଼ିଥିଲା। ରଥ ଟାଣିବା ପାଇଁ ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ତେବେ ତିନି ରଥ ଦ୍ବିତୀୟାରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିପାରି ନଥିଲା। ପର ଦିନ ତୃତୀୟା ତିଥିରେ ସକାଳୁ ସକାଳୁ ରଥ ଟଣାଯାଇ ତିନି ଠାକୁରଙ୍କୁ ନେଇ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଛି।

 

ଦ୍ବିତୀୟାରେ ନିର୍ଦ୍ଧାରିତ ସମୟର ୧ଘଣ୍ଟା ବିଳମ୍ୱରେ ପହଣ୍ଡି ବିଜେ ହୋଇଥିଲା। ପହଣ୍ଡି ବିଳମ୍ୱ ଯୋଗୁଁ ରଥଟଣା ବିଳମ୍ୱିତ ହୋଇଥିଲା। ରଥଟଣାରେ ବିଳମ୍ୱ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ କୌଣସି ରଥ ପହଞ୍ଚି ପାରିନଥିଲା। ବଳଗଣ୍ଡି ନିକଟରେ ବଳଭଦ୍ରଙ୍କ ତାଳଧ୍ୱଜ ଅଟକି ରହିଥିବାବେଳେ ବଗଲା ଧର୍ମଶାଳା ନିକଟରେ ସୁଭଦ୍ରାଙ୍କ ଦର୍ପଦଳନ ଓ ଟାଉନ ଥାନା ନିକଟରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଅଟକିଥିଲା।

 

ରଥଯାତ୍ରା ଦେଖିବା ପାଇଁ ପୁରୀରେ ଅନ୍ୟୂନ ୫ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ଭିଡ ଯୋଗୁଁ ପୁରୀ ବଡଦାଣ୍ଡ ଏକପ୍ରକାର ଜନ ସମୁଦ୍ରରେ ପରିଣତ ହୋଇଥିଲା। ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଦଇତାପତି ସେବାୟତମାନଙ୍କ ଗହଣରେ ପ୍ରଥମେ ମହାପ୍ରଭୁ ସୁଦର୍ଶନ, ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିଜେ ହୋଇଥିଲେ। ଚତୁର୍ଦ୍ଧା ମୂର୍ତ୍ତିମାନେ ଘଣ୍ଟୁଆ ସେବାୟତମାନଙ୍କ ଘଣ୍ଟ ଘଣ୍ଟା ଧ୍ୱନିରେ ମୁଣ୍ଡରେ ସୋଲ ଓ ପୁଷ୍ପରେ ନିର୍ମିତ ଟାହିଆ ଲଗାଇ ଗୋଟି ପହଣ୍ଡିରେ ଝୁଲି ଝୁଲି ଆସି ରଥାରୂଢ଼ ହେଉଥିବାର ଦୃଶ୍ୟ ଅତ୍ୟନ୍ତ ଆର୍କଷଣୀୟ ଓ ମନୋରମ ଥିଲା। ହିନ୍ଦୁ ଧର୍ମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅନୁଗାମୀଙ୍କ ସହ ରଥାରୁଢ ଠାକୁରଙ୍କୁ ଦର୍ଶନ କରିଥିଲେ। ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବର୍ଣ୍ଣ ଝାଡ଼ୁରେ ତିନି ରଥରେ ଛେରାପହଁରା କରିଥିଲେ। ପରେ ଚାରମାଳ ଖୋଲାଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ଗଡ଼ିଥିଲା ବଳଭଦ୍ରଙ୍କ ତାଳଧ୍ୱଜ। ଭକ୍ତମାନେ ଶ୍ରଦ୍ଧାର ସହ ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। କିଛି ବାଟ ଯିବା ପରେ ବଳଭଦ୍ର ସାନଭାଇ ଜଗା ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ଅଟକି ଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ମା’ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭର କିଛି ସମୟରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସହ ଭକ୍ତ ଭଗବାନ ଏକାକାର ହୋଇଯାଇଥିଲେ। ରତ୍ନବେଦୀରୁ ଜନ୍ମବେଦୀକୁ ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଏହା ଥିଲା ପ୍ରଥମ ଦିନ।

