ଯୋଗ କରିବା ଚାଲ!

News Story - Posted on 2017-06-18

ଡକ୍ଟର ଧୀରେନ୍ଦ୍ର ନନ୍ଦ

 

୨୦୧୪ ମସିହା ସେପ୍ଟେମ୍ୱର ୨୭ ତାରିଖ ଦିନ ମିଳିତ ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ୱୋଧିତ କରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ବିଶ୍ୱ ସମୁଦାୟକୁ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ୧୧ ଡିସେମ୍ୱର ୨୦୧୪ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୯୩ ସଦସ୍ୟଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୧୭୭ ସମର୍ଥକ ଦେଶ ୨୧ ଜୁନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ସଂକଳ୍ପକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। ଏହି ସଂକଳ୍ପରେ ମିଳିତ ଜାତିସଂଘ ସାଧାରଣ ଅଧିବେଶନ ସ୍ୱୀକାର କଲା ଯେ ଯୋଗ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପୂର୍ଣ୍ଣତାବାଦୀ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ଏହା ଜୀବନର ସମସ୍ତ ବିଷୟ ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ। ତେଣୁ ରୋଗକୁ ପ୍ରତିହତ କରିବା ସହିତ ସ୍ୱାସ୍ଥ୍ୟ ସମ୍ୱର୍ଦ୍ଧନ ତଥା ଜୀବନଶୈଳୀ ସମ୍ପର୍କିତ ବିକାରର ପରିଚାଳନା ପାଇଁ ମଧ୍ୟ ଏହାକୁ ସ୍ୱୀକାର କରାଯାଇଥାଏ। ଯୋଗ ବିଶ୍ୱର ଜନସଂଖ୍ୟା ସହିତ ସ୍ୱାସ୍ଥ୍ୟ ତଥା ସେମାନଙ୍କର ଲାଭ ପାଇଁ ବିସ୍ତୃତ ଭାବେ କାମ କରିପାରିବ।

 

କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସକୁ ୨୧ ଜୁନ‌୍‍ ୨୦୧୫ରେ ନୂଆଦିଲ୍ଲୀର ରାଜପଥ ଠାରେ ସଫଳତା ପୂର୍ବକ ଆୟୋଜନ କରିଥିଲେ। ଏଥିରେ ଦୁଇଟି ବିଷୟ ଗିନିଜ‌୍‍ ବୁକ ଅଫ‌୍‍ ବିଶ୍ୱ ରେକର୍ଡସ‌୍‍ରେ ସ୍ଥାନ ପାଇଥିଲା। ଏଥିରେ ୩୫,୯୮୫ ଜଣ ଭାଗ ନେଇଥିଲେ, ଯାହାକି ଏକ ବିଶ୍ୱ ରେକର୍ଡ ଥିଲା। ସେହିପରି ଗୋଟିଏ ଅଭ୍ୟାସ ଅଧିବେଶନରେ ୮୪ଟି ଦେଶର ନାଗରିକ ଭାଗ ନେଇଥିଲେ। ଏହା ମଧ୍ୟ ଏକ ବିଶ୍ୱ ରେକର୍ଡ ଥିଲା। ବିଜ୍ଞାନ ଭବନରେ ୨୧ ଓ ୨୨ ଜୁନ‌୍‍ ୨୦୧୫ ରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଯୋଗ ବିଷୟକୁ ନେଇ ଏକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ହୋଇଥିଲା। ଏଥିରେ ଭାରତ ତଥା ବିଦେଶର ପାଖାପାଖି ୧୩ ଶହ ପ୍ରତିନିଧି ଭାଗ ନେଇଥିଲେ। ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ଆନ୍ତର୍ଜାତିକ ଯୋଗ ଦିବସରେ ଭାରତ ତଥା ବିଶ୍ୱର ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ।

 

