କାହା କଥା କହୁଛନ୍ତି ବିଜୟ?

News Story - Posted on 2017-06-04

ପାରାଦୀପ ତୈଳ ବିଶୋଧନାଗାରରେ ନିଯୁକ୍ତିରେ ଓଡିଆ ଲୋକଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ନେଇ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସମର୍ଥନ କରିଥିବାବେଳେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି। ଏ ପ୍ରସଙ୍ଗ ଉଠାଇଥିବାରୁ ବିଜୟ ମହାପାତ୍ରଙ୍କୁ ଡାକ୍ତର ରାଉତ ଧନ୍ୟବାଦ ଦେଇଥିବାବେଳେ ବିଜେଡି ପାଇଁ ବିଜୟ ଏ ପ୍ରସଙ୍ଗ ଉଠାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ।

 

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସଂକ୍ରାନ୍ତରେ କହିଛନ୍ତି ଯେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱ ନେବା ପରେ ପାରାଦୀପ ଆଇଓସିଏଲରେ ଓଡିଆଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗରେ ଉପଯୁକ୍ତ ଗୁରୁତ୍ୱ ମିଳିଛି। ଆଇଓସିଏଲ ସର୍ବ ଭାରତୀୟ ସଂସ୍ଥା ହୋଇଥିବାରୁ ପୂର୍ବ ନିୟମକୁ ପରିବର୍ତ୍ତନ କରି ତୈଳ ବିଶୋଧନାଗାରରେ କିପରି ଅଧିକ ସ୍ଥାନୀୟ ଲୋକଙ୍କୁ ଚାକିରୀ ସୁଯୋଗ ଦିଆଯାଇ ପାରିବ ସେଥି ପାଇଁ ପ୍ରଧାନ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। 

 

ଆଇଓସିଏଲରେ ନିଯୁକ୍ତି ସ୍ଥିତି ନେଇ ସ୍ପଷ୍ଟୀକରଣ ରଖି ଗୋଲକ କହିଛନ୍ତି ଯେ ବିଶୋଧନାଗାରର ଏକ‌୍‍ଜିକ୍ୟୁଟିଭ ପଦବୀରେ ଥିବା ୫୨୯ ଜଣଙ୍କ ମଧ୍ୟରୁ ୯୦ ଜଣ ହେଉଛନ୍ତି ଓଡିଆ। ନନ ଏକ‌୍‍ଜକ୍ୟୁଟିଭ ପଦବୀରେ ୩୪୬ ନିଯୁକ୍ତି  ପାଇଥିବା ବେଳେ ୧୬୬ ଜଣ ହେଉଛନ୍ତି ଓଡିଆ। ସେହିପରି ଆଇଓସିଏଲରେ ଠିକାରେ କାମ କରୁଥିବା ୫୧୨୩ ଜଣଙ୍କ ମଧ୍ୟରୁ ୪୪୭୫ ଜଣ ହେଉଛନ୍ତି ଓଡିଆ। ଏହା ମୋଟ ସଂଖ୍ୟାର ୮୭ ପ୍ରତିଶତ।

 

ବସ୍ତୁ ପରିବହନରେçମଧ୍ୟ ଓଡିଆ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଗୋଲକ କହିଛନ୍ତି। ଡିଜେଲ, ପେଟ୍ରୋଲ ଓ ହ୍ୱାଇଟ ଅଏଲ ଦୈନିକ ଶହେ ଟ୍ରକ ଲୋଡ ହେଉଥିବା ବେଳେ ୧୪୫  ସ୍ଥାନୀୟ ଟ୍ରକ ମାଲିକଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି। ଦୈନିକ ୨୦ଟି ଟ୍ରକ ବ୍ଲାକ ଅଏଲ ପରିବହନ ପାଇଁ ଓଡିଶାର ମାଲିକମାନଙ୍କୁ କାମ ଦିଆ ଯାଇଛି। ପେଟକୋକ ପରିବହନ ପାଇଁ ଦୈନିକ ୨୦୦ରୁ ୨୫୦ ଟ୍ରକ ଲୋଡ ହେଉଥିବା ବେଳେ ଏହି ସମସ୍ତ କାମ ଓଡିଶାର ଲୋକଙ୍କ ହାତରେ ରହିଛି। ସଲଫର ପରିବହନ ପାଇଁ ଦୈନିକ ୨୦ ଟ୍ରକ ଲାଗୁଥିବା ବେଳେ ଏ ସମସ୍ତ କାମ ସ୍ଥାନୀୟ ଲୋକଙ୍କୁ ମିଳୁଛି। ଉପରୋକ୍ତ ସମସ୍ତ କାମ ୪୩୫ ସ୍ଥାନୀୟ ଟ୍ରକ ମାଲିକଙ୍କ ଦ୍ୱାରା କରା ଯାଇଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ନିର୍ଦ୍ଦେଶ ଅନୁସାରେ ଏଲପିଜି ବୁଲେଟ ମାଧ୍ୟମରେ ପରିବହନ ପାଇଁ ନିଯୋଜିତ ହୋଇଥିବା ଦୈନିକ ୧୫୦ ଗାଡି ଲୋଡର କାର୍ଯ୍ୟ ସର୍ବଭାରତୀୟ ଟେଣ୍ଡର ମାଧ୍ୟମରେ କରାଯାଉଛି।

