ଦ୍ୱିତୀୟ ପୃଥିବୀ

News Story - Posted on 2017-06-20

ରବି କାନୁନ୍‌ଗୋ

 

Intelligent people can overcome the ‘instict’ of religion. – Stephen Hawkins

 

ଧର୍ମ ମଣିଷର ‘ପ୍ରବୃତ୍ତି’କୁ ଛୁଇଁ ରହେ। ବହୁ ପ୍ରବୃତ୍ତି ଉପରେ ବିଜୟ ସାଧି ପାରୁଥିବା ମଣିଷ ଏ ପ୍ରବୃତ୍ତିକୁ ବି ଜିଣିପାରେ। ସେଥିପାଇଁ ସେ ଧର୍ମ-ଛଡ଼ା ହେବା ଦରକାର ନାହିଁ। ଆମର କେତେ ଦରକାର ଓ ଆମେ କେତେ ଆମଦାନି କରୁଚୁ- ଏ ହିସାବ ଦୁଧ ଦହି ପରିବା ଅଟା ପାଇଁ କରୁ- ଧର୍ମ ପାଇଁ କରୁନା। ତେଣୁ ବେଳେବେଳେ ମଧ୍ୟବିତ୍ତଙ୍କ ଘରେ ଦେଖାଯାଏ ଯେ ଅକାରଣରେ ଘରେ ବଳକା ଧର୍ମ ହୋଇଯାଏ। ସବୁ କଥା ଫୋର‌୍‍-ଜି, କିନ୍ତୁ ଫାଷ୍ଟ-ଜି (ଜେନେରେସନ‌୍‍) ‘କୋଣାର୍କ’ ଟିଭି କାଠଖୋଳ। ସାନ୍ତ୍ବନା ପାଇବା ପାଇଁ ଆମ ନେତା ଟିଭି ଖାଇଯା’ନ୍ତୁ ପଛେ, ବଢ଼ିଆ ଖୋଳ ତିଆରି କରିଥିଲେ।

 

ଯାହା ଆରମ୍ଭ ହୁଏ ତା’ର ଶେଷ ଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରାୟ ପାଞ୍ଚ ଶହ କୋଟି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଆମ ପ୍ରିୟ ପୃଥିବୀର ପରାମାୟୁ ଏବେ ସରିବାକୁ ଲାଗିଲାଣି। ସମାପ୍ତର କାଳ୍ପନିକ ବର୍ଣ୍ଣନା ପାଇଁ ହକିନ‌୍‍ସଙ୍କ ଚିତ୍ର ଶ୍ରୀମଦ୍ଭଗବଦ୍ଗୀତାର ‘ବିଶ୍ୱରୂପ ଦର୍ଶନ’ ଦ୍ୱାରା ପ୍ରଭାବିତ। ଧରିନେବା ଯେ ଯାହା ଆରମ୍ଭ ହୁଏ ତାହା ଶେଷ ହେବ ଏବଂ ଭାଗବତ କହିଛନ୍ତି, କ୍ଷଣକେ ହେବ ପୃଥ୍ୱୀ ନାଶ / ପ୍ରବଳ ଜ୍ୟୋତି ପରକାଶ।

 

ଶାସ୍ତ୍ର ପୁରାଣ ସବୁ ଶିଖାଉଛନ୍ତି ଯେ ଜୀବନ ଅମୂଲ୍ୟ। ତାକୁ ଆହୁରି ମୂଲ୍ୟବାନ କରିବାକୁ ଗୋରୀ ଝିଅ କାହିଁକି ଯେ ମୁହଁରେ ରଙ୍ଗ-ଫର୍ସା କ୍ରିମ‌୍‍ ବୋଳି ହୁଏ? ବହୁ ଅବୁଝା କଥାକୁ ହଁ ମାରି ଆଗକୁ ଚାଲିବା, ଏହା ମଧ୍ୟ ପ୍ରବୃତ୍ତି।

 

କାହା କଥାକୁ କେହି ପୂରା ବିଶ୍ୱାସ ନ କରିବା ହେଉଛି ମଣିଷଙ୍କ ପାଇଁ ଅମୂଲ୍ୟ ଉପଦେଶ। ଯାହା ନଦେଖିବୁ ବେନି ନୟନେ, ପରତେ ନ ଯିବୁ ଗୁରୁ ବଚନେ। ମଲେ ମର କି ବଞ୍ଚିଲେ ବଞ୍ଚ, ନିଜେ ଯାହା ଜାଣିବୁ ସେତିକି ହେଲା ଠିକ‌୍‍। ବାକି ସବୁ, ସୋ’ ସୋ’। ଜାଣିଲେ ଭଲ, ନ ଜାଣିଲେ - ଆହୁରି ଭଲ। 