ଯୋଗ ଶବ୍ଦ ଯୁଜ‌୍‍ ଧାତୁରୁ ଆସିଛି ଯାହାର ଅର୍ଥ ସାମିଲ‌୍‍ ହେବା ବା ଏକାଠି ହେବା। ଏହାର ଉଦ୍ଭବ ହଜାର ହଜାର ବର୍ଷ ପୂର୍ବେ ହୋଇଛି। ଶ୍ରୃତି ପରମ୍ପରା ଅନୁସାରେ ଭଗବାନ ଶିବ ଯୋଗ ବିଦ୍ୟାର ଆଦି ଗୁରୁ, ଯୋଗୀ ବା ଆଦିଯୋଗୀ। ହଜାର ହଜାର ବର୍ଷ ପୂର୍ବେ ହିମାଳୟ କାନ୍ତି ସରୋବର ହ୍ରଦ ନିକଟରେ ଏହି ଆଦିଯୋଗୀ ଯୋଗର ଗୁଢ ଜ୍ଞାନକୁ ସପ୍ତଋଷିମାନଙ୍କୁ ପ୍ରଦାନ କରିତିଲେ। ସପ୍ତଋଷିମାନେ ଏହି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯୋଗ ବିଦ୍ୟାକୁ ମଧ୍ୟ-ପୂର୍ବ ଏସିଆ, ଉତ୍ତର ଆଫ୍ରିକା, ଦକ୍ଷିଣ ଆମେରିକା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରସାରିତ କରିଥିଲେ। ଆଧୁନିକ ବିଜ୍ଞାନ ସମ୍ପୂର୍ଣ୍ଣ ବିଶ୍ୱର ବିଭିନ୍ନ ପ୍ରାଚୀନ ସଂସ୍କୃତିଗୁଡିକରେ ଥିବା ସମାନତାକୁ ନେଇ ଚକିତ। ଭାରତ ଭୂମି ହେଉଛି ସେହି ଭୂମି ଯେଉଁଠାରେ ଯୋଗବିଦ୍ୟା ସଂପୂର୍ଣ୍ଣ ଭାବେ ଅଭିବ୍ୟକ୍ତ ହୋଇଥିଲା। ଭାରତୀୟ ଉପମହାଦେଶରେ ଭ୍ରମଣ କରିଥିବା ସପ୍ତଋଷି ଏବଂ ଅଗସ୍ତ୍ୟ ମୁନି ଏହି ଯୋଗକୁ ସଂସ୍କୃତିର ପ୍ରାଣ ରୂପେ ବିଶ୍ୱର ପ୍ରତ୍ୟେକ ଭାଗରେ ପ୍ରସାରିତ କରିଥିଲେ।

 

ଯୋଗର ବ୍ୟାପକ ସ୍ୱରୁପ ତଥା ପରିଣାମ ସିନ୍ଧୁ ଓ ସରସ୍ୱତୀ ନଦୀ ସଭ୍ୟତା ଖ୍ରୀ.ପୂ. ୨୭୦୦ ସମୟର ବୋଲି ମନେକରାଯାଇପାରେ। ସିନ୍ଧୁ ଓ ସରସ୍ୱତୀ ନଦୀ ସଭ୍ୟତାରେ ଯୋଗ ସାଧନା କରୁଥିବା ଅନେକ ଆକୃତି ଚିହ୍ନ ସେଠାରୁ ମିଳିଥିବା ଅନେକ ମୋହର ଓ ଜୀବାଶ୍ମର ଅବଶେଷ ପ୍ରମାଣିତ କରେ ଯେ ପ୍ରଚୀନ ଭାରତରେ ଯୋଗର ଅସ୍ତିତ୍ୱ ଥିଲା। ସରସ୍ୱତୀ ନଦୀ ସଭ୍ୟତାରୁ ମିଳିଥିବା ଦେବାଦେବୀମାନଙ୍କର ମୂର୍ତ୍ତି ଓ ମୋହର ତନ୍ତ୍ରଯୋଗର ସଙ୍କେତ ପ୍ରଦାନ କରେ। ବୈଦିକ ଏବଂ ଉପନିଷଦ ପରମ୍ପରା, ଶୈବ, ବୈଷ୍ଣବ ତଥା ତାନ୍ତ୍ରିକ ପରମ୍ପରା, ଭାରତୀୟ ଦର୍ଶନ, ରାମାୟଣ ଏବଂ ଭାଗବତ ଗୀତା ସମେତ ମହାଭାରତ ଭଳି ମହାକାବ୍ୟ, ବୌଦ୍ଧ ଏବଂ ଜୈନ ପରମ୍ପରା ସହିତ ବିଶ୍ୱର ଲୋକ ପରମ୍ପରାରେ ମଧ୍ୟ ଯୋଗର ପ୍ରୟୋଗ ମିଳିଥାଏ। ଯୋଗର ଅଭ୍ୟାସ ପ୍ରାକ ବୈଦିକ କାଳରେ ମଧ୍ୟ କରାଯାଉଥିଲା। ମହର୍ଷୀ ପାତଞ୍ଜଳୀ ସେହି ସମୟରେ ପ୍ରଚଳିତ ପ୍ରଚୀନ ଯୋଗ ଅଭ୍ୟାସଗୁଡିକୁ ବ୍ୟବସ୍ଥିତ ଓ ବର୍ଗୀକୃତ କରି ଏହାର ଫଳାଫଳ ଏବଂ ଏଥି ସହିତ ସମ୍ପର୍କିତ ଜ୍ଞାନକୁ ପାତଞ୍ଜଳୀ ସୂତ୍ର ନାମକ ଗ୍ରନ୍ଥରେ କ୍ରମବଦ୍ଧ ଭାବେ ବ୍ୟବସ୍ଥାପିତ କରିଥିଲେ। ପାତଞ୍ଜଳୀଙ୍କ ପରେ ଋଷି ଏବଂ ଆଚାର୍ଯ୍ୟମାନେ ଯୋଗ ଅଭ୍ୟାସ ଓ ଯୌଗିକ ସାହିତ୍ୟ ମାଧ୍ୟମରେ ଏହି କ୍ଷେତ୍ରରେ ସଂରକ୍ଷଣ ଓ ବିକାଶରେ ମହାନ ଯୋଗଦାନ ଦେଇଛନ୍ତି। ପ୍ରତିଷ୍ଠିତ ଯୋଗ ଆଚାର୍ଯ୍ୟମାନେ ଶିକ୍ଷା ମାଧ୍ୟମରେ ଯୋଗ ପ୍ରଚୀନ କାଳରୁ ଆଜି ସଂପୂର୍ଣ୍ଣ ବିଶ୍ୱରେ ବିସ୍ତାର ଲାଭ କରିଛି।

