ମିଡିଆ ଯୁଦ୍ଧ

News Story - Posted on 2017-06-04

ଚାରୁ ଚନ୍ଦନ ଦାଶ

 

ଯୁଦ୍ଧ କହିଲେ ଇଂରାଜୀରେ ୱାର। ଏହି ୱାର ଶବ୍ଦଟି ପ୍ରାଚୀନ ଇଂରାଜୀ ଶବ୍ଦ େୱରେ ବା ୱେରାରୁ ଆସିଛି। ପୁରାତନ ଫ୍ରାନ୍ସରୁ ଆବିଷ୍କୃତ ଏହି ଶବ୍ଦଟି ପରେ ପରେ ଜର୍ମାନୀ ବାଟେ ଚାରିଆଡ଼େ ବ୍ୟାପିଥିଲା।

 

ମିଡିଆ ୱାର ବା ଯୁଦ୍ଧ ମଧ୍ୟ କାହିଁ କେଉଁ ପ୍ରାଚୀନ କାଳରୁ ଲାଗି ଆସିଛି। ଇଂଲଣ୍ଡ, ଆମେରିକା, ଚାଇନା ଭଳି ଦେଶ ଗୁଡ଼ିକରେ ପୂର୍ବରୁ ଏହା ଦେଖା ଯାଉଥିଲା। ମାତ୍ର, ଆଜିକାଲି ସାରା ବିଶ୍ବରେ ଏହି ଯୁଦ୍ଧ ଲାଗି ରହିଛି। କେତେବେଳେ ଟିଆରପି ପାଇବା ଆଶାରେ ତ ଆଉ କେତେବେଳେ ବ୍ୟକ୍ତିଗତ କାରଣକୁ ନେଇ ଗଣମାଧ୍ୟମ ଭେଜାଲ ହେବାରେ ଲାଗିଲାଣି। ବଜାରର ହରେକ ମାଲ ଭଳି ଆଜି ଗଣମାଧ୍ୟମ ବିକ୍ରି ହେଉଛି।

 

ଆଜିକାଲି ଚୁଟକି ମାଧ୍ୟମରେ ଗୋଟିଏ ଖବର ଚାରିଆଡ଼େ ବ୍ୟାପି ଯାଉଛି। ଟ୍ବିଟର, ଫେସବୁକ ମାଧ୍ୟମରେ ଯେକୌଣସି ଖବର ବିଶ୍ବର କୋଣ ଅନୁକୋଣରେ ପହଂଚି ପାରୁଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଭାରି ସକ୍ରିୟ। ବେଳେବେଳେ ତାଙ୍କ ଖବର ଅପଡେଟ ବାହାବା ସାଉଁଟୁଛି ତ ଆଉ କେତେବେଳେ ବିବାଦୀୟ ହୋଇପଡୁଛି। ଏଇ ତ ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗଣମାଧ୍ୟମକୁ ନେଇ କରିଥିବା ଟ୍ବିଟ୍‌ ସାରା ବିଶ୍ବରେ ଚହଳ ପକାଇ ଦେଇଥିଲା। ସେ ଯାହାବି ହେଉ, ମୋଟାମୋଟି କହିବାକୁ ଗଲେ ସାମାଜିକ ଗଣମାଧ୍ୟମ ଆଜିର ଦିନରେ ପୂରା ସକ୍ରିୟ।

 

ନିଚ୍ଛକ ଖବର ପ୍ରସାରଣ ଅପେକ୍ଷା ଗଣମାଧ୍ୟମ ଆଜିକାଲି ଏକ ନିର୍ଦ୍ଦିଷ୍ଟ ପାର୍ଟି ବା ଦଳର ମୁଖପତ୍ର ହିସାବରେ କାମ କରୁଛି। କେତେବେଳେ ଶାସକ ଦଳର ପ୍ରରୋଚନାରେ ବିରୋଧୀ ବିରୁଦ୍ଧରେ ଲାଗୁଛନ୍ତି ତ ଆଉ କେତେବେଳେ ବିରୋଧୀ ସପକ୍ଷରେ ଯାଇ ଶାସକ ଦଳର ବିରୋଧୀ ଖବର ପ୍ରସାରଣ କରୁଛନ୍ତି। ଏଇଭଳି ଅନେକ ଉଦାହରଣ ରହିଛି। ନିକଟରେ ଓଡ଼ିଶାରେ ଦୁଇଟି ପ୍ରମୁଖ ଗଣମାଧ୍ୟମ ପରସ୍ପର ମଧ୍ୟରେ ଛକପଞ୍ଝା ଲାଗିଥିଲେ। ଲଢ଼େଇ ଏତେ ଜୋର ଧରିଥିଲା ଯେ, ଜଣେ ଜଣଙ୍କ ବିରୋଧରେ ଶିରୋନାମା ଦେବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ଅନ୍ୟଜଣେ ପ୍ରତ୍ୟାକ୍ରମଣ କରୁଥିଲେ।

 