 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟଠାରୁ ସାମାନ୍ୟ ବିଳମ୍ୱରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତୀ ସକାଳ ୭ଟା ୩୫, ମଇଲମ ୭ଟା ୪୦, ତଡପ ଲାଗି ୭ଟା ୫୦, ଅବକାଶ ୮ଟା ୧୦, ଦ୍ୱାରପାଳ ପୂଜା ୮ଟା ୫୦, ସକାଳ ଧୂପ ଆରମ୍ଭ ୯ଟା୧୫, ସକାଳ ଧୂପ ଶେଷ ୯ଟା ୫୫, ରଥ ପ୍ରତିଷ୍ଠା ୧୦ଟା ୦୫, ମଙ୍ଗଳାର୍ପଣ ୧୦ଟା୨୫, ପହଣ୍ଡି ଆରମ୍ଭ ୧୦ଟା୨୫ ଓ ପହଣ୍ଡି ଶେଷ ୨ଟା୧୦ରେ ହୋଇଥିଲା। ଛେରା ପହଁରା ୨ଟା୪୫ରୁ ଆରମ୍ଭ ହୋଇ ୩ ଟା୪୦ ରେ ଶେଷ ହୋଇଥିଲା। ୩ଟା୫୫ରେ ରଥଟଣା ଆରମ୍ଭ ହୋଇଥିଲା।

୪ଟା୩୦ରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଆରମ୍ଭ ହୋଇଥିଲାବେଳେ ୫.୦୫ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬.୪୦ରେ ରଥଟଣା ବନ୍ଦ ରହିଥିଲା।

 

ରଥ ମଝି ବାଟରେ ଅଟକିବା ପରେ ଲୋକେ କର୍ଡନ ବାହାରେ ରହି ଶ୍ରୀଜୀଉଙ୍କୁ ଦର୍ଶନ କଲ। ପୁଲିସ ବାହିନୀ ତିନିଟି ଯାକ ରଥ ଚାରିପଟେ କର୍ଡ଼ନ କରି ରାତିସାରା ଜଗି ରହିଲେ। ଶ୍ରୀବିଗ୍ରହମାନଙ୍କୁ କାଳେ କିଏ ସ୍ପର୍ଶ କରିଦେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 

ଶ୍ରୀଜୀଉମାନଙ୍କ ପହଣ୍ଡି ସମୟରେ ସୁରକ୍ଷା ବଳୟକୁ ଭେଦ କରି କେତେକ ଭକ୍ତ ଶ୍ରୀଜୀଉଙ୍କୁ ଛୁଇଁଛନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଥିଲେ। ପହଣ୍ଡି ସମୟରେ ଶ୍ରୀଜୀଉମାନଙ୍କ ଅଙ୍ଗ ସ୍ପର୍ଶ ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଲଗାଇଥିଲା। ଏଥିପାଇଁ ସିସିଟିଭି କ୍ୟାମେରା ଲଗାଯାଇ ପହଣ୍ଡି ଉପରେ ନଜର ରଖାଯାଇଥିଲା। ଏହା ସତ୍ତ୍ବେ କେତେକ ଭକ୍ତ ଶ୍ରୀଜୀଉମାନଙ୍କୁ ଛୁଇଁଥିବା ଅଭିଯୋଗ ହୋଇଥିଲା। ଏପରିକି ଗଜପତି ମହାରାଜ ଶ୍ରୀଅଙ୍ଗ ସ୍ପର୍ଶ ନିଷେଧଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ରାମଚନ୍ଦ୍ର ଦାସମହାପାତ୍ର ଚ୍ୟାଲେଞ୍ଜ କରିଥିଲେ। ଶ୍ରୀ ଦାସମହାପାତ୍ର କହିଥିଲେ ଯେ, କୀର୍ତ୍ତନ ଚକଡ଼ାରେ ଶ୍ରୀଜୀଉଙ୍କୁ ଭକ୍ତମାନେ ଛୁଇଁଛନ୍ତି।

 

କିନ୍ତୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଥିଲା। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଥିଲେ ଯେ, କେହି ଭକ୍ତ ଶ୍ରୀଜୀଉଙ୍କୁ ଛୁଇଁ ନାହାନ୍ତି। ତେବେ ଏନେଇ ରଥଯାତ୍ରା ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। ଯଦି କେହି ଛୁଇଁଥିବା ଏଥିରୁ ଜଣାପଡେ଼ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top