 

ଯୋଗ ହେଉଛି ଏକ ସୁସ୍ଥ ଜୀବନର କଳା ଓ ବିଜ୍ଞାନ। ଏହା ଏକ ଆଧ୍ୟାତ୍ମିକ ଅନୁଶାସନ ଏବଂ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ ଯାହା ମନ ଏବଂ ଶରୀର ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ। ଯୋଗର ଅଭ୍ୟାସ ବ୍ୟକ୍ତିଗତ ଚେତନାକୁ ସାର୍ବଭୌମ ଚେତନା ସହିତ ଏକାକାର କରିଥାଏ। ଯିଏ ଯୋଗ ସହିତ ଅସ୍ତିତ୍ୱର ଏକତ୍ୱକୁ ଅନୁଭବ କରି ପାରିଛି ତାକୁ ଯୋଗୀ ବୋଲି କୁହାଯାଇଥାଏ। ଯୋଗୀ ପୂର୍ଣ୍ଣ ସ୍ୱାଧୀନତା ହାସଲ କରି ମୁକ୍ତାବସ୍ଥା ପ୍ରାପ୍ତ କରିଥାଏ, ଯାହାକୁ ମୁକ୍ତି ବା ନିର୍ବାଣ କୁହାଯାଇଥାଏ। ଯୋଗର ପ୍ରୟୋଗ ମାଧ୍ୟମରେ ମନୁଷ୍ୟ ତା’ର ଶରୀର ଏବଂ ମନ ମଧ୍ୟରେ ସନ୍ତୁଳନ ସ୍ଥାପିତ କରି ଆତ୍ମ ସାକ୍ଷାତକାର ପ୍ରାପ୍ତ କରିଥାଏ। ଯୋଗ ସାଧନା ସମସ୍ତ ତ୍ରିବିଧ ପ୍ରକାରର ଦୁଃଖରୁ ଆଧିଦୈବିକ, ଆଧ୍ୟାତ୍ମିକ ଓ ଆଧିଭୌତିକ ନିବୃତ୍ତି ପ୍ରାପ୍ତ କରିଥାଏ। ଏହାଦ୍ୱାରା ବ୍ୟକ୍ତି ତାର ଜୀବନରେ ପୂର୍ଣ୍ଣ ସ୍ୱାଧୀନତା ତଥା ସ୍ୱାସ୍ଥ୍ୟ ପ୍ରସନ୍ନତା ଏବଂ ସନ୍ତୁଳନର ଅନୁଭୂତି ପ୍ରାପ୍ତ କରିଥାଏ। ଏହା ବ୍ୟକ୍ତିର ଶରୀର, ମନ, ଭାବନା ଏବଂ ଶକ୍ତି ଭଳି ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥାଏ।

 