ପୂର୍ବରୁ ମିଡିଆ ୱାର ବା ଗଣମାଧ୍ୟମ ଯୁଦ୍ଧର ଅନେକ ଉଦାହରଣ ରହିଛି। 2012 ମସିହାରେ ସିରିଆ ରାଷ୍ଟ୍ରପତି ବସର ଅଲ୍ ଅସଦଙ୍କ ମେଲ୍‌କୁ ନେଇ ଘମାଘୋଟ ଲଢ଼େଇ ହୋଇଥିଲା। ସେଠାକାର ଦୁଇଭାଗ ହୋଇଥିବା ମିଡିଆ ନିଜନିଜ ଭିତରେ କଳି କରିବାରେ ଲାଗିଲେ। ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ମେଲ୍‌କୁ ହ୍ୟାକ କରିବା ପରେ ମିଡିଆ ଏହାକୁ ପ୍ରସାରଣ କରିବାରେ ଲାଗିଲା। ଏହାପରେ ସେଠାରେ ଆରମ୍ଭ ହୋଇଥିଲା ମିଡିଆ ୱାର।

 

ସେହିପରି ୧୯୯୯ ମସିହାରେ ଭାରତରେ ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ଅନେକ ବଢ଼ିଥିଲା। କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ଟେଲିଭିଜନରେ ତାହାର ଜୋରଦାର ପ୍ରସାରଣ ହେବା ସାଙ୍ଗକୁ ଭାରତ-ପାକିସ୍ତାନ ଉଭୟ ମିଡିଆ ମଧ୍ୟରେ ସାଙ୍ଘାତିକ ଯୁଦ୍ଧ ଲାଗିଥିଲା।

 

ଗଣମାଧ୍ୟମ ଆଜି କେତେକ ଲୋକଙ୍କ ବ୍ୟକ୍ତିଗତ ଇସାରା ପାଲଟିଗଲାଣି। ମିଛି ଲୋକ ନିଜର ସ୍ବାର୍ଥସାଧନ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ ବ୍ୟକ୍ତିଙ୍କ ପାଇଁ ଏହି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଚାର କରୁଛନ୍ତି। ସେଥିପାଇଁ ପ୍ରତିନିଧିମାନଙ୍କୁ ସେଇ ମୁଣ୍ଡିଆଳମାନେ ମାସ ଶେଷରେ ମୋଟା ଅଙ୍କର ପାଉଣା ମଧ୍ୟ ଦେଉଛନ୍ତି। ଗଣମାଧ୍ୟମକୁ ସମାଜର ୱାଚ୍-ଡଗ୍ ବା ଜଗୁଆଳି କୁକୁର କୁହାଯାଏ ବୋଲି ପାଠ ପଢିଲାବେଳେ ଆମ ସାର୍‌ କହୁଥିଲେ। ଏହାକୁ ୱାଚ୍-ଡଗ୍ ଏଥିପାଇଁ କୁହାଯାଏ କାରଣ ପ୍ରତି ମୁହୂର୍ତ୍ତରେ ଏହା ସମାଜର ଭଲମନ୍ଦକୁ ପରଖି ପାରୁଥିବ ଏବଂ ସତ୍ୟ ଘଟଣାକୁ ପଦାକୁ ଆଣି ପାରୁଥିବ। ମାତ୍ର, ଆଜିକାଲି ଏହା ସାଧାରଣ ଲୋକଙ୍କ ୱାଚ୍-ଡଗ୍ ହେବା ପରିବର୍ତ୍ତେ କେତେକ ନ୍ୟସ୍ତସ୍ବର୍ଥ ଲୋକଙ୍କ ବ୍ୟକ୍ତିଗତ ଜଗୁଆଳି ଓ ଅଘୋଷିତ ମୁଖପାତ୍ର ପାଳଟିଗଲାଣି।

 

ଓଡ଼ିଶାରେ ଏକଦା ସମାଜ-ପ୍ରଜାତନ୍ତ୍ର, ସମାଜ-ସମ୍ବାଦ, ସମ୍ବାଦ-ଧରିତ୍ରୀ ଯଦ୍ଧ ଚାଲିଥିଲା। ଏବକୁ ସମ୍ବାଦ଼-ପ୍ରମେୟ, ଓଟିଭି-ନ୍ୟୁଜ୭, ନ୍ୟୁଜ୭-କନକ ଆଦି ଚାନେଲ ଯୁଦ୍ଧ ବି ବେଶ ରୋମାଞ୍ଚକର। ନିଜନିଜର ଅନୈତିକ ବ୍ୟବସାୟିକ ସ୍ବାର୍ଥ ଓ ସାମ୍ରାଜ୍ୟର ସୁରକ୍ଷା କରିବା, ନିଜ ରାଜନୀତିକ ପ୍ରଭୁ ଓ ସୁରକ୍ଷାଦାତାଙ୍କ ପାଇଁ ଜଗୁଆଳୀ କୁକୁରର କାମ କରିବାରେ ବ୍ୟସ୍ତ ଥିବା ଗଣମାଧ୍ୟମ ଭିତରେ ଏଭଳି ଯୁଦ୍ଧ ହେବା ସ୍ବାଭାବିକ। ଦୁଃଖର କଥା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନିଜନିଜ ମାଲିକଙ୍କ ସ୍ବାର୍ଥର ସୁରକ୍ଷା କରୁକରୁ ଜନଗଣଙ୍କ ସ୍ବାର୍ଥ ଉଜାଡ଼ି ଦେଇଥାନ୍ତି। ଏଥିପ୍ରତି ସମ୍ପାଦକ ଓ ସାମ୍ବାଦିକମାନେ ଯତ୍ନବାନ ହେବା ଜରୁରୀ।

 

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୬୫୮୨୬୩୨୮୫


ପ୍ରତିକ୍ରିୟା

biswa - Email: - Posted on 2017-06-04 14:04:03

Conceptual...More power to ur pen

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top