 

ନାଗାଲାଣ୍ଡର କୌଣସି ପରିବହନକାରୀ ବ୍ୟକ୍ତି ବା ସଂସ୍ଥା ପରିବହନ କାମରେ ନିଯୋଜିତ ହୋଇ ନାହାନ୍ତି ବୋଲି ଗୋଲକ ଦୃଢ଼ଦାବି କରିଛନ୍ତି।  ପୁନର୍ବାସ ଓ ଥଇଥାନ କାମ ରାଜ୍ୟ ସରକାରଙ୍କ ନିୟମ ଓ ସୁପାରିଶ  ଆଧାରରେ କରା ଯାଉଛି  ଓ ସ୍ଥାନୀୟ ଅଂଚଳର ବିକାଶରେ ଆଇଓସିଏଲ ଗୁରୁତ୍ୱପୂର୍ଣ ଭୂମିକା ନେଉଛି ବୋଲି ସେ କହିଛନ୍ତି।

 

ସେ କହିଛନ୍ତି ଯେ ବିଜୟ ମହାପାତ୍ର ଏ ସମ୍ପର୍କରେ ଅଜ୍ଞତା କାରଣରୁ ଏପରି ଅଭିଯୋଗ ଆଣିଥାଇ ପାରନ୍ତି। ଆଇଓସିଓଲରେ ନିଯୁକ୍ତି ମାମଲାରେ ଏ ସମ୍ପର୍କରେ ବିଜେଡି ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ବିଜେପି ଦେଇଥିଲା। ବିଜେଡିର ପ୍ରଶ୍ନ ଦୋହରାଇ ବିଜୟ ମହାପାତ୍ର ଓଡିଶାର ବେକାର ଯୁବକ ନା ବିଜେଡିର ସ୍ୱାର୍ଥ ପାଇଁ କାମ କରୁଛନ୍ତି ବୋଲି ଗୋଲକ ପ୍ରଶ୍ନ କରିଛନ୍ତି।

 

ସ୍ଥାନୀୟ କାମରେ ବିହାରୀ ଓ ଗୁଜରାଟୀମାନେ ନିଯୁକ୍ତ ହେଉଥିବା ନେଇ ମନ୍ତ୍ରୀ  ଦାମୋଦର ରାଉତଙ୍କ ପ୍ରତିକ୍ରିୟା ଉପରେ ଗୋଲକ କହିଛନ୍ତି ଯେ ଦାମବାବୁଙ୍କ ପରିବାର ଏହି କାମରେ ବଡ ଲାଭ ପାଇଛନ୍ତି ନା ନାହିଁ ତାହାର ଉତ୍ତର ସେ ଦେବା ଉଚିତ। ସର୍ବ ଭାରତୀୟ ସଂସ୍ଥାରେ ଅନ୍ୟ ରାଜ୍ୟର ଲୋକମାନଙ୍କୁ ଯଦି ବିରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ଦାୟିତ୍ୱ କାହିଁକି ଅଣ ଓଡିଆ ଆଇଏଏସଙ୍କ ହାତରେ ନ୍ୟସ୍ତ ଅଛି ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। 

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ଡାକ୍ତର ରାଉତ ଆଇଓସିଏଲ ନିଯୁକ୍ତି ଓ ଠିକା କାମ ନେଇ ବିଜୟ ମହାପାତ୍ର ଉଠାଇଥିବା ପ୍ରସଙ୍ଗକୁ ସମର୍ଥନ କରି କହିଥିଲେ ଯେ ବିଳମ୍ୱରେ ହେଲେ ବି ଏ ପ୍ରସଙ୍ଗ ଉଠାଇଥିବାରୁ ବିଜୟ ଧନ୍ୟବାଦର ପାତ୍ର। ଆଇଓସିଏଲରେ ନିଯୁକ୍ତି କଥା ଛାଡ଼ନ୍ତୁ ଶ୍ରମିକମାନେ ଠିକରେ ମଜୁରୀ ମଧ୍ୟ ପାଉ ନାହାନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top