ଏହାକୁ ବ୍ୟାପକ ଭାବେ ଚାରୋଟି ବର୍ଗରେ ବର୍ଗୀକରଣ କରାଯାଇପାରେ - କର୍ମ ଯୋଗ, ଜ୍ଞାନ ଯୋଗ, ଭକ୍ତି ଯୋଗ ଏବଂ କ୍ରିୟା ଯୋଗ। କର୍ମ ଯୋଗରେ ଆମେ ଶରୀରକୁ ବ୍ୟବହାର କରିଥାଉ, ଜ୍ଞାନ ଯୋଗରେ ଆମେ ମନର ପ୍ରୟୋଗ କରିଥାଉ, ଭକ୍ତି ଯୋଗରେ ଆମେ ଭାବନାର ପ୍ରୟୋଗ କରିଥାଉ ଏବଂ କ୍ରିୟା ଯୋଗରେ ଆମେ ଶକ୍ତିର ପ୍ରୟୋଗ କରିଥାଉ। ପ୍ରତ୍ୟେକ ବ୍ୟକ୍ତି ଏହି ଚାରି ଯୋଗ କାରକଗୁଡିକର ଏକ ଅଦ୍ୱିତୀୟ ସଂଯୋଗ। ଜଣେ ସକ୍ଷମ ଗୁରୁ ହିଁ ଯୋଗ୍ୟ ସାଧକଙ୍କୁ କେବଳ ସେମାନଙ୍କ ଆବଶ୍ୟକତା ଅନୁସାରେ ଆଧାରଭୂତ ଯୋଗ ସିଦ୍ଧାନ୍ତର ସଠିକ ସଂଯୋଜନା କରାଇପାରିବ। ଯୋଗର ସମସ୍ତ ପ୍ରାଚୀନ ବ୍ୟାଖ୍ୟା ବିଷୟରେ ଅଧିକ ଜୋର ଦିଆଯାଇ କୁହାଯାଇଛି ଯେ ଏହାକୁ ସକ୍ଷମ ଗୁରୁଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିବା ଅତ୍ୟନ୍ତ ଆବଶ୍ୟକ। ଯୋଗର ଅଲଗା ଅଲଗା ସଂପ୍ରଦାୟ, ପରମ୍ପରା, ଦର୍ଶନ, ଧର୍ମ ଏବଂ ଗୁରୁ-ଶିଷ୍ୟ ପରମ୍ପରା କାରଣରୁ ଭିନ୍ନ ଭିନ୍ନ ପାରମ୍ପରିକ ପାଠଶାଳାର ମାର୍ଗ ପ୍ରଶସ୍ତ ହୋଇଛି। ଏଥିରେ ଜ୍ଞାନ ଯୋଗ, କର୍ମ ଯୋଗ, ପାତଞ୍ଜଳୀ ଯୋଗ, କୁଣ୍ଡଳିନୀ ଯୋଗ, ହଠ ଯୋଗ, ଧ୍ୟାନ ଯୋଗ, ମନ୍ତ୍ର ଯୋଗ, ଲୟ ଯୋଗ, ରାଜ ଯୋଗ, ଜୈନ ଯୋଗ, ବୈାଦ୍ଧ ଯୋଗ ଆଦି ସମ୍ମିଶ୍ରଣ ଘଟିଛି।

 

ଯୋଗ ମାନବତା ଓ ଆଧ୍ୟାତ୍ମିକ ଉଭୟ ରୂପରେ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ନିଜକୁ ପ୍ରମାଣିତ କରିଛି। ଏହା ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ ବରଦାନ। ଯୋଗ ଅଭ୍ୟାସ ଦ୍ୱାରା ରୋଗବ୍ୟାଧି ମୁକ୍ତ ତଥା ଆରୋଗ୍ୟ ହେବା ସମ୍ପର୍କରେ ଆଜି ସମସ୍ତଙ୍କଠାରେ ଏହା ଦୃଢ ବିଶ୍ୱାସ ସୃଷ୍ଟି କରିପାରିଛି। ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଯୋଗରୁ ଲାଭାନ୍ୱିତ ହୋଇଛନ୍ତି। ଆଜି ଦିନରେ ଯୋଗ ପ୍ରତିଦିନ ବିକଶିତ ଓ ସମୃଦ୍ଧ ହୋଇପାରିଛି ଏବଂ ଯୌଗିକ ଅଭ୍ୟାସ ଅଧିକ ଗୁରୁତ୍ୱପୁର୍ଣ୍ଣ ହେବାରେ ଲାଗିଛି। ଏହାର ଅଭ୍ୟାସ ଶରୀର ଏବଂ ମନ, ବିଚାର ଏବଂ କର୍ମ, ଆତ୍ମସଂଯମ, ପୂର୍ଣ୍ଣତାର ଏକାତ୍ମକତା ତଥା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ। ଏହା ସ୍ୱାସ୍ଥ୍ୟ ଏବଂ କଳ୍ୟାଣର ପୂର୍ଣ୍ଣତାବାଦୀ ଦୃଷ୍ଟିକୋଣ। ଏହା କେବଳ ବ୍ୟାୟାମ ନୁହେଁ ବରଂ ନିଜ ସହ ବିଶ୍ୱ ଓ ପ୍ରକୃତିକୁ ଏକତ୍ୱ ଖୋଜିବାର ଭାବ। ଏହା ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ ତଥା ପ୍ରାକୃତିକ ପରିବର୍ତ୍ତନ ଦ୍ୱାରା ଶରୀରରେ ହେଉଥିବା ପରିବର୍ତ୍ତନକୁ ସହ୍ୟ କରିବାରେ ସହାୟକ ହୋଇଥାଏ।