 

୨. ଭଡ଼ାଘର

 

ଭୁବନେଶ୍ୱର ଏବେ ସ୍ମାର୍ଟ-ସିଟି। ଅବସ୍ଥା ସାହାଣମେଲା। ସେଠି ଭଡ଼ାଘର ଯୋଗାଡ଼ କରିବା ଯେତେ କଷ୍ଟ ବୋଧେ ତା’ଠୁଁ କମ‌୍‍ ସାଧନାରେ ଇନ୍ଦ୍ରପଦ କି ତା ପାଖାପାଖି କିଛି ହାସଲ ହୋଇ ଯାଇପାରେ। ଜଣେ ବନ୍ଧୁ ଏ ବିଷୟରେ ତାଙ୍କ ଅଭିଜ୍ଞତା କହନ୍ତି।

 

ସତ୍ୟନଗର ଛକରେ ସେଲୁନ ପକେଇଥିବା ରଘୁଆ ଆମ ଗାଁ ସାଙ୍ଗ। ମୋ ପାଇଁ ଭଡ଼ାଘର ଖଣ୍ଡେ କେତେ ଅର୍ଜେଣ୍ଟ ସେ ଦୁଃଖ ରଘୁଆ କୌଣସି ବାବୁଭାୟା ସାଙ୍ଗ କି ଅଜଣା ଏଜେଣ୍ଟଙ୍କଠୁଁ ଅଧିକ ବୁଝୁଥିଲା। ଦିନେ ଧୂମଧୂମିଆ ଖରାବେଳେ ତା ସହକାରୀ ଚେମା ବାରିକ ଆସି ଖବର ଦେଲା, ରଘୁଆଇ ଡାକିଚି। ଠିକ‌୍‍ ତିନିଟାବେଳେ ସେଲୁନକୁ ଆସିବ।

 

ଆହା, ପିଲାଦିନର ସାଙ୍ଗ ବୋଲି ସିନା। ମନେ ରଖିଚି। ଦହି ତୋରାଣି ପଖାଳ ପରର ନିଦ ନିଶା ଛାଡ଼ିଗଲା।

 

ସତକୁ ସତ ରଘୁଆ ପାନ ଚୋବେଇ ତା ବନ୍ଦ ସେଲୁନ ପାଖ ବରଗଛ ମୂଳେ ଅପେକ୍ଷା କରି ବସିଛି। ଦେଖୁଦେଖୁ କହିଲା, ଦେଲୁ ଦି’ ଶହ ଟଙ୍କା। ଗାଡ଼ିରେ ତେଲ ଅଛି ତ?

 

ପଛରେ ବସି କୁଆଡେ଼ କୁଆଡେ଼ ବୁଲିଲା। ତାକୁ ୟାକୁ ୟାକୁ ତାକୁ ସେ ଖାଲି ମୋବାଇଲରେ ଉଚ୍ଛନ୍ନ କରୁଥାଏ। ଶେଷରେ ସେ ପାଞ୍ଚଟା ବେଳକୁ ନେଇ ପହଞ୍ଚିଲା ଗୋଟିଏ ଘରେ। ମନକୁ ପାଇଲା ପରି। ବଡ଼ ଛୋଟ ମିଶି ତିନୋଟି ବଖରା। ବେଶ ସ୍ପେସିଅସ। ଭଡ଼ା ଛିଣ୍ଡି ଗଲା। ତିନି ହଜାର ପ୍ଲସ‌୍‍ ଇଲେକ୍ଟ୍ରିକ‌୍‍। ସେଠି ଗିଲାସେ ପାଣି ପିଇଲା ପରେ ବାବୁଙ୍କୁ ଏକ ଲାଗିଲା। ଘର ମାଲିକ ଦେଖାଇଦେଲେ ଘର ପଛପଟକୁ।

 

ତା’ମାନେ, ଏଡେ଼ ସୁନ୍ଦର ଘର, କ’ଣ ଏଠି ବାଥ‌୍‍ରୁମ ନାହିଁ?

 

କ’ଣ ଦରକାର? ଘର ପଛଟା ପରା କେନାଲ!

 

ବାବୁ ନିହାତି ହଲଚଲ ହୋଇଗଲେ। ରଘୁଆ ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲା, ଟିକେ କଷ୍ଟରେ କିଛି ଦିନ ଚଳେଇ ଦେ। ଭୁବନେଶ୍ୱର ସ୍ମାର୍ଟ ସିଟି ହେଉଛି। ଦାସବାବୁ ଗୋଟେ ବରପାଲି ବସେଇ ଦେବେନି?

 

ଦାସବାବୁ କହିଲେ, ତା’ହେଲେ ମାସକୁ ଆଉ ପାଁ’ଶହ ଅଧିକ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top