ଋତୁ ସଂହାର

News Story - Posted on 2017-06-06

ଦେବେନ୍ଦ୍ର ପୃଷ୍ଟି

 

ଠିକ ଆମ ଏଇ ପୃଥିବୀର ଅନିଶ୍ଚିତ ଋତୁ ପରି

ଏବେ ସବୁ ଆନ୍ଦୋଳିତ ଖରା, ବର୍ଷା, ଶୀତଳ ସକାଳ।

କେତେବେଳେ ଜଳେ ନିଆଁ,

କେତେବେଳେ ବତାସରେ ଭାସି ଆସେ ବନ୍ୟାର ବାରତା।

ଜୀବନର ଚେରସବୁ କଟେ ଓ ଉପୁଡେ଼,

ସବୁ ଧ୍ୱଂସ ହେଲା ପରେ

ପୁଣି କେହି ଲେଖେ ଏଠି

ସୃଷ୍ଟିର ଜାତକ!

 

ଆମେ କ’ଣ ଘର କରି ରହିବା ନିଆଁରେ?

ଦେହକୁ ଘୋଡେ଼ଇ ହୋଇ ବରଫ ଗଦାରେ?

ପିଇବା କି ଉଦଯାନ ଓ ଅମ୍ଳଯାନ ମିଶ୍ରିତ ସର୍ବତ?

ନିଃଶ୍ୱାସ ପାଇଁ ଚଢ଼ିବା ଓସ୍ତ ଗଛ, ତାଡ଼ିବା ପର୍ବତ?

 

କିଏ ଦେବ ଆମକୁ ସେ ସହର ଠିକଣା-

ଯେଉଁଠାରେ କଳ ଅଛି ଜୀବନର, ପବନର, ମାଟିର, ପାଣିର?

ପ୍ରେମର ଓ ଆନନ୍ଦର, ଶାନ୍ତିର, ସ୍ୱସ୍ତିର?

 

ଆମ ଏଇ ମରତର ଯେତେସବୁ ସ୍ୱର୍ଗ-

ସବୁ କ’ଣ ରଙ୍ଗ ଓ ତୂଳିର କାମ, ଶବ୍ଦର ବ୍ୟଞ୍ଜନା?

ପାଉଁଶର ପୃଥିବୀରେ କୋଣାର୍କର ଉନ୍ମାଦ କଳ୍ପନା?

ଏ ତ’ ଏକ ନର୍କ ଯହିଁ ସ୍ୱାର୍ଥ ଏକ ସ୍ଥାୟୀ ଋତୁ-

ସିନେମାର ସୁଖ ସବୁ ପରଦାରେ ଜନ୍ମ ଆଉ ପରଦାରେ ମୃତ୍ୟୁ!

 

ବାହାର ଗରମ ସବୁ ଘରକୁ ପଶୁଚି-

ଚାଲ ଆମେ ଗଛକାଟି ଲଗାଇବା ଏସି!

କାନ୍ଥରେ ଟଙ୍ଗେଇବା ସ୍ୱର୍ଗର ପରଦା

ଗଡ଼ରେଜ ଲକର‌୍‍‌୍‍ରେ ଭର୍ତ୍ତି କରି ଖୁସି!

ଫ୍ରିଜର ଭିତରେ ଖୁନ୍ଦି ଶାନ୍ତି ଆଉ ତୃପ୍ତି

ମଙ୍ଗଳରେ ଉଡେ଼ଇବା ବିକାଶର ଧ୍ୱଜା!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top