 

ଏହା ଜଳବାୟୁ ପରିବର୍ତନ କରିବାର ମୁକାବିଲା କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗକୁ ସ୍ୱୀକାର କରି ଆମେ ଆମର ମନକୁ ସବୁବେଳେ ସନ୍ତୁଳିତ ରଖିବା ସହିତ ନିଜର ଆତ୍ମ ବିକାଶ କରାଇବା ହେଉଛି ଆଜିର ଆହ୍ୱାନ। ତେବେ ଆସନ୍ତୁ ଏହି ଦିନରେ ଆମେ ପ୍ରତ୍ୟେକେ ଏକ ସ୍ୱରରେ ସଂକଳ୍ପ ନେବା - ମୁଁ ନିଜକୁ ଏକ ସୁସ୍ଥ, ଶାନ୍ତିପ୍ରିୟ, ଆନନ୍ଦପୂର୍ଣ୍ଣ ମାନବ ଭାବେ ଗଢିବା ପାଇଁ ସଂକଳ୍ପ ନେଉଛି। ମୁଁ ନିଜର ପ୍ରତ୍ୟେକ କାର୍ଯ୍ୟ ଜରିଆରେ ନିଜର ଚାରିଆଡେ ଶାନ୍ତି ଓ ସ୍ନେହପୂର୍ଣ୍ଣ ବାତାବରଣ ତିଆରି କରିବାକୁ ଚେଷ୍ଟା କରିବି। ମୁଁ ନିଜର ଅହଂକୁ ସମାପ୍ତ କରିବାକୁ ଚେଷ୍ଟା କରିବି ଓ ସମଗ୍ର ବିଶ୍ୱକୁ ନିଜ ମଧ୍ୟରେ ସମାହିତ କରିବାକୁ ଚେଷ୍ଟା କରିବି। ମୁଁ ଅନ୍ୟର ଜୀବନରେ ନିଜର ଜୀବନ ସମ୍ୱନ୍ଧକୁ ଚିହ୍ନିବି। ମୁଁ ଏଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସହିତ ଏକାତ୍ମ ହେବାକୁ ଚେଷ୍ଟା କରିବି।

 

ଆସନ୍ତୁ ସମସ୍ତେ ଏକ ସ୍ୱରରେ କହିବା, ସମସ୍ତେ ସୁଖୀ ରୁହନ୍ତୁ। ସମସ୍ତେ ନୀରୋଗୀ ହୁଅନ୍ତୁ। ସମସ୍ତେ ନିରାମୟ ହୁଅନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ। କେହି ଦୁଃଖୀ ନ ହୁଅନ୍ତୁ - ସର୍ବେ ଭବନ୍ତୁ ସୁଖୀନଃ। ସର୍ବେ ସନ୍ତୁ ନିରାମୟା। ସର୍ବେ ଭଦ୍ରାଣି ପଶ୍ୟନ୍ତୁ। ମା କଶ୍ଚିତ‌୍‍ ଦୁଃଖଭାଗ‌୍‍ ଭବେତ‌୍‍। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

 

ରାଜ୍ୟ ସହସଂଯୋଜକ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା।

ଚେୟାରମ୍ୟାନ‌୍‍, ବିବେକାନନ୍ଦ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ଆଡ଼‌୍‍ଭାନ୍ସଡ଼ ଏଜୁକେସନାଲ‌୍‍ ରିସର୍ଚ୍ଚ ଆଣ୍ଡ‌୍‍ ଟେକ୍ନୋଲୋଜି (ଭାରତ)

ଖୋର୍ଦ୍ଧା - ୭୫୨୦୫୭ (ଓଡିଶା), ଚଳଭାଷ - ୯୪୩୭୦୦୬୭୨୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top